1 ସଦାପ୍ରଭୁ କହନ୍ତି, ସେ ସମୟରେ ଆମ୍ଭେ ଇସ୍ରାଏଲର ସମୁଦାୟ ଗୋଷ୍ଠୀର ପରମେଶ୍ୱର ହେବା ଓ ସେମାନେ ଆମ୍ଭର ଲୋକ ହେବେ ।
2 ସଦାପ୍ରଭୁ ଏହି କଥା କହନ୍ତି, ଖଡ଼୍ଗରୁ ରକ୍ଷାପ୍ରାପ୍ତ ଲୋକମାନେ ପ୍ରାନ୍ତରରେ ଅନୁଗ୍ରହ ପ୍ରାପ୍ତ ହେଲେ, ଅର୍ଥାତ୍, ଆମ୍ଭେ ତାହାକୁ ବିଶ୍ରାମ ଦେବା ପାଇଁ ଗମନ କଲା ବେଳେ ଇସ୍ରାଏଲ ତାହା ପ୍ରାପ୍ତ ହେଲା ।
3 ସଦାପ୍ରଭୁ ପୁରାତନ କାଳରେ ମୋତେ ଦର୍ଶନ ଦେଇ କହିଲେ, ହଁ, ଆମ୍ଭେ ଚିରସ୍ଥାୟୀ ପ୍ରେମରେତୁମ୍ଭକୁ ପ୍ରେମ କରି ଆସିଅଛୁ, ଏହେତୁ ସ୍ନେହପୂର୍ଣ୍ଣ କରୁଣାରେ ଆମ୍ଭେ ତୁମ୍ଭକୁ ଆକର୍ଷଣ କରିଅଛୁ ।
4 ହେ ଇସ୍ରାଏଲ କୁମାରୀ, ଆମ୍ଭେ ତୁମ୍ଭକୁ ପୁନର୍ବାର ଗଢ଼ିବା ଓ ତୁମ୍ଭେ ଗଢ଼ାଯିବନ୍ତ ତୁମ୍ଭେ ପୁନର୍ବାର ଆପଣା ତବଲରେ ବିଭୂଷିତା ହେବ ଓ ଆନନ୍ଦକାରୀମାନଙ୍କ ସଙ୍ଗେ ନୃତ୍ୟ କରି ଗମନ କରିବ ।
5 ତୁମ୍ଭେ ପୁନର୍ବାର ଶମରୀୟାର ପର୍ବତରେ ଦ୍ରାକ୍ଷାକ୍ଷେତ୍ର ପ୍ରସ୍ତୁତ କରିବ, ରୋପଣକାରୀମାନେ ରୋପଣ କରି ତହିଁର ଫଳ ଭୋଗ କରିବେ ।
6 କାରଣ ଯେଉଁ ଦିନରେ ପ୍ରହରୀମାନେ ଇଫ୍ରୟିମ ପର୍ବତରେ ଘୋଷଣା କରି କହିବେ, ଉଠ, ଆମ୍ଭେମାନେ ସିୟୋନକୁ, ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଛାମୁକୁ ଯାଉ,ଏପରି ଦିନ ଆସିବ ।
7 କାରଣ ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ଯାକୁବ ନିମନ୍ତେ ଆନନ୍ଦରେ ଗାନ କର ଓ ଗୋଷ୍ଠୀବର୍ଗର ଅଗ୍ରଗଣ୍ୟ ନିମନ୍ତେ ଜୟଧ୍ୱନି କର; ତୁମ୍ଭେମାନେ ପ୍ରଚାର କରି, ପ୍ରଶଂସା କରି କୁହ, ହେ ସଦାପ୍ରଭୁ, ତୁମ୍ଭେ ଆପଣା ଲୋକ ଇସ୍ରାଏଲର ଅବଶିଷ୍ଟାଂଶକୁ ପରିତ୍ରାଣ କର ।
8 ଦେଖ, ଆମ୍ଭେ ସେମାନଙ୍କୁ ଉତ୍ତର ଦେଶରୁ ଆଣିବା, ପୁଣି ପୃଥିବୀର ପ୍ରାନ୍ତଭାଗରୁ ସେମାନଙ୍କୁ ଓ ସେମାନଙ୍କ ସହିତ ଅନ୍ଧ ଓ ଛୋଟା, ଗର୍ଭବତୀ ଓ ପ୍ରସବବେଦନାଗ୍ରସ୍ତା ସ୍ତ୍ରୀକି ଏକତ୍ର ସଂଗ୍ରହ କରିବା; ସେମାନେ ମହାଲୋକାରଣ୍ୟ ହୋଇ ଏସ୍ଥାନକୁ ଆସିବେ ।
9 ସେମାନେ କ୍ରନ୍ଦନ କରୁ କରୁ ଆମ୍ଭ ଦ୍ୱାରା ଆନୀତ ହେବେ,ଆମ୍ଭେ ସେମାନଙ୍କୁ ସଜଳ ନଦୀମାନର ନିକଟ ଦେଇ ସଳଖ ପଥରେ ଗମନ କରାଇବା, ସେ ପଥରେ ସେମାନେ ଝୁଣ୍ଟିବେ ନାହିଁ; କାରଣ ଆମ୍ଭେ ଇସ୍ରାଏଲର ପିତା ଓ ଇଫ୍ରୟିମ ଆମ୍ଭର ପ୍ରଥମଜାତ ସନ୍ତାନ ।
10 ହେ ଗୋଷ୍ଠୀବର୍ଗ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ ଓ ଦୂରସ୍ଥ ଦ୍ୱୀପସମୂହରେ ତାହା ପ୍ରଚାର କରି କୁହ, ଯେ ଇସ୍ରାଏଲକୁ ଛିନ୍ନଭିନ୍ନ କଲେ, ସେ ତାହାକୁ ସଂଗ୍ରହ କରିବେ,ଆଉ ପାଳକ ଯେପରି ଆପଣା ପଲ ରକ୍ଷା କରେ, ସେପରି ସେ ତାହାକୁ ରକ୍ଷା କରିବେ ।
11 କାରଣ ସଦାପ୍ରଭୁ ଯାକୁବକୁ ଉଦ୍ଧାର କରିଅଛନ୍ତି ଓ ତାହା ଅପେକ୍ଷା ବଳବାନର ହସ୍ତରୁତାହାକୁ ମୁକ୍ତ କରିଅଛନ୍ତି ।
12 ପୁଣି, ସେମାନେ ଆସି ସିୟୋନର ଶୃଙ୍ଗରେଗାନ କରିବେ ଓ ସ୍ରୋତ ତୁଲ୍ୟ ସଦାପ୍ରଭୁଙ୍କ ଉତ୍ତମତାର ନିକଟକୁ, ଶସ୍ୟ ଓ ଦ୍ରାକ୍ଷାରସ, ତୈଳ ଓ ପଲର ମେଷବତ୍ସ ଓ ଗୋପଲର ଗୋବତ୍ସ ନିକଟକୁ ବହି ଆସିବେ ଓ ସେମାନଙ୍କର ପ୍ରାଣ ସୁସିକ୍ତ ଉଦ୍ୟାନ ତୁଲ୍ୟ ହେବ; ପୁଣି, ସେମାନେ ଆଉ କିଛି ଶୋକ କରିବେ ନାହିଁ ।
13 ସେତେବେଳେ କୁମାରୀଗଣ ନୃତ୍ୟରେ, ପୁଣି, ଯୁବା ଓ ବୃଦ୍ଧମାନେ ଏକତ୍ର ଆନନ୍ଦ କରିବେ, କାରଣ ଆମ୍ଭେ ସେମାନଙ୍କ ଶୋକକୁ ଆନନ୍ଦରେ ପରିଣତ କରିବା, ଆମ୍ଭେ ସେମାନଙ୍କୁ ସାନ୍ତ୍ୱନା କରିବା ଓ ସେମାନଙ୍କ ଦୁଃଖରୁ ସେମାନଙ୍କୁ ଆନନ୍ଦିତ କରିବା ।
14 ଆଉ, ଆମ୍ଭେ ପୁଷ୍ଟିକର ଦ୍ରବ୍ୟରେ ଯାଜକମାନଙ୍କର ପ୍ରାଣ ପରିତୃପ୍ତ କରିବା ଓ ଆମ୍ଭର ଲୋକମାନେ ଆମ୍ଭର ଉତ୍ତମତାରେ ପରିତୃପ୍ତ ହେବେ, ଏହା ସଦାପ୍ରଭୁ କହନ୍ତି ।
15 ସଦାପ୍ରଭୁ ଏହି କଥା କହନ୍ତି, ରାମାରେ ହାହାକାର ଓ ତୀବ୍ର ରୋଦନର ଶବ୍ଦ ଶୁଣାଯାଏ, ରାହେଲ ଆପଣା ସନ୍ତାନମାନଙ୍କ ନିମନ୍ତେ ରୋଦନ କରୁଅଛି; ସେ ଆପଣା ସନ୍ତାନଗଣର ବିଷୟରେ ପ୍ରବୋଧକଥା ମାନୁ ନାହିଁ, କାରଣ ସେମାନେ ନାହାନ୍ତି ।
16 ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭ କ୍ରନ୍ଦନର ଶବ୍ଦ ଓ ଚକ୍ଷୁର ଲୋତକ ନିବୃତ୍ତ କର; କାରଣ ତୁମ୍ଭ କର୍ମର ପୁରସ୍କାର ଦତ୍ତ ହେବ, ଏହା ସଦାପ୍ରଭୁ କହନ୍ତି; ଆଉ, ସେମାନେ ଶତ୍ରୁର ଦେଶରୁ ଫେରି ଆସିବେ ।
17 ସଦାପ୍ରଭୁ କହନ୍ତି, ତୁମ୍ଭର ଅନ୍ତିମ କାଳ ବିଷୟରେ ପ୍ରତ୍ୟାଶା ଅଛି; ଆଉ, ତୁମ୍ଭର ସନ୍ତାନଗଣ ପୁନର୍ବାର ଆପଣାମାନଙ୍କର ସୀମାକୁ ଆସିବେ ।
18 ଆମ୍ଭେ ନିଶ୍ଚୟ ଇଫ୍ରୟିମକୁ ଆପଣା ବିଷୟରେ ବିଳାପ କରି ଏହି ପ୍ରକାର କହିବା ଶୁଣିଅଛୁ, ମୁଁ ଅମଣା ବାଛୁରି ପରି ବୋଲି ତୁମ୍ଭେ ମୋତେ ଶାସ୍ତି ଦେଇଅଛ ଓ ମୁଁ ଶାସ୍ତି ଭୋଗ କରିଅଛି; ତୁମ୍ଭେ ମୋତେ ଫେରାଅ, ତହିଁରେ ମୁଁ ଫେରିବି; କାରଣ ତୁମ୍ଭେ ସଦାପ୍ରଭୁ ମୋହର ପରମେଶ୍ୱର ।
19 ମୁଁ ଫେରିଲା ଉତ୍ତାରେ ନିତାନ୍ତ ଅନୁତାପ କଲି ଓ ଶିକ୍ଷା ପାଇଲା ଉତ୍ତାରେ ଆପଣା ଊରୁ ଦେଶରେ ଆଘାତ କଲି; ମୁଁ ଆପଣା ଯୌବନ କାଳରେ ଅପମାନ ଭୋଗ କରିବାରୁ ଲଜ୍ଜିତ ଓ ବ୍ୟାକୁଳ ହେଲି ।
20 ଇଫ୍ରୟିମ କି ଆମ୍ଭର ପ୍ରିୟ ପୁତ୍ର ? ସେ କି ଆନନ୍ଦ- ଦାୟୀ ବାଳକ ? କାରଣ ଆମ୍ଭେ ଯେତେ ଥର ତାହା ବିରୁଦ୍ଧରେ କଥା କହୁ, ସେତେ ଥର ଆଗ୍ରହରେ ଆମ୍ଭେ ତାହାକୁ ସ୍ମରଣ କରୁ; ଏଥିପାଇଁ ତାହା ନିମନ୍ତେ ଆମ୍ଭର ଅନ୍ତର ବ୍ୟାକୁଳ ହୁଏ; ଆମ୍ଭେ ଅବଶ୍ୟ ତାହାକୁ ଦୟା କରିବା, ଏହା ସଦାପ୍ରଭୁ କହନ୍ତି।
21 ତୁମ୍ଭେ ସ୍ଥାନେ ସ୍ଥାନେ ଆପଣା ପାଇଁ ପଥଚିହ୍ନ ରଖ ଓ ପଥପ୍ରଦର୍ଶକ ସ୍ତମ୍ଭ ନିର୍ମାଣ କର; ତୁମ୍ଭେ ଯେଉଁ ପଥରେ ଗମନ କରିଥିଲ, ସେହି ରାଜ ପଥରେ ମନୋନିବେଶ କର; ହେ ଇସ୍ରାଏଲ କୁମାରୀ, ଫେରି ଆସ, ତୁମ୍ଭର ଏହିସବୁ ନଗରକୁ ଫେରି ଆସ ।
22 ହେ ବିପଥଗାମିନୀକନ୍ୟେ, ତୁମ୍ଭେ କେତେ କାଳ ଏଣେତେଣେ ଭ୍ରମଣ କରିବ? କାରଣ ସଦାପ୍ରଭୁ ପୃଥିବୀରେ ଏକ ନୂତନ ବିଷୟ ସୃଷ୍ଟି କରିଅଛନ୍ତି, ଜଣେ ସ୍ତ୍ରୀ ଜଣେ ପୁରୁଷକୁ ବେଷ୍ଟନ କରିବ ।
23 ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି: ଆମ୍ଭେ ଯେଉଁ ସମୟରେ ସେମାନଙ୍କର ବନ୍ଦୀତ୍ୱାବସ୍ଥା ପରିବର୍ତ୍ତନ କରିବା, ସେସମୟରେ ଯିହୁଦା ଦେଶରେ ଓ ତହିଁର ନଗରସକଳରେ ସେମାନେ ପୁନର୍ବାର ଏହି କଥା ବ୍ୟବହାର କରିବେ, "ହେ ଧର୍ମନିବାସ,ହେ ପବିତ୍ର ପର୍ବତ, ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ ।''।
24 ପୁଣି, ଯିହୁଦା ଓ ତହିଁର ନଗରସକଳ, ଆଉ କୃଷକ ଓ ପଲ ନେଇ ଭ୍ରମଣକାରୀମାନେ ତହିଁ ମଧ୍ୟରେ ଏକତ୍ର ବାସ କରିବେ।
25 କାରଣ ଆମ୍ଭେ କ୍ଳାନ୍ତ ପ୍ରାଣକୁ ପରିତୃପ୍ତ କରିଅଛୁ, ପ୍ରତ୍ୟେକ ଦୁଃଖିତ ପ୍ରାଣକୁ ପରିପୂର୍ଣ୍ଣ କରିଅଛୁ ।
26 ଏଥିରେ ମୁଁ ଜାଗ୍ରତ ହୋଇ ଦେଖିଲି ଓ ମୋର ନିଦ୍ରା ମୋ' ପ୍ରତି ସୁଖଦାୟକ ଥିଲା ।
27 ସଦାପ୍ରଭୁ କହନ୍ତି, ଦେଖ, ଯେଉଁ ସମୟରେ ଆମ୍ଭେ ଇସ୍ରାଏଲ-ବଂଶ ଓ ଯିହୁଦା-ବଂଶ ମଧ୍ୟରେ ମନୁଷ୍ୟ ଓ ପଶୁରୂପ ବୀଜ ବପନ କରିବା,ଏପରି ସମୟ ଆସୁଛି ।
28 ଆଉ, ଆମ୍ଭେ ଯେପରି ସେମାନଙ୍କୁ ଉତ୍ପାଟନ, ଭଗ୍ନ, ନିପାତ ଓ ବିନାଶ କରିବାକୁ ଓ କ୍ଳେଶ ଦେବାକୁଜଗି ରହିଲୁ; ସେପରି ସେମାନଙ୍କୁ ନିର୍ମାଣ ଓ ରୋପଣ କରିବା ପାଇଁଜଗି ରହିବା, ଏହା ସଦାପ୍ରଭୁ କହନ୍ତି ।
29 ପିତୃଗଣ ଅମ୍ଳ ଦ୍ରାକ୍ଷାଫଳ ଖାଇଲେ, ଆଉ ସନ୍ତାନଗଣର ଦାନ୍ତ ଖଟା ହୋଇଅଛି, ଏପରି କଥା ସେସମୟରେ ଆଉ କୁହା ଯିବ ନାହିଁ ।
30 ମାତ୍ର ପ୍ରତ୍ୟେକ ଲୋକ ନିଜ ଅଧର୍ମ ସକାଶୁ ମରିବ, ଆଉ ଯେଉଁ ଜନ ଅମ୍ଳ ଦ୍ରାକ୍ଷାଫଳ ଖାଏ, ତାହାରି ଦାନ୍ତ ଖଟା ହେବ ।
31 ସଦାପ୍ରଭୁ କହନ୍ତି, ଦେଖ, ଯେଉଁ ସମୟରେ ଆମ୍ଭେ ଇସ୍ରାଏଲ-ବଂଶ ଓ ଯିହୁଦା-ବଂଶ ସହିତ ଏକ ନୂତନ ନିୟମସ୍ଥାପନ କରିବା, ଏପରି ସମୟ ଆସୁଅଛି;
32 ମିସର ଦେଶରୁ ସେମାନଙ୍କର ପିତୃପୁରୁଷଗଣକୁ ବାହାର କରି ଆଣିବା ନିମନ୍ତେ ଆମ୍ଭେ ସେମାନଙ୍କର ହସ୍ତ ଧରିବା ଦିନସେମାନଙ୍କ ସହିତ ଆମ୍ଭର କୃତ ନିୟମାନୁସାରେ ନୁହେଁ; ସଦାପ୍ରଭୁ କହନ୍ତି, ଆମ୍ଭେ ସେମାନଙ୍କ ସ୍ୱାମୀ ହେଲେ ହେଁ ସେମାନେ ଆମ୍ଭର ସେହି ନିୟମ ଲଙ୍ଘନ କଲେ ।
33 ମାତ୍ର ସଦାପ୍ରଭୁ କହନ୍ତି, ସେହି ସକଳ ଦିନର ଉତ୍ତାରେ ଆମ୍ଭେ ଇସ୍ରାଏଲ-ବଂଶ ସହିତ ଏହି ନିୟମ ସ୍ଥିର କରିବା; ଆମ୍ଭେ ସେମାନଙ୍କ ଅନ୍ତରରେ ଆମ୍ଭର ବ୍ୟବସ୍ଥା ରଖିବା ଓ ସେମାନଙ୍କ ହୃଦୟରେ ଆମ୍ଭେ ତାହା ଲେଖିବା; ଆଉ, ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା ଓ ସେମାନେ ଆମ୍ଭର ଲୋକ ହେବେ;
34 ପୁଣି, ତୁମ୍ଭେମାନେ ପରମେଶ୍ୱରଙ୍କୁ ଜ୍ଞାତ ହୁଅ ବୋଲି କହି ସେମାନେ ପ୍ରତ୍ୟେକେ ଆପଣା ଆପଣା ପ୍ରତିବାସୀକି ଓ ପ୍ରତ୍ୟେକେ ଆପଣା ଆପଣା ଭ୍ରାତାକୁ ଆଉ ଶିକ୍ଷା ଦେବେ ନାହିଁ; କାରଣ ସଦାପ୍ରଭୁ କହନ୍ତି, ସେମାନଙ୍କର କ୍ଷୁଦ୍ରତମଠାରୁ ମହତ୍ତମ ପର୍ଯ୍ୟନ୍ତ ସମସ୍ତେ ଆମ୍ଭକୁ ଜ୍ଞାତ ହେବେ; ଯେହେତୁ ଆମ୍ଭେ ସେମାନଙ୍କର ଅପରାଧ କ୍ଷମା କରିବା ଓ ସେମାନଙ୍କର ପାପ ଆମ୍ଭେ ଆଉ ସ୍ମରଣ କରିବା ନାହିଁ ।
35 ଦିବସରେ ଜ୍ୟୋତିଃ ଦେବା ପାଇଁ ଯେ ସୂର୍ଯ୍ୟ ପ୍ରଦାନ କରନ୍ତି ଓ ରାତ୍ରିରେ ଜ୍ୟୋତିଃ ଦେବା ପାଇଁ ଯେ ଚନ୍ଦ୍ରର ଓ ନକ୍ଷତ୍ରଗଣର ବିଧାନାଦି ସ୍ଥାପନ କରନ୍ତି, ଯେ ସମୁଦ୍ରକୁ ସଞ୍ଚାଳିତ କରି ତହିଁର ତରଙ୍ଗସମୂହକୁ ଗର୍ଜନ କରାନ୍ତି, ସୈନ୍ୟାଧିପତି ସଦାପ୍ରଭୁଙ୍କ ନାମରେ ଖ୍ୟାତ ସେହି ସଦାପ୍ରଭୁ ଏହି କଥା କହନ୍ତି :
36 ଯେବେ ଏହି ସକଳ ବିଧାନ ଆମ୍ଭ ସମ୍ମୁଖରୁ ବିଚଳିତ ହୁଏ,ତେବେ ଇସ୍ରାଏଲ-ବଂଶ ହିଁ ଆମ୍ଭ ସମ୍ମୁଖରେ ସଦାକାଳ ଏକ ଗୋଷ୍ଠୀ ହୋଇ ରହିବା ପାଇଁ ନିବୃତ୍ତ ହେବେ, ଏହା ପ୍ରଭୁ କହନ୍ତି ।
37 ସଦାପ୍ରଭୁ ଏହି କଥା କହନ୍ତି: ଯେବେ ଊର୍ଦ୍ଧ୍ବସ୍ଥ ଆକାଶମଣ୍ଡଳ ପରିମିତ ହୋଇ ପାରେ ଓ ଅଧଃସ୍ଥ ପୃଥିବୀର ମୂଳ ଅନୁସନ୍ଧାନ କରାଯାଇ ପାରେ, ତେବେ ଆମ୍ଭେ ମଧ୍ୟ ଇସ୍ରାଏଲ-ବଂଶର କୃତ ସକଳ କ୍ରିୟା ସକାଶୁ ସେମାନଙ୍କୁ ଦୂର କରି ଦେବା, ଏହା ସଦାପ୍ରଭୁ କହନ୍ତି ।
38 ସଦାପ୍ରଭୁ କହନ୍ତି, ଦେଖ, ଯେଉଁ ସମୟରେ ନଗର ହନନେଲର ଦୁର୍ଗଠାରୁ କୋଣ-ଦ୍ୱାର ପର୍ଯ୍ୟନ୍ତସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିର୍ମିତ ହେବ, ଏପରି ସମୟ ଆସୁଅଛି ।
39 ଆଉ, ସେଠାରୁ ପରିମାଣ-ରଜ୍ଜୁ ଗାରେବ୍ ଉପପର୍ବତ ପର୍ଯ୍ୟନ୍ତ ସଳଖ ଯିବ ଓ ବୁଲି ଗୋୟା ପର୍ଯ୍ୟନ୍ତ ଯିବ ।
40 ପୁଣି, ଶବ ଓ ଭସ୍ମର ସମୁଦାୟ ଉପତ୍ୟକା ଓ କିଦ୍ରୋଣ ସ୍ରୋତ ପର୍ଯ୍ୟନ୍ତ ସକଳ କ୍ଷେତ୍ର, ପୂର୍ବଦିଗସ୍ଥ ଅଶ୍ୱଦ୍ୱାରର କୋଣ ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବ; ତାହା ସଦା କାଳ ପର୍ଯ୍ୟନ୍ତ ଆଉ ଉତ୍ପାଟିତ କିଅବା ନିପାତିତ ନୋହିବ ।