1 ଥରେ ବିଶ୍ରାମବାରରେ ସେ ଶସ୍ୟକ୍ଷେତ୍ର ଦେଇ ଯାଉଥିବା ସମୟରେ ତାହାଙ୍କ ଶିଷ୍ୟମାନେ ଶିଷା ଛିଣ୍ଡାଇ ଛିଣ୍ଡାଇ ହାତରେ ମଳି ଖାଉଥିଲେ।
2 କିନ୍ତୁ ଫାରୁଶୀମାନଙ୍କ ମଧ୍ୟରୁ କେତେକ କହିଲେ, ବିଶ୍ରାମବାରରେ ଯାହା କରିବା ବିଧିସଙ୍ଗତ ନୁହେଁ, ତାହା ତୁମ୍ଭେମାନେ କାହିଁକି କରୁଅଛ।
3 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ଦାଉଦ ଓ ତାଙ୍କ ସଙ୍ଗୀମାନେ କ୍ଷୁଧିତ ହେବା ସମୟରେ ସେ କଅଣ କରିଥିଲେ, ତାହା ସୁଦ୍ଧା କି ତୁମ୍ଭେମାନେ ପାଠ କରି ନାହଁ।
4 ସେ କିପରି ଈଶ୍ୱରଙ୍କ ଗୃହରେ ପ୍ରବେଶ କରି, ଯେଉଁ ଦର୍ଶନୀରୋଟୀ କେବଳ ଯାଜକମାନଙ୍କ ବିନା ଆଉ କାହାରି ଭୋଜନ କରିବା ବିଧିସଙ୍ଗତ ନୁହେଁ, ତାହା ଘେନି ଭୋଜନ କରିଲେ, ପୁଣି ଆପଣା ସଙ୍ଗିମାନଙ୍କୁ ମଧ୍ୟ ଦେଇଥିଲେ।
5 ଆଉ, ସେ ସେମାନଙ୍କୁ କହିଲେ, ମନୁଷ୍ୟ ପୁତ୍ର ବିଶ୍ରାମବାରର ପ୍ରଭୁ ଅଟନ୍ତି।
6 ସେ ଆଉ ଗୋଟିଏ ବିଶ୍ରାମବାରରେ ସମାଜଗୃହରେ ପ୍ରବେଶ କରି ଶିକ୍ଷା ଦେଉଥିଲେ; ସେଠାରେ ଜଣେ ଲୋକ ଥିଲା, ତାହାର ଡାହାଣ ହାତ ଶୁଖିଯାଇଥିଲା।
7 ଆଉ, ସେ କେଜାଣି ବିଶ୍ରାମବାରରେ ସୁସ୍ଥ କରନ୍ତି, ଏହା ଦେଖିବା ପାଇଁ ଶାସ୍ତ୍ରୀ ଓ ଫାରୂଶୀମାନେ ତାହାଙ୍କୁ ଲକ୍ଷ କରି କହିଲେ ଯେପରି ସେମାନେ ତାହାଙ୍କ ବିରୁଧରେ ଅଭିଯୋଗର କାରଣ ପାଇ ପାରନ୍ତି।
8 କିନ୍ତୁ ସେ ସେମାନଙ୍କର ତର୍କବିତର୍କ ଜ୍ଞାନ୍ତ ହୋଇ, ଯେଉଁ ଲୋକର ହାତ ଶୁଖିଯାଇଥିଲା, ତାହାକୁ କହିଲେ, ଉଠ, ମଝିରେ ଠିଆ ହୁଅ। ପୁଣି, ସେ ଉଠି ଠିଆ ହେଲା।
9 ସେଥିରେ ଯୀଶୁ ସେମାନଙ୍କୁ କହିଲେ, ମୁଁ ତୁମ୍ଭମାନଙ୍କୁ ପଚାରୁଅଛି, ବିଶ୍ରାମବାରରେ କଅଣ କରିବା ବିଧିସଙ୍ଗତ ଭଲ କରିବା ନା ମନ୍ଦ କରିବା ପ୍ରାଣ ରକ୍ଷା କରିବା ନା ବିନାଶ କରିବା।
10 ଆଉ, ସେ ଚାରିଆଡ଼େ ସମସ୍ତଙ୍କ ପ୍ରତି ଦୃଷ୍ଟିପାତ କରି ତାହାଙ୍କୁ କହିଲେ, ତୁମ୍ଭର ହାତ ବଢ଼ାଅ। ସେଥିରେ ସେ ତାହା କଲା, ଆଉ ତାହାର ହାତ ପୁଣି ଭଲ ହୋଗଇଲା।
11 କିନ୍ତୁ ସେମାନେ କ୍ରୋଧରେ ଉନ୍ନତ୍ତ ହେଲେ, ଆଉ ଯୀଶୁଙ୍କ ପ୍ରତି କଅଣ କରି ପାରନ୍ତି, ସେ ବିଷୟରେ ପରସ୍ପର କଥାବାର୍ତ୍ତା କରିବାକୁ ଲାଗିଲେ।
12 ସେହି ସମୟରେ ସେ ଦିନେ ପ୍ରାର୍ଥନା କରିବା ନିମନ୍ତେ ପର୍ବତକୁ ବାହାରିଯାଇ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁ କରୁ ସମସ୍ତ ରାତ୍ରୀ ଜାପାନ କଲେ।
13 ପ୍ରଭାତ ହୁଅନ୍ତେ, ସେ ଆପଣା ଶିଷ୍ୟମାନଙ୍କୁ ପାଖକୁ ଡାକି ସେମାନଙ୍କ ମଧ୍ୟରୁ ଦ୍ୱାଦଶ ଜଣକୁ ମନନିତ କଲେ; ସେ ସେମାନଙ୍କୁ ମଧ୍ୟ ପ୍ରେରିତ ନାମ ଦେଲେ,
14 ସେମାନେ ଶିମୋନ, ଯାହାକୁ ସେ ମଧ୍ୟ ପିତର ନାମ ଦେଲେ, ଆଉ ତାହାଙ୍କ ଭ୍ରାତା ଆନ୍ଦ୍ରୀୟ, ଯାକୁବ ଓ ଯୋହନ, ଫିଲିପ୍ପ ଓ ବର୍ଥଲମି,
15 ମାଥିଉ ଓ ଥୋମା, ଆଲଫିଙ୍କ ପୁତ୍ର ଯାକୁବ ଓ ଶିମୋନ, ଯାହାଙ୍କୁ ଉଦ୍ଯୋଗୀ ବୋଲି କହନ୍ତି,
16 ଯାକୁବଙ୍କ ପୁତ୍ର ଯିହୁଦା ଓ ଈସ୍କାରିୟୋଥ ଯିହୁଦା, ଯେ ତାହାଙ୍କୁ ଶତ୍ରୁହସ୍ତରେ ସମର୍ପଣ କଲା।
17 ଆଉ ସେ ସେମାନଙ୍କ ସହିତ ଓହ୍ଲାଇ ଗୋଟିଏ ସମତଳ ଭୂମିରେ ଠିଆ ହେଲେ, ପୁଣି ତାହାଙ୍କର ବହୁ ସଂଖ୍ୟକ ଶିଷ୍ୟ ଏବଂ ସମସ୍ତ ଯିହୂଦା ପ୍ରଦେଶ, ଯିରୂଶାଲମ ଆଉ ସୋର ଓ ସୀଦୋନର ଉପକୁଳରୁ ମହାଜନତା ଉପସ୍ଥିତ ହେଲେ;
18 ସେମାନେ ତାହାଙ୍କ ବାକ୍ୟ ଶୁଣିବାକୁ ଓ ଆପଣା ଆପଣା ରୋଗରୁ ସୁସ୍ଥ ହେବାକୁ ଆସିଥିଲେ, ଆଉ ଯେଉଁମାନେ ଅଶୁଚି ଆତ୍ମାଗୁଡ଼ାକ ଦ୍ୱାରା କ୍ଲେଶ ଭୋଗୁଥିଲେ, ସେମାନେ ସୁସ୍ଥ କରାଗଲେ;
19 ପୁଣି ଲୋକ ସମୂହ ତାହାଙ୍କୁ ସ୍ପର୍ଶ କରିବାକୁ ଚେଷ୍ଟା କରୁଥିଲେ, କାରଣ ତାହାଙ୍କ ଠାରେ ଶକ୍ତି ନିର୍ଗତ ହୋଇ ସମସ୍ତଙ୍କୁ ସୁସ୍ଥ କରୁଥିଲେ।
20 ସେ ସମୟରେ ସେ ଆପଣା ଶିଷ୍ୟମାନଙ୍କ ପ୍ରତି ଦୃଷ୍ଟିପାତ କରି କହିଲେ, ଦୀନହୀନ ଯେ ତୁମ୍ଭେମାନେ, ତୁମ୍ଭେମାନେ ଧନ୍ୟ, କାରଣ ଈଶ୍ୱରଙ୍କ ରାଜ୍ୟ ତୁମ୍ଭମାନଙ୍କର।
21 ବର୍ତ୍ତମାନ କ୍ଷୁଧିତ ଯେ ତୁମ୍ଭେମାନେ, ତୁମ୍ଭେମାନେ ଧନ୍ୟ, କାରଣ ତୁମ୍ଭେମାନେ ପରିତୃପ୍ତ ହେବ। ବର୍ତ୍ତମାନ ରୋଦନ କରୁଅଛ ଯେ ତୁମ୍ଭେମାନେ, ତୁମ୍ଭେମାନେ ଧନ୍ୟ, କାରଣ ତୁମ୍ଭେମାନେ ହାସ୍ୟ କରିବ।
22 ଲୋକେ ଯେବେ ତୁମ୍ଭମାନଙ୍କୁ ଘୃଣା କରନ୍ତି ଓ ମନୁଷ୍ୟପୁତ୍ରଙ୍କ ହେତୁ ପୃଥକ୍ କରନ୍ତି ପୁଣି ନିନ୍ଦା କରନ୍ତି ଓ ତୁମ୍ଭମାନଙ୍କ ନାମକୁ ମନ୍ଦ ବୋଲି ଅଗ୍ରାହ୍ୟ କରନ୍ତି, ତେବେ ତୁମ୍ଭେମାନେ ଧନ୍ୟ।
23 ସେହି ଦିନ ଆନନ୍ଦ କରି ନୃତ୍ୟ କର, କାରଣ ଦେଖ, ସ୍ୱର୍ଗରେ ତୁମ୍ଭମାନଙ୍କର ପୁରସ୍କାର ପ୍ରଚୁର; ଆଉ ସେହିପରି ତ ସେମାନଙ୍କ ପିତୃପୁରୁଷମାନେ ଭାବବାଦିମାନଙ୍କ ପ୍ରତି କରୁଥିଲେ।
24 କିନ୍ତୁ ହାୟ, ଦଣ୍ଡର ପାତ୍ର ଧନୀ ଯେ ତୁମ୍ଭେମାନେ, କାରଣ ତୁମ୍ଭେମାନେ ଆପଣା ଆପଣା ସୁଖ ଭୋଗ କରୁଅଛ।
25 ହାୟ, ଦଣ୍ଡର ପାତ୍ର ବର୍ତ୍ତମାନ ପରିତୃପ୍ତ ଯେ ତୁମ୍ଭେମାନେ, କାରଣ ତୁମ୍ଭେମାନେ କ୍ଷୁଧିତ ହେବ। ହାୟ, ଦଣ୍ଡର ପାତ୍ର ବର୍ତ୍ତମାନ ହାସ୍ୟ କରୁଅଛ ଯେ ତୁମ୍ଭେମାନେ, କାରଣ ତୁମ୍ଭେମାନେ ଶୋକ ଓ ରୋଦନ କରିବ।
26 ଯେତେବେଳେ ଲୋକସମସ୍ତେ ତୁମ୍ଭମାନଙ୍କର ସୁଖ୍ୟାତି କରନ୍ତି, ସେତେବେଳେ ହାୟ, ତୁମ୍ଭେମାନେ ଦଣ୍ଡର ପାତ୍ର; ସେହିପରିତ ସେମାନଙ୍କ ପିତୃପୁରୁଷମାନେ ଭଣ୍ଡ ଭାବବାଦୀମାନଙ୍କ ପ୍ରତି କରୁଥିଲେ।
27 କିନ୍ତୁ ଶ୍ରବଣ କରୁଅଛ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କୁ ମୁଁ କହୁଅଛି, ତୁମ୍ଭମାନଙ୍କ ଶତୃମାନଙ୍କୁ ପ୍ରେମ କର; ଯେଉଁମାନେ ତୁମ୍ଭମାନଙ୍କୁ ଘୃଣା କରନ୍ତି, ସେମାନଙ୍କର ମଙ୍ଗଳ କର;
28 ଯେଉଁମାନେ ତୁମ୍ଭମାନଙ୍କୁ ଅଭିଶାପ ଦିଅନ୍ତି, ସେମାନଙ୍କୁ ଆଶୀର୍ବାଦ କର; ଯେଉଁମାନେ ତୁମ୍ଭମାନଙ୍କୁ ଅପମାନ କରନ୍ତି, ସେମାନଙ୍କ ନିମନ୍ତେ ପ୍ରାର୍ଥନା କର।
29 ଯେ ତୁମ୍ଭକୁ ଏକ ଗାଲରେ ଚାପୁଡା଼ ମାରେ, ତାହା ପ୍ରତି ଅନ୍ୟଟି ମଧ୍ୟ ଦେଖାଇଦିଅ; ଆଉ ଯେ ତୁମ୍ଭର ଚାଦର ନେଇଯାଏ, ତାହାକୁ ତୁମ୍ଭର ଅଙ୍ଗରଖା ମଧ୍ୟ ନେବାକୁ ବାରଣ କର ନାହିଁ।
30 ଯେ କେହି ତୁମ୍ଭକୁ ମାଗେ, ତାହାକୁ ଦିଅ; ଆଉ ଯେ ତୁମ୍ଭର ସମ୍ପତି ଘେନିଯାଏ; ତାହାଠାରୁ ତାହା ପୁନର୍ବାର ଦାବି କର ନାହିଁ।
31 ଲୋକମାନେ ତୁମ୍ଭମାନଙ୍କ ପ୍ରତି ଯେପ୍ରକାର ବ୍ୟବହାର କରନ୍ତୁ ବୋଲି ଇଛା କର, ତୁମ୍ଭେମାନେ ସେମାନଙ୍କ ପ୍ରତି ସେହିପ୍ରକାର କର।
32 ପୁଣି ଯେଉଁମାନେ ତୁମ୍ଭମାନଙ୍କୁ ପ୍ରେମ କରନ୍ତି, ସେମାନଙ୍କୁ ପ୍ରେମ କଲେ ତୁମ୍ଭେମାନେ କି ଅନୁଗ୍ରହ ପାଇବ କାରଣ ପାପୀମାନେ ସୁଦ୍ଧା ଆପଣା ଆପଣା ପ୍ରେମକାରୀମାନଙ୍କୁ ପ୍ରେମ କରନ୍ତି।
33 ଆଉ ଯେଉଁମାନେ ତୁମ୍ଭମାନଙ୍କର ମଙ୍ଗଳ କରନ୍ତି, ଯଦି ତୁମ୍ଭେମାନେ ସେମାନଙ୍କର ମଙ୍ଗଳ କର, ତେବେ ତୁମ୍ଭେମାନେ କି ଅନୁଗ୍ରହ ପାଇବ କାରଣ ପାପୀମାନେ ସୁଦ୍ଧା ତାହା କରନ୍ତି।
34 ପୁଣି ଯେଉଁମାନଙ୍କଠାରେ ତୁମ୍ଭମାନଙ୍କର ପାଇବାର ଆଶା ଥାଏ, ସେମାନଙ୍କୁ ଋଣ ଦେଲେ ତୁମ୍ଭେମାନେ କି ଅନୁଗ୍ରହ ପାଇବ ପାପୀମାନେ ସୁଦ୍ଧା ସମାନ ପରିମାଣରେ ପରିଶୋଧ ପାଇବା ନିମନ୍ତେ ପାପିମାନଙ୍କୁ ଋଣ ଦିଅନ୍ତି।
35 ମାତ୍ର ତୁମ୍ଭମାନଙ୍କର ଶତ୍ରୁମାନଙ୍କୁ ପ୍ରେମ କର ଏବଂ ସେମାନଙ୍କର ମଙ୍ଗଳ କର, ପୁଣି ପରିଶୋଧର ଆଶା ନ ରଖି ଋଣ ଦିଅ; ତାହାହେଲେ ତୁମ୍ଭମାନଙ୍କର ପୁରସ୍କାର ପ୍ରଚୁର ହେବ ଓ ତୁମ୍ଭେମାନେ ପରାତ୍ପରଙ୍କ ସନ୍ତାନ ହେବ, କାରଣ ସେ ଅକୃତଜ୍ଞ ଓ ଦୁଷ୍ଟମାନଙ୍କ ପ୍ରତି କୃପାବାନ୍ ଅଟନ୍ତି।
36 ତୁମ୍ଭମାନଙ୍କ ପିତା ଯେପରି ଦୟାଳୁ, ତୁମ୍ଭେମାନେ ସେହିପରି ଦୟାଳୁ ହୁଅ।
37 ପୁଣି ବିଚାର କର ନାହିଁ, ତାହା ହେଲେ ତୁମ୍ଭେମାନେ ବିଚାରିତ ହେବ ନାହି; ଦୋଷୀ କର ନାହିଁ, ତାହା ହେଲେ ତୁମ୍ଭେମାନେ ଦୋଷୀକୃତ ହେବ ନାହିଁ। କ୍ଷମା କର, ତାହାହେଲେ ତୁମ୍ଭମାନଙ୍କୁ କ୍ଷମା କରାଯିବ;
38 ଦାନ କର, ତାହା ହେଲେ ତୁମ୍ଭମାନଙ୍କୁ ଦାନ ଦିଆଯିବ; ଲୋକେ ମାଣକୁ ପୁରା କରି ତାହାକୁ ଚାପି ହଲାଇ ଉଛୁଳାଇ ତୁମ୍ଭମାନଙ୍କ ଅଣ୍ଟିରେ ଦେବେ; କାରଣ ଯେଉଁ ମାପରେ ମାପ କର, ସେହି ମାପରେ ତୁମ୍ଭମାନଙ୍କୁ ପୁଣି ମପାଇଦିଆଯିବ।
39 ସେ ସେମାନଙ୍କୁ ଗୋଟିଏ ଦୃଷ୍ଟାନ୍ତ ମଧ୍ୟ କହିଲେ, ଅନ୍ଧ କଣ ଅନ୍ଧକୁ ବାଟ କଢ଼ାଇପାରେ ସେମାନେ କଣ ଉଭୟେ ଖାତରେ ପଡ଼ିବେ ନାହିଁ।
40 ଶିଷ୍ୟ ଗୁରୁଠାରୁ ଶ୍ରେଷ୍ଠ ନୁହେ; କିନ୍ତୁ ପ୍ରତ୍ୟେକ ଶିଷ୍ୟ ସିଦ୍ଧ ହୋଇ ଆପଣା ଗୁରୁଙ୍କ ତୁଲ୍ୟ ହେବ।
41 ଆଉ କାହିଁକି ତୁମ୍ଭ ଭାଇର ଆଖିରେ ଥିବା କୁଟାଟିକକ ଦେଖୁଅଛ, କିନ୍ତୁ ତୁମ୍ଭ ନିଜ ଆଖିରେ ଯେଉଁ କଡ଼ିକାଠ ଅଛି, ତାହା ଭାବି ଦେଖୁ ନାହଁ।
42 . ତୁମ୍ଭେ ଆପଣା ଆଖିରେ ଥିବା କଡ଼ିକାଠ ନ ଦେଖି କିପରି ନିଜ ଭାଇକି କହି ପାର, ଭାଇ, ଆସ, ତୁମ୍ଭ ଆଖିରେ ଥିବା କୁଟାଟିକକ ବାହାର କରିଦିଏଁ କପଟୀ, ଆଗେ ଆପଣା ଆଖିରୁ କଡ଼ିକାଠ ବାହାର କରିପକାଅ, ତାହା ପରେ ନିଜ ଭାଇର ଆଖିରେ ଥିବା କୁଟାଟିକକ ବାହାର କରିବା ନିମନ୍ତେ ସ୍ପଷ୍ଟରୂପେ ଦେଖି ପାରିବ।
43 କାରଣ ଏପରି କୌଣସି ଭଲ ଗଛ ନାହିଁ, ଯାହାକି ମନ୍ଦ ଫଳ ଫଳେ, ଅନ୍ୟ ପକ୍ଷରେ ଏପରି କୌଣସି ମନ୍ଦ ଗଛ ନାହିଁ, ଯାହାକି ଭଲ ଫଳ ଫଳେ।
44 କାରଣ ପ୍ରତ୍ୟେକ ଗଛ ନିଜର ଫଳ ଦ୍ୱାରା ଚିହ୍ନାଯାଏ; କଣ୍ଟାଗଛରୁ ତ ଲୋକମାନେ ଡିମ୍ବିରି ତୋଳନ୍ତି ନାହିଁ, କିମ୍ବା କଣ୍ଟାବୁଦାରୁ ଦ୍ରାକ୍ଷାଫଳ ତୋଳନ୍ତି ନାହିଁ।
45 ଉତ୍ତମ ଲୋକ ଆପଣା ହୃଦୟରୁପ ଉତ୍ତମ ଭଣ୍ଡାରରୁ ଉତ୍ତମ ପଦାର୍ଥ ବାହାର କରେ, ପୁଣି ମନ୍ଦ ଲୋକ ଭଣ୍ଡାରରୁ ମନ୍ଦ ପଦାର୍ଥ ବାହାର କରେ; କାରଣ ହୃଦୟର ପୁର୍ଣ୍ଣତାରୁ ମୁଖ କଥା କହେ।
46 ଆଉ ତୁମ୍ଭେମାନେ କାହିକି ମୋତେ ପ୍ରଭୁ, ପ୍ରଭୁ ବୋଲି ସମ୍ବୋଧନ କରୁଅଛ, ମାତ୍ର ମୋହର ବାକ୍ୟ ପାଳନ କରୁ ନାହଁ।
47 ଯେ କେହି ମୋ ନିକଟକୁ ଆସି ମୋହର କଥା ଶୁଣି ସେହିସବୁ ପାଳନ କରେ, ସେ କାହା ସଦୃଶ, ମୁଁ ତୁମ୍ଭମାନଙ୍କୁ ଜଣାଇବି।
48 ସେ ଏପରି ଜଣେ ଘର ତୋଳିବା ଲୋକ ପରି, ଯେ ଗହୀର କରି ଖୋଳି ମୂଳଦୁଆ ପଥର ଉପରେ ବସାଇଲେ; ଆଉ ବଢ଼ି ହୁଅନ୍ତେ ସୁଅ ସେହି ଘରକୁ ପ୍ରବଳଭାବରେ ଧକ୍କା ମାରିଲେ, କିନ୍ତୁ ତାହା ଟଳାଇ ପାରିଲା ନାହିଁ, କାରଣ ତାହା ଉତ୍ତମରୂପେ ତୋଳାଯାଇଥିଲା।
49 କିନ୍ତୁ ଯେ ଶୁଣି ପାଳନ କରେ ନାହିଁ, ସେ ମୂଳଦୁଆ ନ ବସାଇ ମାଟି ଉପରେ ଘର ତୋଳିବା ଲୋକ ପରି; ସୁଅ ସେହି ଉପରେ ପ୍ରବଳଭାବରେ ଧକ୍କା ମାରନ୍ତେ ସେହିକ୍ଷଣି ତାହା ପଡ଼ିଗଲା ଓ ତାହାର ବିନାଶ ଭୟଙ୍କର ହେଲା।