1 ପରେ ମୁଁ ଜଣେ ଦୂତଙ୍କୁ ସ୍ୱର୍ଗରୁ ଓହ୍ଲାଇଆସିବାର ଦେଖିଲି | ତାହାଙ୍କ ହସ୍ତରେ ପାତାଳକୁଣ୍ଡର ଚାବି ଓ ଗୋଟିଏ ଶୃଙ୍ଖଳ ଥିଲା |।
2 ସେ ସେହି ସର୍ପ, ସେହି ପୁରାତନ ନାଗ, ଅର୍ଥାତ୍ ଦିଆବଳ ଓ ଶୟତାନକୁ ଧରି ଏକ ସହସ୍ର ବର୍ଷ ପର୍ଯ୍ୟନ୍ତ ବାନ୍ଧିପକାଇଲେ,
3 ପୁଣି ତାହାକୁ ପାତାଳକୁଣ୍ଡରେ ନିକ୍ଷେପ କରି ସେଥିର ମୁଖ ବନ୍ଦ କଲେ ଓ ତାହା ଉପରେ ମୁଦ୍ରାଙ୍କ ଦେଲେ,ଯେପରି ସେହି ଏକ ସହସ୍ର ବର୍ଷ ଶେଷ ନ ହେବା ପର୍ଯ୍ୟନ୍ତ ସେ ଜାତି ସମୂହକୁ ଆଉ ଭ୍ରାନ୍ତ କରି ପାରିବ ନାହିଁ; ଏହା ପରେ ଅଲ୍ପକାଳ ନିମନ୍ତେ ତାହାକୁ ମୁକ୍ତ ହେବାକୁ ହେବ |।
4 ପରେ ମୁଁ ସିଂହାସନସମୂହ ଦେଖିଲି;ସେହିସବୁ ଉପରେ କେତେକ ବ୍ୟକ୍ତି ଉପବେଶନ କଲେ, ସେମାନଙ୍କୁ ବିଚାର କରିବାର କ୍ଷମତା ଦିଆଗଲା | ଆଉ ଯୀଶୁଙ୍କ ସାକ୍ଷ୍ୟ ଓ ଈଶ୍ୱରଙ୍କ ବାକ୍ୟ ନିମନ୍ତେ ଯେଉଁମାନଙ୍କର ମସ୍ତକଛେଦନ ହୋଇଥିଲା, ପୁଣି ଯେଉଁମାନେ ସେହି ପଶୁକୁ ବା ତାହାର ପ୍ରତିମାକୁ ପ୍ରଣାମ କରି ନ ଥିଲେ ଓ ତାହାର ଚିହ୍ନ ଆପଣା ଆପଣା କପାଳରେ ଓ ହସ୍ତରେ ଧାରଣ କରି ନ ଥିଲେ, ସେମାନଙ୍କ ଆତ୍ମାମାନଙ୍କୁ ଦେଖିଲି; ସେମାନେ ଜୀବିତ ହୋଇ ଖ୍ରୀଷ୍ଟଙ୍କ ସହିତ ଏକ ସହସ୍ର ବର୍ଷ ପର୍ଯ୍ୟନ୍ତ ରାଜତ୍ୱ କଲେ |।
5 ଅବଶିଷ୍ଟ ମୃତ ଲୋକମାନେ ସେହି ସହସ୍ର ବର୍ଷ ଶେଷ ନ ହେବା ପର୍ଯ୍ୟନ୍ତ ଜୀବିତ ହେଲେ ନାହିଁ | ଏହାହିଁ ପ୍ରଥମ ପୁନରୁଥାନ |।
6 ଯେଉଁମାନେ ପ୍ରଥମ ପୁନରୁଥାନର ଅଂଶୀ ହୁଅନ୍ତି, ସେମାନେ ଧନ୍ୟ ଓ ପବିତ୍ର; ସେମାନଙ୍କ ଉପରେ ଦ୍ୱିତୀୟ ମୃତ୍ୟୁର କୌଣସି ଅଧିକାର ନାହିଁ, ବରଞ୍ଚ ସେମାନେ ଈଶ୍ୱରଙ୍କ ଓ ଖ୍ରୀଷ୍ଟଙ୍କ ଯାଜକ ହୋଇ ଏକ ସହସ୍ର ବର୍ଷ ପର୍ଯ୍ୟନ୍ତ ତାହାଙ୍କ ସହିତ ରାଜତ୍ୱ କରିବେ |।
7 ସେହି ସହସ୍ର ବର୍ଷ ଶେଷ ହୁଅନ୍ତେ ଶୟତାନ କାରାଗାରରୁ ମୁକ୍ତ ହେବ;
8 ସେଥିରେ ସେ ପୃଥିବୀର ଚାରି କୋଣରେ ଥିବା ଜାତିସମୂହକୁ, ଅର୍ଥାତ୍ ସମୁଦ୍ରର ବାଲୁକା ସଦୃଶ ଅସଂଖ୍ୟ ଯେ ଗୋଗ୍ ଓ ମାଗଗ୍, ସେମାନଙ୍କୁ ଭ୍ରାନ୍ତ କରି ଯୁଦ୍ଧ ନିମନ୍ତେ ଏକତ୍ର କରିବାକୁ ବାହାରିଯିବ |।
9 ସେମାନେ ପୃଥିବୀର ପ୍ରସ୍ଥରେ ବିସ୍ତାରିତ ହୋଇ ସାଧୁମାନଙ୍କ ଶିବିର ଓ ପ୍ରିୟତମା ନଗରୀକୁ ବେଷ୍ଟନ କଲେ | ସତେବେଳେ ସ୍ୱର୍ଗରୁ ଅଗ୍ନି ପଡ଼ି ସେମାନଙ୍କୁ ଗ୍ରାସ କଲା |।
10 ଯେଉଁ ଦିଆବଳ ସେମାନଙ୍କୁ ଭ୍ରାନ୍ତ କରିଥିଲା, ତାହାକୁ ଅଗ୍ନି ଓ ଗନ୍ଧକମୟ ହ୍ରଦରେ ନିକ୍ଷେପ କରାଗଲା, ସେଠାରେ ସେହି ପଶୁ ଓ ଭଣ୍ଡ ଭାବବାଦୀ ମଧ୍ୟ ଅଛନ୍ତି; ପୁଣି ସେମାନେ ଦିବାରାତ୍ର ଯୁଗେ ଯୁଗେ ଯନ୍ତ୍ରଣା ଭୋଗ କରିବେ |।
11 ତତ୍ପରେ ମୁଁ ଗୋଟିଏ ବୃହତ୍ ଶ୍ୱେତବର୍ଣ୍ଣ ସିଂହାସନ ଓ ତଦୁପବିଷ୍ଟ ବ୍ୟକ୍ତିଙ୍କୁ ଦର୍ଶନ କଲି; ତାହାଙ୍କ ସମ୍ମୁଖରୁ ପୃଥିବୀ ଓ ଆକାଶମଣ୍ଡଳ ପଳାୟନ କଲା, ସେମାନଙ୍କ ନିମନ୍ତେ ଆଉ ସ୍ଥାନ ମିଳିଲା ନାହିଁ |।
12 ପୁଣି ମୁଁ କ୍ଷୁଦ୍ର ଓ ମହାନ୍ ସମସ୍ତ ମୃତ ଲୋକଙ୍କୁ ସିଂହାସନର ସମ୍ମୁଖରେ ଠିଆ ହୋଇଥିବାର ଦେଖିଲି, ଆଉ ପୁସ୍ତକସବୁ ଫିଟାଗଲା; ପରେ ଜୀବନ ପୁସ୍ତକ ନାମକ ଆଉ ଗୋଟିଏ ପୁସ୍ତକ ଫିଟାଗଲା; ସେହି ପୁସ୍ତକମାନଙ୍କରେ ଲିଖିତ ବିଷୟ ପ୍ରମାଣେ ମୃତମାନେ ଆପଣା ଆପଣା କର୍ମାନୁସାରେ ବିଚାରିତ ହେଲେ |।
13 ସମୁଦ୍ର ଆପଣାର ମଧ୍ୟବର୍ତ୍ତୀ ମୃତମାନଙ୍କୁ ସମର୍ପଣ କଲା, ଆଉ ମୃତ୍ୟୁ ଓ ପାତାଳ ସେମାନଙ୍କ ମଧ୍ୟବର୍ତ୍ତୀ ମୃତମାନଙ୍କୁ ସମର୍ପଣ କଲେ;ପୁଣି ସେମାନେ ସେମାନେ ପ୍ରୋତ୍ୟେକେ ଆପଣା ଆପଣା କର୍ମାନୁସାରେ ବିଚାରିତ ହେଲେ |।
14 ତତ୍ପରେ ମୃତ୍ୟୁ ଓ ପାତାଳକୁ ଅଗ୍ନିମୟ ହ୍ରଦରେ ପକାଗଲା ||ଏହି ମୃତ୍ୟୁ, ଅର୍ଥାତ୍ ଅଗ୍ନିମୟ ହ୍ରଦ, ଦ୍ୱିତୀୟ ମୃତ୍ୟୁ |।
15 ଯାହାର ନାମ ଜୀବନପୁସ୍ତକରେ ଲେଖା ହୋଇଥିବାର ଦେଖା ନ ଗଲା, ତାହାକୁ ଅଗ୍ନିମୟ ହ୍ରଦରେ ପକାଗଲା |।