1 କାଇସରୀଆ ନଗରରେ କର୍ଣ୍ଣୀଲିୟ ନାମକ ଜଣେ ବ୍ୟକ୍ତି ଥିଲେ, ସେ ଇତାଲିକ ନାମକ ସୈନ୍ୟଦଳର ଜଣେ ଶତସେନାପତି ଥିଲେ;
2 ସେ ଜଣେ ଭକ୍ତ, ଆଉ ସପରିବାରରେ ଈଶ୍ୱରଙ୍କୁ ଭୟ କରୁଥିଲେ | ସେ ଲୋକମାନଙ୍କୁ ବହୁତ ଦାନ ଦେଉଥିଲେ, ଆଉ ସର୍ବଦା ଈଶ୍ୱରଙ୍କ ଛାମୁରେ ପ୍ରାର୍ଥନା କରୁଥିଲେ |।
3 ଦିନେ ଅପରାହ୍ନ ପ୍ରାୟ ତିନି ଘଣ୍ଟା ସମୟରେ ସେ ସ୍ପଷ୍ଟରୂପେ ଗୋଟିଏ ଦର୍ଶନ ପାଇଲେ, ଯେପରି ଈଶ୍ୱରଙ୍କର ଜଣେ ଦୂତ ତାହାଙ୍କ ନିକଟକୁ ଆସି କହୁଅଛନ୍ତି, ହେ କର୍ଣ୍ଣୀଲିୟ |।
4 ସେ ସେଥିରେ ତାହାଙ୍କ ପ୍ରତି ଏକ ଦୃଷ୍ଟିରେ ଚାହିଁ ଭୀତ ହୋଇ କହିଲେ, ହେ ପ୍ରଭୁ କଅଣ ସେ ତାହାଙ୍କୁ କହିଲେ, ତୁମ୍ଭର ପ୍ରାର୍ଥନା ଓ ଦାନସବୁ ସ୍ମରଣାର୍ଥକ ବଳିସ୍ୱରୂପେ ଊର୍ଦ୍ଧ୍ୱରେ ଈଶ୍ୱରଙ୍କ ଛାମୁରେ ଉଠିଅଛି |।
5 ଏବେ ତୁମ୍ଭେ ଯାଫକୁ ଲୋକ ପଠାଇ ଶିମୋନଙ୍କୁ ଡକାଇ ଆଣ, ତାହାଙ୍କ ଉପନାମ ପିତର;
6 ସେ ଶିମୋନ ନାମକ ଜଣେ ଚର୍ମକାରଙ୍କ ଅତିଥିସ୍ୱରୂପେ ବାସ କରୁଅଛନ୍ତି, ତାହାଙ୍କ ଘର ସମୁଦ୍ରକୂଳରେ |।
7 ତାହାଙ୍କ ସାଙ୍ଗରେ କଥା କହୁଥିବା ଦୂତ ପ୍ରସ୍ଥାନ କଲା ଉତ୍ତାରେ ସେ ଆପଣା ଗୃହର ଦାସମାନଙ୍କ ମଧ୍ୟରୁ ଦୁଇ ଜଣ ପୁଣି ତାହାଙ୍କର ସେବା କରୁଥିବା ସୈନ୍ୟମାନଙ୍କ ମଧ୍ୟରୁ ଜଣେ ଭକ୍ତ ସୈନ୍ୟକୁ ଡାକିଲେ,
8 ଆଉ ସେମାନଙ୍କୁ ସମସ୍ତ କଥା ବୁଝାଇ ଯାଫୋକୁ ପଠାଇଲେ |।
9 ପରଦିନ ସେମାନେ ଯାଉଁ ଯାଉଁ ସେତେବେଳେ ସେହି ନଗରର ନିକଟବର୍ତ୍ତୀ ହେଲେ, ସେତେବେଳେ ପିତର ପ୍ରାୟ ଦିନ ବାର ଘଣ୍ଟା ସମୟରେ ପ୍ରାର୍ଥନା କରିବା ନିମନ୍ତେ ଛାତ ଉପରକୁ ଗଲେ,
10 ଆଉ ସେ କ୍ଷୁଦିତ ହୋଇ ଭୋଜନ କରିବାକୁ ଇଚ୍ଛା କଲେ, କିନ୍ତୁ ସେମାନେ ଖାଦ୍ୟ ପ୍ରସ୍ତୁତ କରିଥିବା ସମୟରେ ସେ ମୂର୍ଚ୍ଛିତ ହୋଇ ଦର୍ଶନ ପାଇ ଦେଖିଲେ, ଆକାଶ ଉନ୍ମୁକ୍ତ ହୋଇଅଛି,
11 ପୁଣି ଗୋଟିଏ ପାତ୍ର ତଳକୁ ଆସୁଅଛି, ଯେପରି ଗୋଟଏ ବଡ଼ଚାଦର ଚାରି କୋଣରେ ଧରା ହୋଇ ପୃଥିବୀ ଉପରକୁ ଖସାଇଦିଆଯାଉଅଛି;
12 ସେଥିରେ ପୃଥିବୀର ସର୍ବପ୍ରକାର ଚତୁସ୍ପଦ ପ୍ରାଣୀ, ସରୀସୃପ ଓ ଆକାଶର ପକ୍ଷୀଗୁଡ଼ିକ ଅଛନ୍ତି |।
13 ଆଉ ତାହାଙ୍କ ପ୍ରତି ଏହି ବାଣୀ ହେଲା, ହେ ପିତର, ଉଠ, ବଧ କରି ଭୋଜନ କର |।
14 କିନ୍ତୁ ପିତର କହିଲେ, ନାହିଁ, ପ୍ରଭୋ, ମୁଁ କେବେହେଲେ କୌଣସି ଅପଦିତ୍ର ଓ ଅଶୁଚି ପଦାର୍ଥ ଭୋଜନ କରି ନାହିଁ |।
15 ପୁଣି ଦ୍ୱିତୀୟ ଥର ତାହାଙ୍କ ପ୍ରତି ଏହି ବାଣୀ ହେଲା, ଈଶ୍ୱର ଯାହା ଶୁଚି କରିଅଛନ୍ତି, ତାହା ତୁମ୍ଭେ ଅଶୁଚି ବୋଲି ନ କୁହ |।
16 ଏହି ପ୍ରକାର ତିନି ଥର ହେଲା, ଆଉ ତତ୍ କ୍ଷଣାତ୍ ସେହି ପାତ୍ରଟି ଆକାଶକୁ ଉଠାଇନିଆଗଲା |।
17 ପିତର ଯେଉଁ ଦର୍ଶନ ପାଇଥିଲେ,ସେଥିର ଅର୍ଥ କଅଣ, ତାହା ଭାବି ସେ ହତବୁଦ୍ଧି ହେଉଥିବା ସମୟରେ, ଦେଖ, କର୍ଣ୍ଣୀଲିୟଙ୍କ ପ୍ରେରିତ ଲୋକମାନେ ଶିମୋନଙ୍କ ଗୃହର ଅନୁସନ୍ଧାନ କରି ଦ୍ୱାର ନିକଟରେ ଠିଆ ହୋଇ,
18 ପିତର ଉପନାମପ୍ରାପ୍ତ ଶିମୋନ ସେଠାରେ ଅତିଥିସ୍ୱରୂପେ ବାସ କରୁଅଛନ୍ତି କି ନାହିଁ, ତାହା ଡାକି ପଚାରିଲେ |।
19 ପିତର ସେହି ଦର୍ଶନ ବିଷୟ ଚିନ୍ତା କରୁଥିବା ସମୟରେ ଆତ୍ମା ତାହାଙ୍କୁ କହିଲେ, ଦେଖ, ତିନି ଜଣ ଲୋକ ତୁମ୍ଭକୁ ଖୋଜୁଅଛନ୍ତି |।
20 ଉଠ,ତଳକୁ ଯାଇ କିଛି ସନ୍ଦେହ ନ କରି ସେମାନଙ୍କ ସାଙ୍ଗରେ ଯାଅ, କାରଣ ଆମ୍ଭେ ସେମାନଙ୍କୁ ପଠାଇଅଛୁ |।
21 ସେଥିରେ ପିତର ସେହି ଲୋକମାନଙ୍କ ନିକଟକୁ ଓହ୍ଲାଇଆସି କହିଲେ, ଦେଖ, ତୁମ୍ଭେମାନେ ଯାହାକୁ ଖୋଜୁଅଛ, ମୁଁ ସେହି |ତୁମ୍ଭମାନଙ୍କ ଆସିବାର କାରଣ କଅଣ।
22 ସେମାନେ କହିଲେ, କର୍ଣ୍ଣୀଲିୟ ନାମକ ଜଣେ ଶତସେନାପତି, ଯେ ଧାର୍ମିକ ବ୍ୟକ୍ତି ଓ ଈଶ୍ୱରଙ୍କୁ ଭୟ କରନ୍ତି, ପୁଣି ସମସ୍ତ ଯିହୁଦୀ ଜାତିଙ୍କ ନିକଟରେ ସୁଖ୍ୟତି ପ୍ରାପ୍ତ, ସେ ନିଜ ଗୃହକୁ ଆପଣଙ୍କୁ ଡକାଇପଠାଇ ଆପଣଙ୍କଠାରୁ କଥା ଶୁଣିବା ନିମନ୍ତେ ପବିତ୍ର ଦୂତଙ୍କ ଦ୍ୱାରା ପ୍ରତ୍ୟାଦେଶ ପାଇଅଛନ୍ତି |।
23 ସେଥିରେ ସେ ସେମାନଙ୍କୁ ଭିତରକୁ ଡାକି ନେଇ ସେମାନଙ୍କର ଆତିଥ୍ୟ କଲେ |ତହିଁ ଆରଦିନ ସେ ଉଠି ସେମାନଙ୍କ ସହିତ ପ୍ରସ୍ଥାନ କଲେ, ପୁଣି ଯାଫୋନିବାସୀ ଭାଇମାନଙ୍କ ମଧ୍ୟରୁ କେତେକ ଜଣ ତାହାଙ୍କ ସାଙ୍ଗରେ ଗଲେ |।
24 ପରଦିନ ସେମାନେ କାଇସରୀଆରେ ପ୍ରବେଶ କଲେ, ଆଉ କର୍ଣ୍ଣୀଲୀୟ ଆପଣା ଆତ୍ମୀୟ ଓ ନିକଟସ୍ଥ ବନ୍ଧୁମାନଙ୍କୁ ଡାକି ଏକତ୍ର କରି ସେମାନଙ୍କ ଅପେକ୍ଷାରେ ଥିଲେ |।
25 ପିତର ପ୍ରବେଶ କରନ୍ତେ କର୍ଣ୍ଣୀଲୀୟ ତାହାଙ୍କୁ ଭେଟି ଚରଣ ତଳେ ପଡ଼ି ତାହାଙ୍କୁ ପ୍ରଣାମ କଲେ |।
26 କିନ୍ତୁ ପିତର ତାହାଙ୍କୁ ଉଠାଇ କହିଲେ, ଠିଆ ହୁଅ; ମୁଁ ମଧ୍ୟ ଜଣେ ମନୁଷ୍ୟ |।
27 ସେଥିରେ ସେ ତାହାଙ୍କ ସାଙ୍ଗରେ ଆଳାପ କରୁଁ କରୁଁ ଭିତରକୁ ଯାଇ ଦେଖିଲେ, ଅନେକ ଲୋକ ଏକତ୍ରିତ ହୋଇଅଛନ୍ତି,
28 ଆଉ ସେ ସେମାନଙ୍କୁ କହିଲେ, ଅନ୍ୟ ଜାତିର କୌଣସି ଲୋକ ସାଙ୍ଗରେ ମିଶିବା କିମ୍ବା ତାହା ପାଖକୁ ଯିବା ଯିହୂଦୀ ଲୋକ ପକ୍ଷରେ କିପରି ବିଧିସଙ୍ଗତ ନୁହେଁ, ତାହା ଆପଣମାନେ ଜାଣନ୍ତି; ତଥାପି କୌଣସି ଲୋକ ଅପବିତ୍ର କି ଅଶୁଚି ବୋଲି ନ କହିବାକୁ ଈଶ୍ୱର ମୋତେ ଦେଖାଇଅଛନ୍ତି |।
29 ସେଥିପାଇଁ ମୋତେ ଆହ୍ୱାନ କରାଯିବାମାତ୍ର ମୁଁ ମଧ୍ୟ ଆପତ୍ତି ନ କରି ଆସିଲି, ଏଣୁ ମୁଁ ପଚାରେଁ, କି ନିମନ୍ତେ ଆପଣମାନେ ମୋତେ ଡକାଇଅଛନ୍ତି।
30 କର୍ଣ୍ଣୀଲୀୟ କହିଲେ, ଚାରି ଦିନ ପୁର୍ବେ ଠିକ୍ ଏହି ସମୟରେ ମୁଁ ଆପଣା ଗୃହରେ ଅପରାହ୍ନ ତିନି ଘଣ୍ଟା ସମୟର ପ୍ରାର୍ଥନା କରୁଥିଲି; ଆଉ ଦେଖନ୍ତୁ, ଉଜ୍ଜ୍ୱବଳ ବସ୍ତ୍ର ପରିହିତ ଜଣେ ବ୍ୟକ୍ତି ମୋ ସମ୍ମୁଖରେ ଠିଆ ହୋଇ କହିଲେ, କର୍ଣ୍ଣୀଲୀୟ, ତୁମ୍ଭର ପ୍ରାର୍ଥନା ଶୁଣାଯାଇଅଛି,
31 ପୁଣି ତୁମ୍ଭର ଦାନସବୁ ଈଶରଙ୍କ ସାକ୍ଷାତରେ ସ୍ମରଣ କରାଯାଇଅଛି |।
32 ଅତଏବ ଯାଫୋକୁ ଲୋକ ପଠାଇ ପିତର ଉପନାମପ୍ରାପ୍ତ ଶିମୋନଙ୍କୁ ପାଖକୁ ଡକାଇ ଆଣ, ସେ ସମୁଦ୍ରକୂଳରେ ଶିମୋନ ଚର୍ମକାରକଙ୍କ ଗୃହରେ ବାସ କରୁଅଛନ୍ତି |।
33 ଏନିମନ୍ତେ ମୁଁ ଅବିଲମ୍ବରେ ଆପଣଙ୍କ ନିକଟକୁ ଲୋକ ପଠାଇଲି, ଆଉ ଆପଣ ଯେ ଆସିଅଛନ୍ତି, ଭଲ କରିଅଛନ୍ତି | ଅତଏବ ପ୍ରଭୁ ଆପଣଙ୍କୁ ଯାହା ସବୁ ଆଦେଶ ଦେଇଅଛନ୍ତି, ତାହା ଶୁଣିବା ନିମନ୍ତେ ଆମ୍ଭେମାନେ ସମସ୍ତେ ଈଶ୍ୱରଙ୍କ ସାକ୍ଷାତରେ ଉପସ୍ଥିତ ଅଛୁଁ |।
34 ସେଥିରେ ପିତର ମୁଖ ଫିଟାଇ କହିଲେ, ଈଶ୍ୱର ଯେ ମୁଖାପେକ୍ଷା କରନ୍ତି ନାହିଁ,
35 କିନ୍ତୁ ପ୍ରତ୍ୟେକ ଜାତିରେ ଯେକେହି ତାହାଙ୍କୁ ଭୟକରି ଧର୍ମଚରଣ କରେ, ସେ ଯେ ତାହାଙ୍କ ନିକଟରେ ଗ୍ରାହ୍ୟ ହୁଏ, ଏହା ମୁଁ ସତ୍ୟ ବୁଝୁଅଛି |।
36 ସେ ତ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଶାନ୍ତିର ସୁସମାଚାର ପ୍ରଚାର କରାଇ ଇସ୍ରାୟେଲ ସନ୍ତାନ ମାନଙ୍କ ନିକଟକୁ ଏହି ବାକ୍ୟ ପ୍ରେରଣ କଲେ; ସେହି ଯୀଶୁ ଖ୍ରୀଷ୍ଟ ସମସ୍ତଙ୍କର ପ୍ରଭୁ |।
37 ଯୋହନଙ୍କ ପ୍ରଚାରିତ ବାପ୍ତିସ୍ମ ପରେ ଗାଲୀଲୀଠାରୁ ଆରମ୍ଭ କରି ସମୁଦାୟ ଯିହୂଦା ପ୍ରଦେଶରେ ଯାହା ଘଟିଲା, ସେଥିର ବିବରଣ ଆପଣମାନେ ଜାଣନ୍ତି,
38 ଅର୍ଥାତ୍ ନାଜରିତୀୟ ଯୀଶୁଙ୍କ କଥା, କିପରି ଈଶ୍ୱର ତାହାଙ୍କୁ ପବିତ୍ର ଆତ୍ମା ଓ ଶକ୍ତିରେ ଅଭିଷିକ୍ତ କଲେ, ଆଉ ସେ ମଙ୍ଗଳ ସାଧନ କରୁଁ କରୁଁ ଓ ଶୟତାନ କର୍ତ୍ତୃକ ପ୍ରପୀଡ଼ିତ ସମସ୍ତ ଲୋକଙ୍କୁ ସୁସ୍ଥ କରୁଁ କରୁଁ ସର୍ବତ୍ର ଭ୍ରମଣ କଲେ, କାରଣ ଈଶ୍ୱର ତାହାଙ୍କ ସହବର୍ତ୍ତୀ ଥିଲେ |।
39 ପୁଣି ସେ ଯିହୂଦୀମାନଙ୍କ ଦେଶ ଓ ଯିରୂଶାଲମରେ ଯାହା ଯାହା ସାଧନ କଲେ, ଆମ୍ଭେମାନେ ସେହି ସମସ୍ତର ସାକ୍ଷୀ; ତାହାଙ୍କୁ ସେମାନେ କୃଶରେ ଟଙ୍ଗାଇ ବଧ କଲେ |।
40 ତାହାଙ୍କୁ ଈଶ୍ୱର ତୃତୀୟ ଦିବସରେ ଉଠାଇ ପ୍ରତ୍ୟକ୍ଷ ହେବାକୁ ଦେଲେ;
41 ସମସ୍ତ ଲୋକଙ୍କର ପ୍ରତ୍ୟକ୍ଷ ହେବାକୁ ଦେଲେନାହିଁ, ମାତ୍ର ଈଶ୍ୱରଙ୍କ ଦ୍ୱାରା ପୂର୍ବନିରୂପିତ ସାକ୍ଷୀ ଯେ ଆମ୍ଭେମାନେ, ଆମ୍ଭମାନଙ୍କର ପ୍ରତ୍ୟକ୍ଷ ହେବାକୁ ଦେଲେ | ସେ ମୃତମାନଙ୍କ ମଧ୍ୟରୁ ଉତ୍ଥାନ କଲା ଉତ୍ତାରେ ଆମ୍ଭେମାନେ ତାହାଙ୍କ ସହିତ ଭୋଜନ ପାନ କଲୁଁ,
42 ଆଉ ଲୋକମାନଙ୍କ ନିକଟରେ ପ୍ରଚାର କରିବାକୁ ପୁଣି ମୃତ ଓ ଜୀବିତମାନଙ୍କର ବିଚାରକର୍ତ୍ତା ହେବା ନିମନ୍ତେ ଈଶ୍ୱର ତାହାଙ୍କୁ ନିଯୁକ୍ତ କରିଅଛନ୍ତି ବୋଲି ସାକ୍ଷ୍ୟ ଦେବାକୁ ସେ ଆମ୍ଭମାନଙ୍କୁ ଆଜ୍ଞା ଦେଲେ |।
43 ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ଯେ ତାହାଙ୍କ ନାମରେ ପାପକ୍ଷମା ପାଇବ, ଏହା ସମସ୍ତ ଭାବବାଦୀ ତାହାଙ୍କ ବିଷୟରେ ସାକ୍ଷ୍ୟ ଦିୟନ୍ତି |।
44 ପିତର ଏହି ସବୁ କଥା କହୁଥିବା ସମୟରେ ଯେତେ ଲୋକ ବାକ୍ୟ ଶୁଣୁଥିଲେ, ସେହି ସମସ୍ତଙ୍କ ଉପରେ ପବିତ୍ର ଆତ୍ମା ଅବତରଣ କଲେ |।
45 ଏଥିରେ ପିତରଙ୍କ ସହିତ ଆଗତ ସୁନ୍ନତି ବିଶ୍ୱାସୀମାନେ ସମସ୍ତେ ବିଜାତିମାନଙ୍କ ଉପରେ ସୁଦ୍ଧା ପବିତ୍ର ଆତ୍ମାଙ୍କ ଦାନ ବୃଷ୍ଟି କରାଯିବା ଦେଖି ଆଚମ୍ବିତ ହେଲେ;
46 କାରଣ ସେମାନେ ସେମାନଙ୍କୁ ବିଭିନ୍ନ ଭାଷାରେ କଥା କହୁଥିବା ଓ ଈଶ୍ୱରଙ୍କ ପ୍ରଶଂସା କରୁଥିବା ଶୁଣୁଥିଲେ |।
47 ସେତେବେଳେ ପିତର ଉତ୍ତର ଦେଲେ, ଏହି ଯେଉଁ ଲୋକମାନେ ଆମ୍ଭମାନଙ୍କ ପରି ପବିତ୍ର ଆତ୍ମା ପ୍ରାପ୍ତ ହୋଇଅଛନ୍ତି, ଏମାନେ ଯେପରି ବାପ୍ତିଜିତ ନ ହୁଅନ୍ତି, ସେଥିନିମନ୍ତେ କି କେହି ଜଳ ନିଷେଧ କରି ପାରେ।
48 ପୁଣି ସେ ସେମାନଙ୍କୁ ଯୀଶୁ ଖ୍ରୀଷ୍ଟଙ୍କୁ ନାମରେ ବାପ୍ତିସ୍ମ ଦେବା ନିମନ୍ତେ ଆଦେଶ ଦେଲେ | ପରେ ସେମାନେ କିଛିଦିନ ରହିବା ପାଇଁ ତାହାଙ୍କୁ ଅନୁରୋଧ କଲେ |।