1 ଅନନ୍ତର ଯିହୁଦାର ରାଜା ସିଦିକୀୟର ଅଧିକାରର ନବମ ବର୍ଷର ଦଶମ ମାସରେ ବାବିଲର ରାଜା ନବୂଖଦ୍‍ନିତ୍ସର ଓ ତାହାର ସମସ୍ତ ସୈନ୍ୟ ଯିରୂଶାଲମର ବିରୁଦ୍ଧରେ ଆସି ତାହା ଅବରୋଧ କଲେ;

2 ସିଦିକୀୟର ଅଧିକାରର ଏକାଦଶ ବର୍ଷର ଚତୁର୍ଥ ମାସର ନବମ ଦିନରେ ନଗରର ଏକ ସ୍ଥାନ ଭଗ୍ନ ହେଲା । ଏହିରୂପେ ଯିରୂଶାଲମ ହସ୍ତଗତ ହୁଅନ୍ତେ,

3 ବାବିଲ ରାଜାର ଅଧିପତିସକଳ, ଅର୍ଥାତ୍‍, ନେର୍ଗଲଶରେତ୍ସର, ସମ୍‍ଗର-ନବୋ, ଶର୍ସଖୀମ୍‍, ରବସାରୀସ୍‍, ନେର୍ଗଲ-ଶରେତ୍ସର, ରବମାଗ୍‍, ପ୍ରଭୃତି ବାବିଲ ରାଜାର ଅବଶିଷ୍ଟ ଅଧିପତି ସମସ୍ତେ ଭିତରେ ଆସି ମଧ୍ୟମ ଦ୍ୱାରରେ ବସିଲେ ।

4 ତହିଁରେ ଯିହୁଦାର ରାଜା ସିଦିକୀୟ ଓ ଯୋଦ୍ଧା ସମସ୍ତେ ସେମାନଙ୍କୁ ଦେଖି ପଳାଇଗଲେ, ସେମାନେ ରାତ୍ରିକାଳରେ ରାଜାର ଉଦ୍ୟାନ ନିକଟସ୍ଥ ପଥ ଦେଇ ଦୁଇ ପ୍ରାଚୀରର ମଧ୍ୟସ୍ଥିତ ଦ୍ୱାରରେ ନଗରରୁ ବାହାରିଗଲେନ୍ତ ପୁଣି, ସେ ଆରାବା ପଥରେ ଚାଲିଗଲା ।

5 ମାତ୍ର କଲ୍‍ଦୀୟମାନଙ୍କ ସୈନ୍ୟ ସେମାନଙ୍କ ପଛେ ଗୋଡ଼ାଇ ଯିରୀହୋ-ପଦାରେ ସିଦିକୀୟ ନିକଟରେ ପହଞ୍ଚିଲେ ଓ ତାହାକୁ ଧରି ହମାତ୍‍ ଦେଶସ୍ଥ ରିବ୍ଲାରେ ବାବିଲର ରାଜା ନବୂଖଦ୍‍ନିତ୍ସର ନିକଟକୁ ଆଣିଲେ, ତହିଁରେ ସେ ତାହାର ଦଣ୍ଡାଜ୍ଞା ଦେଲା ।

6 ପୁଣି,ବାବିଲର ରାଜା ରିବ୍ଲାରେ ସିଦିକୀୟର ଦୃଷ୍ଟିଗୋଚରରେତାହାର ପୁତ୍ରମାନଙ୍କୁ ବଧ କଲା; ମଧ୍ୟ ବାବିଲର ରାଜା ଯିହୁଦାର ଅଧିପତି ସମସ୍ତଙ୍କୁ ବଧ କଲା ।

7 ଆହୁରି, ସେ ସିଦିକୀୟର ଚକ୍ଷୁ ଉପାଡ଼ିତାହାକୁ ବାବିଲକୁ ନେଇଯିବା ନିମନ୍ତେ ଶୃଙ୍ଖଳରେ ବଦ୍ଧ କଲା ।

8 ପୁଣି, କଲ୍‍ଦୀୟମାନେ ରାଜାର ଗୃହ ଓ ଲୋକମାନଙ୍କର ଗୃହସବୁ ଅଗ୍ନିରେ ଦଗ୍‍ଧ କଲେ, ଆଉ ଯିରୂଶାଲମର ପ୍ରାଚୀରସବୁ ଭାଙ୍ଗି ପକାଇଲେ ।

9 ପୁଣି, ପ୍ରହରୀବର୍ଗର ସେନାପତି ନବୁସର୍‍ଦନ୍‍, ନଗରରେ ଥିବା ଅବଶିଷ୍ଟ ଲୋକମାନଙ୍କୁ, ମଧ୍ୟ ତାହାର ପକ୍ଷ ହୋଇଥିବା ପଳାତକମାନଙ୍କୁ ବନ୍ଦୀକରି ବାବିଲକୁ ନେଇଗଲା ।

10 ମାତ୍ର ପ୍ରହରୀବର୍ଗର ସେନାପତି ନବୂସର୍‍ଦନ୍‍, କେତେଗୁଡ଼ିଏ ଦୀନ ଦରିଦ୍ର ଲୋକଙ୍କୁ ଯିହୁଦା ଦେଶରେ ଛାଡ଼ିକରି ଗଲା, ଆଉ ସେହି ସମୟରେ ସେମାନଙ୍କୁ ଦ୍ରାକ୍ଷାକ୍ଷେତ୍ର ଓ ଭୂମି ଦେଲା ।

11 ପୁଣି, ବାବିଲର ରାଜା ନବୂଖଦ୍‍ନିତ୍ସର ଯିରିମୀୟଙ୍କ ବିଷୟରେ ପ୍ରହରୀବର୍ଗର ସେନାପତି ନବୂସର୍‍ଦନ୍‍କୁ ଏହି ଆଜ୍ଞା କଲା,

12 ତୁମ୍ଭେ ତାଙ୍କୁ ନେଇ ଭଲ ରୂପେ ତାଙ୍କର ତତ୍ତ୍ୱାବଧାନ କର ଓ ତାଙ୍କର କୌଣସି କ୍ଷତି କର ନାହିଁ; ପୁଣି, ସେ ଯେପରି ତୁମ୍ଭକୁ କହନ୍ତି, ସେପରି ତାଙ୍କ ପ୍ରତି କର ।

13 ତହିଁରେ ପ୍ରହରୀବର୍ଗର ସେନାପତି ନବୂସର୍‍ଦନ୍‍ ଓ ନବୂଶସ୍‍ବନ୍‍, ରବସାରୀସ୍‍ ଓ ନେର୍ଗଲ-ଶରେତ୍ସର, ରବମାଗ୍‍ ଓ ବାବିଲ ରାଜାର ସମସ୍ତ ପ୍ରଧାନବର୍ଗ ଲୋକ ପଠାଇଲେ ।

14 ସେମାନେ ଲୋକ ପଠାଇ ପ୍ରହରୀ-ପ୍ରାଙ୍ଗଣରୁ ଯିରିମୀୟଙ୍କୁ ଆଣିଲେ, ପୁଣି ଗୃହକୁ ନେଇଯିବା ନିମନ୍ତେ ତାଙ୍କୁ ଶାଫନର ପୌତ୍ର ଅହୀକାମର ପୁତ୍ର ଗଦଲୀୟର ହସ୍ତରେ ସମର୍ପଣ କଲେ; ତହିଁରେ ଯିରିମୀୟ ଲୋକମାନଙ୍କ ମଧ୍ୟରେ ବାସ କଲେ ।

15 ଯିରିମୀୟ ପ୍ରହରୀ-ପ୍ରାଙ୍ଗଣରେ ବନ୍ଦ ଥିବା ସମୟରେ, ତାହାଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା ।

16 ତୁମ୍ଭେ ଯାଇ କୁଶୀୟ ଏବଦ୍‍-ମେଲକକୁ କୁହ, ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି; ଦେଖ, ମଙ୍ଗଳର ନିମନ୍ତେ ନୁହେଁ, ମାତ୍ର ଅମଙ୍ଗଳର ନିମନ୍ତେ ଆମ୍ଭେ ଏହି ନଗର ଉପରେ ଆପଣାର ବାକ୍ୟ ସବୁ ସଫଳ କରିବା; ପୁଣି, ସେଦିନ ତୁମ୍ଭ ସାକ୍ଷାତରେ ସେସବୁ ସଫଳ ହେବ ।

17 ମାତ୍ର ସଦାପ୍ରଭୁ କହନ୍ତି, ସେଦିନରେ ଆମ୍ଭେ ତୁମ୍ଭକୁ ଉଦ୍ଧାର କରିବା; ପୁଣି, ତୁମ୍ଭେ ଯେଉଁ ଲୋକମାନଙ୍କ ବିଷୟରେ ଭୟ କରୁଅଛ, ସେମାନଙ୍କ ହସ୍ତରେ ସମର୍ପିତ ନୋହିବ ।

18 କାରଣ ଆମ୍ଭେ ନିଶ୍ଚୟ ତୁମ୍ଭକୁ ରକ୍ଷା କରିବା, ତୁମ୍ଭେ ଖଡ଼୍‍ଗରେ ପତିତ ହେବ ନାହିଁ, ମାତ୍ର ତୁମ୍ଭ ପ୍ରାଣ ତୁମ୍ଭ ପ୍ରତି ଲୁଟିତ ଦ୍ରବ୍ୟ ସ୍ୱରୂପ ହେବ: ଯେହେତୁ ତୁମ୍ଭେ ଆମ୍ଭଠାରେ ବିଶ୍ୱାସ କରିଅଛ, ଏହା ସଦାପ୍ରଭୁ କହନ୍ତି ।