1 ଏଥିର ଅଳ୍ପ ସମୟ ପରେ ସେ ଆପେ ନଗରେ ନଗରେ ଓ ଗ୍ରାମେ ଗ୍ରାମେ ଘୋଷଣା କରି ଈଶ୍ୱରଙ୍କ ରାଜ୍ୟର ସୁସମାଚାର ପ୍ରଚାର କରି ଭ୍ରମଣ କରିବାକୁ ଲାଗିଲେ, ଆଉ ଦ୍ୱାଦଶ ତାହାଙ୍କ ସାଙ୍ଗରେ ଥିଲେ,
2 ପୁଣି ଯେଉଁ ସ୍ତ୍ରୀମାନେ ଦୁଷ୍ଟ ଆତ୍ମା ଓ ରୋଗରୁ ସୁସ୍ଥ କରାଯାଇଥିଲେ, ଏପରି କେତେକ ସ୍ତ୍ରୀଲୋକ, ଅର୍ଥାତ ମଗ୍-ଦଲୀନୀ ନାମ୍ନୀ ମରିୟମ, ଯାହାଙ୍କଠାରୁ ସାତ ଭୁତ ବାହାରିଯାଇଥିଲେ,
3 ହେରୋଦଙ୍କ ବେବର୍ତ୍ତା ଖୁଜାଙ୍କ ଭର୍ଯ୍ୟା ଯୋହାନା, ଶୋଶନ୍ନା, ପୁଣି ଆହୁରି ଅନେକ ସ୍ତ୍ରୀଲୋକ ତାହାଙ୍କ ସାଙ୍ଗରେ ଥାଇ ନିଜ ନିଜ ସମ୍ପତି ଦେଇ ସେମାନଙ୍କ ସେବା କରୁଥିଲେ।
4 ବହୁସଂଖ୍ୟକ ଲୋକ ଏକତ୍ର ହୁଅନ୍ତେ ଓ ନଗରୁ ନଗରୁ ଲୋକେ ତାହାଙ୍କ ନିକଟକୁ ଆସନ୍ତେ ସେ ଦୃଷ୍ଟାନ୍ତ ଦେଇ କହିଲେ,
5 ଜଣେ ବୁଣାଳି ଆପଣା ବିହନ ବୁଣିବାକୁ ବାହାରିଲା। ସେ ବୁଣୁ ବୁଣୁ କେତେକ ବାଟ ପାଖରେ ପଡ଼ିଲା ଓ ପାଦ ତଳେ ଦଳିହୋଇଗଲା, ପୁଣି ଆକାଶର ଚଢ଼େଇମାନେ ସେଗୁଡ଼ିକ ଖାଇଗଲେ।
6 ଆଉ କେତେକ ପଥର ଉପରେ ପଡ଼ିଲା, ପୁଣି ଗଜା ହୋଇ ରସ ନ ପାଇବାରୁ ଶୁଖିଗଲା।
7 ଆଉ କେତେକ କଣ୍ଟାଗଛଗୁଡ଼ାକ ମଧ୍ୟରେ ପଡ଼ିଲା, ପୁଣି କଣ୍ଟାଗଛଗୁଡ଼ାକା ତାହା ସାଙ୍ଗେ ସାଙ୍ଗେ ବଢ଼ି ସେଗୁଡ଼ିକୁ ଚାପିପକାଇଲା।
8 ଅନ୍ୟ କେତକ ଭଲ ଭୂଇଁରେ ପଡ଼ିଲା ଆଉ ବଢ଼ି ଶଏ ଗୁଣ ଫଳ ଫଲିଲା। ସେ ଏହା କହୁ କହୁ ଉଚ୍ଛ ସ୍ୱରରେ କହିଲେ, ଯାହାର ଶୁଣିବାକୁ କାନ ଅଛି, ସେ ଶୁଣୁ।
9 ତାହାଙ୍କ ଶିଷ୍ୟ ମାନେ ଏହି ଦୃଷ୍ଟାନ୍ତର ଭାବ କଅଣ ବୋଲି ପଚାରିବାକୁ ଲାଗିଲେ।
10 ସେଥିରେ ସେ କହିଲେ, ଈଶ୍ୱର ରାଜ୍ୟର ନିଗୂଢ଼ ତତ୍ତ୍ୱସମୂହ ଜାଣିବା ନିମନ୍ତେ ତୁମ୍ଭମାନଙ୍କୁ ଶକ୍ତି ଦିଆଯାଇଅଛି, କିନ୍ତୁ ଅନ୍ୟମାନଙ୍କୁ ଦୃଷ୍ତାନ୍ତରେ କୁହାଯାଏ, ଯେପରି ସେମାନେ ଦେଖୁ ଦେଖୁ ଦେଖିବେ ନାହିଁ ଓ ଶୁଣୁ ଶୁଣୁ ବୁଝିବେ ନାହିଁ।
11 ଦୃଷ୍ତାନ୍ତର ଭାବ ଏହି। ବିହନ ଈଶ୍ୱରଙ୍କ ବାକ୍ୟ,
12 ଆଉ ଯେଉଁମାନେ ବାଟ ପାଖରେ ଅଛନ୍ତି, ସେମାନେ ବାକ୍ୟ ଶୁଣନ୍ତି; ତାହା ପରେ ଶୟତାନ ଆସି, ଯେପରି ସେମାନେ ବିଶ୍ୱାସ କରି ପରିତ୍ରାଣ ନ ପାଆନ୍ତି, ଏଥିନିମନ୍ତେ ସେମାନଙ୍କ ହୃଦୟରୁ ବାକ୍ୟ ହରଣ କରିନିଏ।
13 ପୁଣି ଯେଉଁମାନେ ପଥର ଉପରେ ଅଛନ୍ତି, ସେମାନେ ବାକ୍ୟ ଶୁଣି ଆନନ୍ଦରେ ଗ୍ରହଣ କରନ୍ତି; କିନ୍ତୁ ସେମାନଙ୍କର ଚେର ନ ଥିବାରୁ ସେମାନେ ଅଳ୍ପ ସମୟ ବିଶ୍ୱାସ କରନ୍ତି ଓ ପରୀକ୍ଷା ସମୟରେ ଧର୍ମତ୍ୟାଗୀ ହୁଅନ୍ତି।
14 ଆଉ, କଣ୍ଟାଗଛଗୁଡ଼ାକ ମଧ୍ୟରେ ଯାହା ପଡ଼ିଲା, ତାହା ଏପରି ଲୋକେ, ଯେଉଁମାନେ ଶୁଣି ସଂସାରିକ ଚିନ୍ତା, ଧନ ସୁଖଭଗୋର ବସବତୀ ହୋଇ ଜୀବନ ଯାତ୍ରା କରୁ କରୁ ଚାପି ହୋଇଯାନ୍ତି, ପୁଣି ପରିପକ ଫଳ ଉତ୍ପନ କରନ୍ତି ନାହିଁ।
15 ଆଉ, ଉତ୍ତମ ଭୂମିରେ ଯାହା ପଡ଼ିଲା, ତାହା ଏପରି ଲୋକେ, ଆଉ ଯେଉଁମାନେ ଉତ୍ତମ ଓ ସରଳ ହୃଦୟରେ ବାକ୍ୟ ଶୁଣି ତାହା ଧରି ରଖନ୍ତି ଏବଂ ଧର୍ଯ୍ୟ ସହକାରେ ଫଳ ଫଳନ୍ତି।
16 କେହି ପ୍ରଦୀପ ଜାଳି ପାତ୍ର ଦ୍ୱାରା ତାହା ଘୋଡ଼ାଇ ରଖେ ନାହିଁ, କିମ୍ବା ଖଟ ତଳେ ରଖେ ନାହିଁ, ମାତ୍ରା ଦୀପରୁଖା ଉପରେ ରଖେ, ଯେପରି ପ୍ରବେଶ କରିବା ଲୋକମାନେ ଆଲୋକ ଦେଖି ପାରନ୍ତି।
17 କାରଣ ଯାହା ପ୍ରକାଶିତ ନ ହେବ, ଏପରି ଗୁପ୍ତ ବିଷୟ କିଛି ନାହିଁ, ଅବା ଯାହା ଜଣାଯାଇ ପ୍ରକାଶ ନ ପାଇବ, ଏପରି ଗୁପ୍ତ ବିଷୟ କିଛି ନାହିଁ।
18 ଅତଏବ, କିପରି ଶୁଣୁଅଛ, ସେ ବିଷୟରେ ସବଧାନ୍; କାରଣ ଯାହାର ଅଛି, ତାହାକୁ ଦିଆଯିବ, ଆଉ ଯାହାର ନାହିଁ, ସେ ଯାହା ନିଜର ଅଛି ବୋଲି ମନେ ରଖେ, ତାହା ସୁଦ୍ଧା ତାହାଠାରୁ ନିଆଯିବ।
19 ତାହାଙ୍କ ମା ଓ ଭାଇମାନେ ତାହାଙ୍କ ନିକଟକୁ ଆସିଲେ, କିନ୍ତୁ ଲୋକଗହଳି ହେତୁ ତାହାଙ୍କ ସହିତ ସାକ୍ଷାତ କରି ପାରୁ ନଥିଲେ।
20 ସେଥିରେ ତାହାଙ୍କୁ ଏହି ସମ୍ବାଦ ଦିଆଗଲା, ଆପଣଙ୍କର ମା ଓ ଭାଇମାନେ ଆପଣଙ୍କ ସହିତ ଦେଖା କରିବାକୁ ଇଛା କରି ବାହାରେ ଠିଆ ହୋଇଅଛନ୍ତି।
21 କିନ୍ତୁ ସେ ସେମାନଙ୍କୁ ଉତ୍ତର ଦେଲେ, ଯେଉଁମାନେ ଈଶ୍ୱରଙ୍କ ବାକ୍ୟ ଶୁଣନ୍ତି ଓ ପାଳନ କରନ୍ତି, ସେମାନେ ମୋହର ମା ଓ ଭାଇମାନେ।
22 ସେହି ସମୟରେ ଦିନେ ସେ ଓ ତାହାଙ୍କ ଶିଷ୍ୟମାନେ ଗୋଟିଏ ନୌକାରେ ଚଢ଼ିଲେ, ଆଉ ସେ ସେମାନଙ୍କୁ କହିଲେ, ଆସ, ହ୍ରଦର ଆରପାରିକି ଯିବା। ସେଥିରେ ସେମାନେ ନୌକା ଫିଟାଇଦେଲେ।
23 କିନ୍ତୁ ସେମାନେ ନୌକା ବାହି ଯାଉଥିବା ସମୟରେ ସେ ଶୋଇପଡ଼ିଲେ। ସେତେବେଳେ ହ୍ରଦରେ ତୋଫାନ ହେଲା, ଆଉ ସେମାନଙ୍କ ନୌକା ଜଳରେ ପୁର୍ଣ୍ଣ ହେବାକୁ ଲାଗିଲା ଓ ସେମାନେ ବିପଦରେ ପଡ଼ିଲେ।
24 ସେଥିରେ ସେମାନେ ନିକଟକୁ ଆସି ତାହାଙ୍କୁ ଉଠାଇ କହିଲେ, ହେ ଗୁରୁ, ହେ ଗୁରୁ, ଆମେ ମଲୁ। ଏଥିରେ ସେ ଉଠି ପବନ ଓ ପ୍ରବଳ ତରଙ୍ଗକୁ ଧମକ ଦେଲେ, ଆଉ ସେହିସବୁ ନିବୃତ ହୋଇ ସୁସ୍ଥିର ହେଲା।
25 ପୁଣି, ସେ ସେମାନଙ୍କୁ କହିଲେ, ତୁମ୍ଭମାନଙ୍କର ବିଶ୍ୱାସ କାହିଁ କିନ୍ତୁ ସେମାନେ ଭୀତ ଓ ଚମତ୍କୃତ ହୋଇ ପରସ୍ପରକୁ କହିବାକୁଲାଗିଲେ, ଏ ତେବେ କିଏ ଯେ, ସେ ବାୟୁ ଓ ଜଳକୁ ସୁଦ୍ଧା ଆଦେଶ ଦିଅନ୍ତେ, ସେମାନେ ତାହାଙ୍କ ଆଜ୍ଞା ମାନନ୍ତି।
26 ପରେ ସେମାନେ ଗାଲୀଲୀର ସମ୍ମୁଖବର୍ତ୍ତୀ ସେପାରିର ଗରାଶୀୟମାନଙ୍କ ଅଞ୍ଚଳରେ ପହଞ୍ଚିଲେ।
27 ସେ ନୌକାରୁ ବାହାରି କୁଳରେ ଓହ୍ଲାନ୍ତେ ସେହି ନଗରର ଜଣେ ଭୂତଗ୍ରସ୍ତ ଲୋକ ତାହାଙ୍କୁ ଭେଟିଲା; ସେ ବହୁକାଳ ପର୍ଯ୍ୟନ୍ତ ଲୁଗା ନ ପିନ୍ଧି ଓ ଘରେ ନ ରହି ସମାଧିସ୍ଥାନରେ ରହୁଥିଲା।
28 ସେ ଯୀଶୁଙ୍କୁ ଦେଖି ଚିତ୍କାର କରି ତାହାଙ୍କ ଚରଣ ତଳେ ପଡ଼ି ଉଚ୍ଛ ସ୍ୱରରେ କହିଲା, ହେ ପରାତ୍ପର ଈଶ୍ୱରଙ୍କ ପୁତ୍ର ଯୀଶୁ, ତୁମ୍ଭସାଙ୍ଗରେ ମୋହର କଅଣ ଅଛି ମୁଁ ତୁମ୍ଭକୁ ନିବେଦନ କରୁଅଛି, ମୋତେ ଯନ୍ତ୍ରଣା ଦିଅନାହିଁ।
29 କାରଣ ସେ ଅଶୁଚି ଆତ୍ମାକୁ ସେହି ମନୁଷ୍ୟଠାରୁ ବାହାରିଯିବା ପାଇଁ ଆଜ୍ଞା ଦେବାକୁ ଯାଉଥିଲେ। ସେହି ଆତ୍ମା ଅନେକ ଥର ତାହାକୁ ଧରିଥିଲା, ପୁଣି ଲୋକେ ତାହାକୁ ଜଞ୍ଜିର ଓ ବେଢ଼ିରେ ବାନ୍ଧି ରଖୁଥିଲେ, ମାତ୍ର ସେ ବନ୍ଧନସବୁ ଛିଣ୍ଡାଇପକାଇ ଭୂତ ଦ୍ୱାରା ପ୍ରାନ୍ତରକୁ ଚାଳିତ ହେଉଥିଲା।
30 ଯୀଶୁ ତାହାଙ୍କୁ ପଚାରିଲେ, ତୋର ନା କଅଣ ସେ କହିଲା, ବାହିନୀ; କାରଣ ଅନେକ ଭୂତ ତାହାଠାରେ ପ୍ରବେଶ କରିଥିଲେ।
31 ପୁଣି ସେ ଯେପରି ସେମାନଙ୍କୁ ରସାତଳକୁ ଯିବା ପାଇଁ ଆଜ୍ଞା ନ ଦିଅନ୍ତି, ଏଥିପାଇଁ ସେମାନେ ତାହାଙ୍କୁ ବିନତି କରିବାକୁ ଲାଗିଲେ।
32 ସେଠାରେ ପର୍ବତ ଉପରେ ଗୋଟିଏ ବଡ଼ ଘୁଷୁରିପଲ ଚରୁଥିଲା, ପୁଣି ସେ ଯେପରି ସେମାନଙ୍କୁ ସେହି ଘୁଷୁରିଗୁଡ଼ାକ ମଧ୍ୟରେ ପଶିବାପାଇଁ ଅନିମତି ଦିଅନ୍ତି, ଏଥିପାଇଁ ସେମାନେ ତାହାଙ୍କୁ ବିନତୀ କଲେ।
33 ସେ ସେମାନଙ୍କୁ ଅନୁମତି ଦିଅନ୍ତେ, ଭୂତଗୁଡ଼ାକ ସେହି ମନୁଷ୍ୟଠାରୁ ବାହାରି ଘୁଷୁରିଗୁଡ଼ାକ ମଧ୍ୟରେ ପଶିଲେ; ସେଥିରେ ସେହି ପଲ ଅତି ବେଗରେ ଦୌଡ଼ିଯାଇ ତୀଖସ୍ଥାନ ଦେଇ ହ୍ରଦରେ ପଡ଼ି ବୁଡ଼ି ମଲେ।
34 ଚରାଉଥିବା ଲୋକମାନେ ସେହି ଘଟଣା ଦେଖି ପଳାଇଯାଇ ନଗର ଓ ପଲ୍ଲିଗୁଡିକରେ ତାହା ଜଣାଇଲେ।
35 ସେଥିରେ ଲୋକେ ସେହି ଘଟଣା ଦେଖିବାକୁ ବାହାରି ଆସିଲେ; ପୁଣି, ସେମାନେ ଯୀଶୁଙ୍କ ନିକଟକୁ ଆସି, ଯେଉଁ ମନୁଷ୍ୟଠାରୁ ଭୂତଗୁଡ଼ାକ ବାହାରିଥିଲେ, ତାହାକୁ ଲୁଗା ପିନ୍ଧି ଭଲ ମନରେ ଯୀଶୁଙ୍କ ପାଦ ତଳେ ବସିଥିବା ଦେଖି ଭିତ ହେଲେ।
36 ଆଉ, ଯେଉଁମାନେ ଦେଖିଲେ, ସେମାନେ ସେହି ଭୁତଗ୍ରସ୍ତ ଲୋକ କିପରି ସୁସ୍ଥ ହେଲା, ତାହା ସେମାନଙ୍କୁ ଜଣାଇଲେ।
37 ସେଥିରେ ଗରାଶୀୟମାନଙ୍କ ଅଞ୍ଚଳର ଚତୁରଦ୍ଦିଗସ୍ଥ ସମସ୍ତ ଲୋକ ସେମାନଙ୍କଠାରୁ ପ୍ରସ୍ଥାନ କରିବାକୁ ତାହାଙ୍କୁ ଅନୁରୋଧ, କଲେ, କାରଣ ସେମାନେ ଅତ୍ୟନ୍ତ ଭୟଗ୍ରସ୍ଥ ହୋଇଥିଲେ; ଆଉ, ସେ ଗୋଟିଏ ନୌକାରେ ଚଢ଼ି ବାହୁଡ଼ିଆସିଲେ।
38 କିନ୍ତୁ ଯେଉଁ ଲୋକଠାରୁ ଭୂତଗୁଡ଼ାକ ବାହାରିଯାଇଥିଲେ, ସେ ତାହାଙ୍କ ସାଙ୍ଗରେ ରହିବା ନିମନ୍ତେ ନିବେଦନ କରିବାକୁ ଲାଗିଲା;
39 ମାତ୍ର ସେ ତାହାଙ୍କୁ ବିଦାୟ କରି କହିଲେ, ତୁମ୍ଭ ଘରକୁ ବାହୁଡ଼ିଯାଅ, ପୁଣି ଈଶ୍ୱର ତୁମ୍ଭ ନିମନ୍ତେ ଯେ ଯେ କର୍ମ କରିଅଛନ୍ତି ସେହି ସବୁ ବର୍ଣ୍ଣନା କର। ସେଥିରେ ସେ ଚାଲିଯାଇ, ଯୀଶୁ ତାହା ନିମନ୍ତେ ଯେ ଯେ କର୍ମ କରିଥିଲେ, ସେହିସବୁ ନଗରଯାକ ଘୋଷଣା କରିବାକୁଲାଗିଲା।
40 ଯୀଶୁ ଫେରିଆସନ୍ତେ ଲୋକସମୂହ ତାହାଙ୍କୁ ଆନନ୍ଦରେ ଗ୍ରହଣ କଲେ, କାରଣ ସମସ୍ତେ ତାହାଙ୍କ ଅପେକ୍ଷାରେ ଥିଲେ।
41 ଆଉ, ଦେଖ, ଯାଈରସ ନାମକ ଜଣେ ବ୍ୟକ୍ତି ଆସିଲେ; ସେ ସମାଜଗୃହର ଅଦ୍ୟକ୍ଷ ଥିଲେ। ସେ ଯିଶୁଙ୍କ ଚରଣ ତଳେ ପଡ଼ି ଆପଣା ଗୃହକୁ ଆସିବା ନିମନ୍ତେ ତାହାଙ୍କୁ ବିନତି କଲେ,
42 କାରଣ ତାହାଙ୍କର ପ୍ରାୟ ବାର ବର୍ଷ ବୟସର ଏକମାତ୍ର କନ୍ୟା ଥିଲା, ଆଉ ସେ ମୃତପ୍ରାୟ ହୋଇଥିଲା। କିନ୍ତୁ ସେ ଯାଉଥିବା ସମୟରେ ଲୋହସମୂହ ତାହାଙ୍କ ଉପରେ ମାଡ଼ିପଡୁଥିଲେ।
43 ସେତେବେଳେ ବାର ବର୍ଷ ପର୍ଯ୍ୟନ୍ତ ପ୍ରଦରରୋଗଗ୍ରାସ୍ତା ଜଣେ ସ୍ତ୍ରୀଲୋକ, ଯେ କି କାହାରି ଦ୍ୱାରା ସୁସ୍ଥ ହୋଇ ପାରି ନ ଥିଲା,
44 ସେ ପଛଆଡ଼ୁ ଆସି ତାହାଙ୍କ ବସ୍ତ୍ରର ଝୁମ୍ପା ଛୁଇଁଲା, ଆଉ, ତତ୍ କ୍ଷଣାତ୍ ତାହାର ରକ୍ତସ୍ରାବ ବନ୍ଦ ହେଲା।
45 ସେଥିରେ ଯୀଶୁ କହିଲେ, କିଏ ମୋତେ ଛୁଇଁଲା ମାତ୍ର ସମସ୍ତେ ଅସ୍ୱୀକାର କରନ୍ତେ, ପିତର କହିଲେ, ହେ ଗୁରୁ, ଲୋକସମୂହ ଯନ୍ତାଯନ୍ତି ହୋଇ ଆପଣଙ୍କ ଉପରେ ମାଡ଼ିପଡ଼ୁଅଛନ୍ତି।
46 କିନ୍ତୁ ଯୀଶୁ କହିଲେ, କେହି ଜଣେ ମୋତେ ଛୁଇଁଲା, କାରଣ ମୋ’ ଠାରୁ ଶକ୍ତି ବାହାରିଗଲା ବୋଲି ମୁଁ ଜାଣିଲି।
47 ଯେତେବେଳେ ସ୍ତ୍ରୀଲୋକଟି ଦେଖିଲା ଯେ, ସେ ଲୁଚି ରହି ପାରିଲା ନାହିଁ, ସେତେବେଳେ ସେ ଥରି ଥରି ଆସି ତାହାଙ୍କ ଚରଣ ତଳେ ପଡ଼ି, କିହେତୁରୁ ତାହାଙ୍କୁ ଛୁଇଁଲା ପୁଣି କିପରି ତତ୍ କ୍ଷଣାତ୍ ସୁସ୍ଥ ହେଲା, ତାହା ସମସ୍ତ ଲୋକଙ୍କ ସାକ୍ଷାତରେ ପ୍ରକାଶ କଲା।
48 ସେଥିରେ ସେ ତାହାଙ୍କୁ କହିଲେ, ବତ୍ସେ, ତୋହର ବିଶ୍ୱାସ ତତେ ସୁସ୍ଥ କରିଅଛି, ଶାନ୍ତିରେ ଚାଲିଯା।
49 ସେ ଏହି କଥା କହୁଥିବା ସମୟରେ ସମାଜଗୃହର ଅଧ୍ୟକ୍ଷଙ୍କ ଘରୁ ଜଣେ ଆସି କହିଲା, ଆପଣଙ୍କ ଝିଅ ମାରିଗଲାଣି, ଗୁରୁଙ୍କୁ ଆଉ କଷ୍ଟ ଦିଅନ୍ତୁ ନାହିଁ।
50 କିନ୍ତୁ ଯୀଶୁ ଏହା ଶୁଣି ତାହାଙ୍କୁ ଉତ୍ତର ଦେଲେ, ଭୟକର ନାହିଁ କେବଳ ବିଶ୍ୱାସ କର, ଆଉ ସେ ବଞ୍ଚିବ।
51 ପୁଣି, ସେ ଗୃହକୁ ଆସି ପିତର, ଯୋହନ ଓ ଯାକୁବ, ପୁଣି ବାଳିକାର ପିତାମାତାଙ୍କ ବିନା ଆଉ କାହାକୁ ଆପଣା ସାଙ୍ଗରେ ଭିତରକୁ ଯିବା ପାଇଁ ଦେଲେ ନାହିଁ।
52 ମାତ୍ରା ସମସ୍ତେ ତାହା ଲାଗି ରୋଦନ କରୁ କରୁ ଛାତିରେ ମାରିହେଉଥିଲେ। ସେଥିରେ ସେ କହିଲେ, ରୋଦନ କର ନାହିଁ; ସେ ମରିନାହିଁ, ମାତ୍ର ଶୋଇପଡ଼ିଅଛି।
53 କିନ୍ତୁ ସେ ମରିଯାଇଅଛି ବୋଲି ଜାଣିଥିବାରୁ ସେମାନେ ତାହାଙ୍କୁ ପରିହାସ କରିବାକୁ ଲାଗିଲେ।
54 ମାତ୍ର ସେ ତାହାର ହାତ ଧରି ଡାକି କହିଲେ, ଆଗୋ ବାଳିକା, ଉଠ୍।
55 ସେଥିରେ ତାହାର ଆତ୍ମା ଫେରିଆସିଲା ଆଉ ସେ ସେହିକ୍ଷଣି ଉଠିଲା, ପୁଣି ସେ ତାହାକୁ କିଛି ଖାଇବାକୁ ଦେବା ପାଇଁ ଆଜ୍ଞା ଦେଲେ।
56 ଏଥିରେ ତାହାର ପିତାମାତା ଆଚମ୍ବିତ ହେଲେ; କିନ୍ତୁ ସେହି ଘଟଣାର କଥା ବାହାରକୁ ନ କହିବା ପାଇଁ ସେ ସେମାନଙ୍କୁ ଆଜ୍ଞା ଦେଲେ।