1 ତତ୍ପରେ ସପ୍ତ ପାତ୍ରଧାରୀ ସପ୍ତ ଦୂତଙ୍କ ମଧ୍ୟରୁ ଜଣେ ଆସି ମୋତେ କହିଲେ, ଏଠାକୁ ଆସ, ଯେଉଁ ମହାବେଶ୍ୟା ବହୁ ଜଳରାଶି ନିକଟରେ ଉପବିଷ୍ଟ,
2 ଯାହା ସହିତ ପୃଥିବୀର ରାଜାମାନେ ବ୍ୟଭିଚାର କରିଅଛନ୍ତି ଓ ପୃଥିବିନିବାସୀମାନେ ଯାହାର ବ୍ୟଭିଚାରରୂପ ମଦିରାରେ ମତ୍ତ ହୋଇଅଛନ୍ତି, ତାହାର ଦଣ୍ଡ ତୁମ୍ଭକୁ ଦେଖାଇବି |।
3 ସେଥିରେ ସେ ମୋତେ ଆତ୍ମାରେ ପ୍ରାନ୍ତର ମଧ୍ୟକୁ ଘେନିଯାଆନ୍ତେ ମୁଁ ଜଣେ ସ୍ତ୍ରୀଲୋକକୁ ଗୋଟିଏ ଲୋହିତବର୍ଣ୍ଣ ପଶୁ ଉପରେ ବସିଥିବାର ଦେଖିଲି; ସେହି ପଶୁର ସର୍ବାଙ୍ଗ ଈଶ୍ୱରନିନ୍ଦାସୂଚକ ନାମରେ ପରିପୂର୍ଣ୍ଣ, ଆଉ ତାହାର ସପ୍ତ ମସ୍ତକ ଓ ଦଶ ଶୃଙ୍ଗ |।
4 ସ୍ତ୍ରୀଲୋକ ବାଇଗଣିଆ ଓ ଲୋହିତବର୍ଣ୍ଣ ବସ୍ତ୍ର ପରିହିତା, ପୁଣି ସୁବର୍ଣ୍ଣ, ବହୁମୂଲ୍ୟ ମଣି ଓ ମୁକ୍ତାରେ ଭୁଷିତା; ତାହାର ହସ୍ତରେ ଗୋଟିଏ ସୁବର୍ଣ୍ଣ ପାତ୍ର, ତାହା ଘୃଣ୍ୟ ପଦାର୍ଥ ଓ ତାହାର ବ୍ୟଭିଚାରରୂପ ଅଶୁଚି କର୍ମରେ ପରିପୂର୍ଣ୍ଣ;
5 ତାହାର କପାଳରେ ଏହି ନିଗୂଢ଼ ଭାବଯୁକ୍ତ ନାମ ଲିଖିତ ଥିଲା, ମହାନଗରୀ ବାବିଲ୍, ବେଶ୍ୟାମାନଙ୍କର ଓ ପୃଥିବୀର ସମସ୍ତ ଘୃଣ୍ୟବିଷୟର ଜନନୀ |।
6 ମୁଁ ସେହି ସ୍ତ୍ରୀରିଲୋକକୁ ସାଧୂମାନଙ୍କ ଓ ଯୀଶୁଙ୍କ ସାକ୍ଷୀମାନଙ୍କ ରକ୍ତପାନରେ ମତ୍ତ ହେବାର ଦେଖିଲି | ତାହାକୁ ଦେଖି ମୁଁ ଅତ୍ୟନ୍ତ ଆଶ୍ଚର୍ଯ୍ୟାନ୍ୱିତ ହେଲି।
7 ସେଥିରେ ଦୂତ ମୋତେ କହିଲେ, କାହିଁକି ଆଶ୍ଚର୍ଯ୍ୟାନ୍ୱିତ ହେଲ ମୁଁ ତୁମ୍ଭକୁ ସେହି ସ୍ତ୍ରୀଲୋକର ଓ ତାହାର ବାହନ ସପ୍ତ ମସ୍ତକ ଓ ଦଶ ଶୃଙ୍ଗ ବିଶିଷ୍ଟ ଯେଉଁ ପଶୁ, ତାହାର ନିଗୁଢ଼ତତ୍ତ୍ୱ ବୁଝାଇଦେବି |।
8 ସେହି ଯେଉଁ ପଶୁକୁ ତୁମ୍ଭେ ଦେଖିଲ, ତାହା ଥିଲା, ଏବେ ନାହିଁ, ପୁଣି ତାହା ପାତାଳ କୁଣ୍ଡରୁ ଉଠି ବିନାଶ ପାଇବ |ସେଥିରେ ପୃଥିବୀନିବାସୀ ଯେତେ ଲୋକଙ୍କ ନାମ ଜଗତର ପତ୍ତନାବଧି ଜୀବନ ପୁସ୍ତକରେ ଲିଖିତ ହୋଇ ନାହିଁ, ସେମାନେ ଯେତେବେଳେ ସେହି ପଶୁକୁ ଦେଖିବେ ଯେ ତାହା ଥିଲା, ଏବେ ନାହିଁ ପରେ ଆସିବ, ସେତେବେଳେ ସେମାନେ ଆଶ୍ଚର୍ଯ୍ୟାନ୍ୱିତ ହେବେ |।
9 ଏହି ସ୍ଥଳରେ ବୁଦ୍ଧିବିଶିଷ୍ଟ ମନ ଆବଶ୍ୟକ |ସେହି ସପ୍ତ ମସ୍ତକ ସପ୍ତ ପର୍ବତକୁ ବୁଝାଏ, ଏହି ସପ୍ତ ପର୍ବତ ଉପରେ ସ୍ତ୍ରୀଲୋକ ଉପବିଷ୍ଟା;
10 ସେହି ସପ୍ତ ମସ୍ତକ ମଧ୍ୟ ସପ୍ତ ରାଜାଙ୍କୁ ବୁଝାଏ, ସେମାନଙ୍କ ମଧ୍ୟରୁ ପାଞ୍ଚଜଣ ପତିତ ହୋଇଅଛନ୍ତି, ଜଣେ ବର୍ତ୍ତମାନ ଅଛି, ଆଉ ଜଣେ ଏପର୍ଯ୍ୟନ୍ତ ଆସି ନାହିଁ, ସେ ଆସିଲେ ଅଳ୍ପ କାଳ ମାତ୍ର ରହିବ |।
11 ପୁଣି, ଯେଉଁପଶୁଥିଲା ଆଉ ଏବେ ନାହିଁ, ସେ ଅଷ୍ଟମ; ତଥାପି ସେ ସେହି ସପ୍ତ ରାଜାଙ୍କ ମଧ୍ୟରୁ ଜଣେ, ଆଉ ସେ ବିନାଶ ପାଇବ |।
12 ଆହୁରି ଯେଉଁ ଦଶ ଶୃଙ୍ଗ ଦେଖିଲ, ଏହି ସବୁ ଦଶ ରାଜାଙ୍କୁ ବୁଝାଏ; ସେମାନେ ଏପର୍ଯ୍ୟନ୍ତ ରାଜ୍ୟ ପାଇ ନାହାନ୍ତି, କିନ୍ତୁ ପଶୁ ସଙ୍ଗରେ ଏକ ଘଣ୍ଟା ପର୍ଯ୍ୟନ୍ତ ରାଜାମାନଙ୍କ ପରି କ୍ଷମତା ପ୍ରାପ୍ତ ହେବେ |।
13 ସେମାନେଏକମନା, ଆଉ ସେମାନେ ସେହି ପଶୁକୁ ଆପଣାମାନଙ୍କର ଶକ୍ତି ଓ କ୍ଷମତା ଦେବେ |।
14 ସେମାନେ ମେଷଶାବକଙ୍କ ସହିତ ଯୁଦ୍ଧ କରିବେ, ଆଉ ମେଷଶାବକ ସେମାନଙ୍କୁ ସେମାନଙ୍କୁ ଜୟ କରିବେ, କାରଣ ସେ ପ୍ରଭୁମାନଙ୍କର ପ୍ରଭୁ ଓ ରାଜାମାନଙ୍କର ରାଜା, ପୁଣି ଯେଉଁମାନେ ତାହାଙ୍କ ସହିତ ଅଛନ୍ତି, ସେହି ଆହୁତ, ମନୋନୀତ ଓ ବିଶ୍ୱସ୍ଥ ଲୋକମାନେ ମଧ୍ୟ ଜୟ କରିବେ |।
15 ଆଉ ସେ ମୋତେ କହିଲେ, ଯେଉଁ ଜଳରାଶି ନିକଟରେ ତୁମ୍ଭେ ବେଶ୍ୟାକୁ ଉପବିଷ୍ଟା ଥିବାର ଦେଖିଲ, ସେହି ଜଳରାଶି ବିଭିନ୍ନ ବଂଶ, ଜନତା, ଜାତି ଓ ଭାଷାବାଦୀ ଲୋକଙ୍କୁ ବୁଝାଏ |।
16 ପୁଣି ଯେଉଁ ଦଶ ଶୃଙ୍ଗ ଦେଖିଲ, ସେହିସବୁ ଓ ସେହି ପଶୁ ବେଶ୍ୟାକୁ ଘୃଣା କରିବେ ଏବଂ ତାହାକୁ ଉଛିନ୍ନ ଓ ଉଲଙ୍ଗ କରିବେ ଆଉ ତାହାର ମାଂସ ଭକ୍ଷଣ କରିବେ ଓ ତାହାକୁ ଅଗ୍ନିରେ ଦଗ୍ଧ କରିବେ;
17 କାରଣ ଈଶ୍ୱରଙ୍କ ସମସ୍ତ ବାକ୍ୟ ଯେପର୍ଯ୍ୟନ୍ତ ସଫଳ ନ ହୁଏ, ସେପର୍ଯ୍ୟନ୍ତ ସେମାନେ ଯେପରି ତାହାର ଅଭିପ୍ରାୟ ସିଦ୍ଧ କରନ୍ତି ଓ ଏକମନା ହୋଇ ଆପଣାମାନଙ୍କ ରାଜ୍ୟ ପଶୁକୁ ଦାନ କରନ୍ତି, ଏଥିନିମନ୍ତେ ଈଶ୍ୱର ସେମାନଙ୍କ ମନରେ ପ୍ରବୃତ୍ତି ଦେଲେ |।
18 ଆଉ ଯେଉଁ ସ୍ତ୍ରୀଲୋକକୁ ଦେଖିଲ, ସେ ପୃଥିବୀର ରାଜାମାନଙ୍କ ଉପରେ ରାଜତ୍ୱ କରୁଥିବା ମହାନଗରୀକୁ ବୁଝାଏ |।