1 ତତ୍ପରେ ମୁଁ ଦେଖିଲି, ପୃଥିବୀ କି ସମୁଦ୍ର କି କୌଣସି ବୃକ୍ଷ ଉପରେ ଯେପରି ବାୟୁ ନ ବହେ, ଏଥିନିମନ୍ତେ ପୃଥିବୀର ଚାରି କୋଣରେ ଚାରି ଜଣ ଦୂତ ଠିଆ ହୋଇ ପୃଥିବୀର ଚାରି ବାୟୁକୁ ଅଟକାଇ ଧରିଅଛନ୍ତି |।

2 ପୁଣି ମୁନାଉ ଜଣେ ଦୂତଙ୍କୁ ପୂର୍ବଦିଗରୁ ଉଠି ଆସିବାର ଦେଖିଲି; ତାହାଙ୍କ ହସ୍ତରେ ଜୀବିତ ଈଶ୍ୱରଙ୍କର ମୁଦ୍ରା ଥିଲା ପୃଥିବୀ ଓ ସମୁଦ୍ରର କ୍ଷତି କରିବା ନିମନ୍ତେ କ୍ଷମତା ପ୍ରାପ୍ତ ସେହି ଚାରି ଦୂତଙ୍କୁ ସେ ଉଚ୍ଚ ସ୍ୱରରେ ଡାକି କହିଲେ,

3 ଆମ୍ଭେମାନେ ଆପଣାମାନଙ୍କ ଈଶ୍ୱରଙ୍କର ଦାସମାନଙ୍କ କପାଳରେ ମୁଦ୍ରାଙ୍କ ନ ଦେବା ପର୍ଯ୍ୟନ୍ତ ତୁମ୍ଭେମାନେ ପୃଥିବୀ କିଅବା ସମୁଦ୍ର କିଅବା ବୃକ୍ଷସମୂହର କ୍ଷତି କର ନାହିଁ |।

4 ତତ୍ପରେ ମୁଦ୍ରାଙ୍କିତ ଲୋକମାନଙ୍କର ସଂଖ୍ୟା ମୁଁ ଶୁଣିଲି, ଇସ୍ରାୟେଲ ସନ୍ତାନମାନଙ୍କ ସମସ୍ତ ବଂଶ ମଧ୍ୟର ଏକ ଲକ୍ଷ ଚଉରାଳିଶ ସାହସ୍ର ଲୋକ ମୁଦ୍ରାଙ୍କିତ ହେଲେ,

5 ଯିହୂଦା ବଂଶରୁ ଦ୍ୱାଦଶ ସହସ୍ର, ରୂବେନ ବଂଶରୁ ଦ୍ୱାଦଶ ସହସ୍ର, ଗାଦ ବଂଶରୁ ଦ୍ୱାଦଶ ସହସ୍ର,

6 ଆଶେର ବଂଶରୁ ଦ୍ୱାଦଶ ସହସ୍ର, ନପ୍ତାଲୀ ବଂଶରୁ ଦ୍ୱାଦଶ ସହସ୍ର, ମନଶେହ ବଂଶରୁ ଦ୍ୱାଦଶ ସହସ୍ର,

7 ଶିମିୟୋନ ବଂଶରୁ ଦ୍ୱାଦଶ ସହସ୍ର, ଲେବୀ ବଂଶରୁ ଦ୍ୱାଦଶ ସହସ୍ର, ଯିସାଖାର ବଂଶରୁ ଦ୍ୱାଦଶ ସହସ୍ର,

8 ଜବୂଲୂନ୍ ବଂଶରୁ ଦ୍ୱାଦଶ ସହସ୍ର, ଯୋସେଫ ବଂଶରୁ ଦ୍ୱାଦଶ ସହସ୍ର, ବିନ୍ୟାମିନ ବଂଶରୁ ଦ୍ୱାଦଶ ସହସ୍ର |।

9 ଏହା ପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ସର୍ବଜାତୀୟ, ସର୍ବଗୋଷ୍ଠୀୟ, ସର୍ବବଂଶୀୟ ଓ ସର୍ବଭାଷାବାଦୀ ଅଗଣ୍ୟ ଏକ ମହା ଜନତା ଶୁକ୍ଲ ବସ୍ତ୍ର ପରିହିତ ହୋଇ ଓ ଖଜୁରିବାହୁଙ୍ଗା ହସ୍ତରେ ଧରି ସିଂହାସନ ଓ ମଷଶାବକଙ୍କ ସମ୍ମୁଖରେ ଦଣ୍ଡାୟମାନ ହୋଇଅଛନ୍ତି;

10 ସେମାନେ ଉଚ୍ଚ ସ୍ୱରରେ କହୁଅଛନ୍ତି, ପରିତ୍ରାଣ ସିଂହାସନୋପବିଷ୍ଟ ଆମ୍ଭମାନଙ୍କ ଈଶ୍ୱରଙ୍କର ଓ ମେଷଶାବକଙ୍କର କାର୍ଯ୍ୟ |।

11 ପୁଣି ସମସ୍ତ ଦୂତ ସିଂହାସନ, ପ୍ରାଚୀନବର୍ଗ ଓ ଚାରି ପ୍ରାଣୀଙ୍କ ଚତୁର୍ଦ୍ଦିଗରେ ଉଭା ହୋଇଅଛନ୍ତି ଆଉ ସିଂହାସନ ସମ୍ମୁଖରେ ଉବୁଡ଼ ହୋଇପଡ଼ି ଈଶ୍ୱରଙ୍କୁ ପ୍ରଣାମ କରି କହୁଅଛନ୍ତି,

12 ଆମେନ୍; ପ୍ରଶଂସା, ଗୌରବ, ଜ୍ଞାନ, ଧନ୍ୟବାଦ, ସମ୍ଭ୍ରମ, ପରାକ୍ରମ ଓ ଶକ୍ତି ଯୁଗେ ଯୁଗେ ଆମ୍ଭମାନଙ୍କ ଈଶ୍ୱରଙ୍କର; ଆମେନ୍ |।

13 ପୁଣି ପ୍ରାଚୀନମାନଙ୍କ ମଧ୍ୟରୁ ଜଣେ ମୋତେ ପଚାରିଲେ, ଶୁକ୍ଲ ବସ୍ତ୍ର ପରିହିତ ଏହି ଲୋକମାନେ କିଏ ଓ ସେମାନେ କେଉଁଠାରୁ ଆସିଅଛନ୍ତି।

14 ମୁଁ ତାହାଙ୍କୁ କହିଲି, ହେ ମୋହର ପ୍ରଭୁ, ଆପଣହିଁ ତାହାଜାଣନ୍ତି | ସେଥିରେ ସେ ମୋତେ କହିଲେ, ଏମାନେ ମହାକ୍ଲେଶରୁ ବାହାରିଆସିଅଛନ୍ତି ଓ ମେଷଶାବକଙ୍କ ରକ୍ତରେ ଆପଣା ଆପଣା ବସ୍ତ୍ର ଧୋଇ ଶୁକ୍ଲବର୍ଣ୍ଣ କରିଅଛନ୍ତି |।

15 ସେଥିପାଇଁ ସେମାନେ ଈଶ୍ୱରଙ୍କ ସିଂହାସନ ସମ୍ମୁଖରେ ଥାଇ ଦିବାରାତ୍ର ତାହାଙ୍କ ମନ୍ଦିରରେ ତାହାଙ୍କର ଉପାସନା କରନ୍ତି, ପୁଣି ସିଂହାସନୋପବିଷ୍ଟ ବ୍ୟକ୍ତି ସେମାନଙ୍କର ଆଶ୍ରୟସ୍ୱରୂପ ହେବେ |।

16 ସେମାନଙ୍କର ଆଉ କେବେହେଁ କ୍ଷୁଧା କି ତୃଷା ହେବ ନାହିଁ, ପୁଣି ସୂର୍ଯ୍ୟ କିଅବା କୌଣସି ଉତ୍ତାପ ସେମାନଙ୍କୁ ଆଘାତ କରିବ ନାହିଁ,

17 କାରଣ ସିଂହାସନମଧ୍ୟସ୍ଥିତ ମେଷଶାବକ ସେମାନଙ୍କର ପାଲକ ହେବେ ଓ ଜୀବନଦାୟକ ନିର୍ଝର ନିକଟକୁ ସେମାନଙ୍କୁ କଢ଼ାଇ ନେବେ, ପୁଣି ଈଶ୍ୱର ସେମାନଙ୍କ ଚକ୍ଷୁରୁ ସମସ୍ତ ଲୋତକ ପୋଛିଦେବେ |।