1 ସେତେବେଳେ ଯୀଶୁ ଶୟତାନ ଦ୍ୱାରା ପରୀକ୍ଷିତ ହେବା ନିମନ୍ତେ ଆତ୍ମାଙ୍କ କର୍ତ୍ତୃତ ପ୍ରାନ୍ତରକୁ ନୀତ ହେଲେ,

2 ପୁଣି ଚାଳିଶ ଦିନ ଓ ଚାଳିଶ ରାତ୍ରି ଉପବାସ କରି ଶେଷରେ କ୍ଷୁଧିତ ହେଲେ।

3 ଆଉ ପରୀକ୍ଷକ ତାହାଙ୍କ ନିକଟକୁ ଆସି କହିଲା, ତୁମ୍ଭେ ଯେବେ ଈଶ୍ୱରଙ୍କ ପୁତ୍ର, ତେବେ ଏହି ପଥରଗୁଡ଼ାକ ରୋଟୀ ହେବାପାଇଁ ଆଜ୍ଞା ଦିଅ।

4 କିନ୍ତୁ ସେ ଉତ୍ତର ଦେଲେ, ଲେଖା ଅଛି, ମନୁଷ୍ୟ କେବଳ ରୋଟୀରେ ବଞ୍ଚିବ ନାହିଁ, ମାତ୍ର ଈଶ୍ୱରଙ୍କ ମୁଖରୁ ନିର୍ଗତ ପ୍ରତ୍ୟେକ ବାକ୍ୟରେ ବଞ୍ଚିବ।

5 ତହିଁଉତ୍ତାରେ ଶୟତାନ ତାହାଙ୍କୁ ପୁଣ୍ୟ ନଗରୀକୁ ଘେନିଯାଇ ମନ୍ଦିରର ଛାତ ଉପରେ ଠିଆ କରାଇ ତାହାଙ୍କୁ କହିଲା,

6 ତୁମ୍ଭେ ଯେବେ ଈଶ୍ୱରଙ୍କ ପୁତ୍ର, ତେବେ ତଳକୁ ଡେଇଁପଡ଼, କାରଣ ଲେଖା ଅଛି, ସେ ଆପଣା ଦୂତମାନଙ୍କୁ ତୁମ୍ଭ ବିଷୟରେ ଆଜ୍ଞା ଦେବେ, ଆଉ କାଳେ ତୁମ୍ଭ ପାଦ ପଥରରେ ବାଜିବ, ଏଥିପାଇଁ ସେମାନେ ତୁମ୍ଭକୁ ହସ୍ତରେ ତୋଳି ଧରିବେ।

7 ଯୀଶୁ ତାହାଙ୍କୁ କହିଲେ, ଆହୁରି ଲେଖା ଅଛି, ତୁମ୍ଭେ ପ୍ରଭୁ ଆପଣା ଈଶ୍ୱରଙ୍କୁ ପରୀକ୍ଷା କରିବ ନାହିଁ।

8 ପୁନଶ୍ଚ ଶୟତାନ ତାହାଙ୍କୁ ଗୋଟିଏ ଅତି ଉଚ୍ଛ ପର୍ବତ ଉପରକୁ ଘେନିଯାଇ ଜଗତର ସମସ୍ତ ରାଜ୍ୟ ଓ ସେସବୁର ଏୗଶ୍ୱର୍ଯ୍ୟ ଦେଖାଇ କହିଲା,

9 ତୁମ୍ଭେ ଯେବେ ଆମ୍ଭକୁ ଭୁମିଷ୍ଠ ପ୍ରଣାମ କରିବ, ତେବେ ଆମ୍ଭେ ଏହିସମସ୍ତ ତୁମ୍ଭକୁ ଦେବା।

10 ତହିଁରେ ଯୀଶୁ ତାହାକୁ କହିଲେ, ଦୂର ହ, ଶୟତାନ, କାରଣ ଲେଖାଅଛି, ତୁମ୍ଭେ ପ୍ରଭୁ ଆପଣା ଈଶ୍ୱରଙ୍କୁ ପ୍ରଣାମ କରିବ, ପୁଣି କେବଳ ତାହାଙ୍କର ଉପାସନା କରିବ।

11 ଏଥିରେ ଶୟତାନ ତାହାଙ୍କୁ ଛାଡ଼ି ଚାଲିଗଲେ, ଆଉ ଦେଖ, ଦୂତମାନେ ଆସି ତାହାଙ୍କର ସେବା କରିବାକୁ ଲାଗିଲେ।

12 ପରେ ଯୋହନ ଧରାପଡ଼ିଲେଣି ବୋଲି ଶୁଣି ସେ ଅନ୍ତର ହୋଇ ଗାଲୀଲୀକି ପ୍ରସ୍ଥାନ କଲେ;

13 ଆଉ ସେ ନାଜରିତ ପରିତ୍ୟାଗ କରି ଜବୂଲୂନ ଓ ନପ୍ତାଲୀ ଅଞ୍ଚଳରେ ଥିବା ସମୁଦ୍ର କୂଳସ୍ଥିତ କଫର୍ନାହୂମକୁ ଯାଇ ସେଠାରେ ବାସ କଲେ,

14 ଯେପରି ଯିଶାୟ ଭାବବାଦୀଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହୁଏ,

15 ଜବୂଲୂନ ଦେଶ ଓ ନପ୍ତାଲୀ ଦେଶ, ସମୁଦ୍ର ନିକଟବର୍ତ୍ତୀ ଓ ଯର୍ଦ୍ଦନର ଅପର ପାର୍ଶ୍ୱସ୍ଥ ବିଜାତିମାନଙ୍କ ଗାଲୀଲୀ,

16 ଅନ୍ଧକାରବାସୀ ଲୋକେ ମହା ଆଲୋକ ଦର୍ଶନ କଲେ, ଆଉ ମୃତ୍ୟୁର ଅଞ୍ଚଳ ଓ ଛାୟାରେ ଅବସ୍ଥିତ ଲୋକଙ୍କ ନିମନ୍ତେ ଆଲୋକ ଉଦିତ ହେଲା।

17 ସେହି ସମୟଠାରୁ ଯୀଶୁ ଘୋଷଣା କରିବାକୁ ଆରମ୍ଭ କରି କହିବାକୁ ଲାଗିଲେ, ମନ ପରିବର୍ତ୍ତନ କର, କାରଣ ସ୍ୱର୍ଗରାଜ୍ୟ ସନ୍ନିକଟ।

18 ସେ ଗାଲୀଲୀ ସମୁଦ୍ର କୂଳରେ ଭ୍ରମଣ କରୁଥିବା ସମୟରେ ଶିମୋନ, ଯାହାଙ୍କୁ ପିତର ବୋଲି କହନ୍ତି, ଆଉ ତାହାଙ୍କ ଭାଇ ଆନ୍ଦ୍ରିୟ, ଏହି ଦୁଇ ଭାଇଙ୍କି ସମୁଦ୍ରରେ ଭଉଁରିଜାଲ ପକାଉଥିବା ଦେଖିଲେ, କାରଣ ସେମାନେ ମତ୍ସ୍ୟଜୀବୀ ଥିଲେ।

19 ସେ ସେମାନଙ୍କୁ କହିଲେ, ମୋହର ଅନୁଗମନ କର, ମୁଁ ତୁମ୍ଭମାନଙ୍କୁ ମନୁଷ୍ୟ ଧରିବା ଶିଖାଇବି।

20 ସେଥିରେ ସେମାନେ ସେହିକ୍ଷଣି ଜାଲ ଛାଡ଼ି ତାହାଙ୍କର ଅନୁଗମନ କଲେ।

21 ପୁଣି ସେ ସେଠାରୁ ଆଗକୁ ଯାଇ ଜେବଦିଙ୍କ ପୁତ୍ର ଯାକୁବ ଓ ତାହାଙ୍କ ଭାଇ ଯୋହନ ନାମକ ଆଉ ଦୁଇ ଭାଇଙ୍କି ସେମାନଙ୍କ ପିତା ଜେବଦିଙ୍କ ସହିତ ନୌକାରେ ଜାଲ ସଜାଡ଼ୁଥିବା ଦେଖି ସେମାନଙ୍କୁ ଡାକିଲେ।

22 ସେଥିରେ ସେମାନେ ସେହିକ୍ଷଣି ନୌକା ଓ ସେମାନଙ୍କର ପିତାଙ୍କୁ ଛାଡ଼ି ତାହାଙ୍କର ଅନୁଗମନ କଲେ।

23 ପରେ ଯୀଶୁ ସେମାନଙ୍କ ସମାଜଗୃହସମୂହରେ ଶିକ୍ଷା ଦେଇ ରାଜ୍ୟର ସୁସମାଚାର ଘୋଷଣା କରି ଏବଂ ଲୋକଙ୍କର ସମସ୍ତ ପ୍ରକାର ରୋଗ ଓ ସମସ୍ତ ପ୍ରକାର ପୀଡ଼ା ସୁସ୍ଥ କରି ସମୁଦାୟ ଗାଲୀଲୀରେ ଭ୍ରମଣ କରିବାକୁ ଲାଗିଲେ,

24 ଆଉ ତାହାଙ୍କ ସମ୍ବନ୍ଧରେ ଜନରବ ସମୁଦାୟ ସୁରିଆ ପର୍ଯ୍ୟନ୍ତ ବ୍ୟାପିଗଲା, ପୁଣି ଲୋକେ ଭୂତଗ୍ରସ୍ତ, ମୃଗୀରୋଗୀ ଓ ପକ୍ଷାଘାତରୋଗୀ ଆଦି ନାନା ପ୍ରକାର ରୋଗରେ ପୀଡ଼ିତ ଓ ଯନ୍ତ୍ରଣାଗ୍ରସ୍ତସମସ୍ତଙ୍କୁ ତାହାଙ୍କ ନିକଟକୁ ଆଣିଲେ, ଆଉ ସେ ସେମାନଙ୍କୁ ସୁସ୍ଥ କଲେ।

25 ପୁଣି ଗାଲୀଲୀ, ଦେକାପଲି, ଯିରୂଶାଲମ, ଯିହୂଦା ପ୍ରଦେଶ ଓ ଯର୍ଦ୍ଦନର ଅପର ପାରିରୁ ବହୁସଂଖ୍ୟକ ଲୋକ ଆସି ତାହାଙ୍କ ପଶ୍ଚାଦଗମନ କଲେ।