1 ସଦାପ୍ରଭୁ କହନ୍ତି, ହେ ଇସ୍ରାଏଲ, ଯେବେ ତୁମ୍ଭେ ଫେରିବ, ତେବେ ଆମ୍ଭ ନିକଟକୁ ତୁମ୍ଭେ ଫେରି ଆସିବ; ଆଉ, ଯେବେ ତୁମ୍ଭେ ଆମ୍ଭ ଦୃଷ୍ଟିରୁ ତୁମ୍ଭର ଘୃଣାଯୋଗ୍ୟ ବିଷୟସବୁ ଦୂର କରିବ, ତେବେ ତୁମ୍ଭେ ସ୍ଥାନାନ୍ତରୀକୃତ ନୋହିବ;

2 ଆଉ, ତୁମ୍ଭେ ସତ୍ୟରେ ଓ ନ୍ୟାୟରେ ଓ ଧାର୍ମିକତାରେ ଜୀବତ ସଦାପ୍ରଭୁଙ୍କ ନାମରେ ଶପଥ କରିବ; ତହିଁରେ ନାନା ଦେଶୀୟମାନେ ତାହାଙ୍କଠାରେ ଆପଣାମାନଙ୍କୁ ଆଶୀର୍ବାଦର ପାତ୍ର କରିବେ ଓ ତାହାଙ୍କଠାରେ ଦର୍ପ କରିବେ ।

3 କାରଣ ସଦାପ୍ରଭୁ ଯିହୁଦାର ଓ ଯିରୂଶାଲମର ଲୋକମାନଙ୍କୁ ଏହି କଥା କହନ୍ତି, ତୁମ୍ଭେମାନେ ଆପଣାମାନଙ୍କର ପଡ଼ିଆଭୂମି ଚାଷ କରଓ କଣ୍ଟାବଣ ମଧ୍ୟରେ ବୀଜ ବୁଣ ନାହିଁ ।

4 ହେ ଯିହୁଦାର ଲୋକେ ଓ ଯିରୂଶାଲମର ନିବାସୀ- ଗଣ, ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣାମାନଙ୍କୁ ସୁନ୍ନତ କର ଓ ଆପଣା ଆପଣା ହୃଦୟର ଅଗ୍ରଚର୍ମ କାଢ଼ି ପକାଅ; ନୋହିଲେ; ତୁମ୍ଭମାନଙ୍କ କ୍ରିୟାର ଦୁଷ୍ଟତା ସକାଶୁ ଆମ୍ଭର କୋପ ଅଗ୍ନି ତୁଲ୍ୟ ବାହାରି ପ୍ରଜ୍ୱଳିତ ହେବ ଓ କେହି ତାହା ନିଭାଇ ପାରିବ ନାହିଁ ।

5 ତୁମ୍ଭେମାନେ ଯିହୁଦାରେ ପ୍ରଚାର କର ଓ ଯିରୂଶାଲମରେ ଘୋଷଣା କର; ଆଉ କୁହ, ତୁମ୍ଭେମାନେ ଦେଶରେ ତୂରୀ ବଜାଅ; ଉଚ୍ଚସ୍ୱର କରି କୁହ, ତୁମ୍ଭେମାନେ ଏକତ୍ର ହୁଅ, ଆସ, ଆମ୍ଭେମାନେ ଦୃଢ଼ ନଗରମାନଙ୍କୁ ଯାଉ ।

6 ସିୟୋନ ଆଡ଼େ ଧ୍ୱଜା ଟେକ, ରକ୍ଷା ନିମନ୍ତେ ପଳାଅ, ବିଳମ୍ବ କର ନାହିଁ; କାରଣ ଆମ୍ଭେ ଉତ୍ତର ଦିଗରୁଅମଙ୍ଗଳ ଓ ମହାବିନାଶ ଆଣିବା ।

7 ସିଂହ ଆପଣା ଗହ୍ୱରରୁ ବାହାରି ଅଛି, ନାନା ଦେଶୀୟମାନଙ୍କର ବିନାଶକ ଆସୁଅଛି; ତୁମ୍ଭ ନଗରସମୂହ ଯେପରି ଉଚ୍ଛିନ୍ନ, ନିବାସୀବିହୀନ ହେବ, ଏଥିପାଇଁ ତୁମ୍ଭ ଦେଶକୁ ଉଜାଡ଼ କରିବାକୁ ସେ ବାଟରେ ଅଛି, ସେ ଆପଣା ସ୍ଥାନରୁ ବାହାରି ଅଛି ।

8 ଏଥି ସକାଶୁ ତୁମ୍ଭେମାନେ ଚଟ ପିନ୍ଧି ବିଳାପ ଓ ହାହାକାର କର; କାରଣ ସଦାପ୍ରଭୁଙ୍କର ପ୍ରଚଣ୍ଡ କ୍ରୋଧ ଆମ୍ଭମାନଙ୍କଠାରୁ ଫେରି ନାହିଁ ।

9 ପୁଣି ସଦାପ୍ରଭୁ କହନ୍ତି, ସେହି ଦିନ ରାଜାର ହୃଦୟ ଓ ଅଧିପତିଗଣର ହୃଦୟ କ୍ଷୟ ପାଇବ ଓ ଯାଜକଗଣ ଚମତ୍କୃତ ହେବେ ଓ ଭବିଷ୍ୟଦ୍‍ବକ୍ତାମାନେ ବିସ୍ମୟାପନ୍ନ ହେବେ ।

10 ଏଥିରେ ମୁଁ କହିଲି, ହାୟ ହାୟ, ହେ ପ୍ରଭୁ, ସଦାପ୍ରଭୁ, ତୁମ୍ଭେ ଏହି ଲୋକମାନଙ୍କୁ ଓ ଯିରୂଶାଲମକୁ ତୁମ୍ଭମାନଙ୍କର ଶାନ୍ତି ହେବ ବୋଲି କହିନିଶ୍ଚୟ ଅତିଶୟ ଭ୍ରାନ୍ତ କରିଅଛ; ଯେହେତୁ ଖଡ଼୍‍ଗ ପ୍ରାଣକୁ ଆଘାତ କରୁଅଛି ।

11 ସେସମୟରେ ଏହି ଲୋକମାନଙ୍କୁ ଓ ଯିରୂଶାଲମକୁ କୁହାଯିବ, ପ୍ରାନ୍ତରସ୍ଥ ବୃକ୍ଷଶୂନ୍ୟ ଉଚ୍ଚସ୍ଥଳୀରୁ ଆମ୍ଭ ଲୋକମାନଙ୍କର କନ୍ୟା ଆଡ଼କୁ ଉଷ୍ମ ବାୟୁ ଆସୁଅଛି, ତାହା ଶସ୍ୟ ଝାଡ଼ିବା କି ପରିଷ୍କାର କରିବା ନିମନ୍ତେ ନୁହେଁ;

12 ସେହିସବୁ ସ୍ଥାନରୁ ଘୂର୍ଣ୍ଣିବାୟୁ ଆମ୍ଭ ସପକ୍ଷରେ ଆସିବନ୍ତ ଏବେ ଆମ୍ଭେ ହିଁ ଲୋକମାନଙ୍କ ବିରୁଦ୍ଧରେ ଦଣ୍ଡାଜ୍ଞା ପ୍ରକାଶ କରିବା।

13 ଦେଖ, ସେ ମେଘମାଳା ତୁଲ୍ୟ ଆସୁଅଛି, ତାହାର ରଥସବୁ ଘୂର୍ଣ୍ଣିବାୟୁ ସ୍ୱରୂପ ହେବ; ତାହାର ଅଶ୍ୱଗଣ ଉତ୍କୋଶ ପକ୍ଷୀ ଅପେକ୍ଷା ଦ୍ରୁତଗାମୀ । ହାୟ ହାୟ! ଆମ୍ଭେମାନେ ବିନଷ୍ଟ ହେଲୁ ।

14 ହେ ଯିରୂଶାଲମ, ଉଦ୍ଧାର ପାଇବା ନିମନ୍ତେ ଦୁଷ୍ଟତାରୁ ଆପଣା ହୃଦୟ ଧୁଅ। ତୁମ୍ଭର ମନ୍ଦ କଳ୍ପନାସବୁ କେତେ କାଳ ତୁମ୍ଭ ମଧ୍ୟରେ ବାସ କରିବ ?

15 କାରଣ ଦାନ୍‍ ନଗରଠାରୁ ଏକ ରବ ପ୍ରଚାର କରେ ଓ ଇଫ୍ରୟିମ ପର୍ବତମାଳାରୁ ଅମଙ୍ଗଳ ଘୋଷଣା କରେ;

16 ତୁମ୍ଭେମାନେ ନାନା ଦେଶୀୟମାନଙ୍କୁ ଜଣାଅ; ଦେଖ, ଯିରୂଶାଲମ ବିରୁଦ୍ଧରେ ଘୋଷଣା କର, ଦୂର ଦେଶରୁ ଅବରୋଧକାରୀମାନେ ଆସୁଅଛନ୍ତି ଓ ସେମାନେ ଯିହୁଦାର ନଗରସମୂହର ବିରୁଦ୍ଧରେ ହୁଙ୍କାର କରୁଅଛନ୍ତି ।

17 ସେମାନେ କ୍ଷେତ୍ର-ରକ୍ଷକମାନଙ୍କ ପରି ତାହାର ଚାରିଆଡ଼େ ଅଛନ୍ତି,କାରଣ ସଦାପ୍ରଭୁ କହନ୍ତି, ସେ ଆମ୍ଭର ବିଦ୍ରୋହାଚାରିଣୀ ହୋଇଅଛି ।

18 ତୁମ୍ଭର ଆଚରଣ ଓ ତୁମ୍ଭର କ୍ରିୟା ଏହିସବୁ ତୁମ୍ଭ ପ୍ରତି ଘଟାଇଅଛି; ଏହା ତୁମ୍ଭ ଦୁଷ୍ଟତାର ଫଳ, ହଁ, ତାହା ତିକ୍ତ, ହଁ, ତାହା ମର୍ମଭେଦକ ।

19 ହାୟ, ମୋହର ଅନ୍ତ୍ର ! ମୋହର ଅନ୍ତ୍ର ! ମୁଁ ହୃଦୟରେ ବ୍ୟଥିତ ଅଛି; ମୋର ହୃଦୟ ମୋ' ମଧ୍ୟରେ ଅସ୍ଥିର ହେଉଅଛି; ମୁଁ ନୀରବ ରହି ନ ପାରେନ୍ତ କାରଣ ହେ ମୋହର ପ୍ରାଣ, ତୁମ୍ଭେ ତୂରୀଶବ୍ଦ ଓ ଯୁଦ୍ଧର ନାଦ ଶୁଣିଅଛ ।

20 ବିନାଶ ଉପରେ ବିନାଶ ପ୍ରଚାରିତ ହେଉଅଛି; କାରଣ ସମୁଦାୟ ଦେଶ ଉଚ୍ଛିନ୍ନ ହୋଇଅଛି; ଅକସ୍ମାତ୍‍ ମୋହର ତମ୍ବୁ, ଏକ ନିମିଷ ମଧ୍ୟରେ ମୋହର ଯବନିକାସବୁ ଉଚ୍ଛିନ୍ନ ହେଲା।

21 ମୁଁ କେତେ କାଳ ପତାକା ଦେଖିବି ଓ ତୂରୀର ଶବ୍ଦ ଶୁଣିବି ?

22 କାରଣ ଆମ୍ଭର ଲୋକମାନେ ଅଜ୍ଞାନ, ସେମାନେ ଆମ୍ଭକୁ ଚିହ୍ନନ୍ତି ନାହିଁ; ସେମାନେ ନିର୍ବୋଧ ବାଳକ, ସେମାନଙ୍କର କିଛି ବିବେଚନା ନାହିଁ; ସେମାନେ କୁକର୍ମ କରିବାକୁ ପଟୁ, ମାତ୍ର ସୁକର୍ମ କରିବାକୁ ସେମାନଙ୍କର କିଛି ଜ୍ଞାନ ନାହିଁ ।

23 ମୁଁ ପୃଥିବୀକି ଅନାଇଲି, ଆଉ ଦେଖ, ତାହା ନିର୍ଜନ ଓ ଶୂନ୍ୟ ଥିଲା; ଆକାଶମଣ୍ଡଳକୁ ଅନାଇଲି, ଆଉ ତହିଁରେ ଦୀପ୍ତି ନ ଥିଲା ।

24 ମୁଁ ପର୍ବତମାଳାକୁ ଅନାଇଲି, ଆଉ ଦେଖ, ସେସବୁ କମ୍ପିଲେ ଓ ଉପପର୍ବତସବୁ ଏଣେତେଣେ ଦୋହଲିଲେ।

25 ମୁଁ ଅନାଇଲି, ଆଉ ଦେଖ, କେହି ମନୁଷ୍ୟ ନ ଥିଲା ଓ ଆକାଶର ପକ୍ଷୀସବୁ ପଳାଇ ଯାଇଥିଲେ।

26 ମୁଁ ଅନାଇଲି, ଆଉ ଦେଖ, ସଦାପ୍ରଭୁଙ୍କ ଛାମୁରେ ଓ ତାହାଙ୍କ ପ୍ରଚଣ୍ଡ କ୍ରୋଧ ସମ୍ମୁଖରେ ଉର୍ବରାକ୍ଷେତ୍ର, ମରୁଭୂମି ଓ ତହିଁର ନଗରସକଳ ଭଗ୍ନ ହୋଇଥିଲା ।

27 କାରଣ ସଦାପ୍ରଭୁ ଏହି କଥା କହନ୍ତି, ସମୁଦାୟ ଦେଶ ଧ୍ୱଂସସ୍ଥାନ ହେବ; ତଥାପି ଆମ୍ଭେ ନିଃଶେଷ ରୂପେ ନାଶ କରିବା ନାହିଁ ।

28 ଏଥି ସକାଶୁ ପୃଥିବୀ ଶୋକ କରିବଓ ଉପରିସ୍ଥ ଆକାଶମଣ୍ଡଳ କୃଷ୍ଣବର୍ଣ୍ଣ ହେବ; କାରଣ ଆମ୍ଭେ ଏହା କହିଅଛୁ, ଆମ୍ଭେ ଏହା ମନରେ ସ୍ଥିର କରିଅଛୁ ଓ ଆମ୍ଭେ ଦୁଃଖିତ ହୋଇ ନାହୁଁ, କିଅବା ଆମ୍ଭେ ଏଥିରୁ ଫେରିବୁ ନାହିଁ ।

29 ଅଶ୍ୱାରୋହୀ ଓ ଧନୁର୍ଦ୍ଧାରୀମାନଙ୍କ ରବ ସକାଶୁ ସମୁଦାୟ ନଗର ପଳାୟନ କରେ; ସେମାନେ ନିବିଡ଼ ବନକୁ ଯାଆନ୍ତି ଓ ଶୈଳ ଉପରେ ଚଢ଼ନ୍ତି; ପ୍ରତ୍ୟେକ ନଗର ତ୍ୟକ୍ତ ହୋଇଅଛି ଓ ତହିଁ ମଧ୍ୟରେ ଜଣେ ମନୁଷ୍ୟ ସୁଦ୍ଧା ବାସ କରେ ନାହିଁ ।

30 ଆଉ, ତୁମ୍ଭେ ଯେତେବେଳେ ଉଚ୍ଛିନ୍ନ ହେବ, ସେତେବେଳେ ତୁମ୍ଭେ କଅଣ କରିବ ? ଯଦ୍ୟପି ତୁମ୍ଭେ ସିନ୍ଦୂରବର୍ଣ୍ଣ ବସ୍ତ୍ର ପରିଧାନ କରୁଅଛ, ଯଦ୍ୟପି ତୁମ୍ଭେ ସୁବର୍ଣ୍ଣ ଅଳଙ୍କାରରେ ଆପଣାକୁ ଭୂଷିତା କରୁଅଛ, ଯଦ୍ୟପି ତୁମ୍ଭେ ଅଞ୍ଜନ ଦ୍ୱାରା ଆପଣା ଚକ୍ଷୁ ପ୍ରସାରୁଅଛ, ତଥାପି ତୁମ୍ଭେ ବ୍ୟର୍ଥରେ ଆପଣାକୁ ସୁନ୍ଦର କରୁଅଛ; ତୁମ୍ଭର ଜାରପୁରୁଷମାନେ ତୁମ୍ଭକୁ ଘୃଣା କରନ୍ତି, ସେମାନେ ତୁମ୍ଭ ପ୍ରାଣନାଶ କରିବାକୁ ଚେଷ୍ଟା କରନ୍ତି ।

31 କାରଣ ପ୍ରସବକାରିଣୀ ସ୍ତ୍ରୀର ରବ ପରି, ପ୍ରଥମ ସନ୍ତାନ ପ୍ରସବକାରିଣୀର ବେଦନା ପରି ସିୟୋନ କନ୍ୟାର ରବ ଆମ୍ଭେ ଶୁଣିଅଛୁ, ସେ ଦୀର୍ଘନିଶ୍ୱାସ ଛାଡ଼ି ଓ ଆପଣା ହାତ ପ୍ରସାରିକହୁଅଛି, ହାୟ ହାୟ ! ହତ୍ୟାକାରୀମାନଙ୍କ ଆଗରେ ମୋ' ପ୍ରାଣ ମୂର୍ଚ୍ଛିର୍ତ ହେଲା ।