1 ପରେ ସେ ଯିରୀହୋରେ ପ୍ରବେଶ କରି ତାହା ମଧ୍ୟ ଦେଇ ଯାଉଥିଲେ।
2 ଆଉ ଦେଖ, ଜଖିୟ ନାମରେ ଜଣେ ଲୋକ ଥିଲେ ସେ ଜଣେ ପ୍ରଧାନ କରଗ୍ରାହୀ ଓ ଧନୀ ଲୋକ।
3 ଯୀଶୁ କିଏ, ତାହା ଦେଖିବାକୁ ସେ ଚେଷ୍ଟା କରୁଥିଲେ, କିନ୍ତୁ ଲୋକମାନଙ୍କର ଭିଡ଼ ସକାଶୁଁ ଦେଖି ପାରୁ ନ ଥିଲେ, କାରଣ ସେ ବାଙ୍ଗର ଥିଲେ।
4 ଏଣୁ ସେ ଆଗକୁ ଦୌଡ଼ିଯାଇ ତାହାଙ୍କୁ ଦେଖିବା ନିମନ୍ତେ ଗୋଟିଏ ଡିମ୍ବିରିଗଛରେ ଚଢ଼ିଲେ, କାରଣ ସେହି ବାଟ ଦେଇ ତାହାଙ୍କର ଯିବାର ଥିଲା।
5 ଯୀଶୁ ସେ ସ୍ଥାନକୁ ଆସି ଉପରକୁ ଚାହିଁ ତାହାଙ୍କୁ କହିଲେ, ଜଖିୟ, ଶୀଘ୍ର ଓହ୍ଲାଇଆସ, କାରଣ ଆଜି ମୋତେ ଅବଶ୍ୟ ତୁମ୍ଭ ଘରେ ରହିବାକୁ ହେବ।
6 ସେଥିରେ ସେ ଶୀଘ୍ର ଓହ୍ଲାଇ ଆସି ଆନନ୍ଦରେ ତାହାଙ୍କର ଆତିଥ୍ୟ କଲେ।
7 ତାହା ଦେଖି ସମସ୍ତେ ବଚସା କରି କହିବାକୁ;ଲାଗିଲେ, ସେ ଜଣେ ପାପୀ ଲୋକ ଘରେ ରହିବାକୁ ଗଲାଣି।
8 କିନତୁନ୍ ଜଖିୟ ଠିଆ ହୋଇ ପ୍ରଭୁଙ୍କୁ କହିଲେ, ହେ ପ୍ରଭୁ, ଦେଖନ୍ତୁ, ମୋର ସମ୍ପତ୍ତିର ଅର୍ଦ୍ଧେକ ମୁଁ ଦରିଦ୍ରମାନଙ୍କୁ ଦାନ କରୁଅଛି, ଆଉ ଯଦି ଅନ୍ୟୟରେ କାହାଠାରୁ କିଛି ନେଇଥାଏଁ, ତେବେ ଚାରି ଗୁଣରେ ତାହା ଫେରାଇଦେଉଅଛି।
9 ସେଥିରେ ଯୀଶୁ ତାହାଙ୍କ ବିଷୟରେ କହିଲେ, ଆଜି ଏହି ଗୃହରେ ପରିତ୍ରାଣ ଉପସ୍ଥିତ ହୋଇଅଛି, ଜେନୁ ଏ ମଧ୍ୟ ଅବ୍ରାହାମଙ୍କ ଜଣେ ସନ୍ତାନ;
10 କାରଣ ଯାହା ହଜିଅଛି, ତାହା ଖୋଜି ରକ୍ଷା କରିବାକୁ ମନୁଷ୍ୟପୁତ୍ର ଆସିଅଛନ୍ତି।
11 ଲୋକମାନେ ଏହି କଥାସବୁ ଶୁଣିବା ସମୟରେ ସେ ଆହୁରି ଗୋଟିଏ ଦୃଷ୍ଟାନ୍ତ କହିଲେ, କାରଣ ସେ ଯିରୂଶାଲମର ନିକଟବର୍ତ୍ତୀ ହୋଇଥିଲେ ଓ ଈଶ୍ୱରଙ୍କ ରାଜ୍ୟ ଅତିଶୀଘ୍ର ପ୍ରକାଶ ପାଇବ ବୋଲି ସେମାନେ ମନେ କରୁଥିଲେ।
12 ଏଣୁ ସେ କହିଲେ, ଜଣେ କୁଳୀନ ବ୍ୟକ୍ତି ଆପଣା ନିମନ୍ତେ ରାଜପଦ ପ୍ରାପ୍ତ ହୋଇ ବାହୁଡ଼ିଆସିବା ସକାଶେ ଦୂର ଦେଶକୁ ଯାତ୍ରା କଲେ।
13 ସେ ଆପଣାର ଦଶ ଜଣ ଦାସଙ୍କୁ ଡାକି ସେମାନଙ୍କୁ ଦଶଗୋଟି ମୋହର ଦେଇ କହିଲେ, ମୋର ଆସିବା ପର୍ଯ୍ୟନ୍ତ ବେପାର କର।
14 କିନ୍ତୁ ତାହାଙ୍କ ଦେଶବାସୀମାନେ ତାହାଙ୍କୁ ଘୃଣା କରୁଥିଲେ, ଆଉ ସେମାନେ ତାହାଙ୍କ ପଛରେ ଦୂତ ପଠାଇ କହିଲେ, ଏ ଲୋକ ଯେ ଆମ୍ଭମାନଙ୍କ ଉପରେ ରାଜତ୍ୱ କରିବେ, ଏହା ଆମ୍ଭମାନଙ୍କ ଇଛା ନୁହେଁ।
15 ପରେ ସେ ରାଜପଦ ପ୍ରାପ୍ତ ହୋଇ ବାହୁଡ଼ିଆସି, ଯେଉଁ ଦାସମାନଙ୍କ ଧନ ଦେଇଥିଲେ, ସେମାନଙ୍କ ମଧ୍ୟରେ ବେପାର କରି କିଏ କେତେ ଲାଭ କରିଅଛି, ତାହା ଜାଣିବା ନିମନ୍ତେ ସେମାନଙ୍କୁ ଆପଣା ନିକଟକୁ ଡାକି ଆଣିବା ପାଇଁ ଆଜ୍ଞା ଦେଲେ।
16 ସେଥିରେ ପ୍ରଥମ ଜଣକ ଆସି କହିଲା, ପ୍ରଭୋ, ଆପଣଙ୍କ ମୋହର ଆଉ ଦଶଟି ମୋହର ଲାଭ କରିଅଛି।
17 ସେ ତାହାକୁ କହିଲେ, ବେଶ୍, ଉତ୍ତମ ଦାସ, ତୁମ୍ଭେ ଅତି ଅଳ୍ପ ବିଷୟରେ ବିଶ୍ୱସ୍ତ ହୋଇଥିବାରୁ ଦଶଗୋଟି ନଗର ଉପରେ ଅଧିକାର ପ୍ରାପ୍ତ ହୁଅ।
18 ପୁଣି ଦ୍ୱିତୀୟ ଜଣକ ଆସି କହିଲା, ପ୍ରଭୋ, ଆପଣଙ୍କ ମୋହର ପାଞ୍ଚୋଟି ମୋହର ଲାଭ କରିଅଛି।
19 ସେ ତାହାକୁ ମଧ୍ୟ କହିଲେ, ତୁମ୍ଭେ ସୁଦ୍ଧା ପାଞ୍ଚୋଗୋଟି ନଗର ଉପରେ ଅଧିକାର ପ୍ରାପ୍ତ ହୁଅ।
20 ଆଉ ଜଣେ ଆସି କହିଲା, ପ୍ରଭୋ, ଦେଖନ୍ତୁ, ଏହି ଆପଣଙ୍କର ମୋହର, ମୁଁ ଏହା ଗାମୁଛାରେ ବାନ୍ଧି ରଖିଦେଇଥିଲି;
21 କାରଣ ମୁଁ ଆପଣଙ୍କୁ ଭୟ କଲି, ଜେନୁ ଆପଣ ଜଣେ କଠୋର ଲୋକ, ଯାହା ରଖି ନ ଥାଆନ୍ତି, ତାହା ଉଠାଇନିଅନ୍ତି, ପୁଣି ଯାହା ବୁଣି ନ ଥାଆନ୍ତି, ତାହା କାଟନ୍ତି।
22 ସେ ତାହାକୁ କହିଲେ, ରେ ଦୁଷ୍ଟ ଦାସ, ତୋର ମୁହଁର କଥାରେ ତୋହର ବିଚାର କରିବି ମୁଁ ଜଣେ କଠୋର ଲୋକ, ଯାହା ରଖି ନ ଥାଏଁ, ତାହା ଉଠାଇନିଏଁ, ପୁଣି ଯାହା ବୁଣିନଥାଏଁ, ତାହା କାଟେଁ, ଏହା କଅଣ ଜାଣିଥିଲୁ।
23 ତେବେ ବ୍ୟାଙ୍କରେ କାହିଁକି ମୋହର ଧନ ରଖିଲୁ ନାହିଁ ତାହାହେଲେ ମୁଁ ଆସି ସୁଧ ସହିତ ତାହା ଆଦାୟ କରିଥାଆନ୍ତି।
24 ପୁଣି ସେ ପାଖରେ ଠିଆ ହୋଇଥିବା ଲୋକମାନଙ୍କୁ କହିଲେ, ଏହାଠାରୁ ଏହି ମୋହର ଘେନିଯାଇ, ତାହାର ଦଶ ମୋହର ଅଛି, ତାହାକୁ ଦିଅ।
25 ସେଥିରେ ସେମାନେ ତାହାଙ୍କୁ କହିଲେ, ପ୍ରଭୁ, ତାହାର ତ ଦଶ ମୋହର ଅଛି।
26 ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ କୌଣସି ଲୋକର ଅଛି, ତାହା ପାଖରେ ଯାହା ଅଛି, ତାହାହିଁ ତାହାଠାରୁ ନିଆଯିବ।
27 କିନ୍ତୁ ମୋର ଏହି ଯେଉଁ ଶତ୍ରୁମାନେ ମୁଁ ସେମାନଙ୍କ ଉପରେ ରାଜତ୍ୱ କରେଁ ବୋଲି ଇଛା ନ କରି ଥିଲେ, ସେମାନଙ୍କୁ ଏଠାକୁ ଆଣି ମୋର ସାକ୍ଷାତରେ ହତ୍ୟା କର।
28 ଏହି ସମସ୍ତ କଥା କହି ସେ ଅଗ୍ରସର ହୋଇ ଯିରୂଶାଲମ ଆଡେ ଯାତ୍ରା କରିବାକୁ ଲାଗିଲେ।
29 ଆଉ ସେତେବେଳେ ସେ ଜୀତପର୍ବତ ପାର୍ଶ୍ୱସ୍ଥ ବେଥଫାଗୀ ଓ ଦେଥନିଆ ନିକଟରେ ଉପସ୍ଥିତ ହେଲେ, ସେତେବେଳେ ସେ ଆପଣା ଶିଷ୍ୟମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଏହି କଥା କହି ପଠାଇଲେ,
30 ତୁମ୍ଭମାନଙ୍କ ସମ୍ମୁଖସ୍ଥ ସେହି ଗ୍ରାମକୁ ଯାଅ; ସେଥିରେ ପ୍ରବେଶ କରିବା ସମୟରେ, ଯାହା ଉପରେ କେହି କେବେ ବସି ନାହିଁ; ଏପରି ଗୋଟିଏ ଗଧଛୁଆକୁ ବନ୍ଧା ହୋଇଥିବାର ଦେଖିବ; ତାହାକୁ ଫିଟାଇ ଘେନିଆସ।
31 ଆଉ ଯେବେ କେହି ତୁମ୍ଭମାନଙ୍କୁ କାହିଁକି ଫିଟାଉଅଛ ବୋଲି ପଚାରେ, ତେବେ ଏପରି କହିବ, କାରଣ ଏହାଠାରେ ପ୍ରଭୁଙ୍କର ପ୍ରୟୋଜନ ଅଛି।
32 ସେଥିରେ ପ୍ରେରିତ ଲୋକେ ପ୍ରସ୍ଥାନ କରି, ସେ ସେମାନଙ୍କୁ ଯେପରି କହିଥିଲେ, ସେହିପରି ଦେଖିଲେ।
33 ପୁଣି ସେମାନେ ଗଧଛୁଆକୁ ଫିଟାଉଥିବା ସମୟରେ ତାହାର ଅଧିକାରୀମାନେ ସେମାନଙ୍କୁ ପଚାରିଲେ, କାହିକି ଗଧଛୁଆକୁ ଫିଟାଉଅଛ।
34 ସେମାନେ କହିଲେ, କାରଣ ଏହାଠାରେ ପ୍ରଭୁଙ୍କର ପ୍ରୟୋଜନ ଅଛି।
35 ପୁଣି ସେମାନେ ତାହାକୁ ଯୀଶୁଙ୍କ ନିକଟକୁ ଆଣି ତାହା ଉପରେ ଆପଣା ଆପଣା ଲୁଗା ପକାଇ ଯୀଶୁଙ୍କୁ ବସାଇଲେ।
36 ଆଉ ସେ ଯାତ୍ରା କରୁଥିବା ସମୟରେ ଲୋକେ ପଥରରେ ଆପଣା ଆପଣା ଲୁଗା ବିଛାଇଦେବାକୁ ଲାଗିଲେ।
37 ପୁଣି ସେ ଯେତେବେଳେ ଜୀତପର୍ବତର ଗଡ଼ାଣିସ୍ଥାନର ନିକଟବର୍ତ୍ତୀ ହେଲେ, ସେତେବେଳେ ସମୁଦାୟ ଶିଷ୍ୟଦଳ ଦେଖିଥିବା ସମସ୍ତ ଶକ୍ତିର କାର୍ଯ୍ୟ ନିମନ୍ତେ ଆନନ୍ଦରେ ଉଚ୍ଛ ସ୍ୱର କରି ଈଶ୍ୱରଙ୍କ ପ୍ରଶଂସା କରୁଁ କରୁଁ କହିଲେ,
38 ପ୍ରଭୁଙ୍କ ନାମରେ ଯେଉଁ ରାଜା ଆସୁଅଛନ୍ତି, ସେ ଧନ୍ୟ। ସ୍ୱର୍ଗରେ ଶାନ୍ତି ଓ ଉର୍ଦ୍ଧ୍ୱବଲୋକରେ ମହିମା।
39 ସେଥିରେ ଲୋକସମୂହ ମଧ୍ୟରୁ କେତେକ ଫାରୁଶୀ ତାହାଙ୍କୁ କହିଲେ, ହେ ଗୁରୁ, ଆପଣଙ୍କ ଶିଷ୍ୟମାନଙ୍କୁ ଧମକ ଦିଅନ୍ତୁ।
40 ସେ ଉତ୍ତର ଦେଲେ, ମୁଁ ତୁମ୍ଭମାନଙ୍କୁ କହିଅଛି, ଏମାନେ ତୁନି ହୋଇ ରହିଲେ, ପଥରଗୁଡ଼ାକ ପାଟି କରିବେ।
41 ଆଉ ଯେତେବେଳେ ସେ ନିକଟକୁ ଆସିଲେ, ସେତେବେଳେ ନଗରକୁ ଦେଖି ତାହା ନିମନ୍ତେ ରୋଦନ କରି କହିଲେ,
42 ତୁ, ହିଁ, ତୁ ଯଦି ଆଜି ଶାନ୍ତି ବିଷୟଗୁଡ଼ିକ ଜାଣିଥାଆନ୍ତୁ ! ମାତ୍ର ଏବେ ସେଗୁଡ଼ିକ ତୋ ଦୃଷ୍ଟିରୁ ଗୁପ୍ତ ହୋଇ ରହିଅ।
43 ଯେଣୁ ତୋ ଉପରେ କୃପାଦୃଷ୍ଟିର ସମୟରେ ତୋ ଶତ୍ରୁମାନେ ତୋର ଚାରି ଆଡ଼େ ବନ୍ଧ ବାନ୍ଧି ତୋତେ ଘେରିଯାଇ ଅବରୋଧ କରିବେ,
44 ପୁଣି ତୋତେ ଓ ତୋ ମଧ୍ୟରେ ଥିବା ତୋ ସନ୍ତାନମାନଙ୍କୁ ଭୂମିସାତ୍ କରିବେ, ଆଉ ତୋ ମଧ୍ୟରେ ଗୋଟିଏ ପଥରକୁ ଅନ୍ୟ ଗୋଟିଏ ପଥର ଉପରେ, ରହିବାକୁ ଦେବେ ନାହିଁ, ଏପରି ସମୟ ତୋ ଉପରେ ଆସିବ।
45 ଆଉ ସେ ମନ୍ଦିରରେ ପ୍ରବେଶ କରି ବିକ୍ରୟ କରୁଥିବା ଲୋକମାନଙ୍କୁ ଏହା କହି ବାହାର କରିବାକୁ ଲାଗିଲେ,
46 ଲେଖା ଅଛି, ଆମ୍ଭର ଗୃହ ପ୍ରାର୍ଥନାଗୃହ ହେବ, କିନ୍ତୁ ତୁମ୍ଭେମାନେ ତାହାକୁ ଦସ୍ୟୁମାନଙ୍କ ଗହ୍ୱର କରିଅଛି।
47 ଆଉ ସେ ପ୍ରତିଦିନ ମନ୍ଦିରରେ ଶିକ୍ଷା ଦେଉଥିଲେ, ମାତ୍ରା ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ଲୋକଙ୍କର ନେତାମାନଙ୍କ ସହିତ ତାହାଙ୍କୁ ବିନାଶ କରିବାକୁ ଚେଷ୍ଟା କରୁଥିଲେ,
48 କିନ୍ତୁ ଲୋକସମସ୍ତେ ଏକାଗ୍ରଚିତ୍ତରେ ତାହାଙ୍କ ଶିକ୍ଷା ଶୁଣୁଥିବାରୁ ସେମାନେ କଅଣ କରିବେ ବୋଲି ସ୍ଥିର କରି ପାରୁ ନ ଥିଲେ।