1 ଏଜ୍ରାଙ୍କ ବ୍ୟବସ୍ଥା ପଠନ ପୁଣି, ସମସ୍ତ ଲୋକ ଏକ ବ୍ୟକ୍ତି ତୁଲ୍ୟ ଜଳଦ୍ୱାର ସମ୍ମୁଖସ୍ଥ ଛକରେ ଏକତ୍ରିତ ହେଲେନ୍ତ ଆଉ, ସଦାପ୍ରଭୁ ଇସ୍ରାଏଲକୁ ମୋଶାଙ୍କର ଯେଉଁ ବ୍ୟବସ୍ଥା-ପୁସ୍ତକ ଆଜ୍ଞା କରିଥିଲେ, ତାହା ଆଣିବା ପାଇଁ ସେମାନେ ଏଜ୍ରା ଅଧ୍ୟାପକକୁ କହିଲେ।
2 ତହିଁରେ ସପ୍ତମ ମାସର ପ୍ରଥମ ଦିନରେ ଏଜ୍ରା ଯାଜକ ପୁରୁଷ ଓ ସ୍ତ୍ରୀ ଆଦି ଯେତେ ଲୋକ ଶୁଣି ବୁଝିପାରନ୍ତି, ସେସମସ୍ତ ସମାଜ ସାକ୍ଷାତକୁ ସେହି ବ୍ୟବସ୍ଥା-ପୁସ୍ତକ ଆଣିଲା।
3 ତହୁଁ ସେ ଜଳଦ୍ୱାର ସମ୍ମୁଖସ୍ଥ ଛକରେ, ପୁରୁଷ ଓ ସ୍ତ୍ରୀ ଆଦି ଯେତେ ଲୋକ ବୁଝି ପାରନ୍ତି, ସେସମସ୍ତଙ୍କ ସାକ୍ଷାତରେ ପ୍ରଭାତରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ସେହି ପୁସ୍ତକରୁ ପାଠ କଲା; ଆଉ, ସମସ୍ତ ଲୋକଙ୍କର କର୍ଣ୍ଣ ସେହି ବ୍ୟବସ୍ଥା-ପୁସ୍ତକ ପ୍ରତି ନିବିଷ୍ଟ ରହିଲା।
4 ଆଉ, ଏଜ୍ରା ଅଧ୍ୟାପକ ସେହି କାର୍ଯ୍ୟ ନିମନ୍ତେ ନିର୍ମିତ କାଷ୍ଠମୟ ମଞ୍ଚା ଉପରେ ଠିଆ ହେଲାନ୍ତ ଆଉ, ଦକ୍ଷିଣ ପାଶ୍ୱର୍ରେ ତାହା ନିକଟରେ ମତ୍ତଥୀୟ ଓ ଶେମା ଓ ଅନାୟ ଓ ଊରୀୟ ଓ ହିଲ୍କୀୟ ଓ ମାସେୟ ଠିଆ ହେଲେ; ପୁଣି, ତାହାର ବାମ ପାଶ୍ୱର୍ରେ ପଦାୟ ଓ ମୀଶାୟେଲ୍ ଓ ମଲକୀୟ ଓ ହଶୁମ୍ ଓ ହଶ୍ବଦ୍ଦାନା, ଜିଖରୀୟ ଓ ମଶୁଲ୍ଲମ୍ ଠିଆ ହେଲେ।
5 ଏଉତ୍ତାରେ ଏଜ୍ରା ସମସ୍ତ ଲୋକଙ୍କ ଦୃଷ୍ଟିରେ ସେହି ପୁସ୍ତକ ଫିଟାଇଲାନ୍ତ କାରଣ ସେ ସମସ୍ତ ଲୋକଙ୍କ ଉର୍ଦ୍ଧର୍ରେ ଠିଆ ହୋଇଥିଲାନ୍ତ ପୁଣି, ସେ ପୁସ୍ତକ ଫିଟାନ୍ତେ, ସମସ୍ତ ଲୋକ ଠିଆ ହେଲେ।
6 ତହୁଁ ଏଜ୍ରା ମହାନ ପରମେଶ୍ୱର ସଦାପ୍ରଭୁଙ୍କର ଧନ୍ୟବାଦ କଲା। ପୁଣି, ସମସ୍ତ ଲୋକ ଆପଣା ଆପଣା ହସ୍ତ ଉଠାଇ ଆମେନ୍, ଆମେନ୍ ବୋଲି ଉତ୍ତର କଲେ; ଆଉ, ସେମାନେ ଆପଣା ଆପଣା ମସ୍ତକ ନତ କରି ସଦାପ୍ରଭୁଙ୍କୁ ଭୂମିଷ୍ଠ ପ୍ରଣାମ କଲେ।
7 ଆହୁରି, ଯେଶୂୟ ଓ ବାନି ଓ ଶେରେବୀୟ, ଯାମୀନ୍, ଅକ୍କବ, ଶବ୍ବଥୟ, ହୋଦୀୟ, ମାସେୟ, କଲିଟ, ଅସରୀୟ, ଯୋଷାବଦ୍, ହାନନ୍, ପଲାୟ ଓ ଲେବୀୟମାନେ ଲୋକମାନଙ୍କୁ ବ୍ୟବସ୍ଥା ବୁଝାଇ ଦେଲେ; ଆଉ, ଲୋକମାନେ ଆପଣା ଆପଣା ସ୍ଥାନରେ ଠିଆ ହୋଇ ରହିଲେ।
8 ପୁଣି, ସେମାନେ ସ୍ପଷ୍ଟ ରୂପେ ପରମେଶ୍ୱରଙ୍କ ବ୍ୟବସ୍ଥା- ପୁସ୍ତକରୁ ପାଠ କଲେ ଓ ସେମାନେ ତହିଁର ଭାବ ବୁଝାଇ ଦେଲେ, ତହୁଁ ଲୋକମାନେ ପଠନ ବୁଝିଲେ।
9 ପୁଣି, ଶାସନକର୍ତ୍ତା ନିହିମୀୟା ଓ ଅଧ୍ୟାପକ ଏଜ୍ରା ଯାଜକ ଓ ଲୋକମାନଙ୍କର ଶିକ୍ଷକ ଲେବୀୟମାନେ ସମସ୍ତ ଲୋକଙ୍କୁ କହିଲେ, ଆଜିଦିନ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପବିତ୍ର ଅଟେନ୍ତ ଶୋକ ନ କର କି ରୋଦନ ନ କର। କାରଣ ବ୍ୟବସ୍ଥାର ବାକ୍ୟ ଶ୍ରବଣ କରନ୍ତେ, ସମସ୍ତ ଲୋକ ରୋଦନ କଲେ।
10 ଆଉ, ସେ ସେମାନଙ୍କୁ କହିଲା, ଆପଣା ଆପଣା ପଥରେ ଯାଅ, ଚିକ୍କଣ-ଦ୍ରବ୍ୟ ଭୋଜନ କର ଓ ସୁମିଷ୍ଟ- ଦ୍ରବ୍ୟ ପାନ କର ଓ ଯାହା ନିମନ୍ତେ କିଛି ପ୍ରସ୍ତୁତ ହୋଇ ନାହିଁ, ତାହା ନିକଟକୁ ଅଂଶ ପଠାଅ; କାରଣ ଆଜିଦିନ ଆମ୍ଭମାନଙ୍କ ପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ଅଟେ, ତୁମ୍ଭେମାନେ ଦୁଃଖିତ ନ ହୁଅ; ଯେଣୁ ସଦାପ୍ରଭୁ ବିଷୟକ ଆନନ୍ଦ ତୁମ୍ଭମାନଙ୍କର ବଳ ଅଟେ।
11 ଏହିରୂପେ ଲେବୀୟମାନେ ସମସ୍ତ ଲୋକଙ୍କୁ ତୁନି କରାଇ କହିଲେ, ନୀରବ ହୁଅ, ଆଜି ପବିତ୍ର ଦିନ; ତୁମ୍ଭେମାନେ ଦୁଃଖିତ ନ ହୁଅ।
12 ଏଉତ୍ତାରେ ଲୋକମାନେ ଆପଣାମାନଙ୍କ ନିକଟରେ ପ୍ରକାଶିତ ବାକ୍ୟସବୁ ବୁଝିବାରୁ ସେସମସ୍ତେ ଭୋଜନପାନ କରିବାକୁ ଓ ଅଂଶ ପଠାଇବାକୁ ଓ ଅତିଶୟ ଆନନ୍ଦ କରିବାକୁ ଆପଣା ଆପଣା ପଥରେ ଗମନ କଲେ।
13 ପୁଣି, ଦ୍ୱିତୀୟ ଦିନ ସମଗ୍ର ଲୋକଙ୍କର ପିତୃବଂଶୀୟ ପ୍ରଧାନବର୍ଗ, ଯାଜକମାନେ ଓ ଲେବୀୟମାନେ ବ୍ୟବସ୍ଥାର ବାକ୍ୟ ବିବେଚନା କରିବା ନିମନ୍ତେ ଏଜ୍ରା ଅଧ୍ୟାପକ ନିକଟରେ ଏକତ୍ରିତ ହେଲେ।
14 ସେମାନେ ମୋଶାଙ୍କ ଦ୍ୱାରା ଦତ୍ତ ସଦାପ୍ରଭୁଙ୍କର ଏହି ଆଜ୍ଞା ବ୍ୟବସ୍ଥାରେ ଲେଖା ଥିବାର ଦେଖିଲେ ଯେ, ସପ୍ତମ ମାସର ପର୍ବ ସମୟରେ ଇସ୍ରାଏଲ-ସନ୍ତାନଗଣ ପତ୍ରକୁଟୀରରେ ବାସ କରିବେ;
15 ପୁଣି, ସେମାନେ ଆପଣାମାନଙ୍କ ସମସ୍ତ ନଗରରେ ଓ ଯିରୂଶାଲମରେ ଏହି କଥା ଘୋଷଣା ଓ ପ୍ରଚାର କରିବେ, ଯଥା, ତୁମ୍ଭେମାନେ ଲିଖନାନୁସାରେ ପତ୍ରକୁଟୀର ନିର୍ମାଣ କରିବା ପାଇଁ ପର୍ବତକୁ ଯାଇ ଜୀତଶାଖା ଓ ବନ୍ୟ ଜୀତଶାଖା ଓ ମେହେନ୍ଦିଶାଖା ଓ ଖର୍ଜ୍ଜୁରଶାଖା ଓ ଗହଳିଆ ବୃକ୍ଷର ଶାଖା ଆଣ।
16 ତହିଁରେ ଲୋକମାନେ ବାହାରକୁ ଯାଇ ତାହାସବୁ ଆଣି ଆପଣା ପାଇଁ ପତ୍ରକୁଟୀର ନିର୍ମାଣ କଲେ, ପ୍ରତ୍ୟେକେ ଆପଣା ଆପଣା ଗୃହର ଛାତ ଉପରେ ଓ ପ୍ରାଙ୍ଗଣରେ ଓ ପରମେଶ୍ୱରଙ୍କ ଗୃହର ସକଳ ପ୍ରାଙ୍ଗଣରେ ଓ ଜଳଦ୍ୱାରର ଛକରେ ଓ ଇଫ୍ରୟିମ-ଦ୍ୱାରର ଛକରେ ନିର୍ମାଣ କଲେ।
17 ପୁଣି, ବନ୍ଦୀତ୍ୱରୁ ଫେରି ଆସିଥିବା ଲୋକଙ୍କର ସମସ୍ତ ସମାଜ ପତ୍ରକୁଟୀର ନିର୍ମାଣ କରି ତହିଁ ମଧ୍ୟରେ ବାସ କଲେ; ନୂନର ପୁତ୍ର ଯେଶୂୟର ସମୟଠାରୁ ସେହି ଦିନ ପର୍ଯ୍ୟନ୍ତ ଇସ୍ରାଏଲ-ସନ୍ତାନଗଣ ସେପରି କରି ନ ଥିଲେ। ଏଣୁ ଅତି ବଡ଼ ଆନନ୍ଦ ହେଲା।
18 ଆହୁରି, ସେ ପ୍ରଥମ ଦିନଠାରୁ ଶେଷ ଦିନ ପର୍ଯ୍ୟନ୍ତ ପ୍ରତି ଦିନ ପରମେଶ୍ୱରଙ୍କ ବ୍ୟବସ୍ଥା-ପୁସ୍ତକରୁ ପାଠ କଲା। ପୁଣି, ଲୋକମାନେ ସାତ ଦିନ ପର୍ଯ୍ୟନ୍ତ ପର୍ବ ପାଳନ କଲେ; ଆଉ, ବିଧାନାନୁସାରେ ଅଷ୍ଟମ ଦିନ ମହାସଭା ହେଲା।