1 ଏହି ସମସ୍ତ ଘଟନା ପରେ ସେ ଆଥିନୀରୁ ପ୍ରସ୍ଥାନ କରି କରିନ୍ଥକୁ ଆସିଲେ |।

2 ଆଉ ସେ ଆକ୍ୱିଲା ନାମକ ଜଣେ ଯିହୁଦୀଙ୍କ ଦେଖା ପାଇଲେ,ପନ୍ତ ତାହାଙ୍କ ଜନ୍ମସ୍ଥାନ;ସେ ଅଳ୍ପ ଦିନ ହେଲା ଆପଣା ସ୍ତ୍ରୀ ପ୍ରିସ୍କିଲା ସହିତ ଇତାଲିଆରୁ ଆସିଥିଲେ,କାରଣ କ୍ଲାଉଦିଅ ସମସ୍ତ ଯିହୁଦୀଙ୍କୁ ରୋମରୁ ବାହାରିଯିବାକୁ ଆଜ୍ଞା ଦେଇଥିଲେ |ସେ ସେମାନଙ୍କ ସହିତ ସାକ୍ଷାତ୍ କରିବାକୁ ଗଲେ,

3 ପୁଣି ସମବ୍ୟସାୟୀ ଥିବାରୁ ସେମାନଙ୍କ ସହିତ ବାସ କଲେ,ଆଉ ସେମାନେ କର୍ମ କରିବାକୁ ଲାଗିଲେ,କାରଣ ବ୍ୟବସ୍ୟରେ ସେମାନେ ତମ୍ୱୁନିର୍ମାଣକାରୀ ଥିଲେ |।

4 ପୁଣି ପ୍ରତି ବିଶ୍ରାମବାରରେ ସେ ସମାଜଗୃହରେ ଉପଦେଶ ଦେଇ ଯିହୁଦୀ ଓ ଗ୍ରୀକ୍ ମାନଙ୍କର ବିଶ୍ୱାସ ଜନ୍ମାଇବାକୁ ଚେଷ୍ଟା କଲେ |।

5 ଯେତେବେଳେ ଶୀଲା ଓ ତିମଥୀ ମାକିଦନିଆରୁ ଆସିଲେ,ସେତେବେଳେ ପାଉଲ ବାକ୍ୟ ପ୍ରଚାରରେ ନିତାନ୍ତ ନିବିଷ୍ଟ ଥାଇ,ଯୀଶୁ ଯେ ଖ୍ରୀଷ୍ଟ ଅଟନ୍ତି,ଏହା ଯିହୁଦୀମାନଙ୍କ ନିକଟରେ ସାକ୍ଷ ଦେଉଥିଲେ |।

6 କିନ୍ତୁ ସେମାନେ ପ୍ରତିରୋଧ ଓ ନିନ୍ଦା କରିବାରୁ ସେ ଆପଣା ବସ୍ତ୍ର ଝାଡ଼ି ସେମାନଙ୍କୁ କହିଲେ,ଆପଣମାନଙ୍କ ରକ୍ତ ଆପଣମାନଙ୍କ ମସ୍ତକ ଉପରେ ବର୍ତ୍ତୁ;ମୁଁ ନିର୍ଦ୍ଦୋଷ;ଏଣିକି ମୁଁ ବିଜାତିମାନଙ୍କ ନିକଟକୁ ଯିବି |।

7 ସେଥିରେ ସେ ସେ ସ୍ଥାନରୁ ପ୍ରସ୍ଥାନ କରି ତିତସ୍ ଯୁସ୍ତ ନାମକ ଜଣେ ଈଶ୍ୱରଭକ୍ତଙ୍କ ଗୃହକୁ ଗଲେ,ତାହା ସମାଜଗୃହକୁ ଲାଗିଥିଲା |।

8 କିନ୍ତୁ ସମାଜଗୃହର ଅଧ୍ୟକ୍ଷ କ୍ରିଷ୍ପ ସପରିବାରରେ ପ୍ରଭୁଙ୍କଠାରେ ବିଶ୍ୱାସ କଲେ,ଆଉ କରିନ୍ଥୀୟମାନଙ୍କ ମଧ୍ୟରୁ ଅନେକ ଶୁଣି ବିଶ୍ୱାସ କରିବାକୁ ଲାଗିଲେ ଓ ବାପ୍ତିଜିତ ହେଲେ |।

9 ପୁଣି ପ୍ରଭୁ ରାତ୍ରିରେ ଦର୍ଶନ ଦ୍ୱାରା ପାଉଲଙ୍କୁ କହିଲେ,ଭୟ କର ନାହିଁ,ନିରବ ନ ରହି କଥା କୁହ,

10 କାରଣ ଆମ୍ଭେ ତୁମ୍ଭ ସାଙ୍ଗରେ ଅଛୁଁ,କୌଣସି ଲୋକ ତୁମ୍ଭର କ୍ଷତି କରିବାକୁ ତୁମ୍ଭକୁ ଆକ୍ରମଣ କରିବା ନାହିଁ,ଯେଣୁ ଆମ୍ଭର ଅନେକ ଲୋକ ଏହି ନଗରରେ ଅଛନ୍ତି |।

11 ପୁଣି ସେ ସେମାନଙ୍କ ନିକଟରେ ଈଶ୍ୱରଙ୍କ ବାକ୍ୟ ଶିକ୍ଷା ଦେଇ ଦେଢ଼ବର୍ଷ ସେଠାରେ ବାସ କଲେ |।

12 କିନ୍ତୁ ଗାଲ୍ଲୀୟୋନ ଆଖାୟାର ଶାସନକର୍ତ୍ତା ଥିବା ସମୟରେ ଯିହୁଦୀମାନେ ପାଉଲଙ୍କ ବିରୁଦ୍ଧରେ ଏକମତ ହୋଇ ଉଠି ତାହାଙ୍କୁ ବିଚାରାସନ ଛାମୁକୁ ଘେନିଆସି କହିଲେ,

13 ଏହି ଲୋକଟା ବ୍ୟବସ୍ଥାର ବିପରୀତ ଭାବରେ ଈଶ୍ୱରଙ୍କ ଉପାସନା କରିବାକୁ ଲୋକମାନଙ୍କୁ ପ୍ରବର୍ତ୍ତାଉଅଛି |।

14 କିନ୍ତୁ ପାଉଲ ମୁଖ ଫିଟାଇ କଥା କହିବାକୁ ଉଦ୍ୟତ ହୁଅନ୍ତେ ଗାଲ୍ଲୀୟୋନ ଯିହୁଦୀମାନଙ୍କୁ କହିଲେ,କୌଣସି ପ୍ରକାର ଅନ୍ୟାୟ ବା ଦୁଷ୍କର୍ମ ଯଦି ହୋଇଥାନ୍ତା,ତେବେ,ହେ ଯିହୁଦୀମାନେ,ଧିର ହୋଇ ତୁମ୍ଭମାନଙ୍କର କଥା ଶୁଣିବା ଯୁକ୍ତିସଙ୍ଗତ ହୋଇଥାନ୍ତା,

15 ମାତ୍ର ଯଦି ଏହିସବୁ କେବଳ ବାକ୍ୟ,ନାମ ଓ ତୁମ୍ଭମାନଙ୍କ ବ୍ୟବସ୍ଥା ସମ୍ବନ୍ଧୀୟ ବିବାଦ ଅଟେ,ତେବେ ତୁମ୍ଭେମାନେ ନିଜେ ତାହା ବୁଝ;ଆମ୍ଭେ ଏହି ସବୁ ବିଷୟରେ ବିଚାରକର୍ତ୍ତା ହେବାକୁ ଇଚ୍ଛା କରୁନାହୁଁ |।

16 ପୁଣି ସେ ସେମାନଙ୍କୁ ବିଚରାସନ ସମ୍ମୁଖରୁ ତଡ଼ିଦେଲେ |।

17 ସେଥିରେ ସମସ୍ତେ ସମାଜଗୃହର ଅଧ୍ୟକ୍ଷ ସୋସ୍ଥୋନାଙ୍କୁ ଧରି ବିଚରାସନ ସମ୍ମୁଖରେ ପ୍ରହାର କରିବାକୁ ଲାଗିଲେ;କିନ୍ତୁ ଗାଲ୍ଲୀୟୋନ୍ ସେହି ସମସ୍ତ ବିଷୟରେ ଭୃକ୍ଷେପ କଲେ ନାହିଁ |।

18 ଏହା ଉତ୍ତାରେ ପାଉଲ ଅନେକ ଦିନ ପର୍ଯ୍ୟନ୍ତ ସେହି ସ୍ଥାନରେ ରହି ଭାଇମାନଙ୍କ ନିକଟରୁ ବିଦାୟ ଘେନି ଜାହାଜରେ ଚଢ଼ି ସୁରିଆକୁ ଯାତ୍ରା କଲେ |ପ୍ରୀସ୍କିଲ୍ଲା ଓ ଆକ୍ୱିଲା ତାହାଙ୍କ ସାଙ୍ଗରେ ଗଲେ;ତାହାଙ୍କର ଗୋଟିଏ ବ୍ରତ ଥିବାରୁ ସେ କେଙ୍କ୍ରେୟାରେ ଆପଣା ମସ୍ତକ ମୁଣ୍ଡନ କରାଇଲେ |।

19 ପରେ ସେମାନେ ଏଫିସକୁ ଆସିଲେ,ପୁଣି ସେ ସେସ୍ଥାନରେ ସେମାନଙ୍କୁ ଛାଡ଼ି ନିଜେ ସମାଜଗୃହରେ ପ୍ରବେଶ କରି ଯିହୁଦୀମାନଙ୍କୁ ଉପଦେଶ ଦେଲେ |।

20 ପୁଣି ସେମାନେ ତାହାଙ୍କୁ ଅଧିକ ସମୟ ରହିବାକୁ ଅନୁରୋଧ କରନ୍ତେ ସେ ସମ୍ମତ ହେଲେ ନାହିଁ,

21 ମାତ୍ର ସେମାନଙ୍କଠାରୁ ବିଦାୟ ଘେନି ରହିଲେ,ଈଶ୍ୱରଙ୍କ ଇଚ୍ଛା ହେଲେ ଆଉଥରେ ଆପଣମାନଙ୍କ ନିକଟକୁ ବାହୁଡ଼ି ଆସିବି; ପୁଣି ସେ ଏଫିସରୁ ପ୍ରସ୍ଥାନ କଲେ |।

22 କଇସରିଆରେ ପହଞ୍ଚିସେ ଜାହାଜରୁ ଓହ୍ଲାଇଲେ,ଆଉ ଯାଇ ମଣ୍ଡଳୀକୁ ନମସ୍କାର କରି ଆନ୍ତିୟଖିଆକୁ ଚାଲିଗଲେ |।

23 ସେ ସ୍ଥାନରେ କେତେକ ସମୟ ଯାପନ କଲା ଉତ୍ତାରେ ସେ ପ୍ରସ୍ଥାନ କଲେ,ପୁଣି କ୍ରମାନ୍ୱୟେ ଗାଲାତିୟ ଅଞ୍ଚଳ ଓ ଫୃଗିଆ ଦେଇ ଯାତ୍ରା କରୁଁ କରୁଁ ଶିଷ୍ୟସମସ୍ତଙ୍କୁ ସୁସ୍ଥିର କରୁଥିଲେ |।

24 ଇତିମଧ୍ୟରେ ଆପଲ୍ଲ ନାମକ ଜଣେ ଯିହୁଦୀ ଏଫିସକୁ ଆସିଲେ,ତାହାଙ୍କର ଜନ୍ମସ୍ଥାନ ଆଲେକ୍ ଜାଣ୍ଡ୍ରିଆ; ସେ ସୁବକ୍ତା ଓ ଧର୍ମଶାସ୍ତ୍ରରେ ଶକ୍ତିଶାଳୀ ଥିଲେ |।

25 ଏହି ବ୍ୟକ୍ତି ପ୍ରଭୁଙ୍କ ମାର୍ଗ ବିଷୟରେ ଶିକ୍ଷା ପ୍ରାପ୍ତ ହୋଇଥିଲେ, ପୁଣି ଆତ୍ମରେ ଉତ୍ତପ୍ତ ହୋଇ ଯୀଶୁଙ୍କ ବିଷୟ ସୁକ୍ଷ୍ମରୂପେ କହି ଶିକ୍ଷା ଦେଉଥିଲେ,କିନ୍ତୁ ସେ କେବେଳ ଯୋହନଙ୍କ ବାପ୍ତିସ୍ମ ବିଷୟ ଜାଣିଥିଲେ;

26 ସେ ସମାଜଗୃହରେ ସାହସ ସହିତ କଥା କହିବାକୁ ଲାଗିଲେ |କିନ୍ତୁ ପ୍ରିସ୍କିଲ୍ଲା ଓ ଆକ୍ୱିଲା ତାହାଙ୍କ କଥା ଶୁଣି ତାହାଙ୍କୁ ଆପଣାମାନଙ୍କ ସାଙ୍ଗରେ ରଖି ଅଧିକ ସୂକ୍ଷ୍ମରୂପେ ଈଶ୍ୱରଙ୍କ ମାର୍ଗ ବିଷୟ ତାହାଙ୍କୁ ବୁଝାଇଦେଲେ |।

27 ସେ ଆଖାୟା ଦେଶକୁ ଯିବା ପାଇଁ ଇଚ୍ଛା କରିବାରୁ ଭାଇମାନେ ତାହାଙ୍କୁ ଉତ୍ସାହ ଦେଇ ତାହାଙ୍କୁ ଗ୍ରହଣ କରିବା ନିମନ୍ତେ ଶିଷ୍ୟମାନଙ୍କୁ ଲେଖିଲେ | ସେ ସେଠାରେ ଉପସ୍ଥିତ ହୋଇ, ଯେଉଁମାନେ ବିଶ୍ୱାସ କରିଥିଲେ, ଈଶ୍ୱରଙ୍କ ଅନୁଗ୍ରହ ଦ୍ୱାରା ସେମାନଙ୍କର ବହୁତ ଉପକାର କଲେ,

28 କାରଣ ଯୀଶୁ ଯେ ଖ୍ରୀଷ୍ଟ, ଏହା ଧର୍ମଶସ୍ତ୍ର ଦ୍ୱାରା ପ୍ରମାଣ କରି ସେ ପ୍ରକାଶରେ ଶକ୍ତି ସହିତ ଯିହୂଦୀମାନଙ୍କର ଯୁକ୍ତିସବୁ ଖଣ୍ଡନ କରିବାକୁ ଲାଗିଲେ |।