1 ଯୋଶୀୟର ପୁତ୍ର ଯିହୁଦାର ରାଜା ଯିହୋୟାକୀମ୍‍ର ରାଜତ୍ୱର ଆରମ୍ଭରେ ସଦାପ୍ରଭୁଙ୍କଠାରୁ ଏହି ବାକ୍ୟ ଉପସ୍ଥିତ ହେଲା,

2 ଯଥା, ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭେ ସଦାପ୍ରଭୁଙ୍କ ଗୃହର ପ୍ରାଙ୍ଗଣରେଠିଆ ହୁଅ ଓ ସଦାପ୍ରଭୁଙ୍କ ଗୃହରେ ପ୍ରମାଣ କରିବା ପାଇଁ ଯିହୁଦାର ନଗରସମୂହରୁ ଆଗତ ଲୋକମାନଙ୍କୁ ଯେଉଁ ସକଳ କଥା କହିବା ପାଇଁ ଆମ୍ଭେ ତୁମ୍ଭକୁ ଆଜ୍ଞା କରୁ, ତାହାସବୁ ସେମାନଙ୍କୁ କୁହନ୍ତ ଗୋଟିଏ କଥା ଛାଡ଼ ନାହିଁ ।

3 ହୋଇପାରେ, ସେମାନେ ମନୋଯୋଗ କରି ପ୍ରତ୍ୟେକେ ଆପଣା ଆପଣା କୁପଥରୁ ଫେରିବେ; ତାହାହେଲେ ସେମାନଙ୍କ ଆଚରଣର ଦୁଷ୍ଟତା ହେତୁ ଆମ୍ଭେ ସେମାନଙ୍କ ପ୍ରତି ଯେଉଁ ଅମଙ୍ଗଳ ଘଟାଇବାକୁ ମନସ୍ଥ କରିଅଛୁ, ତହିଁରୁ ନିବୃତ୍ତ ହେବା ।

4 ପୁଣି, ତୁମ୍ଭେ ସେମାନଙ୍କୁ କୁହ, ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ଯେବେ ତୁମ୍ଭମାନଙ୍କ ସମ୍ମୁଖରେ ଆମ୍ଭର ସ୍ଥାପିତ ବ୍ୟବସ୍ଥାନୁସାରେ ଚାଲିବା ପାଇଁ ଆମ୍ଭ ବାକ୍ୟରେ ମନୋଯୋଗ ନ କରିବ,

5 ଆମ୍ଭର ଯେଉଁ ଦାସ ଭବିଷ୍ୟଦ୍‍ବକ୍ତାଗଣକୁ ଆମ୍ଭେ ଅତି ପ୍ରଭାତରେ ଉଠି ତୁମ୍ଭମାନଙ୍କ ନିକଟକୁ ପଠାଇ ଆସିଅଛୁ, ମାତ୍ର ତୁମ୍ଭେମାନେ ମନୋଯୋଗ କରି ନାହଁ, ସେମାନଙ୍କ ବାକ୍ୟରେ ଯେବେ ତୁମ୍ଭେମାନେ ମନୋଯୋଗ ନ କରିବ;

6 ତେବେ ଆମ୍ଭେ ଏହି ଗୃହକୁ ଶୀଲୋର ସମାନ କରିବା ଓ ଏହି ନଗରକୁ ପୃଥିବୀସ୍ଥ ସକଳ ଗୋଷ୍ଠୀର ଅଭିଶାପାସ୍ପଦ କରିବା ।

7 ପୁଣି, ଯିରିମୀୟ ସଦାପ୍ରଭୁଙ୍କ ଗୃହରେ ଏହିସବୁ କଥା କହିବାର ଯାଜକମାନେ ଓ ଭବିଷ୍ୟଦ୍‍ବକ୍ତାମାନେ ଓ ଲୋକ ସମସ୍ତେ ଶୁଣିଲେ ।

8 ଆଉ, ଯିରିମୀୟ ସମସ୍ତ ଲୋକଙ୍କ ନିକଟରେ ସଦାପ୍ରଭୁଙ୍କର ଆଜ୍ଞାପିତ ସକଳ କଥା କହିବାର ସମାପ୍ତ କଲା ଉତ୍ତାରେ, ଯାଜକ ଓ ଭବିଷ୍ୟଦ୍‍ବକ୍ତାମାନେ ଓ ଲୋକ ସମସ୍ତେ ତାଙ୍କୁ ଧରି କହିଲେ, ତୁମ୍ଭେ ନିଶ୍ଚୟ ମରିବ ।

9 ଏହି ଗୃହ ଶୀଲୋ ସମାନ ଓ ଏହି ନଗର ଉଚ୍ଛିନ୍ନ ଓ ନିବାସୀବିହୀନହେବ ବୋଲି ତୁମ୍ଭେ କାହିଁକି ସଦାପ୍ରଭୁଙ୍କ ନାମରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲ ? ଆଉ, ସଦାପ୍ରଭୁଙ୍କ ଗୃହରେ ସମସ୍ତ ଲୋକ ଯିରିମୀୟଙ୍କ ନିକଟରେ ରୁଣ୍ଡ ହେଲେ ।

10 ଅନନ୍ତର ଯିହୁଦାର ଅଧିପତିମାନେ ଏହିସବୁ ବିଷୟ ଶୁଣି ରାଜଗୃହରୁ ସଦାପ୍ରଭୁଙ୍କ ଗୃହକୁ ଆସିଲେ ଓ ସଦାପ୍ରଭୁଙ୍କ ଗୃହର ନୂତନ ଦ୍ୱାରର ପ୍ରବେଶ ସ୍ଥାନରେ ବସିଲେ ।

11 ତହିଁରେ ଯାଜକମାନେ ଓ ଭବିଷ୍ୟଦ୍‍ବକ୍ତାମାନେ, ଅଧିପତିମାନଙ୍କୁ ଓ ଲୋକ ସମସ୍ତଙ୍କୁ ଏହି କଥା କହିଲେ, ଏହି ମନୁଷ୍ୟ ପ୍ରାଣଦଣ୍ଡର ଯୋଗ୍ୟ; କାରଣ ସେ ଏହି ନଗର ବିରୁଦ୍ଧରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରିଅଛି, ଏହା ତୁମ୍ଭେମାନେ ସ୍ୱକର୍ଣ୍ଣରେ ଶୁଣିଅଛ ।

12 ତହୁଁ ଯିରିମୀୟ ସକଳ ଅଧିପତି ଓ ସକଳ ଲୋକଙ୍କୁ ଏହି କଥା କହିଲେ, ତୁମ୍ଭେମାନେ ଯେସବୁ କଥା ଶୁଣିଅଛ, ସେହି ସମସ୍ତ ଭବିଷ୍ୟଦ୍‍ବାକ୍ୟ ଏହି ଗୃହ ଓ ଏହି ନଗର ବିରୁଦ୍ଧରେ ପ୍ରଚାର କରିବା ପାଇଁ ସଦାପ୍ରଭୁ ମୋତେ ପ୍ରେରଣ କଲେ ।

13 ଏହେତୁ ଏବେ ତୁମ୍ଭେମାନେ ଆପଣା ଆପଣା ଆଚରଣ ଓ କ୍ରିୟା ଶୁଧୁରାଅ,ଆଉ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ବାକ୍ୟ ମାନ; ତହିଁରେ ସଦାପ୍ରଭୁ ତୁମ୍ଭମାନଙ୍କ ବିରୁଦ୍ଧରେ ଯେଉଁ ଅମଙ୍ଗଳର କଥା କହିଅଛନ୍ତି, ତାହା କରିବାରୁ କ୍ଷାନ୍ତ ହେବେ ।

14 ମାତ୍ର ଦେଖ, ମୁଁ ତୁମ୍ଭମାନଙ୍କ ହସ୍ତରେ ଅଛି: ଯାହା ତୁମ୍ଭମାନଙ୍କ ଦୃଷ୍ଟିରେ ଉତ୍ତମ ଓ ଯଥାର୍ଥ ତାହା ମୋ' ପ୍ରତି କର ।

15 କେବଳ ଏହା ନିଶ୍ଚିତ ରୂପେ ଜାଣ ଯେ, ତୁମ୍ଭେମାନେ ମୋତେ ବଧ କଲେ ଆପଣାମାନଙ୍କ ଉପରେ ଓ ଏହି ନଗର ଉପରେ ଓ ତନ୍ନିବାସୀମାନଙ୍କ ଉପରେ ନିର୍ଦ୍ଦୋଷର ରକ୍ତପାତର ଅପରାଧ ବର୍ତ୍ତାଇବ; କାରଣ ଏହି ସମସ୍ତ କଥା ତୁମ୍ଭମାନଙ୍କ କର୍ଣ୍ଣଗୋଚରରେ କହିବା ପାଇଁ ସଦାପ୍ରଭୁ ତୁମ୍ଭମାନଙ୍କ ନିକଟକୁ ମୋତେ ପ୍ରେରଣ କରିଅଛନ୍ତି, ଏହା ସତ୍ୟ ।

16 ତହିଁରେ ଅଧିପତିମାନେ ଓ ଲୋକ ସମସ୍ତେ ଯାଜକମାନଙ୍କୁ ଓ ଭବିଷ୍ୟଦ୍‍ବକ୍ତାଗଣକୁ କହିଲେ, ଏହି ମନୁଷ୍ୟ ପ୍ରାଣଦଣ୍ଡର ଯୋଗ୍ୟ ନୁହେଁ; କାରଣ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନାମରେ ସେ ଆମ୍ଭମାନଙ୍କୁ କଥା କହିଅଛି ।

17 ସେତେବେଳେ ଦେଶର ପ୍ରାଚୀନବର୍ଗଙ୍କ ମଧ୍ୟରୁ କେହି କେହି ଉଠି ଲୋକମାନଙ୍କ ସମସ୍ତ ସମାଜକୁ ଏହି କଥା କହିଲେ,

18 ଯିହୁଦାର ରାଜା ହିଜକୀୟର ସମୟରେ ମୋରେଷ୍ଟୀୟ ମୀଖା ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲା; ଆଉ, ସେ ଯିହୁଦାର ସମସ୍ତ ଲୋକଙ୍କୁ ଏହି କଥା କହିଲା, ସୈନ୍ୟାଧିପତି ସଦାପ୍ରଭୁ କହନ୍ତି; ସିୟୋନ କ୍ଷେତ୍ର ତୁଲ୍ୟ ଚଷା ଯିବ ଓ ଯିରୂଶାଲମ ଢିପି ହେବ, ପୁଣି ଯେଉଁ ପର୍ବତରେ ମନ୍ଦିର ଅଛି, ତାହା ବନସ୍ଥ ଉଚ୍ଚସ୍ଥଳୀର ସମାନ ହେବ ।

19 ଯିହୁଦାର ରାଜା ହିଜକୀୟ ଓ ଯିହୁଦାର ଲୋକସମେ ସ୍ତ କ'ଣ ତାହାକୁ କୌଣସିମତେ ବଧ କରିଥିଲେ ? ହିଜକୀୟ କ'ଣ ସଦାପ୍ରଭୁଙ୍କୁ ଭୟ କରି ସଦାପ୍ରଭୁଙ୍କର ଅନୁଗ୍ରହ ପ୍ରାର୍ଥନା କଲେ ନାହିଁ? ତହିଁରେ ସଦାପ୍ରଭୁ ସେମାନଙ୍କ ବିରୁଦ୍ଧରେ ଯେଉଁ ଅମଙ୍ଗଳର କଥା କହିଥିଲେ, ତାହା କରିବାରୁ କ'ଣ କ୍ଷାନ୍ତ ନୋହିଲେ ? ଆମ୍ଭେମାନେ ଆପଣା ଆପଣା ପ୍ରାଣର ପ୍ରତିକୂଳରେ ଭାରୀ ଅମଙ୍ଗଳ କରୁଅଛୁ ।

20 ଆହୁରି, ସଦାପ୍ରଭୁଙ୍କ ନାମରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାରକାରୀ ଅନ୍ୟ ଏକ ବ୍ୟକ୍ତି ଥିଲା, ସେ କିରୀୟତ୍‍- ଯିୟାରୀମସ୍ଥ ସମୟୀୟର ପୁତ୍ର ଊରୀୟ; ସେ ଯିରିମୀୟର ସମସ୍ତ ବାକ୍ୟ ପରି ଏହି ନଗର ଓ ଏହି ଦେଶ ବିରୁଦ୍ଧରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରିଥିଲା ।

21 ତହିଁରେ ଯିହୋୟାକୀମ୍‍ ରାଜା, ଆପଣା ବୀରମାନଙ୍କ ଓ ସମସ୍ତ ଅଧିପତିମାନଙ୍କ ସହିତ ସେହି କଥା ଶୁଣନ୍ତେ, ରାଜା ତାହାକୁ ବଧ କରିବାକୁ ଚେଷ୍ଟା କଲା; ମାତ୍ର ଊରୀୟ ଏହା ଶୁଣି ଭୀତ ହୋଇ ମିସରକୁ ପଳାଇ ଗଲା ।

22 ତହିଁରେ ଯିହୋୟାକୀମ୍‍ ରାଜା ମିସରକୁ ଲୋକ ପଠାଇଲା, ଅର୍ଥାତ୍‍, ଅକ୍‍ବୋରର ପୁତ୍ର ଇଲ୍‍ନାଥନ୍‍କୁ ଓ ତାହା ସଙ୍ଗେ ଅନ୍ୟ କେତେକ ଲୋକଙ୍କୁ ମିସରକୁ ପଠାଇଲା;

23 ତହୁଁ ସେମାନେ ଊରୀୟକୁ ମିସରରୁ ଆଣି ଯିହୋୟାକୀମ୍‍ ରାଜା ନିକଟରେ ଉପସ୍ଥିତ କରାଇଲେନ୍ତ ରାଜା ତାହାକୁ ଖଡ଼୍‍ଗରେ ବଧ କରି, ସାମାନ୍ୟ ଲୋକମାନଙ୍କର କବର-ସ୍ଥାନରେ ତାହାର ଶବ ପକାଇ ଦେଲା ।

24 ମାତ୍ର ଶାଫନର ପୁତ୍ର ଅହୀକାମଯିରିମୀୟଙ୍କର ସପକ୍ଷ ଥିବାରୁ ହତ ହେବା ନିମନ୍ତେ ଲୋକମାନଙ୍କ ହସ୍ତରେ ସମର୍ପିତ ନୋହିଲା ।