1 ଆପଲ୍ଲ କରନ୍ଥରେ ଥିବା ସମୟରେ ପାଉଲ ପୂର୍ବ ଅଞ୍ଚଳ ଦେଇ ଯାତ୍ରା କରି ଏଫିସ ନଗରକୁ ଆସି କେତେକ ଶିଷ୍ୟଙ୍କ ଦେଖା ପାଇଲେ|।
2 ସେ ସେମାନଙ୍କୁ ପଚାରିଲେ, ବିଶ୍ୱାସ କରିବା ସମୟରେ କଅଣ ତୁମ୍ଭେମାନେ ପବିତ୍ର ଆତ୍ମାଙ୍କୁ ପାଇଥିଲସେମାନେ ତାହାଙ୍କୁ ଉତ୍ତର ଦେଲେ, ନା,ପବିତ୍ର ଆତ୍ମା ଯେ ଦତ୍ତ ହୋଇ ଅଛନ୍ତି, ତାହା ସୁଦ୍ଧା ଆମ୍ଭେମାନେ ଶୁଣିନାହୁଁ |।
3 ତେଣୁ ସେ ପଚାରିଲେ, ତେବେ ତୁମ୍ଭେମାନେ କାହିଁରେ ବାପ୍ତିଜିତ ହୋଇଥିଲ ସେମାନେ କହିଲେ ଯୋହନଙ୍କ ବାପ୍ତିସ୍ମରେ |।
4 ସେଥିରେ ପାଉଲ କହିଲେ, ଯୋହନ ମାନପରିବର୍ତ୍ତନର ବାପ୍ତିସ୍ମରେ ବାପ୍ତିସ୍ମ ଦେଇ, ତାହାଙ୍କ ପରେ ଯେ ଆସିବେ, ତାହାଙ୍କଠାରେ ଅର୍ଥାତ୍ ଯୀଶୁଙ୍କଠାରେ ବିଶ୍ୱାସ ହେବ କରିବାକୁ ବୋଲି ଲୋକମାନଙ୍କୁ କହୁଥିଲେ |।
5 ସେମାନେ ଏହା ଶୁଣି ପ୍ରଭୁ ଯୀଶୁଙ୍କ ନାମରେ ବାପ୍ତିଜିତ ହେଲେ,
6 ଆଉ ପାଉଲ ସେମାନଙ୍କ ଉପାରେ ହସ୍ତାର୍ପଣ କରନ୍ତେ ପବିତ୍ର ଆତ୍ମା ସେମାନଙ୍କ ଉପରେ ଅବତରଣ କଲେ, ପୁଣି ସେମାନେ ନାନା ଭାଷାରେ କଥା କହିବାକୁ ଓ ଭାବବାଣୀ ମଧ୍ୟ କହିବାକୁ ଲାଗିଲେ |।
7 ସେମାନେ ସମସ୍ତେ ପ୍ରାୟ ବାର ଜଣ ପୁରୁଷ ଥିଲେ |।
8 ପରେ ସେ ସମାଜ ଗୃହରେ ପ୍ରବେଶ କରି ତିନି ମାସ ପର୍ଯ୍ୟନ୍ତ ସାହସ ସହିତ ଈଶ୍ୱରଙ୍କ ରାଜ୍ୟ ବିଷୟରେ ଉପଦେଶ ଦେଇ ବିଶ୍ୱାସ ଜନ୍ମାଇବାକୁ ଚେଷ୍ଟା କରିବାକୁ ଲାଗିଲା।
9 କିନ୍ତୁ ସେତବେଳେ କେତେକ ଲୋକ କଠିନ ଓ ଅବାଧ୍ୟ ହୋଇ ଲୋକସମୂହ ସାକ୍ଷାତରେ ମାର୍ଗ ବିଷୟରେ ନିନ୍ଦା କରିବାକୁ ଲାଗିଲେ,ସେତେବେଳେ ସେ ସେମାନଙ୍କୁ ପରିତ୍ୟାଗ କରି ଶିଷ୍ୟମାନଙ୍କୁ ପୃଥକ୍ କଲେ, ଆଉ ପ୍ରତିଦିନ ତୁରାନ୍ନର ବିଦ୍ୟାଳୟରେ ଉପଦେଶ ଦେବାକୁ ଲାଗିଲେ |।
10 ଏହି ପରି ଦୁଇ ବର୍ଷ ପର୍ଯ୍ୟନ୍ତ ଚାଲିଲା; ସେଥିରେ ଆସିଆନିବାସୀ ଯିହୂଦୀ ଓ ଗ୍ରୀକ୍ ସମସ୍ତେ ପ୍ରଭୁଙ୍କ ବାକ୍ୟ ଶ୍ରବଣ କଲେ |।
11 ପୁଣି ଈଶ୍ୱର ପାଉଲଙ୍କ ହସ୍ତ ଦ୍ୱାରା ଅସାମନ୍ୟ ଶକ୍ତିର କାର୍ଯ୍ୟ ସାଧନ କରୁଥିଲେ,
12 ଏପରି କି ତାହାଙ୍କ ଦେହରୁ ରୁମାଲ କିମ୍ବା ଗାମୁଚ୍ଛା ରୋଗୀମାନଙ୍କ ନିକଟକୁ ଅଣାଯାଆନ୍ତେ ସେମାନଙ୍କଠାରୁ ରୋଗ ଛାଡ଼ିଯାଉଥିଲା ଓ ଦୁଷ୍ଟ ଆତ୍ମାଗୁଡ଼ାକ ବାହାରିଯାଉଥିଲେ |।
13 କିନ୍ତୁ ଭ୍ରମଣକାରୀ ଯିହୁଦୀୟଭୂତୁଡ଼ିଆମାନଙ୍କ ମଧ୍ୟରୁ କେତେକ ଜଣ ମଧ୍ୟ ଦୁଷ୍ଟ ଆତ୍ମା ଲାଗିଥିବା ଲୋକ ମାନଙ୍କ ଉପରେ ପ୍ରଭୁ ଯୀଶୁଙ୍କ ନାମ ଉଚ୍ଚାରଣ କିରବାକୁ ପ୍ରବୃତ୍ତ ହୋଇ କହିଲେ, ଯେଉଁ ଯୀଶୁଙ୍କୁ ପାଉଲ ପ୍ରଚାର କରୁଅଛନ୍ତି, ମୁଁ ତୁମ୍ଭ ମାନଙ୍କୁ ତାହାଙ୍କର ରାଣ ଦେଉଅଛି |।
14 ପୁଣି ସ୍କେବା ନାମକ ଜଣେ ଯିହୂଦୀୟ ପ୍ରଧାନ ଯାଜକଙ୍କର ସାତ ପୁତ୍ର ଏହିପରି କରୁଥିଲେ |।
15 ସେଥିରେ ଦୁଷ୍ଟ ଆତ୍ମା ସେମାନଙ୍କୁ ଉତ୍ତର ଦେଲା, ଆମ୍ଭେ ଯୀଶୁଙ୍କୁ ଜାଣୁ ଓ ପାଉଲଙ୍କୁ ଚିହ୍ନୁଁ; ମାତ୍ର ତୁମ୍ଭେମାନେ କିଏ।
16 ସେତେବେଳେ ଦୁଷ୍ଟ ଆତ୍ମା ଲାଗିଥିବା ଲୋକଟା ସେମାନଙ୍କ ଉପରକୁ ଡେଇଁପଡ଼ି ସେ ଦୁଇ ଜଣଙ୍କୁ ପରାସ୍ତ କରି ସେମାନଙ୍କୁ ଏପରି ଆଘାତ କଲା ଯେ, ସେମାନେ ଉଲଙ୍ଗ ଓ କ୍ଷତବିକ୍ଷତ ହୋଇ ସେହି ଘରୁ ବାହାରି ପଳାଇଗଲେ|।
17 ଏହି କଥା ଏଫିସନିବାସୀ ଯିହୂଦୀ ଓ ଗ୍ରୀକ୍ ସମସ୍ତେ ଜାଣିଲେ | ସେଥିରେ ସମସ୍ତେ ଭିତ ହେଲେ, ଆଉ ପ୍ରଭୁ ଯୀଶୁଙ୍କ ନାମ ମହିମାନ୍ୱିତ ହେବାକୁ ଲାଗିଲା |।
18 ପୁଣି ବିଶ୍ୱାସୀମାନଙ୍କ ମଧ୍ୟରୁ ଅନେକେ ଆସି ଆପଣା ଆପଣ କର୍ମ ସ୍ୱୀକାର ଓ ପ୍ରକାଶ କରିବାକୁ ଲାଗିଲେ,
19 ଆଉ ଯାଦୁକ୍ରିୟା କରୁଥିବା ଅନେକେ ଆପଣା ଆପଣା ପୁସ୍ତକ ଆଣି ଏକତ୍ର କରି ସମସ୍ତ ସାକ୍ଷାତରେ ପୋଡ଼ିପକାଇଲେ; ସେମାନେ ସେ ସବୁର ମୂଲ୍ୟ ହିସାବ କରି ତାହା ପଚାଶ ହଜାର ଟଙ୍କା ବୋଲି ଦେଖିଲେ |।
20 ଏହି ପ୍ରକାରେ ପ୍ରଭୁଙ୍କର ବାକ୍ୟ ପରାକ୍ରମରେ ବୃଦ୍ଧି ପାଇବାକୁ ଓ ଜୟଯୁକ୍ତ ହେବାକୁ ଲାଗିଲା |।
21 ଏହି ସମସ୍ତ ବିଷୟ ଶେଷ ହେଲା ଉତ୍ତାରେ ପାଉଲ ମାକିଦନିଆ ଓ ଆଖାୟା ଦେଇ ଯିରୂଶାଲମକୁ ଯିବାକୁ ମନରେ ସ୍ଥିର କରି କହିଲେ, ସେଠାକୁ ଗଲା ଉତ୍ତାରେ ମୋତେ ରୋମକୁ ମଧ୍ୟ ଯିବାକୁ ହେବ |।
22 ପୁଣି ଯେଉଁମାନେ ତାହାଙ୍କର ସେବାକରୁଥିଲେ, ସେମାନଙ୍କର ମଧ୍ୟ ତିମଥି ଓ ଏରାଷ୍ଟ, ଏହି ଦୁଇ ଜଣଙ୍କୁ ମାକିଦନିଆକୁ ପ୍ରେରଣ କରି ସେ ଆପେ କିଛି କାଳ ପର୍ଯ୍ୟନ୍ତ ଆସିଆରେ ରହିଲେ |।
23 ପ୍ରାୟ ସେହି ସମୟରେ ଏହି ମାର୍ଗ ବିଷୟରେ ମହା ଗଣ୍ଡଗୋଳ ଉଠିଲା |।
24 କାରଣ ଦୀମୀତ୍ରିୟ ନାମକ ଜଣେ ସ୍ୱର୍ଣ୍ଣକାର ଆର୍ତ୍ତେମୀର ରୌପ୍ୟ ମନ୍ଦିର ନିର୍ମାଣ କରୁଥିଲା, ପୁଣି ଶିଳ୍ପକରମାନଙ୍କର ଯଥେଷ୍ଟ ଲାଭ କରାଯାଉଥିଲା |।
25 ସେ ସେମାନଙ୍କୁ ଓ ସେହି ବ୍ୟବସାୟର କାରିଗରମାନଙ୍କୁ ଡାକି କହିଲା, ମହାଶୟମାନେ, ଏହି ବ୍ୟବସାୟ ଦ୍ୱାରା ଆମ୍ଭେମାନେ ଧନ ପ୍ରାପ୍ତ ହେଉଁ ବୋଲି ଆପଣମାନେ ଜାଣନ୍ତି;
26 ଆଉ ହସ୍ତନିର୍ମିତ ଦେବତାମାନେ ଈଶ୍ୱର ନୁହନ୍ତି ବୋଲି କହି ଏହି ପାଉଲ କେବଳ ଏଫିସରେ ନୁହେ, ମାତ୍ରା ପ୍ରାୟ ସମସ୍ତ ଆସିଆରେ ବହୁତ ଲୋକଙ୍କୁ ମତାଇ ଭୁଲାଇଅଛି, ଏହା ଆପଣମାନେ ଦେଖୁଅଛନ୍ତି ଓ ଶୁଣୁଅଛନ୍ତି |।
27 ଏଥିରେ ଯେ କେବଳ ଆମ୍ଭମାନଙ୍କ ଏହି ବ୍ୟବସାୟର ଦୁର୍ନାମ ହେବାର ଆଶଙ୍କା ଅଛି, ତାହା ନୁହେ, କିନ୍ତୁ ଯେଉଁ ମହାଦେବୀ ଆର୍ତ୍ତେମୀଙ୍କୁ ସମସ୍ତ ଆସିଆ ଓ ଜଗତଯାକ ପୂଜା କରନ୍ତି, ତାହା ମନ୍ଦିର ମଧ୍ୟ ନଗଣ୍ୟ ହୋଇପଡ଼ିବାର ଓ ତାହାଙ୍କ ମହିମାର ଗ୍ଲାନି ସୁଦ୍ଧା ଘଟିବାର ଆସଙ୍କା ଅଛି |।
28 ଏହି କଥା ଶୁଣି ସେମାନେ କ୍ରୋଧରେ ପରିପୂର୍ଣ୍ଣ ହୋଇ ଚିତ୍କାର କରି କହିବାକୁ ଲାଗିଲେ, ଏଫିସୀୟମାନଙ୍କର ଆର୍ତ୍ତେମୀ ମହାଦେବୀ ଅଟନ୍ତି |।
29 ଏଥିରେ ନଗରଟି ଗଣ୍ଡଗୋଲରେ ପରିପୂର୍ଣ୍ଣ ହେଲା, ଆଉ ସେମାନେ ଏକଯୋଗରେ ପାଉଲଙ୍କ ସହଯାତ୍ରୀ ମାକିଦନିଅର ଗାୟ ଓ ଆରିସ୍ତାର୍ଖଙ୍କୁ ଧରି ବଡ଼ ବେଗରେ ରଙ୍ଗଭୂମିକୁ ଦୌଡ଼ିଗଲେ |।
30 ଏଥିରେ ପାଉଲ ଲୋକମାନଙ୍କ ଭିତରକୁ ଯିବାକୁ ଇଚ୍ଛା କଲେ, କିନ୍ତୁ ଶିଷ୍ୟମାନେ ତାହାଙ୍କୁ ଯିବାକୁ ଦେଲେ ନାହିଁ |।
31 ଆଉ ଆସିଅର ପ୍ରଧାନ କର୍ମଚାରିମାନଙ୍କ ମଧ୍ୟରୁ ସୁଦ୍ଧା କେତେକ ଜଣ ତାହାଙ୍କ ବନ୍ଧୁ ଥିବାରୁ ଲୋକ ପଠାଇ ରଙ୍ଗଭୂମି ମଧ୍ୟକୁ ଦୁଃସାହସ କରି ନ ଯିବାକୁ ତାହାଙ୍କୁ ଅନୋରୋଧ କଲେ |।
32 ସେତେବେଳେ କେହି କେହି ଏ କଥା, କେହି କେହି ବା ସେ କଥା କହି ଚିତ୍କାର କରୁଥିଲେ, କାରଣ ସଭା ଗଣ୍ଡଗୋଳରେ ପରିପୁର୍ଣ୍ଣ ହୋଇଥିଲା, ଆଉ ସେମାନେ ଯେ କାହିଁକି ଏକତ୍ର ହୋଇଅଛନ୍ତି, ତାହା ଅଧିକାଂଶ ଜାଣି ନ ଥିଲେ |।
33 ଆଉ ଯିହୂଦୀମାନେ ଆଲେକ୍ ଜାଣ୍ଡରକୁ ଆଗକୁ ବାହାର କରି ଆଣିବାରୁ ଲୋକ ସମୂହ ମଧ୍ୟରୁ କେହି କେହି ତାହାକୁ ମତାଇଲେ; ସେଥିରେ ଆଲେକ୍ ଜାଣ୍ଡର ହସ୍ତରେ ସଙ୍କେତ କରି ଲୋକମାନଙ୍କ ନିକଟରେ ସେମାନଙ୍କର ପକ୍ଷସମର୍ଥନ କରିବାକୁ ଇଚ୍ଛା କଲା |।
34 କିନ୍ତୁ ସେ ଜଣେ ଯିହୂଦୀ ବୋଲି ସେତେବେଳେ ସେମାନେ ଜାଣିଲେ, ସେତେବେଳେ ସମସ୍ତେ ଏକସ୍ୱରରେ ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଚିତ୍କାର କରି କହିବାକୁ ଲାଗିଲେ, ଏଫିସୀୟମାନଙ୍କର ଆର୍ତ୍ତେମୀ ମହାଦେବୀ ଅଟନ୍ତି |।
35 ପରେ ନଗରବେବର୍ତ୍ତା ଲୋକସମୂହକୁ ଶାନ୍ତ କରାଇ କହିଲେ, ହେ ଏଫିସୀୟ ଲୋକମାନେ, ଏଫିସ ନଗରୀ ଯେ ମହାଦେବୀ ଆର୍ତ୍ତେମୀ ଓ ଆକାଶରୁ ପତିତ ପ୍ରତିମାର ମନ୍ଦିରପରିଚାରିକା, ଏହା କିଏ ନ ଜାଣେ।
36 ଅତଏବ ଏହି ସବୁ କଥା ଅଖଣ୍ଡନିୟ ହେବାରୁ ତୁମ୍ଭମାନଙ୍କର ଶାନ୍ତ ହେବା ଓ ଅବିବେଚନା ରେ କୌଣସି କର୍ମ ନ କରିବା ଉଚିତ |।
37 କାରଣ ଏହି ଯେଉଁ ଲୋକମାନଙ୍କୁ ତୁମ୍ଭେମାନେ ଘେନି ଆସିଅଛ, ଏମାନେ ତ ମନ୍ଦିରଲୁଣ୍ଠନକାରୀ ନୁହନ୍ତି, କିମ୍ବା ଆମ୍ଭମାନଙ୍କ ଦେବୀଙ୍କ ନିନ୍ଦକ ନୁହନ୍ତି |।
38 ଏଣୁ ଯଦି କାହାରି ବିରୁଦ୍ଧରେ ଦୀମୀତ୍ରିୟର ଓ ତାହାର ସଙ୍ଗୀ ଶିଳ୍ପକରମାନଙ୍କର କୌଣସି କଥା ଥାଏ, ତାହା ହେଲେ ବିଚାରାଳୟ ଉନ୍ମୁକ୍ତ ଅଛି ଓ ଶାସନକର୍ତ୍ତାମାନେ ଅଛନ୍ତି; ସେମାନେ ପରସ୍ପର ବିରୁଦ୍ଧରେ ଅଭିଯୋଗ କରନ୍ତୁ |।
39 କିନ୍ତୁ ଯଦି ତୁମ୍ଭମାନଙ୍କର ଅନ୍ୟ କୌଣସି ଦାବୀ ଥାଏ, ତେବେ ନିୟମିତ ସାଧାରଣ ସଭାରେ ତାହାର ମୀମାଂସା ହେବ |।
40 କାରଣ ପ୍ରକୃତରେ ଆଜିର ଗଣ୍ଡଗୋଳ ଘେନି ଆମ୍ଭମାନଙ୍କ ବିରୁଦ୍ଧରେ ଅଭିଯୋଗ ହେବାର ଆଶଙ୍କା ଅଛି; ଆମ୍ଭେମାନେ ଏହି ଗଣ୍ଡଗୋଳର କୌଣସି କାରଣ ଦେଖାଇ ପାରିବୁଁ ନାହିଁ |।
41 ଏହା କହି ସେ ସଭାସ୍ଥସମସ୍ତଙ୍କୁୁ ବିଦାୟ ଦେଲେ |।