1 ହେ ଭାଇମାନେ, ତୁମ୍ଭେମାନେ ତ ନିଜେ ଜାଣ ଯେ, ତୁମ୍ଭମାନଙ୍କ ମଧ୍ୟକୁ ଆମ୍ଭମାନଙ୍କ ଆଗମନ ବ୍ୟର୍ଥ ହୋଇନାହିଁ |।

2 ମାତ୍ର ଯେପରି ତୁମ୍ଭେମାନେ ଜାଣ, ଆମ୍ଭେମାନେ ସେଥିପର୍ବେ ଫିଲିପ୍ପୀରେ ଦୁଃଖ ଓ ଅତ୍ୟାଚାର ଭୋଗ କଲା ଉତ୍ତାରେ ତୁମ୍ଭମାନଙ୍କ ନିକଟରେ ଅତିଶୟ ପ୍ରାଣପଣେ ଈଶ୍ୱରଙ୍କ ସୁସମାଚାର ପ୍ରଚାର କରିବା ନିମନ୍ତେ ଆମ୍ଭମାନଙ୍କ ଈଶ୍ୱରଙ୍କ ଦ୍ୱାରା ସାହସ ପ୍ରାପ୍ତ ହୋଇଥିଲୁଁ |।

3 କାରଣ ଆମ୍ଭମାନଙ୍କ ଉପଦେଶ ଭ୍ରମ ଅବା ଅଶୁଚିତାମୁଳକ ଅବା ଛଳଯୁକ୍ତ ନ ଥିଲା,

4 କିନ୍ତୁ ଆମ୍ଭମାନଙ୍କ ହସ୍ତରେ ସୁସମାଚର ପ୍ରଚାରର ଭାର ସମର୍ପିତ ହେବା ନିମନ୍ତେ ଆମ୍ଭେମାନେ ଯେ ରୁପେ ଈଶ୍ୱରଙ୍କ ଦ୍ୱାରା ଯୋଗ୍ୟ ଗଣିତ ହୋଇଅଛୁଁ, ସେହିରୁପେ ଆମ୍ଭେମାନେ ପ୍ରଚାର କରୁଅଛୁଁ; ଆମ୍ଭମାନଙ୍କ ହୃଦୟର ପରୀକ୍ଷକ ଯେ ଈଶ୍ୱର, ଏଣୁ ମନୁଷ୍ୟକୁ ସନ୍ତୁଷ୍ଟ ନ କରି ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ ତାହା କରୁଅଛୁଁ |।

5 ତୁମ୍ଭେମାନେ ତ ଜାଣ ଯେ, ଆମ୍ଭେମାନେ କୌଣସି ପ୍ରକାର ଚାଟୁବାଦ ବ୍ୟବହାର କରିନାହୁଁ, କିଅବା ଛଳନାଯୁକ୍ତ ବାକ୍ୟ କହିନାହୁଁ, ଈଶ୍ୱର ଏଥିର ସାକ୍ଷୀ |।

6 ଯଦ୍ୟପି ଖ୍ରୀଷ୍ଟଙ୍କ ପ୍ରେରିତ ସ୍ୱରୁପେ ଆମ୍ଭେମାନେ ସମ୍ଭ୍ରମ ଦାବୀ କରି ପାରିଥାନ୍ତୁ, ତଥାପି ତୁମ୍ଭମାନଙ୍କର ଠାରୁ ହେଉ ବା ଅନ୍ୟ କାହାରିଠାରୁ ହେଉ କୌଣସି ମନୁଷ୍ୟ ଠାରୁ ଗୌରବ ପାଇବାକୁ ଚେଷ୍ଟା କରି ନାହୁଁ |।

7 କିନ୍ତୁ ଆମ୍ଭେମାନେ ତୁମ୍ଭମାନଙ୍କ ମଧ୍ୟରେ ମଦୁଶୀଳ ହୋଇ, ମାତା ଯେପରି ଆପଣା ସନ୍ତାନମାନଙ୍କୁ ଲାଳନପାଳନ କରେ,

8 ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କ ସ୍ନେହ ଥିବାରୁ ଆମ୍ଭେମାନେ ସେହି ପ୍ରକାରେ ତୁମ୍ଭମାନଙ୍କୁ ଈଶ୍ୱରଙ୍କ ସୁସମାଚାର କେବଳ ନୁହେ, ମାତ୍ର ଆପଣା ପ୍ରାଣ ଦେବାକୁ ଇଛୁକ ଥିଲୁଁ, କାରଣ ତୁମ୍ଭେମାନେ ଆମ୍ଭମାନଙ୍କ ପ୍ରିୟ ପାତ୍ର ହୋଇଥିଲ |।

9 ହେ ଭାଇମାନେ, ଆମ୍ଭମାନଙ୍କ ପରିଶ୍ରମ ଓ କଠିନ କାର୍ଯ୍ୟ ତୁମ୍ଭମାନଙ୍କ ସ୍ମରଣରେ ଅଛି; ଯେପରି ଆମ୍ଭେମାନେ ତୁମ୍ଭମାନଙ୍କ କାହାରି ଭାରସ୍ୱରୁପ ନ ହୋଉଁ, ଏଥି ନିମନ୍ତେ ଦିବା ରାତ୍ର କଠୋର ପରିଶ୍ରମ କରି ଈଶ୍ୱରଙ୍କ ସୁସମାଚାର ତୁମ୍ଭମାନଙ୍କ ନିକଟରେ ପ୍ରଚାର କରିଥିଲୁଁ |।

10 ବିଶ୍ୱସୀ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କ ପ୍ରତି ଆମ୍ଭେମାନେ କିପରି ପବିତ୍ର, ଧାର୍ମିକ ଓ ଅନିନ୍ଦନିୟ ବ୍ୟବହାର କରିଥିଲୁଁ, ସେଥିର ତୁମ୍ଭେମାନେ ସାକ୍ଷୀ, ପୁଣି ଈଶ୍ୱର ମଧ୍ୟ ସାକ୍ଷୀ |।

11 ଆଉ ତୁମ୍ଭେମାନେ ତ ଜାଣ, ପିତା ଯେ ପ୍ରକାରେ ଆପଣା ସନ୍ତାନମାନଙ୍କୁ, ସେହି ପ୍ରକାରେ ଆମ୍ଭେମାନେ ତୁମ୍ଭ ପ୍ରତ୍ୟେକ ଜଣକୁ ଉପଦେଶ ଓ ଉତ୍ସାହ ଦେଇ ଏକାନ୍ତ ଅନୁରୋଧ କରିଥିଲୁଁ,

12 ଯେପରି ତୁମ୍ଭମାନଙ୍କ ଆହ୍ୱାନକାରୀ ଯେଉଁ ଈଶ୍ୱର, ତାହାଙ୍କ ରାଜ୍ୟ ଓ ଗୌରବର ଅଂଶୀ ହେବା ନିମନ୍ତେ ତୁମ୍ଭେମାନେ ତାହାଙ୍କର ଯୋଗ୍ୟ ଆଚରଣ କର |।

13 ଆଉ ଏହି କାରଣରୁ ଆମ୍ଭେମାନେ ମଧ୍ୟ ନିରନ୍ତର ଈଶ୍ୱରଙ୍କ ଧନ୍ୟବାଦ କରୁଅଛୁଁ ଯେ, ଯେତେବେଳେ ତୁମ୍ଭେମାନେ ଆମ୍ଭମାନଙ୍କ ଦ୍ୱାରା ପ୍ରଚାରିତ ଈଶ୍ୱରଙ୍କ ବାକ୍ୟ ଗ୍ରହଣ କଲ, ସେତେବେଳେ ତାହା ମନୁଷ୍ୟର ବାକ୍ୟ ରୁପେ ଗ୍ରହଣ ନ କରି ବରଂ ଈଶ୍ୱରଙ୍କ ବାକ୍ୟ ସ୍ୱରୁପେ ଗ୍ରହଣ କରିଥିଲ, ଆଉ ବାସ୍ତବରେ ତାହା ଈଶ୍ୱରଙ୍କ ବାକ୍ୟ ଅଟେ, ପୁଣି ବିଶ୍ୱାସୀ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କ ଅନ୍ତରରେ ତାହା ମଧ୍ୟ କାର୍ଯ୍ୟ ସାଧନ କରୁଅଛି |।

14 କାରଣ, ହେ ଭାଇମାନେ, ତୁମ୍ଭେମାନେ ଖ୍ରୀଷ୍ଟଯୀଶୁଙ୍କ ଠାରେ ଥିବା ଯିହୁଦା ଦେଶସ୍ଥ ମଣ୍ଡଳୀସମୁହର ଅନୁକାରୀ ହୋଇଅଛ, ଯେଣୁ ସେମାନେ ଯିହୁଦିମାନଙ୍କ ଦ୍ୱାରା ଯେଉଁ ଦୁଃଖଭୋଗ କରିଥିଲେ, ତୁମ୍ଭେମାନେ ମଧ୍ୟ ସ୍ୱଜାତିୟମାନଙ୍କ ଦ୍ୱାରା ସେହି ସବୁ ଦୁଃଖଭୋଗ କରୁଅଛ |।

15 ସେହି ଯିହୁଦୀମାନେ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କୁ ପୁଣି ଭାବବାଦୀମାନଙ୍କୁ ମଧ୍ୟ ବଧ କରିଥିଲେ, ଆଉ ଆମ୍ଭମାନଙ୍କୁ ତାଡନା କଲେ; ସେମାନେ ଈଶ୍ୱରଙ୍କ ଅସନ୍ତୋଷପାତ୍ର ଓ ସମସ୍ତ ମାନବଜାତିର ବିପକ୍ଷ,

16 କାରଣ ବିଜାତିମାନଙ୍କ ପରିତ୍ରାଣ ନିମନ୍ତେ ସେମାନଙ୍କ ନିକଟରେ ପ୍ରଚାର କରିବାକୁ ସେମାନେ ସର୍ବଦା ଆମ୍ଭମାନଙ୍କୁ ବାଧା ଦିଅନ୍ତି, ପୁଣି ପାପରେ ଆପଣା ଆପଣାକୁ ପରିପୁର୍ଣ୍ଣ କରୁଥାନ୍ତି; ସେମାନଙ୍କ ଉପରେ କ୍ରୋଧ ସମ୍ପୁର୍ଣ୍ଣ ରୁପେ ବର୍ତ୍ତିଲାଣି |।

17 କିନ୍ତୁ, ହେ ଭାଇମାନେ, ଆମ୍ଭେମାନେ ହୃଦୟରେ ନୁହେଁ, ମାତ୍ର ଶରୀରରେ ଅଳ୍ପ ସମୟ ପାଇଁ ତୁମ୍ଭମାନଙ୍କ ଠାରୁ ବିଛିନ୍ନ ହୋଇଥିବାରୁ ତୁମ୍ଭମାନଙ୍କ ମୁଖ ଦେଖିବାକୁ ଅତ୍ୟନ୍ତ ଆକାଂକ୍ଷା ସହକାରେ ଅଧିକ ଚେଷ୍ଟା କରିଥିଲୁଁ |।

18 ଏନିମନ୍ତେ ଆମ୍ଭେମାନେ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମନସ୍ଥ କରିଥିଲୁ, ବିଶେଷରେ ମୁଁ ପାଉଲ ଥରେ, ହଁ, ଦୁଇ ଥର ମନସ୍ଥ କରିଥିଲି, କିନ୍ତୁ ଶୟତାନ ଆମ୍ଭମାନଙ୍କୁ ବାଧା ଦେଲା |।

19 କାରଣ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ଆଗମନ ସମୟରେ ତାହାଙ୍କ ଛାମୁରେ ଆମ୍ଭମାନଙ୍କ ଭରସା, ଆନନ୍ଦ କି ଦର୍ପର ମୁକୁଟ କଣ ତାହା କି ତୁମ୍ଭେମାନେ ନୁହ?

20 ତୁମ୍ଭେମାନେ ତ ଆମ୍ଭମାନଙ୍କ ଗୌରବ ଓ ଆନନ୍ଦର କାରଣ ଅଟ |।