1 ରୁବେନ-ସନ୍ତାନଗଣର ଓ ଗାଦ-ସନ୍ତାନଗଣର ଅନେକ ପଶୁପଲ ଥିଲା ଏଣୁ ସେମାନେ ଯାସେର ଦେଶକୁ ଓ ଗିଲୀୟଦ ଦେଶକୁ ଦେଖିଲେ ଯେ, ଦେଖ, ସେ ସ୍ଥାନ ପଶୁପଲ ନିମନ୍ତେ ସ୍ଥାନ ଅଟେ।
2 ଏଥିରେ ଗାଦର ସନ୍ତାନଗଣ ଓ ରୁବେନର ସନ୍ତାନଗଣ ଆସି ମୋଶାଙ୍କୁ ଓ ଇଲୀୟାସର ଯାଜକକୁ ଓ ମଣ୍ଡଳୀର ଅଧ୍ୟକ୍ଷଗଣକୁ କହିଲେ।
3 ଅଟାରୋତ୍ ଓ ଦୀବୋନ ଓ ଯାସେର ଓ ନିମ୍ରା ଓ ହିଷ୍ବୋନ୍ ଓ ଇଲୀୟାଲୀ ଓ ସିବମା ଓ ନବୋ ଓ ବିୟୋନ,
4 ଏହି ଯେସବୁ ଦେଶକୁ ସଦାପ୍ରଭୁ ଇସ୍ରାଏଲ-ମଣ୍ଡଳୀ ସମ୍ମୁଖରେ ପରାସ୍ତ କରିଅଛନ୍ତି, ତାହା ପଶୁପଲ ନିମନ୍ତେ ସ୍ଥାନ ଅଟେ ପୁଣି ତୁମ୍ଭର ଏହି ଦାସମାନଙ୍କର ପଶୁପଲ ଅଛି।
5 ସେମାନେ ଆହୁରି କହିଲେ, ଆମ୍ଭେମାନେ ଯେବେ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହ ପାଇଅଛୁ, ତେବେ ତୁମ୍ଭର ଦାସଗଣକୁ ଅଧିକାରାର୍ଥେ ଏହି ଦେଶ ଦିଆଯାଉ ଆମ୍ଭମାନଙ୍କୁ ଯର୍ଦ୍ଦନ ପାରିକି ନେଇ ଯାଅ ନାହିଁ।
6 ଏଥିରେ ମୋଶା ଗାଦର ସନ୍ତାନଗଣକୁ ଓ ରୁବେନର ସନ୍ତାନଗଣକୁ କହିଲେ, ତୁମ୍ଭମାନଙ୍କର ଭାଇମାନେ ଯୁଦ୍ଧ କରିବାକୁ ଯିବେ, ଆଉ ତୁମ୍ଭେମାନେ କି ଏଠାରେ ବସି ରହିବ।
7 ସଦାପ୍ରଭୁ ଇସ୍ରାଏଲ-ସନ୍ତାନଗଣକୁ ଯେଉଁ ଦେଶ ଦେଇଅଛନ୍ତି, ପାର ହୋଇ ସେହି ଦେଶକୁ ଯିବା ପାଇଁ କିହେତୁ ସେମାନଙ୍କ ମନକୁ ସାହସହୀନ କରୁଅଛ।
8 ମୁଁ ତୁମ୍ଭର ପିତୃଲୋକମାନଙ୍କୁ କାଦେଶ-ବର୍ଣ୍ଣେୟଠାରୁ ସେହି ଦେଶ ଦେଖିବାକୁ ପଠାଇବା ବେଳେ ସେମାନେ ଏହିରୂପେ କରିଥିଲେ।
9 କାରଣ ସେମାନେ ଇଷ୍କୋଲ-ଉପତ୍ୟକା ପର୍ଯ୍ୟନ୍ତ ଗମନ କରି ଦେଶ ଦେଖି ସଦାପ୍ରଭୁଙ୍କ ଦତ୍ତ ଦେଶକୁ ଯିବା ପାଇଁ ଇସ୍ରାଏଲ-ସନ୍ତାନଗଣର ମନକୁ ସାହସହୀନ କଲେ।
10 ଏନିମନ୍ତେ ସେହି ଦିନ ସଦାପ୍ରଭୁଙ୍କର କ୍ରୋଧ ପ୍ରଜ୍ୱଳିତ ହେଲା, ପୁଣି ସେ ଶପଥ କରି ଏହି କଥା କହିଲେ,
11 ଆମ୍ଭେ ଅବ୍ରହାମକୁ ଓ ଇସହାକ୍କୁ ଓ ଯାକୁବକୁ ଯେଉଁ ଦେଶ ଦେବା ପାଇଁ ଶପଥ କରିଅଛୁ, ମିସରରୁ ଆଗତ ଲୋକମାନଙ୍କ ମଧ୍ୟରୁ କୋଡ଼ିଏ ବର୍ଷ ଓ ତତୋଧିକ ବର୍ଷ ବୟସ୍କ କେହି ସେହି ଦେଶ ଦେଖି ପାରିବ ନାହିଁ, ଏହା ନିଶ୍ଚିତନ୍ତ କାରଣ ସେମାନେ ସମ୍ପୂର୍ଣ୍ଣ ରୂପେ ଆମ୍ଭର ଅନୁଗତ ହୋଇ ନାହାନ୍ତି।
12 କେବଳ କନିସୀୟ ଯିଫୁନ୍ନିର ପୁତ୍ର କାଲେବ ଓ ନୂନର ପୁତ୍ର ଯିହୋଶୂୟ ତାହା ଦେଖିବେ କାରଣ ସେମାନେ ସମ୍ପୂର୍ଣ୍ଣ ରୂପେ ସଦାପ୍ରଭୁଙ୍କର ଅନୁଗତ ହୋଇଅଛନ୍ତି।
13 ଏହିରୂପେ ଇସ୍ରାଏଲ ପ୍ରତି ସଦାପ୍ରଭୁଙ୍କର କ୍ରୋଧ ପ୍ରଜ୍ୱଳିତ ହେଲା, ପୁଣି ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମକାରୀ ସମସ୍ତ ବଂଶର ନିଃଶେଷ ନ ହେବା ପର୍ଯ୍ୟନ୍ତ ସେ ସେମାନଙ୍କୁ ଚାଳିଶ ବର୍ଷଯାଏ ପ୍ରାନ୍ତରରେ ଭ୍ରମଣ କରାଇଲେ।
14 ଏବେ ଦେଖ, ପାପିଷ୍ଠ ଲୋକମାନଙ୍କର ବଂଶ, ତୁମ୍ଭେମାନେ ଇସ୍ରାଏଲ ପ୍ରତି ସଦାପ୍ରଭୁଙ୍କର ପ୍ରଚଣ୍ଡ କ୍ରୋଧ ଆହୁରି ବଢ଼ାଇବାର ନିମନ୍ତେ ଆପଣା ଆପଣା ପିତୃଗଣର ସ୍ଥାନରେ ଉଠିଅଛ।
15 କାରଣ ଯେବେ ତୁମ୍ଭେମାନେ ଏହିରୂପେ ତାହାଙ୍କ ପଶ୍ଚାଦ୍ଗମନରୁ ବିମୁଖ ହେବ, ତେବେ ସେ ପୁନର୍ବାର ଇସ୍ରାଏଲକୁ ପ୍ରାନ୍ତରରେ ପରିତ୍ୟାଗ କରିବେ, ତହିଁରେ ତୁମ୍ଭେମାନେ ଏହି ସକଳ ଲୋକଙ୍କୁ ବିନଷ୍ଟ କରାଇବ।
16 ଏଥିରେ ସେମାନେ ତାଙ୍କ ନିକଟକୁ ଆସି କହିଲେ, ଆମ୍ଭେମାନେ ଏହି ସ୍ଥାନରେ ଆପଣା ଆପଣା ପଶୁମାନଙ୍କ ନିମନ୍ତେ ମେଷଶାଳା ଓ ଆପଣା ଆପଣା ବାଳକମାନଙ୍କ ନିମନ୍ତେ ନଗର ନିର୍ମାଣ କରିବା।
17 ମାତ୍ର ଆମ୍ଭେମାନେ ନିଜେ ଇସ୍ରାଏଲ-ସନ୍ତାନଗଣକୁ ସେମାନଙ୍କ ସ୍ଥାନକୁ ନ ଆଣିବା ପର୍ଯ୍ୟନ୍ତ ସସଜ୍ଜ ହୋଇ ସେମାନଙ୍କ ଆଗେ ଆଗେ ଗମନ କରିବୁନ୍ତ କେବଳ ଆମ୍ଭମାନଙ୍କର ବାଳକମାନେ ଦେଶନିବାସୀମାନଙ୍କ ସକାଶୁ ପ୍ରାଚୀରବେଷ୍ଟିତ ନଗରରେ ବାସ କରିବେ।
18 ଇସ୍ରାଏଲ-ସନ୍ତାନଗଣର ପ୍ରତ୍ୟେକ ଲୋକ ଆପଣା ଆପଣା ଅଧିକାର ନ ପାଇବା ପର୍ଯ୍ୟନ୍ତ ଆମ୍ଭେମାନେ ଆପଣା ଆପଣା ଗୃହକୁ ଫେରି ଆସିବୁ ନାହିଁ।
19 ମାତ୍ର ଆମ୍ଭେମାନେ ଯର୍ଦ୍ଦନର ଆର ପାରିରେ ଓ ତହିଁ ଆଗରେ ସେମାନଙ୍କ ସହିତ ଅଧିକାର ଗ୍ରହଣ କରିବୁ ନାହିଁ କାରଣ ଯର୍ଦ୍ଦନର ଏହି ପାରିରେ ଆମ୍ଭମାନଙ୍କ ଅଧିକାର ପଡ଼ିଅଛି।
20 ଏଥିରେ ମୋଶା ସେମାନଙ୍କୁ କହିଲେ, ତୁମ୍ଭେମାନେ ଯେବେ ଏହି କର୍ମ କର, ଯେବେ ସସଜ୍ଜ ହୋଇ ସଦାପ୍ରଭୁଙ୍କ ସମ୍ମୁଖରେ ଯୁଦ୍ଧ କରିବାକୁ ଗମନ କର,
21 ପୁଣି ସେ ଯେପର୍ଯ୍ୟନ୍ତ ଆପଣା ଶତ୍ରୁଗଣକୁ ଆପଣା ଆଗରୁ ତଡ଼ି ନ ଦିଅନ୍ତି।
22 ଓ ଦେଶ ସଦାପ୍ରଭୁଙ୍କ ଆଗରେ ବଶୀଭୂତ ନ ହୁଏ, ସେପର୍ଯ୍ୟନ୍ତ ତୁମ୍ଭମାନଙ୍କର ପ୍ରତ୍ୟେକ ସସଜ୍ଜ ଲୋକ ଯେବେ ସଦାପ୍ରଭୁଙ୍କ ସମ୍ମୁଖରେ ଯର୍ଦ୍ଦନ ପାର ହୁଅ ତେବେ ତହିଁ ଉତ୍ତାରେ ତୁମ୍ଭେମାନେ ଫେରି ଆସିଲେ, ସଦାପ୍ରଭୁଙ୍କ ନିକଟରେ ଓ ଇସ୍ରାଏଲ ନିକଟରେ ନିର୍ଦ୍ଦୋଷ ହେବ ଆଉ ସେହି ଦେଶ ସଦାପ୍ରଭୁଙ୍କ ସମ୍ମୁଖରେ ତୁମ୍ଭମାନଙ୍କର ଅଧିକାର ହେବ।
23 ମାତ୍ର ତୁମ୍ଭେମାନେ ଯେବେ ସେରୂପ ନ କର, ତେବେ ଦେଖ, ତୁମ୍ଭେମାନେ ସଦାପ୍ରଭୁଙ୍କ ନିକଟରେ ପାପୀ ହେବ ପୁଣି ତୁମ୍ଭମାନଙ୍କର ପାପ ଯେ ତୁମ୍ଭମାନଙ୍କୁ ଧରିବ, ଏହା ନିଶ୍ଚିତ ଜାଣ।
24 ତୁମ୍ଭେମାନେ ଆପଣା ଆପଣା ବାଳକମାନଙ୍କ ପାଇଁ ନଗର ଓ ମେଷମାନଙ୍କ ପାଇଁ ଶାଳା ନିର୍ମାଣ କର, ଆଉ ଆପଣାମାନଙ୍କ ମୁଖରୁ ନିର୍ଗତ ବାକ୍ୟ ପ୍ରମାଣେ କର୍ମ କର।
25 ତେବେ ଗାଦ-ସନ୍ତାନଗଣ ଓ ରୁବେନ-ସନ୍ତାନଗଣ ମୋଶାଙ୍କୁ କହିଲେ, ଆମ୍ଭମାନଙ୍କର ପ୍ରଭୁ ଯାହା ଆଜ୍ଞା କଲେ, ତଦନୁସାରେ ତୁମ୍ଭର ଦାସମାନେ କର୍ମ କରିବେ।
26 ଆମ୍ଭମାନଙ୍କର ବାଳକ, ସ୍ତ୍ରୀ, ପଲ ଓ ପଶୁସକଳ ଗିଲୀୟଦର ନଗରମାନଙ୍କରେ ରହିବେ।
27 ମାତ୍ର ଆମ୍ଭମାନଙ୍କ ପ୍ରଭୁଙ୍କ ବାକ୍ୟାନୁସାରେ ତୁମ୍ଭର ଦାସମାନେ ପ୍ରତ୍ୟେକେ ସସଜ୍ଜ ହୋଇ ଯୁଦ୍ଧ କରିବାକୁ ପାର ହୋଇଯିବେ।
28 ତହୁଁ ମୋଶା ସେମାନଙ୍କ ବିଷୟରେ ଇଲୀୟାସର ଯାଜକକୁ ଓ ନୂନର ପୁତ୍ର ଯିହୋଶୂୟଙ୍କୁ ଓ ଇସ୍ରାଏଲସନ୍ତାନଗଣର ବଂଶୀୟ ପିତୃଗୃହର ପ୍ରଧାନମାନଙ୍କୁ ଆଜ୍ଞା ଦେଲେ।
29 ପୁଣି ମୋଶା ସେମାନଙ୍କୁ କହିଲେ, ଗାଦ୍ସନ୍ତାନଗଣର ଓ ରୁବେନ-ସନ୍ତାନଗଣର, ଯୁଦ୍ଧାର୍ଥେ ସସଜ୍ଜ ପ୍ରତ୍ୟେକ ଲୋକ ଯେବେ ତୁମ୍ଭମାନଙ୍କ ସହିତ ସଦାପ୍ରଭୁଙ୍କ ସମ୍ମୁଖରେ ଯର୍ଦ୍ଦନ ପାର ହେବେ ଓ ତୁମ୍ଭମାନଙ୍କ ସମ୍ମୁଖରେ ଦେଶ ବଶୀଭୂତ ହେବ ତେବେ ତୁମ୍ଭେମାନେ ଅଧିକାରାର୍ଥେ ସେମାନଙ୍କୁ ଗିଲୀୟଦ ଦେଶ ଦେବ।
30 ମାତ୍ର ଯେବେ ସେମାନେ ସସଜ୍ଜ ହୋଇ ତୁମ୍ଭମାନଙ୍କ ସହିତ ପାର ନ ହେବେ, ତେବେ ସେମାନେ ତୁମ୍ଭମାନଙ୍କ ମଧ୍ୟରେ କିଣାନ ଦେଶରେ ଅଧିକାର ପାଇବେ।
31 ତହିଁରେ ଗାଦ-ସନ୍ତାନଗଣ ଓ ରୁବେନ-ସନ୍ତାନଗଣ ଉତ୍ତର ଦେଇ କହିଲେ, ସଦାପ୍ରଭୁ ଆପଣା ଦାସମାନଙ୍କୁ ଯାହା କହିଅଛନ୍ତି, ତଦନୁସାରେ ଆମ୍ଭେମାନେ କର୍ମ କରିବୁ।
32 ଆମ୍ଭେମାନେ ସସଜ୍ଜ ହୋଇ ସଦାପ୍ରଭୁଙ୍କ ସମ୍ମୁଖରେ ପାର ହୋଇ କିଣାନ ଦେଶକୁ ଯିବୁ ମାତ୍ର ଯର୍ଦ୍ଦନର ପୂର୍ବ ଆଡ଼େ ଆମ୍ଭମାନଙ୍କ ଅଧିକାରରେ ଆମ୍ଭମାନଙ୍କ ସ୍ୱତ୍ୱ ରହିବ।
33 ଏଉତ୍ତାରେ ମୋଶା ସେମାନଙ୍କୁ, ଅର୍ଥାତ୍, ଗାଦସନ୍ତାନଗଣକୁ ଓ ରୁବେନ-ସନ୍ତାନଗଣକୁ ଓ ଯୋଷେଫର ପୁତ୍ର ମନଃଶି ବଂଶର ଅର୍ଦ୍ଧେକକୁ ଇମୋରୀୟମାନଙ୍କ ରାଜା ସୀହୋନର ରାଜ୍ୟ ଓ ବାଶନର ରାଜା ଓଗର ରାଜ୍ୟ, ଅର୍ଥାତ୍, ସ୍ୱ ସ୍ୱ ସୀମା ସହିତ ନାନା ନଗରବିଶିଷ୍ଟ ଦେଶ, ଏହିରୂପେ ଚତୁର୍ଦ୍ଦିଗସ୍ଥ ଦେଶର ସମସ୍ତ ନଗର ଦେଲେ।
34 ତହିଁରେ ଗାଦ-ସନ୍ତାନଗଣ ଦୀବୋନ୍ ଓ ଅଟାରୋତ୍ ଓ ଅରୋୟେର।
35 ଅଟ୍ରୋତ୍-ଶୋଫନ ଓ ଯାସେର ଓ ଜଗ୍ବିହ।
36 ଓ ବୈତ୍ନିମ୍ରା ଓ ବୈଥାରନ୍ ନାମକ ପ୍ରାଚୀରବେଷ୍ଟିତ ନଗର ଓ ମେଷଶାଳା ନିର୍ମାଣ କଲେ।
37 ପୁଣି ରୁବେନ-ସନ୍ତାନଗଣ ହିଷ୍ବୋନ୍ ଓ ଇଲୀୟାଲୀ ଓ କିରୀୟାଥୟିମ୍।
38 ପୁଣି ନାମାନ୍ତରରେ ନବୋ ଓ ବାଲ୍ମିୟୋଲ ଓ ସିବ୍ମା, ଏହି ସମସ୍ତ ନଗର ନିର୍ମାଣ କଲେନ୍ତ ପୁଣି ସେମାନେ ଯେ ଯେ ନଗର ନିର୍ମାଣ କଲେ, ସେସମସ୍ତକୁ ଅନ୍ୟ ନାମ ଦେଲେ।
39 ପୁଣି ମନଃଶିର ପୁତ୍ର ମାଖୀରର ସନ୍ତାନଗଣ ଗିଲୀୟଦକୁ ଯାଇ ତାହା ଆକ୍ରମଣ କଲେ ଓ ତନ୍ନିବାସୀ ଇମୋରୀୟମାନଙ୍କୁ ଅଧିକାରଚୁ୍ୟତ କଲେ।
40 ତହୁଁ ମୋଶା ମନଃଶିର ପୁତ୍ର ମାଖୀରକୁ ଗିଲୀୟଦ ଦେଲେନ୍ତ ଆଉ ସେ ସେଠାରେ ବାସ କଲା।
41 ପୁଣି ମନଃଶିର ପୁତ୍ର ଯାୟୀର ଯାଇ ସେମାନଙ୍କ ଗ୍ରାମସବୁ ହସ୍ତଗତ କରି ସେମାନଙ୍କ ନାମ ହବୋତ୍-ଯାୟୀର (ଯାୟୀରର ଗ୍ରାମ) ରଖିଲା।
42 ଆଉ ନୋବହ ଯାଇ କାନାତ୍ ଓ ତାହାର ନଗର ହସ୍ତଗତ କରି ଆପଣା ନାମାନୁସାରେ ତାହାର ନାମ ନୋବହ ରଖିଲା।