1 ଯେତେ ଲୋକ ଦାସତ୍ୱରୂପ ଯୁଆଳିର ଅଧିନ, ସେମାନେ ଆପଣା ଆପଣା କର୍ତ୍ତାମାନଙ୍କୁ ଯଥୋଚିତ ସମାଦରଯୋଗ୍ୟ ବୋଲି ଜ୍ଞାନ କରନ୍ତୁ, ଯେପରି ଈଶ୍ୱରଙ୍କ ନାମ ଓ ଶିକ୍ଷାର ନିନ୍ଦା ନ ହୁଏ |।
2 ଆଉ ଯେଉଁମାନଙ୍କର କର୍ତ୍ତାମାନେ ବିଶ୍ୱାସୀ, ସେମାନେ ସେମାନଙ୍କୁ ଭାଇ ବୋଲି ଜ୍ଞାନ କରି ତୁଚ୍ଛ ନ କରନ୍ତୁ, ବରଂ ଅଧିକ ଯତ୍ନ ସହକାରେ ସେମାନଙ୍କର ସେବା କରନ୍ତୁ, କାରଣ ଯେଉଁମାନେ ସେବା ଦ୍ୱାରା ଉପକାର ପାଆନ୍ତି, ସେମାନେ ବିଶ୍ୱାସୀ ଓ ପ୍ରିୟପାତ୍ର | ଏହି ସମସ୍ତ ବିଷୟ ଶିକ୍ଷା ଓ ଉପଦେଶ ଦିଅ |।
3 କେହି ଯଦି ଭିନ୍ନ ଶିକ୍ଷା ଦେଇ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ହିତଜନକ ବାକ୍ୟ ଓ ଈଶ୍ୱରପରାୟଣତା ଅନୁଯାୟୀ ଶିକ୍ଷା ସ୍ୱୀକାର ନ କରେ,
4 ,ତେବେ ସେ ଅସାରଗର୍ବି ଓ ଅଜ୍ଞାନ,ପୁଣି ବାଦାନୁବାଦ ଓ ବାଗ୍ ଯୁଦ୍ଧରେ ମତ୍ତ;ସେଥିରୁ ଈର୍ଷା, ବିବାଦ, ପରନିନ୍ଦା, କୁତ୍ସିତ ସନ୍ଦେହ,
5 ପୁଣି ଯେଉଁମାନେ ଈଶ୍ୱରପରାୟଣତାକୁ ଲାଭର ଉପାୟ ବୋଲି ମନେ କରନ୍ତି, ଏପରି ଭ୍ରଷ୍ଟମନା ଓ ସତ୍ୟବର୍ଜିତ ଲୋକମାନଙ୍କର ନିତ୍ୟ ବିରୋଧ ଜନ୍ମେ |।
6 ଈଶ୍ୱରପରାୟଣତା ସନ୍ତୋଷଭାବଯୁକ୍ତ ହେଲେ ପ୍ରକୃତରେ ବିଶେଷ ଲାଭଜନକ;
7 କାରଣ ଆମ୍ଭେମାନେ ଜଗତକୁ କିଛି ଆଣି ନାହୁଁ, ପୁଣି ଏଠାରୁ କିଛି ଘେନିଯାଇ ନ ପାରୁ;
8 ଏଣୁ ଅନ୍ନବସ୍ତ୍ର ଥିଲେ ଆମ୍ଭମାନଙ୍କ ନିମନ୍ତେ ଯଥେଷ୍ଟ |।
9 ମାତ୍ର ଯେଉଁମାନେ ଧନୀ ହେବାକୁ ଇଚ୍ଛା କରନ୍ତି, ସେମାନେ ପରୀକ୍ଷା ଓ ଫାନ୍ଦରେ ପୁଣି ଅନେକ ପ୍ରକାର ଅସଙ୍ଗତ ଓ କ୍ଷତିଜନକ ଅଭିଳାଷରେ ପଡ଼ନ୍ତି, ଏହିସବୁ ମନୁଷ୍ୟକୁ ଧ୍ୱଂସ ଓ ବିନାଶରୂପ ସାଗରରେ ମଗ୍ନ କରେ |।
10 କାରଣ ଧନଲୋଭ ସମସ୍ତ ଅନିଷ୍ଟର ମୂଳ; କେହି କେହି ସେଥିରେ ଆସକ୍ତ ହୋଇ ବିଶ୍ୱାସ ତ୍ୟାଗ କରି ପଥଭ୍ରଷ୍ଟ ହୋଇଅଛନ୍ତି, ପୁଣି ବହୁ ଦୁଃଖରେ ଆପଣା ଆପଣା ହୃଦୟରେ ବିଦୀର୍ଣ୍ଣ କରିଅଛନ୍ତି |।
11 କିନ୍ତୁ ହେ ଈଶ୍ୱରଙ୍କ ଲୋକ, ତୁମ୍ଭେ ଏହିସମସ୍ତରୁ ପଳାୟନ କରି ଧାର୍ମିକତା, ଈଶ୍ୱରପରାୟଣତା,ବିଶ୍ୱାସ,ପ୍ରେମ, ଧୌର୍ଯ୍ୟ ଓ ସହିଷ୍ଣୁତାର ଅନୁଗାମୀ ହୁଅ |।
12 ବିଶ୍ୱାସର ଉତ୍ତମ ଯୁଦ୍ଧରେ ପ୍ରାଣ ପଣ କର, ଅନନ୍ତ ଜୀବନ ଧରି ରଖ; ସେଥିପାଇଁ ତ ତୁମ୍ଭେ ଆହୁତ ହୋଇଅଛ ଓ ଅନେକ ସାକ୍ଷୀଙ୍କ ସାକ୍ଷାତରେ ଉତ୍ତମ ସାକ୍ଷ୍ୟ ଦେଇଅଛ |।
13 ସମସ୍ତଙ୍କ ଜୀବନଦାତା ଈଶ୍ୱରଙ୍କ ସାକ୍ଷାତରେ,ପୁଣି ପନ୍ତିୟ ପୀଲାତଙ୍କ ସମ୍ମୁଖରେ ଉତ୍ତମ ସାକ୍ଷ୍ୟଦାତା ଖ୍ରୀଷ୍ଟ ଯୀଶୁଙ୍କ ସାକ୍ଷାତରେ, ମୁଁ ତୁମ୍ଭକୁ ଆଦେଶ ଦେଉଅଛି,
14 ତୁମ୍ଭେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆଗମନ ପର୍ଯ୍ୟନ୍ତ ଧର୍ମବିଧି ପାଳନ କରି ନିଷ୍କଳଙ୍କ ଓ ଅନିନ୍ଦନୀୟ ହୋଇ ରୁହ |।
15 ସେ ପରମଧନ୍ୟ ଏକମାତ୍ର ସମ୍ରାଟ, ଯେ ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ,
16 ଯେ ଏକମାତ୍ର ଅମର ଓ ଅଗମ୍ୟ ଜ଼୍ୟୋତିର୍ନିବାସୀ,ଯାହାଙ୍କୁ କୌଣସି ମର୍ତ୍ତ୍ୟ କେବେ ଦେଖି ନାହିଁ ବା ଦେଖି ପାରେ ନାହିଁ, ସେ ଉପଯୁକ୍ତ ସମୟରେ ତାହା ଦର୍ଶାଇବେ; ଅନନ୍ତ କାଳ ପର୍ଯ୍ୟନ୍ତ ତାହାଙ୍କ ସମ୍ଭ୍ରମ ଓ ପରାକ୍ରମ ପ୍ରକାଶିତ ହେଉ | ଆମେନ୍ |।
17 ଯେଉଁମାନେ ଇହକାଳରେ ଧନୀ, ସେମାନେ ଯେପରି ଅହଙ୍କାରୀ ନ ହୁଅନ୍ତି ଏବଂ ଅସ୍ଥାୟୀ ଧନ ଉପରେ ନିର୍ଭର ନ କରନ୍ତି,ବରଞ୍ଚ ଭୋଗ ନିମନ୍ତେ ସକଳ ବିଷୟ ପ୍ରଚୁରରୂପେ ଆମ୍ଭମାନଙ୍କୁ ଦାନ କରନ୍ତି ଯେଉଁ ଈଶ୍ୱର, ତାହାଙ୍କ ଉପରେ ନିର୍ଭର କରନ୍ତି,
18 ପୁଣି ପରୋପକାର କରି ସମସ୍ତ ସତ୍କର୍ମରେ ଧନୀ ହୁଅନ୍ତି ଆଉ ମୁକ୍ତ ହସ୍ତରେ ଓ ଉଦାର ଭାବରେ ଦାନ କରନ୍ତି, ଏଥିନିମନ୍ତେ ସେମାନଙ୍କୁ ଆଜ୍ଞା ଦିଅ;
19 ଏହି ପ୍ରକାର କଲେ ସେମାନେ ଭାବୀ ଜୀବନ ନିମନ୍ତେ ଉତ୍କୃଷ୍ଟ ମୂଳଧନ ଆପଣା ଆପଣା ପାଇଁ ସଞ୍ଚୟ କରିବେ, ଯେପରି ପ୍ରକୃତ ଜୀବନ ପ୍ରାପ୍ତ ହୁଅନ୍ତି |।
20 ତୁମ୍ଭଠାରେ ଯାହା ସମର୍ପିତ ହୋଇଅଛି, ତାହା ରକ୍ଷା କର; ଅସାର ବକୁଆପଣ ଓ ତଥାକଥିତ ଜ୍ଞାନର ଯୁକ୍ତିତର୍କରୁ ବିମୁଖ ହୁଅ;
21 କେହି କେହି ତାହା ଅବଲମ୍ବନ କରି ବିଶ୍ୱାସ ସମ୍ବନ୍ଧରେ ପଥଭ୍ରଷ୍ଟ ହୋଇଅଛନ୍ତି | ଅନୁଗ୍ରହ ତୁମ୍ଭମାନଙ୍କ ସହବର୍ତ୍ତୀ ହେଉ |।