1 ପରେ ଆକାଶରେ ଗୋଟିଏ ମହାଲକ୍ଷଣ ଦେଖାଗଲା; ସୂର୍ଯ୍ୟପରିହିତା ଜଣେ ସ୍ତ୍ରୀଲୋକ, ତାହାଙ୍କ ପାଦ ତଳେ ଚନ୍ଦ୍ର ଓ ମସ୍ତକରେ ଦ୍ୱାଦଶ ନକ୍ଷତ୍ର ଖଚିତ ଗୋଟିଏ ମୁକୁଟ |।
2 ସେ ଗର୍ଭବତୀ ହୋଇ ପ୍ରସବ ବେଦନାରେ ଆର୍ତ୍ତସ୍ୱର କରି ପ୍ରସବ କରିବା ନିମନ୍ତେ କଷ୍ଟ ପାଉଥିଲେ |।
3 ଆକାଶରେ ଆଉ ଗୋଟିଏ ଲକ୍ଷଣ ଦେଖାଗଲା; ଦେଖ, ଗୋଟିଏ ଲୋହିତବର୍ଣ୍ଣ ପ୍ରକାଣ୍ଡ ସର୍ପ, ତାହାର ସପ୍ତ ମସ୍ତକ ଓ ଦଶ ଶୃଙ୍ଗ, ପୁଣି ମସ୍ତକ ଗୁଡ଼ିକ ଉପରେ ସପ୍ତ ମୁକୁଟ |।
4 ତାହାର ଲାଙ୍ଗୁଳ ଆକାଶର ତୃତୀୟାଂଶ ନକ୍ଷତ୍ରକୁ ଆକର୍ଷଣ କରି ପୃଥିବୀରେ ନିକ୍ଷେପ କଲା | ଆଉ ସେହି ସର୍ପ ପ୍ରସବ କରିବା ମାତ୍ର ତାହାଙ୍କ ସନ୍ତାନକୁ ଗ୍ରାସ କରିବା ନିମନ୍ତେ ତାହାଙ୍କ ସମ୍ମୁଖରେ ଠିଆ ହେଲା |।
5 ଯେ ସମସ୍ତ ଜାତିଙ୍କୁ ଲୌହ ଦଣ୍ଡରେ ଶାସନ କରିବେ,ଏପରି ପୁତ୍ରସନ୍ତାନଙ୍କୁ ସେହି ସ୍ତ୍ରୀଲୋକ ପ୍ରସବ କଲେ, ଆଉ ତାହାଙ୍କ ସନ୍ତାନ ଈଶ୍ୱର ଓ ତାହାଙ୍କ ସିହାଂସନ ନିକଟକୁ ଉଠାଇନିଆଇଗଲେ |।
6 ପୁଣି ସେହି ସ୍ତ୍ରୀଲୋକ ପ୍ରାନ୍ତରକୁ ପଳାୟନ କଲେ, ସେଠାରେ ଏକ ସହସ୍ର ଦୁଇ ଶତ ଷାଠିଏ ଦିନ ପର୍ଯ୍ୟନ୍ତ ପ୍ରତିପାଳିତ ହେବା ପାଇଁ ତାହାଙ୍କ ନିମନ୍ତେ ଈଶ୍ୱରଙ୍କ କର୍ତ୍ତୃକ ପ୍ରସ୍ତୁତ ଗୋଟିଏ ସ୍ଥାନ ଥିଲା |।
7 ତତ୍ପରେ ସ୍ୱର୍ଗରେ ଯୁଦ୍ଧ ହେଲା,ମିଖାୟେଲ ଓ ତାହାଙ୍କ ଦୂତମାନେ ସେହି ସର୍ପ ସହିତ ଯୁଦ୍ଧ କଲେ,
8 କିନ୍ତୁ ସେମାନେ ଜୟ କରି ପାରିଲେ ନାହିଁ, ପୁଣି ସ୍ୱର୍ଗରେ ସେମାନେ ଆଉ ସ୍ଥାନ ପାଇଲେ ନାହିଁ |।
9 ସେଥିରେ ସର୍ବ ଜଗତର ପ୍ରବଞ୍ଚକ ଦିଆବଳ ଓ ଶୟତାନ ନାମରେ ଖ୍ୟାତ ଯେ ପ୍ରକାଣ୍ଡ ସର୍ପ,ସେହି ପୁରାତନ ନାଗ,ସେ ଆପଣା ଦୂତମାନଙ୍କ ସହିତ ପୃଥିବୀରେ ନିକ୍ଷିପ୍ତ ହେଲା |।
10 ସେତେବେଳେ ମୁଁ ସ୍ୱର୍ଗରେ ଏହି ଉଚ୍ଚ ସ୍ୱର ଶୁଣିଲି,ବର୍ତ୍ତମାନ ଆମ୍ଭମାନଙ୍କ ଈଶ୍ୱରଙ୍କ ପରିତ୍ରାଣ,ପରାକ୍ରମ ଓ ରାଜ୍ୟ ପୁଣି ତାହାଙ୍କ ଖ୍ରୀଷ୍ଟଙ୍କର କର୍ତ୍ତାପଣ ଉପସ୍ଥିତ ହୋଇଅଛି,କାରଣ ଆମ୍ଭମାନଙ୍କ ଭ୍ରାତୃଗଣଙ୍କ ଅପବାଦକ, ଯେ ଦିବାରାତ୍ର ସେମାନେଙ୍କ ବିରୁଦ୍ଧରେ ଆମ୍ଭମାନଙ୍କ ଈଶ୍ୱରଙ୍କ ଛାମୁରେ ଅଭିଯୋଗ କରୁଥିଲା,ସେ ତଳେ ନିକ୍ଷିପ୍ତ ହୋଇଅଛି |।
11 ଆଉ ସେମାନେ ମେଷାଶାବକଙ୍କ ରକ୍ତ ଓ ଆପଣା ଆପଣା ସାକ୍ଷ୍ୟର ବାକ୍ୟ ଦ୍ୱାରା ତାହାକୁ ଜୟ କରିଅଛନ୍ତି,ପୁଣି ସେମାନେ ମୃତ୍ୟୁ ପର୍ଯ୍ୟନ୍ତ ଆପଣା ଆପଣା ପ୍ରାଣକୁ ପ୍ରିୟ ଜ୍ଞାନ କରି ନ ଥିଲେ |।
12 ଅତଏବ,ହେ ସ୍ୱର୍ଗ ଓ ତନ୍ନିବାସୀମାନେ,ଆନନ୍ଦ କର;ମାତ୍ର ହାୟ,ପୃଥିବୀ ଓ ସମୁଦ୍ର,ତୁମ୍ଭେମାନେ ସନ୍ତାପର ପାତ୍ର,କାରଣ ସମୟ ଅତି ଅଳ୍ପ ବୋଲି ଜାଣି ଦିଆବଳ ଆପଣା ମହାକ୍ରୋଧରେ ତୁମ୍ଭମାନଙ୍କ ମଧ୍ୟକୁ ଓହ୍ଲାଇଯାଇଅଛି |।
13 ସର୍ପ ଆପଣାକୁ ପୃଥିବୀରେ ନିକ୍ଷିପ୍ତ ହେବାର ଦେଖି ସେହି ପୁତ୍ରସନ୍ତାନ ପ୍ରସବକାରିଣୀ ସ୍ତ୍ରୀଲୋକଙ୍କୁ ତାଡ଼ନା କଲା |।
14 ସେଥିରେ ସେହି ସ୍ତ୍ରୀଲୋକ ଯେପରି ସର୍ପର ମୁଖରୁ ରକ୍ଷା ପାଇ ସାଢ଼େ ତିନି ବର୍ଷ ପର୍ଯ୍ୟନ୍ତ ପ୍ରତିପାଳିତ ହୁଅନ୍ତି,ଏଥିନିମନ୍ତେ ପ୍ରାନ୍ତରସ୍ଥ ଆପଣା ସ୍ଥାନକୁ ଉଡ଼ିଯିଵା ପାଇଁ ତାହାଙ୍କୁ ବୃହତ୍ ଉତ୍କ୍ରୋଶପକ୍ଷୀର ଦୁଇଟି ପକ୍ଷ ଦତ୍ତ ହେଲା |।
15 ସେହି ସ୍ତ୍ରୀଲୋକଙ୍କୁ ଜଳସ୍ରୋତରେ ଭସାଇଦେବା ନିମନ୍ତେ ସର୍ପ ତାହାଙ୍କ ପଛରେ ଆପଣା ମୁଖରୁ ନଦୀ ପରି ଜଳ ଉଦ୍ ଗାର କଲା |।
16 କିନ୍ତୁ ପୃଥିବୀ ଆପଣା ମୁଖ ଫିଟାଇ ସର୍ପର ମୁଖରୁ ଉଦ୍ ଗାରିତ ନଦୀକୁ ଗ୍ରାସ କରି ସ୍ତ୍ରୀଲୋକଙ୍କର ସାହଯ୍ୟ କଲା |।
17 ସେଥିରେ ସର୍ପ ସ୍ତ୍ରୀଲୋକଙ୍କ ଉପରେ ମହାକୃଧ ହୋଇ,ତାହାଙ୍କ ବଂଶର ଯେଉଁ ଅବଶିଷ୍ଟ ଲୋକମାନେ ଈଶ୍ୱରଙ୍କ ଆଜ୍ଞା ପାଳନ କରନ୍ତି ଓ ଯୀଶୁଙ୍କ ବିଷୟରେ ସାକ୍ଷ୍ୟ ଦାନ କରନ୍ତି,ସେମାନଙ୍କ ସହିତ ଯୁଦ୍ଧ କରିବାକୁ ଚାଲିଗଲା; ଆଉ ସେ ସମୁଦ୍ରର ବାଲୁକା ଉପରେ ଠିଆ ହେଲା |।