1 ତତ୍ପରେ ମୁଁ ସମୁଦ୍ର ମଧ୍ୟରୁ ଗୋଟିଏ ପଶୁକୁ ଉଠି ଆସିବାର ଦେଖିଲି, ତାହାର ଦଶ ଶୃଙ୍ଗ ଓ ସମସ୍ତ ମସ୍ତକ,ତାହାର ଶୃଙ୍ଗଗୁଡ଼ାକରେ ଦଶଟା ମୁକୁଟ ଓ ମସ୍ତକଗୁଡ଼ାକ ଉପରେ ଈଶ୍ୱରନିନ୍ଦାସୁଚକ ବିଭିନ୍ନ ନାମ |।

2 ଏହି ଯେଉଁ ପଶୁକୁ ମୁଁ ଦେଖିଲି,ତାହା ଚିତାବାଘ ପରି,ତାହାର ପାଦ ଭାଲୁର ପାଦ ପରି ଓ ପାଟି ସିଂହର ପାଟି ପରି | ସେହି ସର୍ପ ତାହାକୁ ଆପଣା ପରାକ୍ରମ,ସିହାଂସନ ଓ ମହାକ୍ଷମତା ସମର୍ପଣ କଲା |।

3 ତାହାର ମସ୍ତକଗୁଡ଼ାକ ମଧ୍ୟରୁ ଗୋଟାଏ ଯେପରି ସାଂଘାତିକ ଆଘାତ ପ୍ରାପ୍ତ ହୋଇଥିଲା,ଆଉ ତାହାର ସେହି ମୃତ୍ୟୁଜନକ କ୍ଷତ ସୁସ୍ଥ ହେଲା,ପୁଣି ସମସ୍ତ ପୃଥିବୀ ସେହି ପଶୁ ବିଷୟରେ ଆଶ୍ଚର୍ଯ୍ୟାନ୍ୱିତ ହୋଇ ତାହାର ଅନୁଗମନ କଲେ,

4 ପୁଣି ସର୍ପ ସେହି ପଶୁକୁ ଆପଣା କ୍ଷମତା ସମର୍ପଣ କରିବାରୁ ସେମାନେ ସର୍ପକୁ ପ୍ରଣାମ କରି କହିଲେ;ସେମାନେ ପଶୁକୁ ମଧ୍ୟ ପ୍ରଣାମ କରି କହିଲେ,ଏହି ପଶୁ ପରି କିଏ ଆଉ କିଏ ତାହା ସହିତ ଯୁଦ୍ଧ କରି ପାରେ।

5 ତାହାକୁ ଅହଂକାର ଓ ଈଶ୍ୱରନିନ୍ଦାର କଥା କହିବାକୁ ମୁଖ ଦିଆଗଲା,ଆଉ ବୟାଳିଶ ମାସ ପର୍ଯ୍ୟନ୍ତ କାର୍ଯ୍ୟ ସାଧନ କରିବାକୁ କ୍ଷମତା ଦିଆଗଲା |।

6 ସେଥିରେ ସେ ମୁଖ ଫିଟାଇ ଈଶ୍ୱରନିନ୍ଦାର କଥା କହି ତାହାଙ୍କ ନାମ ଓ ତାହାଙ୍କ ତମ୍ବୁ ପୁଣି ସ୍ୱର୍ଗନିବାସୀମାନଙ୍କର ନିନ୍ଦା କଲା |।

7 ସମସ୍ତ ସାଧୁଙ୍କ ସହିତ ଯୁଦ୍ଧ କରିବାକୁ ଓ ସେମାନଙ୍କ ଉପରେ ଜୟଲାଭ କରିବାକୁ ତାହାକୁ କ୍ଷମତା ଦତ୍ତ ହେଲା,ଆଉ ସମସ୍ତ ଗୋଷ୍ଠୀ,ବଂଶ,ଭାଷାବାଦୀ ଓ ଜାତି ଉପରେ ତାହାକୁ କ୍ଷମତା ଦିଆଗଲା |।

8 ଯେଉଁମାନଙ୍କର ନାମ ଜଗତର ପତ୍ତନାବଧି ବଳିକୃତ ମେଷଶାବକଙ୍କର ଜୀବନରପୁସ୍ତକରେ ଲିଖିତ ହୋଇ ନାହିଁ,ପୃଥିବୀନିବାସୀ ସେହି ସମସ୍ତ ଲୋକ ତାହାକୁ ପ୍ରଣାମ କରିବେ |।

9 ଯାହାର କର୍ଣ୍ଣ ଅଛି, ସେ ଶୁଣୁ |।

10 କେହି ଯଦି ବନ୍ଦୀ କରିନିଏ,ତାହା ହେଲେ ସେ ବନ୍ଦୀ ହୋଇଯିବ;କେହି ଯଦି ଖଡ଼ଗ ଦ୍ୱାରା ବଧ କରାଯିବ |ଏହି ସ୍ଥଳରେ ସାଧୁମାନଙ୍କର ଧୖେର୍ଯ୍ୟ ଓ ବିଶ୍ୱାସ ଆବଶ୍ୟକ |।

11 ତତ୍ପରେ ମୁଁ ଆଉ ଗୋଟିଏ ପଶୁକୁ ଭୁମି ମଧ୍ୟରୁ ଉଠି ଆସିବାର ଦେଖିଲି;ମେଷଶାବକ ପରି ତାହାର ଦୁଇଟା ଶୃଙ୍ଗ,ଆଉ ସେ ସର୍ପ ପରି କଥା କହୁଥିଲା |।

12 ସେ ପ୍ରଥମ ପଶୁର ସମସ୍ତ କ୍ଷମତା ତାହା ସାକ୍ଷାତରେ ପରିଚାଳନା କରେ,ଆଉ ସେହି ଯେଉଁ ପ୍ରଥମ ପଶୁର ମୃତ୍ୟୁଜନକ କ୍ଷତ ସୁସ୍ଥ ହୋଇଥିଲା,ତାହାକୁ ପ୍ରଣାମ କରିବାକୁ ପୃଥିବୀ ଓ ତନ୍ନିବାସୀମାନଙ୍କୁ ବାଧ୍ୟ କରେ |।

13 ସେ ମହା ମହା ଆଶ୍ଚର୍ଯ୍ୟ କର୍ମ କରେ,ଏପରିକି ମନୁଷ୍ୟମାନଙ୍କ ସାକ୍ଷାତରେ ଆକାଶରୁ ପୃଥିବୀ ଉପରେ ଅଗ୍ନି ବୃଷ୍ଟି କରାଏ |।

14 ଆଉ ସେହି ପଶୁର ସାକ୍ଷାତରେ ଯେଉଁ ଆଶ୍ଚର୍ଯ୍ୟ କର୍ମ କରିବାକୁ ସେ କ୍ଷମତା ପ୍ରାପ୍ତ ହୋଇଥିଲା,ତଦ୍ଦ୍ୱାରା ସେ ପୃଥିବୀନିବାସୀମାନଙ୍କୁ ଭ୍ରାନ୍ତ କରି,ଯେଉଁ ପଶୁ ଖଡ଼ଗ ଦ୍ୱାରା ଆହତ ହେଲେହେଁ ବଞ୍ଚିଥିଲା,ତାହାର ଏକ ପ୍ରତିମା ନିର୍ମାଣ କରିବାକୁ ସେମାନଙ୍କୁ କହେ |।

15 ପଶୁର ପ୍ରତିମା ଯେପରି କଥା କହି ପାରେ ଓ ଯେତେ ଲୋକ ପଶୁର ସେହି ପ୍ରତିମାକୁ ପ୍ରଣାମ ନ କରନ୍ତି,ସେମାନେ ଯେପରି ବଧ କରାଯିବେ,ଏଥିପାଇଁ ତାହାକୁ ସେହି ପଶୁର ପ୍ରତିମାକୁ ଜୀବନ ଦାନ କରିବାକୁ କ୍ଷମତା ଦିଆଗଲା |।

16 ଆଉ ସେ ସାନ ଓ ବଡ଼,ଧନୀ ଓ ଦରିଦ୍ର,ସ୍ୱାଧୀନ ଓ ପରାଧିନ ସମସ୍ତଙ୍କୁ ସେମାନଙ୍କ ଦକ୍ଷିଣ ହସ୍ତରେ କିଅବା କପାଳରେ ଗୋଟାଏ ଚିହ୍ନ ଧାରଣ କରିବାକୁ ବାଧ୍ୟ କରାଏ,

17 ପୁଣି ସେହି ଚିହ୍ନ,ଅର୍ଥାତ୍ ପଶୁର ନାମ କିମ୍ବା ତାହା ନାମର ସଂଖ୍ୟା ଧାରଣ କରି ନ ଥିବା ଲୋକକୁ କ୍ରୟବିକ୍ରୟ କରିବାକୁ ନିଷେଧ କରେ |।

18 ଏଠାରେ ଜ୍ଞାନ ଆବଶ୍ୟକ |ଯାହାର ବୁଦ୍ଧି ଅଛି,ସେ ପଶୁର ସଂଖ୍ୟା ଗଣନା କରୁ,କାରଣ ତାହା ଜଣେ ମନୁଷ୍ୟର ସଂଖ୍ୟା,ଆଉ ତାହାର ସଂଖ୍ୟା ହେଉଛି ଛଅଶ ଛଅଷଠି |।