1 ତୁମ୍ଭେ ବୃଦ୍ଧ ବ୍ୟକ୍ତିଙ୍କୁ ତିରସ୍କାର କରନାହିଁ, କିନ୍ତୁ ତାହାକୁ ପିତୃତୁଲ୍ୟ ଜ୍ଞାନ କରି ବିନୟ କର;ଯୁବକମାନଙ୍କୁ ଭ୍ରାତୃତୁଲ୍ୟ,
2 ବୃଦ୍ଧା ସ୍ତ୍ରୀମାନଙ୍କୁ ମାତୃତୁଲ୍ୟ ଓ ଯୁବତୀମାନଙ୍କୁ ପବିତ୍ର ଭାବରେ ଭଗ୍ନୀତୁଲ୍ୟ ଜ୍ଞାନ କରି ସେହି ପ୍ରକାର କର |।
3 ନିରାଶ୍ରୟ ବିଧବାମାନଙ୍କୁ ସମାଦର କର |।
4 କିନ୍ତୁ ଯେବେ କୌଣସି ବିଧବାର ପୁତ୍ରକନ୍ୟା ବା ପୌତ୍ରପୌତ୍ରୀ ଥାଆନ୍ତି, ତେବେ ସେମାନେ ପ୍ରଥମେ ଆପଣା ପରିବାର ପ୍ରତି ଭକ୍ତି ଦେଖାଇବାକୁ ଓ ପିତାମାତାଙ୍କ ପ୍ରତି ପ୍ରତ୍ୟୁପକାର କରିବାକୁ ଶିକ୍ଷା କରନ୍ତୁ; କାରଣ ଏହା ତ ଈଶ୍ୱରଙ୍କ ଦୃଷ୍ଟିରେ ସୁଗ୍ରାହ୍ୟ ଅଟେ |।
5 ଯେଉଁ ବିଧବା ନିରାଶ୍ରୟ ଓ ଅସହାୟ, ସେ ଈଶ୍ୱରଙ୍କ ଉପରେ ଭରସା ରଖି ଦିବରାତ୍ର ନିବେଦନ ଓ ପ୍ରାର୍ଥନାରେ ପ୍ରବୃତ୍ତ ଥାଏ;
6 କିନ୍ତୁ ଯେ ଭୋଗଭିଳାଷରେ ଆସକ୍ତ, ସେ ଜୀବିତ ଥିଲେହେଁ ମୃତ |।
7 ସେମାନେ ଯେପରି ଅନିନ୍ଦନୀୟ ହୁଅନ୍ତି, ଏଥିପାଇଁ ଏହିସମସ୍ତ ମଧ୍ୟ ସେମାନଙ୍କୁ ଆଜ୍ଞା ଦିଅ |।
8 କିନ୍ତୁ ଯଦି କେହି ଆପଣା ଆତ୍ମୀୟ, ବିଶେଷରେ ଆପଣା ପରିବାରର ତତ୍ତ୍ୱ ନ ନିଏ, ସେ ବିଶ୍ୱାସମତ ଅସ୍ୱୀକାର କରିଅଛି, ଆଉ ସେ ଅବିଶ୍ୱାସୀଠାରୁ ଅଧମ ଅଟେ |।
9 ଯେଉଁ ବିଧବାର ବୟସ ଷାଠିଏ ବର୍ଷରୁ ଊଣା ନୁହେଁ,
10 ଆଉ ଯେ ଏକ ସ୍ୱାମୀର ସ୍ତ୍ରୀ ଓ ସତ୍କର୍ମ ହେତୁ ସୁଖ୍ୟାତିପ୍ରାପ୍ତ, ଅର୍ଥାତ୍ ସେ ଯଦି ସନ୍ତାନମାନଙ୍କୁ ପ୍ରତିପାଳନ,ଆତିଥ୍ୟସତ୍କାର, ସଧୁମାନଙ୍କ ପାଦପ୍ରକ୍ଷାଳନ,ଦୁଃଖୀର ଦୁଃଖ ମୋଚନ କରିଥାଏ,ପୁଣି ସମସ୍ତ ସତ୍କର୍ମରେ ଉଦ୍ଯୋଗୀ ହୋଇଥାଏ, ତେବେ ତାହାର ନାମ ବିଧବାତାଲିକାରେ ଲେଖାଯାଉ |।
11 କିନ୍ତୁ ଯୁବତୀ ବିଧବାମାନଙ୍କୁ ଅଗ୍ରାହ୍ୟ କର, କାରଣ ସେମାନେ କମାଭିଳାଷରେ ଆସକ୍ତ ହୋଇ ଖ୍ରୀଷ୍ଟଙ୍କଠାରୁ ବିମୁଖ ହେଲେ ବିବାହ କରିବାକୁ ଇଚ୍ଛା କରନ୍ତି;
12 ସେମାନେ ସେମାନଙ୍କର ପୂର୍ବ ପ୍ରତିଜ୍ଞା ଲଂଘନ କରିବାରୁ ଦଣ୍ଡନିୟ ହୁଅନ୍ତି |।
13 ଆହୁରି ମଧ୍ୟ ସେମାନେ ଘର ଘର ବୁଲି ଆଳସ୍ୟପ୍ରିୟ ହେବାକୁ ସିଖନ୍ତି, ଆଉ କେବଳ ଆଳସ୍ୟ ନୁହେଁ, ମାତ୍ର ଅସାର ଗଳ୍ପ ଓ ପରଚର୍ଚ୍ଚା କରି ଅନୁଚିତ କଥାବାର୍ତ୍ତା କରନ୍ତି |।
14 ଅତଏବ ମୋହର ଇଚ୍ଛା, ଯୁବତୀ ବିଧବାମାନେ ବିବାହ କରନ୍ତୁ, ସନ୍ତାନ ପ୍ରସବ କରନ୍ତୁ, ଗୃହକାର୍ଯ୍ୟ ପରିଚାଳନା କରନ୍ତୁ, ନିନ୍ଦା କରିବା ପାଇଁ ଶତୃକୁ କୌଣସି ସୁଯୋଗ ନ ଦେଉନ୍ତୁ;
15 କାରଣ ଏବେ ମଧ୍ୟ କେହି କେହି ଶୟତାନର ପଶ୍ଚାଦ୍ ବର୍ତ୍ତୀ ବିପଥଗାମୀ ହୋଇଅଛନ୍ତି |।
16 ଯଦି କୌଣସି ବିଶ୍ୱାସିନୀ ମହିଳାଙ୍କ ଗୃହରେ ବିଧବାମାନେ ଥାଆନ୍ତି, ତେବେ ସେ ସେମାନଙ୍କର ଦୁଃଖ ମୋଚନ କରନ୍ତୁ, ଆଉ ମଣ୍ଡଳୀ ଭାରଗ୍ରସ୍ତ ନ ହେଉ, ଯେପରି ମଣ୍ଡଳୀ ନିରାଶ୍ରୟ ବିଧବାମାନଙ୍କର ଦୁଃଖ ମୋଚନ କରି ପାରେ |।
17 ଯେଉଁ ପ୍ରାଚୀନମାନେ ଉତ୍ତମରୂପେ ତତ୍ତ୍ୱାବଧାନ କରନ୍ତି, ବିଶେଷତଃ ଯେଉଁମାନେ ବାକ୍ୟପ୍ରଚାର ଓ ଶିକ୍ଷାଦାନରେ ପରିଶ୍ରମ କରନ୍ତି, ସେମାନେ ଦୁଇ ଗୁଣ ସମାଦର ପାଇବାର ଯୋଗ୍ୟ ବୋଲି ଗଣିତ ହେଅନ୍ତୁ |।
18 କାରଣ ଶାସ୍ତ୍ର କହେ, ବେଙ୍ଗଳା ବୁଲୁଥିବା ବଳଦର ମୁହଁରେ ତୁଣ୍ଡି ଦିଅନାହିଁ | ପୁଣି କାର୍ଯ୍ୟକାରୀ ଆପଣା ବେତନର ଯୋଗ୍ୟ |।
19 ଦୁଇ ବା ତିନି ଜଣ ସାକ୍ଷୀଙ୍କ ବିନା କୌଣସି ପ୍ରାଚିନଙ୍କ ବିରୁଦ୍ଧରେ ଅଭିଯୋଗ ଗ୍ରହଣ କର ନାହିଁ |।
20 ଯେଉଁମାନେ ପାପ କରନ୍ତି, ସେମାନଙ୍କୁ ସମସ୍ତଙ୍କ ସାକ୍ଷାତରେ ଅନୁଯୋଗ କର,ଯେପରି ଅନ୍ୟମାନେ ମଧ୍ୟ ଭୟ ପାଆନ୍ତି |।
21 ଈଶ୍ୱରଙ୍କ, ଖ୍ରୀଷ୍ଟ ଯୀଶୁଙ୍କ ଓ ମନୋନୀତ ଦୁତମାନଙ୍କ ସାକ୍ଷାତରେ ମୁଁ ଦୃଢ଼ରୂପେ ଆଜ୍ଞା ଦେଉଅଛି, ତୁମ୍ଭେ ପୂର୍ବଧାରଣା ଦ୍ୱାରା ଚାଳିତ ନ ହୋଇ ଏହିସମସ୍ତ ପାଳନ କର, ପୁଣି ପକ୍ଷପାତଭାବରେ କୌଣସି କାର୍ଯ୍ୟ କର ନାହିଁ |।
22 ଆକସ୍ମାତ୍ କାହାରି ଉପରେ ହସ୍ତର୍ପଣ କରନାହିଁ,କିମ୍ବା ଅନ୍ୟମାନଙ୍କ ପାପର ସହଭାଗୀ ହୁଅନାହିଁ; ଆପଣକୁ ସାଧୁ କରି ରଖ |।
23 ଆଉ କେବଳ ଜଳ ପାନ ନ କରି ତୁମ୍ଭର ଉଦରରୋଗ ଓ ବାରମ୍ବାର ଅସ୍ୱାସ୍ଥ୍ୟ ସକାଶେ ଅଳ୍ପ ଦ୍ରାକ୍ଷାରସ ପାନ କର |।
24 କାହାରି କାହାରି ପାପ ବିଚାର ପୂର୍ବରୁ, କାହାରି କାହାରି ଅବା ପରେ ପ୍ରକାଶ ପାଏ |।
25 ସେହି ପ୍ରକାରେ ମଧ୍ୟ ସତ୍କାର୍ଯ୍ୟ ପୂର୍ବରୁ ପ୍ରକାଶିତ ହୁଏ, ଆଉ ଯାହା ପ୍ରକାଶିତ ହୁଏ ନାହିଁ, ତାହା ଗୁପ୍ତ ରଖାଯାଇ ପାରେ ନାହିଁ |।