1 ପାଉଲ୍,ସିଲ୍ୱାନ ଓ ତୀମଥୀ ଆମ୍ଭମାନଙ୍କ ପିତା ଈଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ଥିବା ଥେସଲନୀକୀୟ ମଣ୍ଡଳୀ ନିକଟକୁ ପତ୍ର ଲେଖୁଅଛନ୍ତି;

2 ପିତା ଈଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ |।

3 ହେ ଭାଇମାନେ,ତୁମ୍ଭମାନଙ୍କ ନିମନ୍ତେ ଈଶ୍ୱରଙ୍କୁ ସର୍ବଦା ଧନ୍ୟବାଦ ଦେବା ଆମ୍ଭମାନଙ୍କର କର୍ତ୍ତବ୍ୟ, ଆଉ ତାହା ଉପଯୁକ୍ତ, କାରଣ ତୁମ୍ଭମାନଙ୍କ ବିଶ୍ୱାସ ଅତିଶୟ ବୃଦ୍ଧି ପାଉଅଛି, ପୁଣି ପରସ୍ପର ପ୍ରତି ତୁମ୍ଭସମସ୍ତଙ୍କ ପ୍ରତ୍ୟେକର ପ୍ରେମ ବଢ଼ୁଅଛି,

4 ଏପରିକି ତୁମ୍ଭେମାନେ ଯେଉଁ ସମସ୍ତ ତାଡ଼ନା ଓ କ୍ଲେଶ ଭୋଗ କରୁଅଛ, ସେଥିମଧ୍ୟରେ ତୁମ୍ଭମାନଙ୍କର ଧୌର୍ଯ୍ୟ ଓ ବିଶ୍ୱାସ ନିମନ୍ତେ ଆମ୍ଭେମାନେ ନିଜେ ଈଶ୍ୱରଙ୍କ ମଣ୍ଡଳୀସମୂହରେ ତୁମ୍ଭମାନଙ୍କ ବିଷୟରେ ଦର୍ପ କରି ଥାଉ |।

5 ଈଶ୍ୱରଙ୍କ ଯେଉଁ ରାଜ୍ୟ ନିମନ୍ତେ ତୁମ୍ଭେମାନେ ଦୁଃଖ ଭୋଗ କରୁଅଛ, ସେଥିର ଯୋଗ୍ୟ ବୋଲି ଗଣିତ ହେବା ପାଇଁ ଏହା ତ ଈଶ୍ୱରଙ୍କ ଯଥାର୍ଥ ବିଚାରର ପ୍ରତ୍ୟକ୍ଷ ପ୍ରମାଣ,

6 କାରଣ ପ୍ରଭୁ ଯୀଶୁ ଯେତେବେଳେ ଆପଣା ଶକ୍ତିମାନ ଦୂତମାନଙ୍କ ସହିତ ପ୍ରଜ୍ଜ୍ୱଳିତ ଅଗ୍ନି ସହ ସ୍ୱର୍ଗରୁ ପ୍ରକାଶିତ ହେବେ,

7 ସେତେବେଳେ ତୁମ୍ଭମାନଙ୍କୁ କ୍ଲେଶ ଦେଉଥିବା ଲୋକମାନଙ୍କୁ ପ୍ରତିଫଳସ୍ୱରୂପେ କ୍ଲେଶ ଦେବା ଓ କ୍ଲେଶ ଭୋଗ କରୁଅଛ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କୁ ଆମ୍ଭମାନଙ୍କ ସହିତ ବିଶ୍ରାମ ଦେବା, ଏହା ତ ଈଶ୍ୱରଙ୍କ ପକ୍ଷରେ ନ୍ୟାୟର ବିଷୟ;

8 ଯେଉଁମାନେ ଈଶ୍ୱରଙ୍କୁ ଜାଣନ୍ତି ନାହିଁ, ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ସୁସମାଚାର ମାନନ୍ତି ନାହିଁ,ସେମାନଙ୍କୁ ସେ ସେତେବେଳେ ଦଣ୍ଡ ଦେବେ,

9 ଅର୍ଥାତ୍ ଯେଉଁ ଦିନ ସେ ଆପଣା ସାଧୁମାନଙ୍କ ଦ୍ୱାରା ଗୌରବାନ୍ୱିତ ହେବାକୁ ଓ ବିଶ୍ୱାସ କରିଥିବା ଲୋକସମସ୍ତଙ୍କ ଦ୍ୱାରା ଚମତ୍କାରର ଦୃଶ୍ୟସ୍ୱରୂପ ହେବାକୁ ଆସିବେ ( କାରଣ ତୁମ୍ଭମାନଙ୍କ ନିକଟରେ ଆମ୍ଭମାନଙ୍କ ସାକ୍ଷ୍ୟ ତୁମ୍ଭେମାନେ ବିଶ୍ୱାସ କରିଅଛ ),

10 ସେହି ଦିନ ସେମାନେ ଦଣ୍ଡ ପାଇବେ,ଅର୍ଥାତ୍ ପ୍ରଭୁଙ୍କ ଛାମୁରୁ ଓ ତାହାଙ୍କ ପରାକ୍ରମର ଗୌରବରୁ ଦୂରୀକୃତ ହୋଇ ଅନନ୍ତ ବିନାଶ ଭୋଗ କରିବେ |।

11 ଏଣୁ ଆମ୍ଭମାନଙ୍କ ଈଶ୍ୱର ଯେପରି ତୁମ୍ଭମାନଙ୍କୁ ଆପଣା ଆହ୍ୱାନର ଯୋଗ୍ୟ ବୋଲି ଗଣନା କରନ୍ତି, ସେଥିପାଇଁ ମଧ୍ୟ ଆମ୍ଭେମାନେ ସର୍ବଦା ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରୁଅଛୁ;

12 ତାହା ହେଲେ ଆମ୍ଭମାନଙ୍କ ଈଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ଅନୁସାରେ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ନାମ ତୁମ୍ଭମାନଙ୍କଠାରେ ଗୌରବାନ୍ୱିତ ହେବ |।