1 ଆତ୍ମା ସ୍ପଷ୍ଟରୂପେ କହୁଛନ୍ତି, ଉତ୍ତର କାଳରେ କେହି କେହି ଭ୍ରଷ୍ଟବିବେକ ମିଥ୍ୟାବାଦୀ ଲୋକମାନଙ୍କ କପଟପଣରେ।
2 ଭ୍ରାନ୍ତିଜନକ ଆତ୍ମାମାନଙ୍କ ପ୍ରତି ଓ ଭୂତମାନଙ୍କ ଶିକ୍ଷା ପ୍ରତି ମନୋଯୋଗ କରି ବିଶ୍ୱାସ ପରିତ୍ୟାଗ କରିବେ;
3 ସେହି ମିଥ୍ୟାବାଦୀମାନେ ବିବାହ ନିଷେଧ କରନ୍ତି, ପୁଣି ବିବିଧ ଖାଦ୍ୟ ପଦାର୍ଥରୁ ପୃଥକ୍ ରହିବା ନିମନ୍ତେ ଶିକ୍ଷା ଦିଅନ୍ତି |ବିଶ୍ୱାସ ଓ ସତ୍ୟ ଜାଣିଥିବା ଲୋକମାନଙ୍କ ଦ୍ୱାରା ଧନ୍ୟବାଦ ସହ ଭୋଜନ କରାଯିବା ନିମନ୍ତେ ଈଶ୍ୱର ଏସବୁ ତ ସୃଷ୍ଟି କରିଅଛନ୍ତି |।
4 କାରଣ ଈଶ୍ୱରଙ୍କ ସମସ୍ତ ସୃଷ୍ଟ ବସ୍ତୁ ଉତ୍ତମ, ପୁଣି ଧନ୍ୟବାଦ ସହ ଗ୍ରହଣ କଲେ କୌଣଷି ବିଷୟ ଅଗ୍ରାହ୍ୟ ନୁହେଁ,
5 ଯେଣୁ ଈଶ୍ୱରଙ୍କ ବାକ୍ୟ ଓ ପ୍ରାର୍ଥନା ଦ୍ୱାରା ତାହା ପବିତ୍ର କରାଯାଏ |।
6 ଏହି ସମସ୍ତ ବିଷୟ ତୁମ୍ଭେ ଭାଇମାନଙ୍କୁ ଶିକ୍ଷା ଦେଲେ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ଉତ୍ତମ ସେବକ ହେବ,ପୁଣି ତୁମ୍ଭେ ଯେଉଁ ବିଶ୍ୱାସ ଓ ଉତ୍ତମ ଶିକ୍ଷାର ଅନୁଗାମୀ ହୋଇ ଆସିଅଛ, ତତ୍ ସମ୍ବନ୍ଧୀୟ ବାକ୍ୟ ଦ୍ୱାରା ପରିପୁଷ୍ଟ ହେବ;
7 କିନ୍ତୁ ବୃଦ୍ଧା ସ୍ତ୍ରୀମାନଙ୍କର ଅସାର କହାଣୀସବୁ ଅଗ୍ରାହ୍ୟ କର | ଈଶ୍ୱରପରାୟଣ ଜୀବନ ଯାପନ କରିବା ନିମନ୍ତେ ଅଭ୍ୟାସ କର,
8 କାରଣ ଶାରୀରିକ ବ୍ୟାୟାମ ଅଳ୍ପ ବିଷୟରେ ଲାଭଜନକ, କିନ୍ତୁ ଈଶ୍ୱରପରାୟଣତା ଇହକାଳ ଓ ପରକାଳରେ ପ୍ରତିଜ୍ଞାଯୁକ୍ତ ହୋଇ ସମସ୍ତ ବିଷୟରେ ଲାଭଜନକ ଅଟେ |।
9 ଏହି ବାକ୍ୟ ବିଶ୍ୱାସ୍ୟ ଓ ସର୍ବତୋଭାବେ ଗ୍ରହଣଯୋଗ୍ୟ;
10 ଏହି ଉଦ୍ଧେଶ୍ୟରେ ତ ଆମ୍ଭେମାନେ ପରିଶ୍ରମ ଓ ପ୍ରାଣପଣ କରୁଅଛୁ, କାରଣ ଯେଉଁ ଜୀବିତ ଈଶ୍ୱର ସମସ୍ତ ମନୁଷ୍ୟଙ୍କର, ବିଶେଷତଃ ବିଶ୍ୱାସୀମାନଙ୍କର ତ୍ରାଣକର୍ତ୍ତା, ତାହାଙ୍କଠାରେ ଆମ୍ଭମାନଙ୍କର ଭରସା ଅଛି |।
11 ତୁମ୍ଭେ ଏହି ସମସ୍ତ ବିଷୟ ଆଜ୍ଞା ଦେଇ ଶିକ୍ଷା ଦିଅ |।
12 ତୁମ୍ଭର ଯୌବନାବସ୍ଥା ସକାଶେ କେହି ତୁମ୍ଭକୁ ତୁଚ୍ଛ ନ କରୁ,କିନ୍ତୁ ବାକ୍ୟରେ,ଆଚରଣରେ, ପ୍ରେମରେ, ବିଶ୍ୱାସରେ ଓ ପବିତ୍ରତାରେ ବିଶ୍ୱାସୀମାନଙ୍କର ଆଦର୍ଶସ୍ୱରୂପ ହୁଅ |।
13 ମୁଁ ନ ଯିବା ପର୍ଯ୍ୟନ୍ତ ଶାସ୍ତ୍ରପାଠ,ଉପଦେଶ ଓ ଶିକ୍ଷାଦାନରେ ମନୋଯୋଗ କର |।
14 ଭାବବାଣୀ ଓ ପ୍ରାଚୀନମାନଙ୍କର ହସ୍ତାର୍ପଣ ଦ୍ୱାରା ତୁମ୍ଭକୁ ଯେଉଁ ଅନୁଗ୍ରହ ଦାନ ଦତ୍ତ ହୋଇଅଛି, ତାହା ଅବହେଳା ନ କର |।
15 ତୁମ୍ଭର ଉନ୍ନତି ଯେପରି ସମସ୍ତଙ୍କ ନିକଟରେ ପ୍ରକାଶିତ ହୁଏ, ଏଥିନିମନ୍ତେ ଏହି ସମସ୍ତ ବିଷୟରେ ମନୋଯୋଗୀ ହୁଅ, ସେହି ସବୁରେ ପ୍ରବୃତ୍ତ ଥାଅ |।
16 ଆପଣା ବିଷୟରେ ଓ ଆପଣା ଶିକ୍ଷା ବିଷୟରେ ସତର୍କ ହୁଅ,ଏହି ସମସ୍ତ ବିଷୟରେ ଲାଗି ରୁହ, କାରଣ ତାହା କଲେ ତୁମ୍ଭେ ଆପଣା ପରିତ୍ରାଣ ଓ ତୁମ୍ଭର ଶ୍ରୋତାମାନଙ୍କର ପରିତ୍ରାଣ ମଧ୍ୟ ସାଧନ କରିବ |।