1 ଆଃ, ଯେବେ ମୋହର ମସ୍ତକ ଜଳମୟ ଓ ମୋର ଚକ୍ଷୁ ଲୋତକର ଝରସ୍ୱରୂପ ହୁଅନ୍ତା, ତେବେ ମୁଁ ଆପଣା ଲୋକମାନଙ୍କ କନ୍ୟାର ହତ ଲୋକମାନଙ୍କ ନିମନ୍ତେ ଦିବାରାତ୍ର କ୍ରନ୍ଦନ କରି ପାରନ୍ତି!
2 ଆଃ, ପଥିକମାନଙ୍କର ବସା ପରି ଯେବେ ପ୍ରାନ୍ତରରେ ମୋର ଗୋଟିଏ ବସା ଥା'ନ୍ତା, ତେବେ ମୁଁ ନିଜ ଲୋକମାନଙ୍କୁ ତ୍ୟାଗ କରି ସେମାନଙ୍କଠାରୁ ସ୍ଥାନାନ୍ତରକୁ ଯାଇ ପାରନ୍ତି ! କାରଣ ସେସମସ୍ତେ ବ୍ୟଭିଚାରୀ, ବିଶ୍ୱାସଘାତକ ଲୋକଙ୍କର ସମାଜ ।
3 ପୁଣି, ସେମାନେ ଅସତ୍ୟତା ନିମନ୍ତେ ଆପଣା ଆପଣା ଜିହ୍ୱାରୂପ ଧନୁକୁ ବକ୍ର କରନ୍ତି; ଆଉ, ସେମାନେ ଦେଶରେ ବଳିଷ୍ଠ ହୋଇଅଛନ୍ତି, ମାତ୍ର ସତ୍ୟତା ପକ୍ଷରେ ନୁହେଁ; କାରଣ ସେମାନେ ଦୁଷ୍ଟତା ଉପରେ ଦୁଷ୍ଟତା କରିବା ପାଇଁ ଅଗ୍ରସର ହୁଅନ୍ତି, ସେମାନେ ଆମ୍ଭଙ୍କୁ ଜାଣନ୍ତି ନାହିଁ, ଏହା ସଦାପ୍ରଭୁ କହନ୍ତି ।
4 ତୁମ୍ଭେମାନେ ପ୍ରତ୍ୟେକେ ଆପଣା ପ୍ରତିବାସୀ ବିଷୟରେ ସାବଧାନ ହୁଅ ଓ କୌଣସି ଭ୍ରାତାଠାରେ ବିଶ୍ୱାସ କର ନାହିଁ; କାରଣ ପ୍ରତ୍ୟେକ ଭ୍ରାତା ନିତାନ୍ତ ଅପହରଣ କରିବ ଓ ପ୍ରତ୍ୟେକ ପ୍ରତିବାସୀ ନିନ୍ଦା ଘେନି ବୁଲିବ ।
5 ଆଉ, ସେମାନେ ପ୍ରତ୍ୟେକେ ଆପଣା ଆପଣା ପ୍ରତିବାସୀକି ପ୍ରବଞ୍ଚନା କରିବେ ଓ ସତ୍ୟ କଥା କହିବେ ନାହିଁ; ସେମାନେ ଆପଣା ଆପଣା ଜିହ୍ୱାକୁ ମିଥ୍ୟା କହିବା ପାଇଁ ଶିଖାଇ ଅଛନ୍ତି; ସେମାନେ ଅଧର୍ମ କରିବା ପାଇଁ ଆପଣାମାନଙ୍କୁ ବ୍ୟସ୍ତ କରନ୍ତି ।
6 ପ୍ରବଞ୍ଚନା ମଧ୍ୟରେ ତୁମ୍ଭର ବସତିସ୍ଥାନ ଅଛି; ସଦାପ୍ରଭୁ କହନ୍ତି, ସେମାନେ ପ୍ରବଞ୍ଚନା ସକାଶୁ ଆମ୍ଭକୁ ଜାଣିବାକୁ ଅସ୍ୱୀକାର କରନ୍ତି ।
7 ଏହେତୁ ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ସେମାନଙ୍କୁ ତରଳାଇବାଓ ସେମାନଙ୍କୁ ପରୀକ୍ଷା କରିବା; କାରଣ ଆମ୍ଭ ଲୋକଙ୍କର କନ୍ୟା ହେତୁରୁ ଏହା ଛଡ଼ା ଆଉ କଅଣ କରିବା ?
8 ସେମାନଙ୍କର ଜିହ୍ୱା ପ୍ରାଣନାଶକ ତୀର ସ୍ୱରୂପ; ତାହା ପ୍ରବଞ୍ଚନାର କଥା କହେ; ଲୋକେ ମୁଖରେ ପ୍ରତିବାସୀ ସଙ୍ଗେ ପ୍ରେମାଳାପ କରନ୍ତି, ମାତ୍ର ଅନ୍ତରେ ଛକି ବସନ୍ତି ।
9 ସଦାପ୍ରଭୁ କହନ୍ତି, ଆମ୍ଭେ କ'ଣ ସେମାନଙ୍କୁ ଏହିସବୁର ପ୍ରତିଫଳ ଦେବା ନାହିଁ ? ଏହି ପ୍ରକାର ଗୋଷ୍ଠୀଠାରୁ ଆମ୍ଭର ପ୍ରାଣ କ'ଣ ପରିଶୋଧ ନେବ ନାହିଁ ?
10 ମୁଁ ପର୍ବତମାନର ବିଷୟରେ ରୋଦନ ଓ ହାହାକାର ଓ ପ୍ରାନ୍ତରସ୍ଥ ଚରାସ୍ଥାନସକଳର ବିଷୟରେ ବିଳାପ କରିବି, କାରଣ ସେସବୁ ଦଗ୍ଧ ହୋଇଅଛି ଓ ତହିଁର ମଧ୍ୟ ଦେଇ କେହି ଗତାୟାତ କରେ ନାହିଁ; ଅଥବା ଲୋକମାନେ ପଶୁପଲର ରବ ଶୁଣି ପାରନ୍ତି ନାହିଁ; ଆକାଶସ୍ଥ ପକ୍ଷୀଗଣ ଓ ଭୂଚର ପଶୁଗଣ ଉଭୟ ପଳାୟନ କରିଅଛନ୍ତି, ସେମାନେ ଚାଲି ଯାଇଅଛନ୍ତି ।
11 ପୁଣି, ଆମ୍ଭେ ଯିରୂଶାଲମକୁ ଢିପିଓ ଶୃଗାଳଗଣର ବାସସ୍ଥାନ କରିବା; ଆଉ, ଆମ୍ଭେ ଯିହୁଦାର ନଗରସମୂହକୁ ନିବାସୀବିହୀନ ଧ୍ୱଂସସ୍ଥାନ କରିବା ।
12 ଏହା ଯେ ବୁଝିପାରେ, ଏପରି ଜ୍ଞାନୀ ମନୁଷ୍ୟ କିଏ ଅଛି ? ଓ ଏହା ବ୍ୟକ୍ତ କରିବା ପାଇଁ ସଦାପ୍ରଭୁଙ୍କର ମୁଖ ଯାହାକୁ ଜ୍ଞାତ କରାଇଅଛି, ଏପରି ବ୍ୟକ୍ତି କିଏ ?ଦେଶ କି ନିମନ୍ତେ ବିନଷ୍ଟ ଓ ପ୍ରାନ୍ତର ତୁଲ୍ୟ ଦଗ୍ଧ ହେଲା ଯେ, କେହି ତହିଁର ମଧ୍ୟଦେଇ ଗତାୟାତ କରେ ନାହିଁ ?
13 ଆହୁରି, ସଦାପ୍ରଭୁ କହନ୍ତି, କାରଣ ଏହି, ଆମ୍ଭେ ସେମାନଙ୍କ ସମ୍ମୁଖରେ ଆପଣାର ଯେଉଁ ବ୍ୟବସ୍ଥା ରଖିଲୁ, ତାହା ସେମାନେ ତ୍ୟାଗ କରିଅଛନ୍ତି ଓ ଆମ୍ଭର ବାକ୍ୟ ପାଳନ କରି ନାହାନ୍ତି, କିଅବା ତଦନୁସାରେ ଆଚରଣ କରି ନାହାନ୍ତି;
14 ମାତ୍ର ଆପଣା ଆପଣା ଅନ୍ତଃକରଣର ଅବାଧ୍ୟତାନୁସାରେ ଓ ସେମାନଙ୍କ ପୂର୍ବପୁରୁଷମାନଙ୍କ ଶିକ୍ଷାମତେ ବାଲ୍ ଦେବଗଣର ଅନୁଗାମୀ ହୋଇ ଆଚରଣ କରିଅଛନ୍ତି;
15 ଏଥିପାଇଁ ଇସ୍ରାଏଲର ପରମେଶ୍ୱର ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ସେମାନଙ୍କୁ, ଅର୍ଥାତ୍, ଏହି ଲୋକମାନଙ୍କୁ ନାଗଦଅଣା ଭୋଜନ କରାଇବା ଓ ବିଷ-ବୃକ୍ଷର ରସ ସେମାନଙ୍କୁ ପାନ କରିବାକୁ ଦେବା ।
16 ଆହୁରି, ଯେଉଁମାନଙ୍କୁ ସେମାନେ କିଅବା ସେମାନଙ୍କର ପୂର୍ବପୁରୁଷମାନେ ଜାଣି ନାହାନ୍ତି, ଏପରି ନାନା ଦେଶୀୟମାନଙ୍କ ମଧ୍ୟରେ ଆମ୍ଭେ ସେମାନଙ୍କୁ ଛିନ୍ନଭିନ୍ନ କରିବା; ପୁଣି, ଆମ୍ଭେ ଯେଯାଏ ସେମାନଙ୍କୁ ସଂହାର ନ କରୁ, ସେଯାଏ ଆମ୍ଭେ ସେମାନଙ୍କ ପଛେ ପଛେ ଖଡ଼୍ଗ ପଠାଇବା।
17 ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ବିବେଚନା କର ଓ ବିଳାପକାରିଣୀ ସ୍ତ୍ରୀମାନଙ୍କୁ ଆସିବା ପାଇଁ ଡାକଓ ନିପୁଣା ସ୍ତ୍ରୀମାନଙ୍କର ଆସିବା ପାଇଁ ଲୋକ ପଠାଅ;
18 ଆମ୍ଭମାନଙ୍କର ଚକ୍ଷୁ ଯେପରି ଲୋତକରେ ଭାସିଯିବ ଓ ଆମ୍ଭମାନଙ୍କ ଚକ୍ଷୁ-ପତାରୁ ଜଳଧାରା ନିର୍ଗତ ହେବ, ଏଥିପାଇଁ ସେମାନେ ଶୀଘ୍ର ଆସି ଆମ୍ଭମାନଙ୍କ ନିମନ୍ତେ ହାହାକାର କରନ୍ତୁ ।
19 କାରଣ ସିୟୋନଠାରୁ ଏହି ହାହାକାର ଶବ୍ଦ ଶୁଣା ଯାଉଅଛି, ଆମ୍ଭେମାନେ କିପରି ବିନଷ୍ଟ ହୋଇଅଛୁ ! ଲୋକମାନେ ଆମ୍ଭମାନଙ୍କର ବାସସ୍ଥାନ ଭୂମିସାତ୍ କରିବାରୁ ଆମ୍ଭେମାନେ ଦେଶ ତ୍ୟାଗ କରିଅତିଶୟ ଲଜ୍ଜିତ ହୋଇଅଛୁ ।
20 ତଥାପି ଆଗୋ ସ୍ତ୍ରୀମାନେ, ସଦାପ୍ରଭୁଙ୍କର ବାକ୍ୟ ଶୁଣ ଓ ତୁମ୍ଭମାନଙ୍କର କର୍ଣ୍ଣ ତାହାଙ୍କର ମୁଖନିର୍ଗତ ବାକ୍ୟ ଗ୍ରହଣ କରୁ, ଆଉ ତୁମ୍ଭେମାନେ ଆପଣା ଆପଣା କନ୍ୟାମାନଙ୍କୁ ହାହାକାର କରିବାର ଓ ପ୍ରତ୍ୟେକେ ଆପଣା ପ୍ରତିବାସିନୀକି ବିଳାପ କରିବାର ଶିକ୍ଷା ଦିଅ ।
21 କାରଣ ମୃତ୍ୟୁ ଆମ୍ଭମାନଙ୍କର ଝରକା ଦେଇ ଆସି ଆମ୍ଭମାନଙ୍କ ଅଟ୍ଟାଳିକାମାନରେ ପ୍ରବେଶ କରିଅଛି; ସେ ବାହାରେ ବାଳକମାନଙ୍କୁ ଓ ଛକରେ ଯୁବାମାନଙ୍କୁ ଉଚ୍ଛିନ୍ନ କରିବାକୁ ଉଦ୍ୟତ ।
22 କୁହ, ସଦାପ୍ରଭୁ ଏହି କଥା କହନ୍ତି, ମନୁଷ୍ୟ-ମାନଙ୍କର ଶବ ଖତ ପରିଓ ଶସ୍ୟଚ୍ଛେଦକର ପଶ୍ଚାତ୍ ପଡ଼ିଥିବା ଅଳ୍ପ ଅଳ୍ପ ଶସ୍ୟ ପରି କ୍ଷେତ୍ରରେ ପଡ଼ି ରହିବ, କେହି ସେସବୁକୁ ସଂଗ୍ରହ କରିବେ ନାହିଁ ।
23 ସଦାପ୍ରଭୁ ଏହି କଥା କହନ୍ତି, ଜ୍ଞାନବାନ ଆପଣା ଜ୍ଞାନରେ ଦର୍ପ ନ କରୁ, କିଅବା ବଳବାନ ଆପଣା ବଳରେ ଦର୍ପ ନ କରୁ, ଧନବାନ ଆପଣା ଧନରେ ଦର୍ପ ନ କରୁ;
24 ମାତ୍ର ଯେବେ କେହି ଦର୍ପ କରେ, ତେବେ ସେ ଆମ୍ଭକୁ ଚିହ୍ନେ ଓ ଜାଣେ ବୋଲି ଦର୍ପ କରୁ; ଆମ୍ଭେ ସଦାପ୍ରଭୁ, ପୃଥିବୀରେ ସ୍ନେହପୂର୍ଣ୍ଣ କରୁଣା, ବିଚାର ଓ ଧର୍ମ ସାଧନ କରୁ, କାରଣ ସଦାପ୍ରଭୁ କହନ୍ତି, ଏସବୁରେ ଆମ୍ଭର ସନ୍ତୋଷ ଥାଏ ।
25 ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ଯେଉଁ ସମୟରେ ସୁନ୍ନତ ଲୋକମାନଙ୍କୁ ସେମାନଙ୍କର ଅସୁନ୍ନତ ଅନୁସାରେ ଦଣ୍ଡ ଦେବା, ଏପରି ସମୟ ଆସୁଅଛି;
26 ଆମ୍ଭେ ମିସରକୁ ଓ ଯିହୁଦାକୁ, ଇଦୋମକୁ, ଅମ୍ମୋନ-ସନ୍ତାନଗଣକୁ ଓ ମୋୟାବକୁ, ଆପଣା ଆପଣା କେଶ-କୋଣ ମୁଣ୍ଡନକାରୀପ୍ରାନ୍ତରବାସୀ ସମସ୍ତଙ୍କୁ ଦଣ୍ଡ ଦେବା; କାରଣ ସକଳ ଗୋଷ୍ଠୀ ଅସୁନ୍ନତ, ପୁଣି ସମଗ୍ର ଇସ୍ରାଏଲ-ବଂଶ ଅନ୍ତଃକରଣରେ ଅସୁନ୍ନତ ଅଟନ୍ତି ।