1 କାରଣ ସ୍ୱର୍ଗରାଜ୍ୟ ଏପରି ଜଣେ ଗୃହକର୍ତ୍ତାଙ୍କ ସଦୃଶ, ଯେ ପ୍ରଭାତ ହେବାମାତ୍ର ଆପଣା ଦ୍ରାକ୍ଷାକ୍ଷେତ୍ରରେ ମୂଲିଆ ଲଗାଇବାକୁ ବାହାରିଗଲେ |।

2 ଆଉ ସେ ମୂଲିଆ ମାନଙ୍କ ସହିତ ଦିନକୁ ଆଠ ଅଣା ମୂଲ ଚୁକ୍ତି କରି ସେମାନଙ୍କୁ ଆପଣା ଦ୍ରାକ୍ଷାକ୍ଷେତ୍ରକୂ ପଠାଇଲେ |।

3 ପୁଣି ପ୍ରାୟ ନଅଟା ସମୟରେ ବାହାରିଯାଇ ବଜାରରେ ଅନ୍ୟମାନଙ୍କୁ ନିଷ୍କର୍ମା ହୋଇ ଠିଆ ହୋଇଥିବା ଦେଖି ସେମାନଙ୍କୁ ମଧ୍ୟ କହିଲେ,

4 ତୁମ୍ଭେମାନେ ସୁଦ୍ଧା ଦ୍ରାକ୍ଷାକ୍ଷେତ୍ରକୁ ଯାଅ, ପୁଣି ଯାହା ନ୍ୟାଯ୍ୟ, ତାହା ତୁମ୍ଭମାନଙ୍କୁ ଦେବି; ଆଉ ସେମାନେ ଗଲେ |।

5 ପୁନଶ୍ଚ ସେ ପ୍ରାୟ ବାରଟା ଓ ତିନିଟା ସମୟରେ ବାହାରିଯାଇ ସେହି ପ୍ରକାରର କଲେ |।

6 ପୁଣି ପ୍ରାୟ ପାଞ୍ଚଟା ସମୟରେ ସେ ବାହାରିଯାଇ ଆଉ କେତେକ ଜଣଙ୍କୁ ଠିଆ ହୋଇଥିବା ଦେଖି ସେମାନଙ୍କୁ ପଚାରିଲେ, ତୁମ୍ଭେମାନେ କାହିଁକି ଏଠାରେ ଦିନଯାକ ନିଷ୍କର୍ମା ହୋଇ ଠିଆ ହୋଇଅଚ୍ଛ।

7 ସେମାନେ ତାହାଙ୍କୁ କହିଲେ, କାରଣ କେହି ଆମ୍ଭମାନଙ୍କୁ ମୂଲ ଲଗାଇ ନାହାନ୍ତି | ସେ ସେମାନଙ୍କୁ କହିଲେ, ତୁମ୍ଭେମାନେ ମଧ୍ୟ ଦ୍ରାକ୍ଷାକ୍ଷେତ୍ରକୁ ଯାଅ |।

8 ପରେ ସନ୍ଧ୍ୟା ହୁଅନ୍ତେ ଦ୍ରାକ୍ଷାକ୍ଷେତ୍ରର କର୍ତ୍ତା ଆପଣା ବେବର୍ତ୍ତାଙ୍କୁ କହିଲେ, ମୂଲିଆମାନଙ୍କୁ ଡାକି ଶେଷ ଲୋକମାନଙ୍କଠାରୁ ଆରମ୍ଭ କରି ପ୍ରଥମ ଲୋକମାନଙ୍କ ପର୍ଯ୍ୟନ୍ତ ମୂଲ ଦିଅ |।

9 ସେଥିରେ ଯେଉଁମାନେ ପ୍ରାୟ ପାଞ୍ଚଟା ସମୟରେ ମୂଲ ଲଗାଯାଇଥିଲେ, ସେମାନେ ଆସି ଆଠ ଅଣା ଲେଖାଏଁ ପାଇଲେ |।

10 ପୁଣି ପ୍ରଥମେ ଲଗାଯାଇଥିବା ମୂଲିଆମାନେ ଆସି ଅଧିକ ପାଇବେ ବୋଲି ମନେ କଲେ; ମାତ୍ର ସେମାନେ ମଧ୍ୟ ଆଠ ଅଣା ଲେଖାଏଁ ପାଇଲେ |।

11 କିନ୍ତୁ ତାହା ପାଇ ସେମାନେ ଗୃହକର୍ତ୍ତାଙ୍କ ବିରୁଦ୍ଧରେ ବଚସା କରି କହିବାକୁ ଲାଗିଲେ,

12 ଏହି ଶେଷର ଲୋକମାନେ ଘଣ୍ଟାମାତ୍ର କାମ କଲେ, ଆଉ ଆମ୍ଭେମାନେ ଦିନଯାକ ଖଟି ଖଟି ଖରାରେ ଜଳିପୋଡ଼ିଗଲେ ସୁଦ୍ଧା ତୁମ୍ଭେ ସେମାନଙ୍କୁ ଆମ୍ଭମାନଙ୍କ ସମାନ କଲ |।

13 କିନ୍ତୁ ସେ ସେମାନଙ୍କ ମଧ୍ୟରୁ ଜଣକୁ ଉତ୍ତର ଦେଲେ, ଭାଇ, ତୋ ପ୍ରତି ମୁଁ ଅନ୍ୟାୟ କରୁ ନାହିଁ;ତୁ କଅଣ ମୋ ସାଙ୍ଗରେ ଆଠଅଣିଟିଏ ଚୁକ୍ତି କରି ନ ଥିଲୁ।

14 ତୋର ଯାହା, ତାହା ଘେନି ଚାଲିଯା, କିନ୍ତୁ ଏହି ଶେଷ ଲୋକକୁ ସୁଦ୍ଧା ତୋ ପରି ଦେବା ପାଇଁ ମୋହର ଇଚ୍ଛା |।

15 ନିଜ ସମ୍ପତିକୁ ନିଜ ଇଚ୍ଛାନୁସାରେ ବ୍ୟବହାର କରିବାକୁ କଅଣ ମୋର ଅଧିକାର ନାହିଁ ନା ମୁଁ ଦାନଶୀଳ ହେବାରୁ ତୁ ଈର୍ଷାଦୃଷ୍ଟି କରୁଅଛୁ।

16 ସେହିପରି ଶେଷରେ ଥିବା ଲୋକେ ପ୍ରଥମେ ହେବେ ଓ ପ୍ରଥମରେ ଥିବା ଲୋକେ ଶେଷରେ ପଡ଼ିବେ |।

17 ଯୀଶୁ ଯିରୂଶାଲମକୁ ଯାତ୍ରା କରିବା ନିମନ୍ତେ ଉଦ୍ୟତ ହେଉଥିବା ସମୟରେ ଦ୍ୱାଦଶଙ୍କୁ ଅନ୍ତର କରି ପଥ ମଧ୍ୟରେ ସେମାନଙ୍କୁ କହିଲେ,

18 ଦେଖ, ଆମ୍ଭେମାନେ ଯିରୂଶାଲମକୁ ଯାତ୍ରା କରୁଅଛୁ, ଆଉ ମନୁଷ୍ୟପୁତ୍ର ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ହସ୍ତରେ ସମର୍ପିତ ହେବେ,

19 ପୁଣି ସେମାନେ ତାହାଙ୍କୁ ପ୍ରାଣ ଦଣ୍ଡାଜ୍ଞା ଦେଇ ପରିହାସ, କୋରଡ଼ା ପ୍ରହାର ଓ କୃଶରେ ବଧ କରିବା ନିମନ୍ତେ ବିଜାତିମାନଙ୍କ ହସ୍ତରେ ସମର୍ପଣ କରିବେ, ଆଉ ତୃତୀୟ ଦିବସରେ ସେ ଉତ୍ଥୀତ ହେବେ |।

20 ସେତେବେଳେ ଜେବଦୀଙ୍କ ପୁତ୍ରମାନଙ୍କ ମାତା ଆପଣା ପୁତ୍ରମାନଙ୍କୁ ସାଙ୍ଗରେ ଘେନି ତାହାଙ୍କ ଛାମୁକୁ ଆସି ପ୍ରଣାମ କରି ତାହାଙ୍କଠାରୁ କିଛି ମାଗିଲେ |।

21 ସେଥିରେ ସେ ତାହାଙ୍କୁ ପଚାରିଲେ, ତୁମ୍ଭେ କଅଣ ଇଚ୍ଛା କରୁଅଛ ସେ ତାହାଙ୍କୁ କହିଲେ, ଆପଣଙ୍କ ରାଜ୍ୟରେ ଯେପରି ମୋହର ଏହି ଦୁଇ ପୁତ୍ରଙ୍କ ମଧ୍ୟରୁ ଜଣେ ଆପଣଙ୍କ ଦକ୍ଷିଣ ପାର୍ଶ୍ୱରେ ଓ ଅନ୍ୟ ଜଣେ ବାମ ପାର୍ଶ୍ୱରେ ବସନ୍ତି, ଏହା ଆଜ୍ଞା କରନ୍ତୁ |।

22 କିନ୍ତୁ ଯୀଶୁ ଉତ୍ତର ଦେଲେ, ତୁମ୍ଭେମାନେ କଅଣ ମାଗୁଅଛ, ତାହା ଜାଣୁ ନାହୁଁ | ମୁଁ ଯେଉଁ ପାତ୍ରରେ ପାନ କରିବାକୁ ଯାଉଅଛି, ସେଥିରେ କି ତୁମ୍ଭେମାନେ ପାନ କରି ପାର।

23 ସେମାନେ ତାହାଙ୍କୁ କହିଲେ, ପାରୁ | ସେ ସେମାନଙ୍କୁ, ତୁମ୍ଭେମାନେ ମୋହର ପାତ୍ରରେ ପାନ କରିବ ସତ, କିନ୍ତୁ ମୋହର ଦକ୍ଷିଣ ଓ ବାମ ପାର୍ଶ୍ୱରେ ବସିବାକୁ ଦେବା ମୋହର ଅଧିକାରର ବିଷୟ ନୁହେଁ, ବରଂ ଯେଉଁମାନଙ୍କ ନିମନ୍ତେ ମୋହର ପିତାଙ୍କ ଦ୍ୱାରା ସ୍ଥାନ ପ୍ରସ୍ତୁତ କରାଯାଇଅଛି, ସେମାନେ ବସିବେ |।

24 ଅନ୍ୟ ଦଶ ଜଣ ଏହା ଶୁଣି ସେହି ଦୁଇ ଭାଇଙ୍କ ଉପରେ ବିରକ୍ତ ହେଲେ |।

25 କିନ୍ତୁ ଯୀଶୁ ସେମାନଙ୍କୁ ପାଖକୁ ଡାକି କହିଲେ, ବିଜାତିମାନଙ୍କ ଶାସନକର୍ତ୍ତାମାନେ ସେମାନଙ୍କ ଉପରେ ପ୍ରଭୁତ୍ୱ କରନ୍ତି ଓ ମହାନ୍ ବ୍ୟକ୍ତିମାନେ ସେମାନଙ୍କ ଉପରେ କର୍ତ୍ତୃତ୍ୱକରନ୍ତି, ଏହା ତୁମ୍ଭେମାନେ ଜାଣ |।

26 ତୁମ୍ଭମାନଙ୍କ ମଧ୍ୟରେ ସେପ୍ରକାର ନୁହେଁ, କିନ୍ତୁ ତୁମ୍ଭମାନଙ୍କ ମଧ୍ୟରେ ଯେ କେହି ମହାନ୍ ହେବାକୁ ଇଚ୍ଛା କରେ, ସେ ତୁମ୍ଭମାନଙ୍କର ସେବକ ହେଉ,

27 ଆଉ ଯେକେହି ପ୍ରଧାନ ହେବାକୁ ଇଚ୍ଛା କରେ, ସେ ତୁମ୍ଭମାନଙ୍କର ଦାସ ହେଉ,

28 ଯେପରି ମନୁଷ୍ୟପୁତ୍ର ମଧ୍ୟ ସେବା ପାଇବାକୁ ଆସି ନାହାନ୍ତି, ମାତ୍ର ସେବା କରିବାକୁ ଓ ଅନେକଙ୍କ ନିମନ୍ତେ ମୁକ୍ତିର ମୂଲ୍ୟସ୍ୱରୂପେ ପ୍ରାଣ ଦେବାକୁ ଆସିଅଛନ୍ତି |।

29 ସେମାନେ ଯିରୀହରୁ ବାହାରିବା ସମୟରେ ବହୁସଂଖ୍ୟକ ଲୋକ ତାହାଙ୍କର ପଛେ ପଛେ ଗଲେ |।

30 ଆଉଦେଖ, ପଥ ପାର୍ଶ୍ୱରେ ଦୁଇ ଜଣ ଅନ୍ଧ ଯୀଶୁ ସେହି ପଥ ଦେଇ ଯାଉଅଛନ୍ତି ବୋଲି ଶୁଣି ଉଚ୍ଚ ସ୍ୱର କରି କହିଲେ, ହେ ପ୍ରଭୁ, ଦାଉଦ ସନ୍ତାନ, ଆମ୍ଭମାନଙ୍କୁ ଦୟା କରନ୍ତୁ |।

31 ମାତ୍ର ଲୋକସମୂହ ସେମାନଙ୍କୁ ତୁନି ହେବା ପାଇଁ ଧମକ ଦେଲେ, କିନ୍ତୁ ସେମାନେ ଆହୁରି ଉଚ୍ଚ ସ୍ୱର କରି କହିଲେ, ହେ ପ୍ରଭୁ, ଦାଉଦ ସନ୍ତାନ, ଆମ୍ଭମାନଙ୍କୁ ଦୟା କରନ୍ତୁ |।

32 ସେଥିରେ ଯୀଶୁ ଠିଆ ହୋଇ ସେମାନଙ୍କୁ ଡାକି ପଚାରିଲେ, ମୁଁ ତୁମ୍ଭମାନଙ୍କ ପାଇଁ କଅଣ କରିବି ବୋଲି ତୁମ୍ଭେମାନେ ଇଚ୍ଛା କରୁଅଛ।

33 ସେମାନେ ତାହାଙ୍କୁ କହିଲେ, ହେ ପ୍ରଭୁ, ଯେପରି ଆମ୍ଭମାନଙ୍କର ଆଖି ଫିଟିଯାଏ |।

34 ଆଉ ଯୀଶୁ ଦୟାରେ ବିଗଳିତ ହୋଇ ସେମାନଙ୍କର ଚକ୍ଷୁ ସ୍ପର୍ଶ କଲେ ଓ ତତ୍ କ୍ଷଣାତ୍ ସେମାନେ ଦୃଷ୍ଟି ପାଇ ତାହାଙ୍କ ପଛେ ପଛେ ଚାଲିବାକୁ ଲାଗିଲେ |।