1 ସେହି କାଳରେ ବାପ୍ତିଜକ ଯୋହନ ଉପସ୍ଥିତ ହୋଇ ଯିହୂଦା ପ୍ରଦେଶର ପ୍ରାନ୍ତରରେ ଘୋଷଣା କରି କହିବାକୁ ଲାଗିଲେ,
2 ମନ ପରିବର୍ତ୍ତନ କର, କାରଣ ସ୍ୱର୍ଗରାଜ୍ୟ ସନ୍ନିକଟ।
3 ଯିଶାୟ ଭାବବାଦୀଙ୍କ ଦ୍ୱାରା ଯାହାଙ୍କ ବିଷୟରେ ଏହି ବାକ୍ୟ ଉକ୍ତ ହୋଇଥିଲେ, ଏ ସେହି ବ୍ୟକ୍ତି, ପ୍ରାନ୍ତରରେ ଉଚ୍ଛ ଶବ୍ଦ କରୁଥିବା ଜଣକର ସ୍ୱର, ପ୍ରଭୁଙ୍କ ପଥ ପ୍ରସ୍ତୁତ କର, ତାହାଙ୍କ ରାଜଦାଣ୍ଡ ସଳଖ କର।
4 ସେହି ଯୋହନ ଓଟଲୋମର ବସ୍ତ୍ର ପିନ୍ଧୁଥିଲେ ଓ ଆପଣା କଟିରେ ଚର୍ମପଟୁକା ବାନ୍ଧୁଥିଲେ, ପୁଣି ତାହାଙ୍କ ଖାଦ୍ୟ ପଙ୍ଗପାଳ ଓ ବନମଧୁ ଥିଲା।
5 ସେତେବେଳେ ଯିରୂଶାଲମ ଓ ସମଗ୍ର ଯିହୂଦା ପ୍ରଦେଶ ପୁଣି ଯର୍ଦ୍ଦନ ନିକଟବର୍ତ୍ତୀ ସମସ୍ତ ଅଞ୍ଚଳର ଲୋକମାନେ ବାହାରି ତାହାଙ୍କ ନିକଟକୁ ଆସିବାକୁ ଲାଗିଲେ,
6 ଆଉ ଆପଣା ଆପଣା ପାପ ସ୍ୱୀକାର କରି ତାହାଙ୍କ ଦ୍ୱାରା ଯର୍ଦ୍ଦନ ନଦୀରେ ବାପ୍ତିଜିତ ହେଲେ।
7 କିନ୍ତୁ ଫାରୂଶୀ ଓ ସାଦ୍ଦୂକୀମାନଙ୍କ ମଧ୍ୟରୁ ଅନେକେ ବାପ୍ତିସ୍ମ ନିମନ୍ତେ ଆସୁଅଛନ୍ତି, ଏହା ଦେଖି ସେ ସେମାନଙ୍କୁ କହିଲେ, ରେ କାଳସର୍ପର ବଂଶ, ଆଗାମୀ କ୍ରୋଧରୁ ପଳାୟନ କରିବା ନିମନ୍ତେ କିଏ ତୁମ୍ଭମାନଙ୍କୁ ଚେତନା ଦେଲା।
8 ଏଣୁ ମନପରିବର୍ତ୍ତନର ଉପଯୁକ୍ତ ଫଳ ଉତ୍ପନ୍ନ କର,
9 ପୁଣି ଅବ୍ରାହାମ ତ ଆମ୍ଭମାନଙ୍କରପିତା, ମନେ ମନେ ଏପରି କହିବାକୁ ଭାଳ ନାହିଁ, କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଈଶ୍ୱର ଏହି ପଥରଗୁଡ଼ାକରୁ ଅବ୍ରାହାମଙ୍କ ନିମନ୍ତେ ସନ୍ତାନ ଉତ୍ପନ୍ନକରି ପାରନ୍ତି।
10 ଆଉ ଏବେ ସୁଦ୍ଧା ଗଛଗୁଡ଼ିକ ମୂଳରେ କୁହ୍ରାଡ଼ି ଲାଗିଅଛି ଅତଏବ ଯେ କୌଣସି ଗଛ ଭଲ ଫଳ ନ ଫଳେ, ତାହା ହଣାଯାଇ ନିଆଁରେ ପକାଯିବ।
11 ମୁଁ ସିନା ତୁମ୍ଭମାନଙ୍କୁ ମନପରିବର୍ତ୍ତନ ନିମନ୍ତେ ଜଳରେ ବାପ୍ତିସ୍ମ ଦେଉଅଛି, ମାତ୍ର ମୋ ଉତ୍ତାରେ ଯେ ଆସୁଅଛନ୍ତି, ସେ ମୋଠାରୁ ଅଧିକ ଶକ୍ତିମାନ, ତାହାଙ୍କ ପାଦୁକା ବହନ କରିବା ପାଇଁ ମୁଁ ଯୋଗ୍ୟ ନୁହେଁ; ସେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମା ଓ ଅଗ୍ନିରେ ବାପ୍ତିସ୍ମ ଦେବ।
12 ତାହାଙ୍କ ହାତରେ କୁଲା ଅଛି, ଆଉ ସେ ନିଜ ଖଳା ଉତ୍ତମରୂପେ ପରିଷ୍କାର କରି ଆପଣା ଗହମ ଅମାରରେ ସଂଗ୍ରହ କରି ରଖିବେ, କିନ୍ତୁ ଅଗାଡ଼ିଯାକ ଅନିର୍ବାଣ ଅଗ୍ନିରେ ପୋଡ଼ିପକାଇବେ।
13 ସେତେବେଳେ ଯୀଶୁ ଯୋହନଙ୍କ ଦ୍ୱାରା ବପ୍ତିଜିତ ହେବା ନିମନ୍ତେ ଗାଲୀଲୀରୁ ଯର୍ଦ୍ଦନକୁ ଆସିଲେ।
14 କିନ୍ତୁ ଯୋହନ ତାହାଙ୍କୁ ନିବାରଣ କରିବାକୁ ଚେଷ୍ଟା କରି କହିଲେ, ଆପଣଙ୍କ ଦ୍ୱାରା ବାପ୍ତିଜିତ ହେବା ମୋହର ପ୍ରୟୋଜନ, ଆଉ ଆପଣ ମୋ ନିକଟକୁ ଆସୁଅଛନ୍ତି।
15 ମାତ୍ର ଯୀଶୁ ତାହାଙ୍କୁ ଉତ୍ତର ଦେଲେ, ଏବେ ସମ୍ମତ ହୁଅ, କାରଣ ଏହି ପ୍ରକାରେ ସମସ୍ତ ଧର୍ମକର୍ମ ସାଧନ କରିବା ଆମ୍ଭମାନଙ୍କର ଉପଯୁକ୍ତ। ସେଥିରେ ସେ ତାହାଙ୍କ କଥାରେ ସମ୍ମତ ହେଲେ।
16 ଯୀଶୁ ବାପ୍ତିଜିତ ହେଲାକ୍ଷଣି ଜଳରୁ ଉଠି ଆସିଲେ, ଆଉ ଦେଖ, ଆକାଶ ଉନ୍ମୁକ୍ତ ହେଲା, ପୁଣି ସେ ଈଶ୍ୱରଙ୍କ ଆତ୍ମାଙ୍କୁ କପୋତ ପରି ଅବତରଣ କରି ଆପଣା ଉପରକୁ ଆସିବା ଦେଖିଲେ।
17 ଆଉ ଦେଖ, ଆକାଶରୁ ଏହି ବାଣୀ ହେଲା, ଏ ଆମ୍ଭର ପ୍ରିୟ ପୁତ୍ର, ଏହାଙ୍କଠାରେ ଆମ୍ଭର ପରମ ସନ୍ତୋଷ।