1 ଯୀଶୁ ଏହି ସମସ୍ତ କଥା ସମାପ୍ତ କଲା ଉତ୍ତାରେ ଗାଲୀଲୀରୁ ପ୍ରସ୍ଥାନ କରି ଯର୍ଦ୍ଦନ ପରପାର ଦେଇ ଯିହୂଦାର ସୀମାରେ ଉପସ୍ଥିତ ହେଲେ |।

2 ପୁଣି ବହୁସଂଖ୍ୟକ ଲୋକ ତାହାଙ୍କ ପଛେ ପଛେ ଗଲେ, ଆଉ ସେ ସେଠାରେ ସେମାନଙ୍କୁ ସୁସ୍ଥ କଲେ |।

3 ଇତିମଧ୍ୟରେ ଫାରୂଶୀମାନେ ତାହାଙ୍କ ନିକଟକୁ ଆସି ତାହାଙ୍କୁ ପରୀକ୍ଷା କରି ପଚାରିଲେ, ଯେକୌଣସି କାରଣରୁ ଆପଣା ସ୍ତ୍ରୀକି ପରିତ୍ୟାଗ କରିବା କଅଣ ନ୍ୟାୟସଙ୍ଗତ।

4 ସେ ଉତ୍ତର ଦେଲେ, ତୁମ୍ଭେମାନେ କଅଣ ପାଠ କରି ନାହଁ ଯେ, ସୃଷ୍ଟିକର୍ତ୍ତା ଆଦ୍ୟରୁ ସେମାନଙ୍କୁ ପୁରୁଷ ଓ ସ୍ତ୍ରୀ କରି ସୃଷ୍ଟି କଲେ,

5 ଆଉ କହିଲେ, ଏହି କାରଣରୁ ପୁରୁଷ ପିତାମାତାଙ୍କୁ ପରିତ୍ୟାଗ କରି ନିଜ ସ୍ତ୍ରୀଠାରେ ଆସକ୍ତ ହେବ, ଆଉ ସେ ଦୁହେଁ ଏକାଙ୍ଗ ହେବେ।

6 ଏଣୁ ସେମାନେ ଆଉ ଦୁଇ ନୁହନ୍ତି, କିନ୍ତୁ ଏକାଙ୍ଗ ଅଟନ୍ତି | ଅତଏବ ଈଶ୍ୱର ଯାହା ସଂଯୁକ୍ତ କରିଅଛନ୍ତି, ମନୁଷ୍ୟ ତାହା ବିଭିନ୍ନ ନ କରୁ |।

7 ସେମାନେ ତାହାଙ୍କୁ ପଚାରିଲେ, ତେବେ ମୋଶା କାହିଁକି ତ୍ୟାଗପତ୍ର ଦେଇ ସ୍ତ୍ରୀକି ପରିତ୍ୟାଗ କରିବା ନିମନ୍ତେ ଆଜ୍ଞା ଦେଲେ।

8 ସେ ସେମାନଙ୍କୁ କହିଲେ, କାରଣ ତୁମ୍ଭମାନଙ୍କ ହୃଦୟର କଠିନତା ଦେଖି ମୋଶା ତୁମ୍ଭମାନଙ୍କୁ ଆପଣା ଆପଣା ସ୍ତ୍ରୀକି ପରିତ୍ୟାଗ କରିବାକୁ ଅନୁମତି ଦେଲେ, କିନ୍ତୁ ଆଦ୍ୟରୁ ସେପରି ନ ଥିଲା |।

9 ମାତ୍ର ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ କେହି ଆପଣା ସ୍ତ୍ରୀକି ବ୍ୟଭିଚାର ଦୋଷ ବିନା ଅନ୍ୟ କାରଣରୁ ପରିତ୍ୟାଗ କରି ଅନ୍ୟକୁ ବିବାହ କରେ, ସେ ବ୍ୟଭିଚାର କରେ |।

10 ଶିଷ୍ୟମାନେ ତାହାଙ୍କୁ କହିଲେ, ସ୍ତ୍ରୀ ସହିତ ମନୁଷ୍ୟର ଯଦି ଏହି ପ୍ରକାର ସମନ୍ଧ, ତେବେ ବିବାହ କରିବା ଭଲ ନୁହେଁ |।

11 କିନ୍ତୁ ସେ ସେମାନଙ୍କୁ କହିଲେ, ସମସ୍ତେ ଏହି କଥା ଗ୍ରହଣ କରି ପାରନ୍ତି ନାହିଁ, କେବଳ ଯେଉଁମାନଙ୍କୁ କ୍ଷମତା ଦିଆଯାଇଅଛି, ସେମାନେ କରି ପାରନ୍ତି |।

12 କାରଣ କେହି କେହି ମାତାର ଗର୍ଭରୁ ନପୁଂସକ ହୋଇ ଜନ୍ମ ହୋଇଅଛନ୍ତି, ଆଉ କେହି କେହି ମନୁଷ୍ୟମାନଙ୍କ ଦ୍ୱାରା ନପୁଂସକ କରାଯାଇଅଛନ୍ତି, ପୁଣି ଆଉ କେହି କେହି ସ୍ୱର୍ଗରାଜ୍ୟ ସକାଶେ ଆପଣା ଆପଣାକୁ ନପୁଂସକ କରିଅଛନ୍ତି | ଯେଉଁ ଲୋକ ଗ୍ରହଣ କରି ପାରେ, ସେ ଗ୍ରହଣ କରୁ |।

13 ସେତେବେଳେ ସେ ଯେପରି ଶିଶୁମାନଙ୍କ ଉପରେ ହାତ ଥୋଇ ପ୍ରାର୍ଥନା କରନ୍ତି, ଏଥିପାଇଁ ସେମାନେ ତାହାଙ୍କ ନିକଟକୁ ଅଣାଗଲେ | ମାତ୍ର ଶିଷ୍ୟମାନେ ଆଣୁଥିବା ଲୋକମାନଙ୍କୁ ଧମକ ଦେଲେ |।

14 କିନ୍ତୁ ଯୀଶୁ କହିଲେ, ଶିଶୁମାନଙ୍କୁ ଛାଡ଼ିଦିଅ, ସେମାନଙ୍କୁ ମୋ ନିକଟକୁ ଆସିବାକୁ ମନା କର ନାହିଁ, କାରଣ ସ୍ୱର୍ଗରାଜ୍ୟ ଏହି ପ୍ରକାର ଲୋକମାନଙ୍କର |।

15 ଆଉ ସେ ସେମାନଙ୍କ ଉପରେ ହାତ ଥୋଇ ସେଠାରୁ ପ୍ରସ୍ଥାନ କଲେ |।

16 ଆଉ ଦେଖ, ଜଣେ ତାହାଙ୍କ ନିକଟକୁ ଆସି ପଚାରିଲେ, ହେ ଗୁରୁ, ଅନନ୍ତ ଜୀବନ ପ୍ରାପ୍ତ ହେବା ନିମନ୍ତେ ମୁ କେଉଁ ସତ୍କର୍ମ କରିବି।

17 ସେ ତାହାଙ୍କ କହିଲେ, ସତ କେବଳ ଜଣେ; କିନ୍ତୁ ତୁମ୍ଭେ ଯଦି ଜୀବନରେ ପ୍ରବେଶ କରିବାକୁ ଇଛା କର, ତେବେ ଆଜ୍ଞାସବୁ ପାଳନ କର |।

18 ସେ ତାହାଙ୍କୁ ପଚାରିଲେ, କି କି ପ୍ରକାର ଆଜ୍ଞା ଯୀଶୁ କହିଲେ, ଏହିସବୁ, ନରହତ୍ୟା କର ନାହିଁ, ବ୍ୟଭିଚାର କର ନାହିଁ, ଚୋରି କର ନାହିଁ, ମିଥ୍ୟାସାଖ୍ୟ ଦିଅ ନାହିଁ, ପିତମାତାଙ୍କୁ ସମାଦର କର;

19 ପୁଣି ତୁମ୍ଭର ପ୍ରତିବାସୀକି ଆତ୍ମତୁଲ୍ୟ ପ୍ରେମ କର |।

20 ସେହି ଯୁବକ ତାହାଙ୍କୁ କହିଲେ, ଏହିସମସ୍ତ ମୁଁ ପାଳନ କରିଅଛି, ମୋହର ଆଉ କଅଣ ଉଣା ଅଛି।

21 ଯୀଶୁ ତାହାଙ୍କୁ କହିଲେ, ଯଦି ତୁମ୍ଭେ ସିଦ୍ଧ ହେବାକୁ ଇଛା କର, ତେବେ ଯାଇ ଆପଣାର ସର୍ବସ୍ୱ ବିକ୍ରୟ କରି ଦରିଦ୍ରମାନଙ୍କୁ ଦାନ କର, ଆଉ ତୁମ୍ଭେ ସ୍ୱର୍ଗରେ ଧନ ପାଇବ; ପୁଣି ଆସି ମୋହର ଅନୁଗମନ କର |।

22 କିନ୍ତୁ ଏହି କଥା ଶୁଣି ଯୁବକଟି ଦୁଃଖିତ ହୋଇ ଚାଲିଗଲେ, କାରଣ ତାହାର ବହୁତ ସମ୍ପତ୍ତି ଥିଲା |।

23 ସେଥିରେ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଧନୀ ଲୋକ ଅତି କଷ୍ଟରେ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବ |।

24 ପୁନଶ୍ଚ ମୁଁ ତୁମ୍ଭମାନଙ୍କୁ କହୁଅଛି, ଈଶ୍ୱରଙ୍କ ରାଜ୍ୟରେ ଧନୀଲୋକଙ୍କର ପ୍ରବେଶ କରିବା ଅପେକ୍ଷା ବରଂ ସୂଚୀର ଛିଦ୍ର ଦେଇ ଓଟର ପ୍ରବେଶ କରିବା ସହଜ |।

25 ଶିଷ୍ୟମାନେ ଏହା ଶୁଣି ଆଶ୍ଚର୍ଯ୍ୟାନ୍ୱିତ ହୋଇ କହିଲେ, ତେବେ କିଏ ପରିତ୍ରାଣ ପାଇ ପାରେ।

26 ଯୀଶୁ ସେମାନଙ୍କୁ ଏକ ଦୃଷ୍ଟିରେ ଚାହିଁ କହିଲେ, ଏହା ମନୁଷ୍ୟର ଅସାଧ୍ୟ, କିନ୍ତୁ ଈଶ୍ୱରଙ୍କର ସମସ୍ତ ସାଧ୍ୟ |।

27 ସେଥିରେ ପିତର ତାହାଙ୍କୁ ଉତ୍ତର ଦେଲେ, ଦେଖନ୍ତୁ, ଆମ୍ଭେମାନେ ସମସ୍ତ ପରିତ୍ୟାଗ କରି ଆପଣଙ୍କ ଅନୁଗାମୀ ହୋଇଅଛୁଁ; ଆମ୍ଭେମାନେ ତେବେ କଅଣ ପାଇବା।

28 ଯୀଶୁ ସେମାନଙ୍କୁ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ନୂତନ ସୃଷ୍ଟିରେ ଯେତେବେଳେ ମନୁଷ୍ୟପୁତ୍ର ଆପଣା ଗୌରବମୟ ସିଂହାସନରେ ଉପବେଶନ କରିବେ, ସେତେବେଳେ, ମୋହର ଅନୁଗାମୀ ହୋଇଅଛ ଯେ ତୁମ୍ଭେମାନେ, ତୁମ୍ଭେମାନେ ମଧ୍ୟ ଦ୍ୱାଦଶ ସିଂହାସନରେ ଉପବେଶନ କରି ଇସ୍ରାୟେଲରେ ଦ୍ୱାଦଶ ଗୋଷ୍ଠୀକି ଶାସନ କରିବ |।

29 ପୁଣି ଯେ କେହି ମୋହର ନାମ ସକାଶେ ଗୃହ କି ଭ୍ରାତା କି ଭଗ୍ନୀ କି ପିତା କି ମାତା କି ସନ୍ତାନସନ୍ତତି କି ଭୂମି ପରିତ୍ୟାଗ କରେ, ସେ ବହୁଗୁଣ ପାଇବ, ପୁଣି ଅନନ୍ତ ଜୀବନର ଅଧିକାରୀ ହେବ |।

30 କିନ୍ତୁ ପ୍ରଥମେ ଥିବା ଅନେକ ଲୋକ ଶେଷରେ ପଡ଼ିବେ ଓ ଶେଷରେ ଥିବା ଅନେକ ଲୋକ ପ୍ରଥମ ହେବେ |।