1 ପାଉଲ,ସିଲ୍ୱାନ ଓ ତିମଥି ପିତା ଈଶ୍ୱର ଓ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ଥିବା ଥେସଲନିକୀୟ ମଣ୍ଡଳୀ ନିକଟକୁ ପତ୍ର ଲେଖୁଅଛନ୍ତି; ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ |।

2 ଆମ୍ଭମାନଙ୍କ ଈଶ୍ୱର ଓ ପିତାଙ୍କ ଛାମୁରେ ଆମ୍ଭେମାନେ ତୁମ୍ଭମାନଙ୍କ ବିଶ୍ୱାସର କର୍ମ,ପ୍ରେମର ପରିଶ୍ରମ ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସମ୍ଭନ୍ଧିୟ ତୁମ୍ଭମାନଙ୍କ ଭରସାର ଧୈର୍ଯ୍ୟ ବିଷୟ।

3 ନିରନ୍ତର ସ୍ମରଣ କରି ଆମ୍ଭମାନଙ୍କ ପ୍ରାର୍ଥନାରେ ନାମ ଉଲ୍ଲେଖପୂର୍ବକ ତୁମ୍ଭସମସ୍ତଙ୍କ ନିମନ୍ତେ ସର୍ବଦା ଈଶ୍ୱରଙ୍କୁ ଧନ୍ୟବାଦ ଦେଉଅଛୁ;

4 ହେ ଈଶ୍ୱରଙ୍କ ପ୍ରିୟ ଭ୍ରାତୃବୃନ୍ଦ, ଆମ୍ଭେମାନେ ଜାଣୁ ଯେ, ତୁମ୍ଭେମାନେ ମନୋନୀତ ଲୋକ, ଯେଣୁ ଆମ୍ଭମାନଙ୍କ ସୁସମାଚାର କେବଳ ବାକ୍ୟରେ ନୁହେ,ମାତ୍ର ଶକ୍ତି,ପବିତ୍ରଆତ୍ମା ଓ ଅତ୍ୟନ୍ତ ନିଶ୍ଚିୟତା ସହ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହୋଇଥିଲା,

5 ଓ ତୁମ୍ଭମାନଙ୍କ ମଧ୍ୟରେ ଥିବା ସମୟରେ ତୁମ୍ଭମାନଙ୍କ ସହିତ ଆମ୍ଭେମାନେ କିପ୍ରକାର ବ୍ୟବହାର କରିଥିଲୁ, ତାହା ତ ତୁମ୍ଭେମାନେ ଜାଣ |।

6 ପୁଣି ତୁମ୍ଭେମାନେ ବହୁ କ୍ଲେଶଭୋଗ ମଧ୍ୟରେ ପବିତ୍ର ଆତ୍ମାଦତ୍ତ ଆନନ୍ଦ ସହ ସେହି ବାକ୍ୟ ଗ୍ରହଣ କରି ଆମ୍ଭମାନଙ୍କ ଓ ପ୍ରଭୁଙ୍କର ଅନୁକାରୀ ହୋଇଥିଲ,

7 ଯେପରିକି ତୁମ୍ଭେମାନେ ମାକିଦନିୟା ଓ ଆଖାୟା ନିବାସୀ ସମସ୍ତ ବିଶ୍ୱାସୀଙ୍କ ପ୍ରତି ଆଦର୍ଶସ୍ୱରୂପ ହୋଇଥିଲ |।

8 କାରଣ ଥେସଲନିକୀୟ ବିଶ୍ୱାସୀମାନଙ୍କ ଦ୍ୱାରା ପ୍ରଭୁଙ୍କର ବାକ୍ୟ ଯେ କେବଳ ମାକିଦନିଆ ଓ ଆଖାୟାରେ ଘୋଷିତ ହୋଇଅଛି, ତାହା ନୁହେଁ,ମାତ୍ର ଈଶ୍ୱରଙ୍କ ପ୍ରତି ତୁମ୍ଭମାନଙ୍କ ବିଶ୍ୱାସର ବିଷୟ ସର୍ବତ୍ର ଏପରି ବ୍ୟାପ୍ତ ହୋଇଅଛି ଯେ,ସେ ସମ୍ଭନ୍ଧରେ ଆମ୍ଭମାନଙ୍କର କିଛି କହିବା ଆବଶ୍ୟକ ନୁହେଁ |।

9 ଯେଣୁ ଲୋକମାନେ ଆମ୍ଭମାନଙ୍କ ସମ୍ଭନ୍ଧରେ କହିଥାଆନ୍ତି ଯେ, ତୁମ୍ଭମାନଙ୍କ ମଧ୍ୟକୁ ଆମ୍ଭମାନଙ୍କ ଆଗମନ ସମୟରେ କଅଣ ଘଟିଥିଲା ଆଉ କିପରି ତୁମ୍ଭେମାନେ ପ୍ରତିମାସବୁ ପରିତ୍ୟାଗ କରି ଜୀବିତ ଓ ସତ୍ୟ ଈଶ୍ୱରଙ୍କର ସେବା କରିବା ନିମନ୍ତେ,

10 ପୁଣି ସେ ଆପଣା ଯେଉଁ ପୁତ୍ରଙ୍କୁ ମୃତମାନଙ୍କ ମଧ୍ୟରୁ ଆଗାମୀ କ୍ରୋଧରୁ ଉଦ୍ଧାର କରିବାକୁ ଉଠାଇଲେ, ଆମ୍ଭମାନଙ୍କ ସେହି ଉଦ୍ଧରକର୍ତ୍ତା ଯୀଶୁଙ୍କୁ ସ୍ୱର୍ଗରୁ ଆଗମନ କରିବାର ଅପେକ୍ଷାରେ ରହିବା ନିମନ୍ତେ ଈଶ୍ୱରଙ୍କ ପ୍ରତି ଫେରାଇଲେ |।