1 ହେ ଭାଇମାନେ, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆଗମନ ଓ ତାହାଙ୍କ ନିକଟରେ ଆମ୍ଭମାନଙ୍କ ଏକତ୍ର ହେବା ସମ୍ବଦ୍ଧରେ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛୁ,
2 ପ୍ରଭୁଙ୍କ ଦିନ ଉପସ୍ଥିତ ହେଲାଣି ବୋଲି ତୁମ୍ଭେମାନେ କୌଣସି ଆତ୍ମା କି ବାକ୍ୟ କି ଆମ୍ଭମାନଙ୍କ ଦ୍ୱାରା ଲିଖିତ ବୋଲି ମନେ କରି କୌଣସି ପତ୍ର ଦ୍ୱାରା ଶୀଘ୍ର ବିଚଳିତ ଓ ଉଦ୍ବିଗ୍ନ ନ ହୁଅ;
3 କେହି କୌଣସି ପ୍ରକାରେ ତୁମ୍ଭମାନଙ୍କର ଭ୍ରାନ୍ତି ନ ଜନ୍ମାଉ, କାରଣ ପ୍ରଥମେ ଧର୍ମଚ୍ୟୁତି ଘଟିବା ଆଉ ବିନାଶର ସନ୍ତାନ ସେହି ଅଧର୍ମ ପୁରୁଷ ପ୍ରକାଶିତ ହେବା ଆବଶ୍ୟକ; ନ ହେଲେ ପ୍ରଭୁଙ୍କ ଦିନ ଉପସ୍ଥିତ ହେବ ନାହିଁ |।
4 ସେ ଈଶ୍ୱରଙ୍କ ନାମରେ ଖ୍ୟାତ ବା ପୂଜିତ ସମସ୍ତଙ୍କ ବିରୋଧୀ ହୋଇ ନିଜକୁ ସେମାନଙ୍କଠାରୁ ଉନ୍ନତ କରେ, ଏପରିକି ଈଶ୍ୱରଙ୍କ ମନ୍ଦିରରେ ବସି ସେ ଆପଣାକୁ ଈଶ୍ୱର ବୋଲି ଦେଖାଏ |।
5 ମୁଁ ତୁମ୍ଭମାନଙ୍କ ସଙ୍ଗରେ ଥିବା ସମୟରେ ଏହି ସବୁ ବିଷୟ ଯେ ତୁମ୍ଭମାନଙ୍କୁ ଥରକୁଥର କହିଥିଲି, ତାହା କଅଣ ତୁମ୍ଭମାନଙ୍କର ସ୍ମରଣ ନାହିଁ।
6 ଆଉ ସେ ନିରୂୂପିତ ସମୟରେ ପ୍ରକାଶିତ ହେବା ନିମନ୍ତେ କଅଣ ବାଧା ଦେଉଅଛି, ତାହା ତ ତୁମ୍ଭେମାନେ ଜାଣ |।
7 କାରଣ ଅଧର୍ମର ନିଗୂଢ଼ତତ୍ତ୍ୱ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟ କରୁଅଛି, ବାଧା ଦେଉଥିବା ବ୍ୟକ୍ତି ଦୂରୀକୃତ ନ ହେବା ପର୍ଯ୍ୟନ୍ତ ତାହା କାର୍ଯ୍ୟ କରୁଥିବ |।
8 ସେତେବେଳେ ସେହି ଅଧର୍ମ ପୁରୁଷ ପ୍ରକାଶିତ ହେବ, ତାହାକୁ ପ୍ରଭୁ ଯୀଶୁ ଆପଣା ମୁଖର ନିଶ୍ୱାସ ଦ୍ୱାରା ସଂହାର କରିବେ ଓ ଆପଣା ଆଗମନର ପ୍ରକାଶ ଦ୍ୱାରା ବିନାଶ କରିବେ |।
9 ଶୟତାନର ଶକ୍ତି ଅନୁସାରେ ସମସ୍ତ ପ୍ରକାର ମିଥ୍ୟାଶକ୍ତି, ଚିହ୍ନ ଓ ଅଦ୍ଭୁତ କର୍ମ, ପୁଣି ବିନାଶପାତ୍ରମାନଙ୍କ ନିକଟରେ ସମସ୍ତ ପ୍ରକାର ଅଧର୍ମ ଛଳନା ସହକାରେ ସେହି ଅଧର୍ମ ପୁରୁଷର ଆଗମନ ହେବ,
10 କାରଣ ପରିତ୍ରାଣ ପ୍ରାପ୍ତ ହେବା ନିମନ୍ତେ ସେମାନେ ସତ୍ୟ ପ୍ରତି ଶ୍ରଦ୍ଧାଭାବ ବହି ନାହାନ୍ତି |।
11 ଆଉ ଏଥିସକାଶେ ସେମାନେ ଯେପରି ମିଥ୍ୟାରେ ବିଶ୍ୱାସ କରନ୍ତି, ସେଥିନିମନ୍ତେ ଈଶ୍ୱର ସେମାନଙ୍କ ନିକଟକୁ ଭ୍ରାନ୍ତିଜନକ ଶକ୍ତି ପ୍ରେରଣ କରନ୍ତି,
12 ଯେପରିକି ଯେଉଁମାନେ ସତ୍ୟରେ ବିଶ୍ୱାସ ନ କରି ଅଧର୍ମରେ ସନ୍ତୁଷ୍ଟ ହୋଇଅଛନ୍ତି, ସେମାନେ ସମସ୍ତେ ଦଣ୍ଡର ପାତ୍ର ହୁଅନ୍ତି |।
13 କିନ୍ତୁ, ହେ ପ୍ରଭୁଙ୍କ ପ୍ରିୟପାତ୍ର ଭାଇମାନେ, ତୁମ୍ଭମାନଙ୍କ ନିମନ୍ତେ ସବୁବେଳେ ଈଶ୍ୱରଙ୍କୁ ଧନ୍ୟବାଦ ଦେବା ଆମ୍ଭମାନଙ୍କର କର୍ତ୍ତବ୍ୟ, କାରଣ ଈଶ୍ୱର ଆତ୍ମାଙ୍କ ପବିତ୍ରତା ଓ ସତ୍ୟରେ ବିଶ୍ୱାସ ଦ୍ୱାରା ପରିତ୍ରାଣ ପାଇବା ନିମନ୍ତେ ତୁମ୍ଭମାନଙ୍କୁ।
14 ପ୍ରଥମଫଳସ୍ୱରୂପେ ମନୋନୀତ କରିଅଛନ୍ତି; ସେଥି ସକାସେ ମଧ୍ୟ ସେ ଆମ୍ଭମାନଙ୍କ ସୁସମଚାର ଦ୍ୱାରା ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଗୌରବ ପ୍ରାପ୍ତି ନିମନ୍ତେ ତୁମ୍ଭମାନଙ୍କୁ ଆହ୍ୱାନ କରିଅଛନ୍ତି |।
15 ଅତଏବ, ହେ ଭାଇମାନେ, ସ୍ଥିର ଥାଅ, ପୁଣି ଆମ୍ଭମାନଙ୍କ ବାକ୍ୟ କିମ୍ବା ପତ୍ର ଦ୍ୱାରା ତୁମ୍ଭେମାନେ ଯେଉଁ ଶିକ୍ଷା ପ୍ରାପ୍ତ ହୋଇଅଛ, ସେହିସବୁ ଧରି ରଖ |।
16 ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜେ, ଆଉ ଆମ୍ଭମାନଙ୍କ ଯେଉଁ ପିତା ଈଶ୍ୱର ଆମ୍ଭମାନଙ୍କୁ ପ୍ରେମ କରି ଅନୁଗ୍ରହରେ ଆମ୍ଭମାନଙ୍କୁ ଅନନ୍ତ ସାନ୍ତନା ଓ ଉତ୍ତମ ଭରସା ଦେଇଅଛନ୍ତି,
17 ସେ ନିଜେ ତୁମ୍ଭମାନଙ୍କ ହୃଦୟକୁ ସାନ୍ତନା ଦେଇ ତୁମ୍ଭମାନଙ୍କୁ ସମସ୍ତ ଉତ୍ତମ କର୍ମ ଓ ବାକ୍ୟରେ ସୁସ୍ଥିର କରନ୍ତୁ |।