1 କ୍ଲାନ୍ତ ନ ହୋଇ ସର୍ବଦା ପ୍ରାର୍ଥନା କରିବା ଯେ କର୍ତ୍ତବ୍ୟ, ଇ ବିଷୟରେ ସେ ସେମାନଙ୍କୁ ଦୃଷ୍ଟାନ୍ତ ଦେଇ କହିଲେ,
2 ଗୋଟିଏ ନଗରରେ ଜଣେ ବିଚାରକର୍ତ୍ତା ଥିଲେ, ସେ ଈଶ୍ୱରଙ୍କୁ ଭୟ କରୁ ନ ଥିଲେ କି ମନୁଷ୍ୟକୁ ମାନୁ ନ ଥିଲେ।
3 ସେହି ନଗରରେ ଜଣେ ବିଧବା ଥିଲା, ସେ ଥରକୁଥର ତାହାଙ୍କ ନିକଟକୁ ଯାଇ କହୁଥିଲେ, ମୋହର ବିବାଦୀର ଅନ୍ୟାୟର ପ୍ରତିକାର କରନ୍ତୁ।
4 ଆଉ ସେ କେତେ ସମୟ ପର୍ଯ୍ୟନ୍ତ ସମ୍ମତ ହେଉ ନ ଥିଲେ; କିନ୍ତୁ ପରେ ସେ ମନେ ମନେ କହିଲେ, ଯଦ୍ୟପି ମୁଁ ଈଶ୍ୱରଙ୍କୁ ଭୟ କରେ ନାହିଁ କିମ୍ବା ମନୁଷ୍ୟକୁ ମାନେ ନାହିଁ,
5 ତଥାପି ଏହି ବିଧବାଟା ମୋତେ କଷ୍ଟ ଦେଉଥିବାରୁ ମୁଁ ତାହା ପ୍ରତି କୃତ ଅନ୍ୟାୟର ପ୍ରତିକାର କରିବି, ନୋହିଲେ ସେ ସବୁବେଳେ ଆସି ମୋତେ ବ୍ୟତିବ୍ୟସ୍ତ କରୁଥିବା।
6 ସେଥିରେ ପ୍ରଭୁ କହିଲେ, ଏହି ଅଧାର୍ମିକ ବିଚାରକର୍ତ୍ତା କଅଣ କହୁଅଛନ୍ତି, ତାହା ଶୁଣ।
7 ତେବେ ଈଶ୍ୱରଙ୍କର ଯେଉଁ ମନୋନୀତ ଲୋକମାନେ ଦିବାରାତ୍ର ତାହାଙ୍କୁ ଡାକୁଥାଆନ୍ତି, ସେ କି ସେମାନଙ୍କର ପ୍ରତି କୃତ ଅନ୍ୟାୟର ପ୍ରତିକାର କରିବେ ନାହିଁ, ଯଦ୍ୟପି ସେ ସେମାନଙ୍କ ଶତ୍ରୁମାନଙ୍କ ପ୍ରତି ଦୀର୍ଘସହିଷ୍ଣୁ ଅଟନ୍ତି।
8 ମୁଁ ତୁମ୍ଭମାନଙ୍କୁ କହୁଅଛି, ସେ ଶୀଘ୍ର ସେମାନଙ୍କ ପ୍ରତି କୃତ ଅନ୍ୟାୟରେ ପ୍ରତିକାର କରିବେ। ତଥାପି ମନୁଷ୍ୟପୁତ୍ର ଆସି ପୃଥିବୀରେ କଅଣ ବିଶ୍ୱାସ ଦେଖିବେ।
9 ଆପଣା ଆପଣାକୁ ଧାର୍ମିକ ଜ୍ଞାନ କରି ଅନ୍ୟ ସମସ୍ତଙ୍କୁ ତୁଚ୍ଛଜ୍ଞାନ କରୁଥିବା କେତେକ ଆତ୍ମନିର୍ଭରଶୀଳ ଲୋକଙ୍କୁ ସେ ଏହି ଦୃଷ୍ଟାନ୍ତ ମଧ୍ୟ କହିଲେ,
10 ଦୁଇ ଜଣ ଲୋକ ପ୍ରାର୍ଥନା କରିବା ନିମନ୍ତେ ମନ୍ଦିରକୁ ଗଲେ, ଜଣେ ଫାରୂଶୀ ଓ ଅନ୍ୟ ଜଣକ କରଗ୍ରାହୀ।
11 ଫାରୂଶୀ ଦଣ୍ଡାୟମାନ ହୋଇ ଆପଣା ନିକଟରେ ଏହି ପ୍ରକାର ପ୍ରାର୍ଥନା କରିବାକୁ ଲାଗିଲେ, ହେ ଈଶ୍ୱର, ମୁଁ ତୁମ୍ଭକୁ ଧନ୍ୟବାଦ ଦେଉଅଛି ଯେ, ମୁଁ ଅନ୍ୟ ସମସ୍ତ ଲୋକଙ୍କ ପରି ଅତ୍ୟାଚାରୀ, ପରି ସୁଦ୍ଧା ନୁହେଁ;
12 ମୁଁ ସପ୍ତାହରେ ଦୁଇ ଥର ଉପବାସ କରିଥାଏଁ ଓ ମୋହର ସମସ୍ତ ଆୟର ଦଶମାଂଶ ଦାନ କରିଥାଏଁ।
13 କିନ୍ତୁ କରଗ୍ରାହୀ ଦୂରରେ ଠିଆ ହୋଇ ସ୍ବର୍ଗଆଡ଼େ ଉର୍ଦ୍ଧ୍ୱଦୃଷ୍ଟି କରିବାକୁ ସୁଦ୍ଧା ସାହସ କାଲା ନାହିଁ, କିନ୍ତୁ ଆପଣା ଛାତିରେ ମାରିହୋଇ କହିବାକୁ ଲାଗିଲା, ହେ ଈଶ୍ୱର, ମୁଁ ପାପୀ ମୋତେ ଦୟା କର।
14 ମୁଁ ତୁମ୍ଭମାନଙ୍କୁ କହୁଅଛି, ସେ ଲୋକ ନୁହେଁ, ବରଂ ଏହି ଲୋକ ଧାର୍ମିକ ଗଣିତ ହୋଇ ଆପଣା ଗୃହକୁ ଚାଲିଗଲା; କାରଣ ଯେ କେହି ଆପଣାକୁ ଉନ୍ନତ ବୋଲି ଦେଖାଏ, ତାହାକୁ ନତ କରାଯିବ, କିନ୍ତୁ ଯେ ଆପଣାକୁ ନତ କରେ, ତାହାକୁ ଉନ୍ନତ କରାଯିବ।
15 ସେ ଯେପରି ଶିଶୁମାନଙ୍କୁ ସ୍ପର୍ଶ କରନ୍ତି, ଏଥିପାଇଁ ଲୋକେ ସେମାନଙ୍କୁ ମଧ୍ୟ ତାହାଙ୍କ ନିକଟକୁ ଆଣିବାକୁ ଲାଗିଲେ; ମାତ୍ର ଶିଷ୍ୟମାନେ ତାହା ଦେଖି ସେମାନଙ୍କୁ ଧମକ ଦେବାକୁ ଲାଗିଲେ।
16 କିନ୍ତୁ ଯୀଶୁ ସେମାନଙ୍କୁ ଆପଣା ପାଖକୁ ଡାକି କହିଲେ, ଶିଶୁମାନଙ୍କୁ ମୋ ନିକଟକୁ ଆସିବାକୁ ଦିଅ, ଆଉ ସେମାନଙ୍କୁ ମନା କର ନାହିଁ; କାରଣ ଈଶ୍ୱରଙ୍କ ରାଜ୍ୟ ଏହିପ୍ରକାର ଲୋକମାନଙ୍କର।
17 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେ କେହି ଶିଶୁ ପରି ଈଶ୍ୱରଙ୍କ ରାଜ୍ୟ ଗ୍ରହଣ ନ କରେ, ସେ କୌଣସି ପ୍ରକାରେ ସେଥିରେ ପ୍ରବେଶ କରିବା ନାହିଁ।
18 ଜଣେ ଅଧ୍ୟକ୍ଷ ତାହାଙ୍କୁ ପଚାରିଲେ, ହେ ସଦ୍ ଗୁରୁ, ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ମୁଁ କଅଣ କରିବି।
19 ସେଥିରେ ଯୀଶୁ ତାହାଙ୍କୁ କହିଲେ, ମୋତେ ସତ୍ ବୋଲି କାହିଁକି କହିଅଛ ଜଣଙ୍କ ବିନା, ଅର୍ଥାତ୍ ଈଶ୍ୱରଙ୍କ ବିନା ଅନ୍ୟ କେହି ସତ୍ ନୁହେଁ।
20 ଆଜ୍ଞାଗୁଡ଼ିକ ତ ତୁମ୍ଭେ ଜାଣ, ବ୍ୟଭିଚାର କର ନାହିଁ, ନରହତ୍ୟା କର ନାହିଁ, ଚୋରି କର ନାହିଁ, ମିଥ୍ୟାସାକ୍ଷ ଦିଅ ନାହିଁ, ଆପଣା ପିତାମାତାଙ୍କୁ ସମାଦର କର।
21 ସେ କହିଲେ, ଏହିସମସ୍ତ ମୁଁ ଯୌବନକାଳରୁ ପାଳନ କରି ଆସିଅଛି।
22 ଯୀଶୁ ଏହା ଶୁଣି ତାହାଙ୍କୁ କହିଲେ, ତୁମ୍ଭର ଆଉ ଗୋଟିଏ ବିଷୟ ଉଣା ଅଛି; ତୁମ୍ଭେ ଆପଣାର ସର୍ବସ୍ୱ ବିକ୍ରୟ କରି ଦରିଦ୍ରମାନଙ୍କୁ ବିତରଣ କର, ଆଉ ତୁମ୍ଭେ ସ୍ୱର୍ଗରେ ଧନ ପାଇବ; ପୁଣି ଆସି ମୋହର ଅନୁଗମନ କର।
23 କିନ୍ତୁ ସେ ଏହି ସମସ୍ତ କଥା ଶୁଣି ଅତ୍ୟନ୍ତ ଦୁଃଖିତ ହେଲେ, କାରଣ ସେ ଅତିଶୟ ଧନୀ ଥିଲେ।
24 ସେଥିରେ ଯୀଶୁ ତାହାଙ୍କୁ ଦେଖି କହିଲେ, ଯେଉଁମାନଙ୍କର ଧନ ଅଛି, ସେମାନେ କେଡ଼େ କଷ୍ଟରେ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରନ୍ତି !
25 କାରଣ ଈଶ୍ୱରଙ୍କ ରାଜ୍ୟରେ ଧନୀ ଲୋକର ପ୍ରବେଶ କରିବା ଅପେକ୍ଷା ବରଂ ସୂଚୀର ଛିଦ୍ର ଦେଇ ଓଟର ପ୍ରବେଶ କରିବା ସହଜ।
26 ଯେଉଁମାନେ ଏହା ଶୁଣିଲେ, ସେମାନେ କହିଲେ, ତେବେ କିଏ ପରିତ୍ରାଣ ପାଇ ପାରେ।
27 କିନ୍ତୁ ସେ କହିଲେ, ଯାହା ମନୁଷ୍ୟର ଅସାଧ୍ୟ, ତାହା ଈଶ୍ୱରଙ୍କର ସାଧ୍ୟ।
28 ସେଥିରେ ପିତର କହିଲେ, ଦେଖନ୍ତୁ, ଆମ୍ଭେମାନେ ଆପଣା ଆପଣାର ସର୍ବସ୍ବ ପରିତ୍ୟାଗ କରି ଆପଣଙ୍କ ଅନୁଗାମୀ ହୋଇଅଛୁଁ।
29 ସେ ସେମାନଙ୍କୁ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେଉଁ ଲୋକ ଈଶ୍ୱରଙ୍କ ରାଜ୍ୟ ନିମନ୍ତେ ଗୃହ କି ଭାର୍ଯ୍ୟା କି ଭ୍ରାତା କି ପିତାମାତା କି ସନ୍ତାନସନ୍ତତି ପରିତ୍ୟାଗ କରି।
30 ଇହକାଳରେ ବହୁଗୁଣିତ ଓ ପରକାଳରେ ଅନନ୍ତ ଜୀବନ ନ ପାଇବ, ଏପରି ଲୋକ କେହି ନାହିଁ।
31 ପରେ ସେ ଦ୍ୱାଦଶଙ୍କୁ ଅନ୍ତର କରି ସେମାନଙ୍କୁ କହିଲେ, ଦେଖ, ଆମ୍ଭେମାନେ ଯିରୂଶାଲମକୁ ଯାତ୍ରା କରୁଅଛୁଁ, ଆଉ ଭାବବାଦୀମାନଙ୍କ ଦ୍ୱାରା ଯେ ସମସ୍ତ ବିଷୟ ଲିଖିତ ଅଛି, ସେସମସ୍ତ ମନୁଷ୍ୟପୁତ୍ରଙ୍କଠାରେ ସଫଳ ହେବ;
32 କାରଣ ସେ ବିଜାତିମାନଙ୍କ ହସ୍ତରେ ସମର୍ପିତ ହେବେ, ପୁଣି ସେମାନେ ତାହାଙ୍କୁ ପରିହାସ କରିବେ, ତାହାଙ୍କ ପ୍ରତି ଅତ୍ୟାଚାର କରି ତାହାଙ୍କ ଉପରେ ଛେପ ପକାଇବେ,
33 ତାହାଙ୍କୁ କୋରଡ଼ା ମାରୀ ବଧ କରିବେ, ଆଉ ତୃତୀୟ ଦିବସରେ ସେ ପୁନରୁଥିାନ କରିବେ।
34 କିନ୍ତୁ ସେମାନେ ଏହି ସବୁ ବିଷୟ କିଛି ବୁଝିଲେ ନାହିଁ; ଏହି ବାକ୍ୟ ସେମାନଙ୍କଠାରୁ ଗୁପ୍ତ ହୋଇ ରହିଲା, ପୁଣି ଯାହା କୁହାଯାଉଥିଲା, ସେସବୁ ବିଝୁ ନ ଥିଲେ।
35 ସେ ଯିରାହୋର ନିକଟବର୍ତ୍ତୀ ହେଉଥିବା ସମୟରେ ଜଣେ ଅନ୍ଧ ପଥପାର୍ଶ୍ୱରେ ବସି ଭିକ୍ଷା କରୁଥିଲା।
36 ସେ ଲୋକସମୂହର ଗମନର ଶବ୍ଦ ଶୁଣି କଥା କଅଣ ବୋଲି ପଚାରିବାକୁ ଲାଗିଲା।
37 ସେମାନେ ତାହାକୁ କହିଲେ, ନାଜରିତୀୟ ଯୀଶୁ ଏହି ବାଟ ଦେଇ ଯାଉଅଛନ୍ତି।
38 ସେଥିରେ ସେ ଉଚ୍ଛ ସ୍ୱରରେ କହିଲେ, ହେ ଯୀଶୁ, ଦାଉଦସନ୍ତାନ, ମୋତେ ଦୟା କରନ୍ତୁ।
39 ମାତ୍ର ଆଗରେ ଯାଉଥିବା ଲୋକମାନେ ତାହାକୁ ତୁନି ହେବା ପାଇଁ ଧମକ ଦେବାକୁ ଲାଗିଲେ, କିନ୍ତୁ ସେ ଆହୁରି ଅଧିକ ଉଚ୍ଛ ସ୍ୱରରେ କହିବାକୁ ଲାଗିଲା, ହେ ଦାଉଦସନ୍ତାନ ମୋତେ ଦୟା କରନ୍ତୁ।
40 ସେଥିରେ ଯୀଶୁ ଠିଆ ହୋଇ ତାହାକୁ ଆପଣା ନିକଟକୁ ଆଣିବା ପାଇଁ ଆଜ୍ଞା ଦେକେ; ପୁଣି ସେ ନିକଟରେ ଉପସ୍ଥିତ ହୁଅନ୍ତେ ସେ ତାହାକୁ ପଚାରିଲେ,
41 ମୁଁ ତୁମ୍ଭ ପାଇଁ କଅଣ କରିବି ବୋଲି ତୁମ୍ଭେ ଇଚ୍ଛା କରୁଅଛ ସେ କହିଲା, ହେ ପ୍ରଭୁ, ମୁଁ ଯେପରି ଦୃଷ୍ଟି ପାଏଁ।
42 ଯୀଶୁ ତାହାକୁ କହିଲେ, ଦୃଷ୍ଟି ପାଅ; ତୁମ୍ଭର ବିଶ୍ୱାସ ତୁମ୍ଭକୁ ସୁସ୍ଥ କରିଅଛି।
43 ହିକ୍ଷଣି ସେ ଦୃଷ୍ଟି ପାଇ ଈଶ୍ୱରଙ୍କ ମହିମା କୀର୍ତ୍ତନ କରୁଁ କରୁଁ ତାହାଙ୍କ ପଛେ ପଛେ ଚାଲିବାକୁ ଲାଗିଲା ଏବଂ ଲୋକସମସ୍ତେ ତାହା ଦେଖି ଇଶ୍ୱରଙ୍କ ପ୍ରଶଂସା କଲେ।