1 ତତ୍ପରେ ମୁଁ ମନ୍ଦିର ମଧ୍ୟରୁ ଗୋଟିଏ ଉଚ୍ଚ ସ୍ୱର ଶୁଣିଲି, ତାହା ସପ୍ତ ଦୂତଙ୍କୁ କହିଲା, ଯାଅ, ଈଶ୍ୱରଙ୍କ କ୍ରୋଧର ସପ୍ତ ପାତ୍ର ପୃଥିବୀ ଉପରେ ଢାଳ |।

2 ସେଥିରେ ପ୍ରଥମ ଦୂତ ଯାଇ ପୃଥିବୀ ଉପରେ ଆପଣା ପାତ୍ର ଢାଳିଲେ; ତହୁଁ ଯେଉଁମାନେ ପଶୁର ଚିହ୍ନ ଗ୍ରହଣ କରିଥିଲେ ଓ ତାହାର ପ୍ରତିମାକୁ ପ୍ରଣାମ କରିଥିଲେ, ସେମାନଙ୍କ ଶରୀରରେ ଅତି କଷ୍ଟଦାୟକ ବିସ୍ଫୋଟକ ହେଲା |।

3 ଦ୍ୱିତୀୟ ଦୂତ ଆପଣା ପାତ୍ର ସମୁଦ୍ର ଉପରେ ଢାଳିଲେ; ତହୁଁ ତାହା ମୃତ ଲୋକର ରକ୍ତ ପରି ହେଲା, ଆଉ ସମୁଦ୍ରରେ ଥିବା ସମସ୍ତ ଜୀବ ମଲା |।

4 ତୃତୀୟ ଦୂତ ଆପଣା ପାତ୍ର ନଦୀ ଓ ନିର୍ଝରିଣୀଗୁଡ଼ିକ ଉପରେ ଢାଳିଲେ; ତହୁଁ ସେହି ସବୁ ରକ୍ତ ହୋଇଗଲା |।

5 ସେତେବେଳେ ମୁଁ ଜଲାଧିପତି ଦୂତଙ୍କୁ ଏହା କହିବାର ଶୁଣିଲି, ହେ ବର୍ତ୍ତମାନ ଓ ଭୂତ, ପୁଣି ପବିତ୍ର ଯେ ତୁମ୍ଭେ ନ୍ୟାୟକର୍ତ୍ତା ବୋଲି ଏହିପରି ବିଚାର କରିଅଛି;

6 ଯେଣୁ ସେମାନେ ସାଧୁମାନଙ୍କର ଓ ଭାବବାଦୀମାନଙ୍କର ରକ୍ତପାତ କରିଥିଲେ, ଆଉ ତୁମ୍ଭେ ସେମାନଙ୍କୁ ପାନ କରିବା ନିମନ୍ତେ ରକ୍ତ ଦେଇଅଛ, ସେମାନେ ସେଥିରେ ଯୋଗ୍ୟ |।

7 ସେତେବେଳେ ମୁଁ ବେଦୀ ଏହା କହିବାର ଶୁଣିଲି, ହଁ, ହେ ପ୍ରଭୁ, ସର୍ବଶକ୍ତିମାନ୍ ଈଶ୍ୱର, ତୁମ୍ଭର ସମସ୍ତ ବିଚାର ସତ୍ୟ ଓ ଯଥାର୍ଥ |।

8 ଚତୁର୍ଥ ଦୂତ ଆପଣା ପାତ୍ର ସୂର୍ଯ୍ୟ ଉପରେ ଢାଳିଲେ; ତହୁଁ ତାହାକୁ ମନୁଷ୍ୟମାନଙ୍କୁ ଅଗ୍ନିରେ ଦଗ୍ଧ କରିବାକୁ ଶକ୍ତି ଦିଆଗଲା |।

9 ସେତେବେଳେ ମନୁଷ୍ୟମାନେ ମହାତାପରେ ଦଗ୍ଧ ହେଲେ, ଆଉ ଯେଉଁ ଈଶ୍ୱରଙ୍କର ଏହି ସମସ୍ତ କ୍ଲେଶ ଉପରେ ଅଧିକାର ଅଛି, ତାହାଙ୍କ ନାମର ନିନ୍ଦା କଲେ, ତାହାଙ୍କୁ ଗୌରବ ଦେବା ନିମନ୍ତେ ମନଃପରିବର୍ତ୍ତନ କଲେ ନାହିଁ |।

10 ପଞ୍ଚମ ଦୂତ ଆପଣା ପାତ୍ର ସେହି ପଶୁର ସିଂହାସନ ଉପରେ ଢାଳିଲେ; ତହୁଁ ତାହାର ରାଜ୍ୟ ଅନ୍ଧକାରମୟ ହେଲା, ଆଉ ଲୋକମାନେ ବେଦନା ହେତୁ ଆପଣା ଆପଣା ଜିଭ କାମୁଡ଼ିବାକୁ ଲାଗିଲେ;

11 ପୁଣି ସେମାନେ ଆପଣା ଆପଣା ବେଦନା ଓ ବିସ୍ପୋଟକ ସକାଶେ ସ୍ୱର୍ଗସ୍ଥ ଈଶ୍ୱରଙ୍କର ନିନ୍ଦା କଲେ ଆଉ ଆପଣା ଆପଣା କର୍ମରୁ ମନଃପରିବର୍ତ୍ତନ କଲା ନାହିଁ |।

12 ଷଷ୍ଠ ଦୂତ ଆପଣା ପାତ୍ର ଫରାତ୍ ମହାନଦୀ ଉପରେ ଢାଳିଲେ; ତହୁଁ ପୁର୍ବଦିଗରୁ ଅାଗମନକାରୀ ରାଜାମାନଙ୍କ ନିମନ୍ତେ ପଥ ପ୍ରସ୍ତୁତ ହେବା ପାଇଁ ତାହାର ଜଳ ଶୁଷ୍କ ହୋଇଗଲା |।

13 ତତ୍ପରେ ମୁଁ ଦେଖିଲି, ସର୍ପର ମୁଖରୁ, ପଶୁର ମୁଖରୁ ଓ ଭଣ୍ଡ ଭାବବାଦୀର ମୁଖରୁ ବେଙ୍ଗ ପରି ତିନୋଟା ଅପବିତ୍ର ଆତ୍ମା ବାହାରିଲେ;

14 ଏମାନେ ଆଶ୍ଚର୍ଯ୍ୟକର୍ମକାରୀ ଭୁତାତ୍ମା ହୋଇ ସର୍ବଶକ୍ତିମାନ୍ ଈଶ୍ୱରଙ୍କ ମହାଦିନର ଯୁଦ୍ଧ ନିମନ୍ତେ ସମସ୍ତ ଜଗତର ରାଜାମାନଙ୍କୁ ଏକତ୍ର କରିବା ପାଇଁ ସେମାନଙ୍କ ନିକଟକୁ ବାହାରିଯାଆନ୍ତି |।

15 ଦେଖ, ଆମ୍ଭେ ଚୋର ପରି ଆସୁଅଛୁଁ; ଯେ ଜାଗ୍ରତ ଥାଇ ଆପଣା ବସ୍ତ୍ର ରକ୍ଷା କରେ, ସେ ଧନ୍ୟ, କାରଣ ତାହା କଲେ ସେ ଉଲଙ୍ଗ ହୋଇ ବୁଲିବ ନାହିଁ ଓ ଲୋକେ ତାହାର ଲଜ୍ଜା ଦେଖିବେ ନାହିଁ |।

16 ସେହି ଅପବିତ୍ର ଆତ୍ମାମାନେ ରାଜାମାନଙ୍କୁ ଏବ୍ରୀଭାଷାରେ ହର୍ମିଗିଦ୍ଦୋନ୍ ନାମକ ଏକ ସ୍ଥାନରେ ଏକତ୍ର କଲେ |।

17 ସପ୍ତମ ଦୂତ ଆପଣା ପାତ୍ର ଆକାଶରେ ଢାଳିଲେ; ତହୁଁ ମନ୍ଦିର ମଧ୍ୟରୁ ସିଂହାସନଠାରୁ ଏହି ଉଚ୍ଚ ସ୍ୱର ହେଲା, ସମାପ୍ତ ହେଲା |।

18 ସେତେବେଳେ ବିଦ୍ୟୁତ୍, ବିଭିନ୍ନ ସ୍ୱର ଓ ବଜ୍ରଧ୍ୱନୀ ହେଲା, ପୁଣି ମହାଭୁମିକମ୍ପ ହେଲା; ପୃଥିବୀରେ ମନୁଷ୍ୟ ସୃଷ୍ଟ ହେବା ସମୟଠାରୁ ଏପରି ଭୟଙ୍କର ଭୁମିକମ୍ପ ଆଉ କେବେ ହୋଇ ନ ଥିଲା |।

19 ସେଥିରେ ସେହି ମହାନଗରୀ ତୀନି ଭାଗରେ ବିଭକ୍ତ ହେଲା ଓ ବିଜାତିମାନଙ୍କର ନଗରସମୁହ ଭୂମିସାତ୍ ହେଲା; ଆଉ ମହାନଗରୀ ବାବିଲକୁ ଈଶ୍ୱର ଆପଣା ପ୍ରଚଣ୍ଡ କ୍ରୋଧରୂପ ମଦିରା ପାତ୍ରରୁ ପାନ କରାଇବା ନିମନ୍ତେ ସ୍ମରଣରେ ଆଣିଲେ |।

20 ପୁଣି ପ୍ରତ୍ୟେକ ଦୀପ ଦୁରିଭୁତ ହେଲା ଓ ପର୍ବତଗଣ ଆଉ ଦେଖା ଗଲେ ନାହିଁ |।

21 ଆକାଶରୁ ମନୁଷ୍ୟମାନଙ୍କ ଉପରେ ମହା ଶିଳାବୃଷ୍ଟି ହେଲା, ଶିଳାଗୁଡ଼ିକ ପ୍ରାୟଏକ ଏକମହଣ ଓଜନର, ଆଉ ଶିଳାବୃଷ୍ଟିର କ୍ଲେଶ ସକାଶୁ ମନୁଷ୍ୟମାନେ ଈଶ୍ୱରଙ୍କର ନିନ୍ଦା କଲେ,କାରଣ ସେହି କ୍ଲେଶ ଅତି ଭୟଙ୍କର|।