1 ଅନନ୍ତର ସଦାପ୍ରଭୁ ସମାଗମ-ତମ୍ବୁରୁ ମୋଶାଙ୍କୁ ଡାକି କହିଲେ,
2 ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ ବୋଲ ଓ ସେମାନଙ୍କୁ କୁହ, ତୁମ୍ଭମାନଙ୍କ ମଧ୍ୟରୁ କେହି ଯେବେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳି ଉତ୍ସର୍ଗ କରେ, ତେବେ ସେ ଗୋରୁ ଅବା ମେଷପଲରୁ ଆପଣା ବଳି ଆଣି ଉତ୍ସର୍ଗ କରୁ।
3 ସେ ଯେବେ ଗୋଠରୁ ହୋମାର୍ଥକ ବଳି ଦିଏ, ତେବେ ନିଖୁନ୍ତ ପୁଂପଶୁ ନେବ ସଦାପ୍ରଭୁଙ୍କ ଛାମୁରେ ଗ୍ରାହ୍ୟ ହେବା ନିମନ୍ତେ ସମାଗମ-ତମ୍ବୁଦ୍ୱାର ନିକଟକୁ ତାହା ଆଣିବ।
4 ପୁଣି, ସେ ହୋମବଳିର ମସ୍ତକରେ ଆପଣା ହସ୍ତର ନିର୍ଭର ଦେବନ୍ତ ତହିଁରେ ସେହି ବଳି ତାହାର ପ୍ରାୟଶ୍ଚିତ୍ତ ରୂପେ ଗ୍ରାହ୍ୟ ହେବ।
5 ତହୁଁ ସେ ସଦାପ୍ରଭୁଙ୍କ ସମ୍ମୁଖରେ ସେହି ଗୋବତ୍ସକୁ ବଧ କରିବ ଆଉ, ହାରୋଣର ପୁତ୍ର ଯାଜକଗଣ ତାହାର ରକ୍ତ ନେଇ ସମାଗମ-ତମ୍ବୁର ଦ୍ୱାର ସମୀପସ୍ଥ ବେଦି-ଉପର ଚାରିଆଡ଼େ ଛିଞ୍ଚିବେ।
6 ପୁଣି ସେ ସେହି ହୋମବଳିର ଚର୍ମ କାଢ଼ି ତାହା ଖଣ୍ଡ ଖଣ୍ଡ କରିବ।
7 ଅନନ୍ତର ହାରୋଣ ଯାଜକର ପୁତ୍ରଗଣ ସେହି ବେଦି ଉପରେ ଅଗ୍ନି ରଖିବେ ଓ ଅଗ୍ନି ଉପରେ କାଷ୍ଠ ସଜାଇବେ।
8 ପୁଣି ହାରୋଣର ପୁତ୍ର ଯାଜକମାନେ ବେଦି-ଉପରିସ୍ଥ ଅଗ୍ନି ଓ କାଷ୍ଠ ଉପରେ ସେହି ଖଣ୍ଡସକଳ, ମସ୍ତକ ଓ ମେଦ ରଖିବେ।
9 ମାତ୍ର ସେ ତାହାର ଅନ୍ତ୍ର ଓ ପଦ ଜଳରେ ଧୌତ କରିବ ତହୁଁ ଯାଜକ ବେଦି ଉପରେ ତାହାସବୁ ଦଗ୍ଧ କରିବ, ତାହା ହୋମବଳି, ଅର୍ଥାତ୍, ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ହେବ।
10 ଆଉ ଯେବେ ସେ ମେଷ କି ଛାଗପଲରୁ ହୋମବଳି ଉତ୍ସର୍ଗ କରେ,
11 ତେବେ ନିଖୁ ପୁଂପଶୁ ଘେନି ବେଦି ପାଶ୍ୱର୍ରେ ଉତ୍ତରଦିଗରେ ସଦାପ୍ରଭୁଙ୍କ ସମ୍ମୁଖରେ ତାହା ବଧ କରିବ ତହୁଁ ହାରୋଣର ପୁତ୍ର ଯାଜକଗଣ ବେଦି-ଉପର ଚାରିଆଡ଼େ ତାହାର ରକ୍ତ ଛିଞ୍ଚିବେ।
12 ଆଉ ସେ ତାହାର ମସ୍ତକ ଓ ମେଦ ସହିତ ତାକୁ ଖଣ୍ଡ ଖଣ୍ଡ କରିବ ତହିଁରେ ଯାଜକ ବେଦି-ଉପରିସ୍ଥ ଅଗ୍ନି ଓ କାଷ୍ଠ ଉପରେ ତାହା ସଜାଇ ରଖିବ।
13 ମାତ୍ର ସେ ତାହାର ଅନ୍ତ୍ର ଓ ପଦ ଜଳରେ ଧୌତ କରିବ ତହୁଁ ଯାଜକ ସେସମସ୍ତ ଉତ୍ସର୍ଗ କରି ବେଦି ଉପରେ ଦଗ୍ଧ କରିବ ତାହା ହୋମବଳି, ଅର୍ଥାତ୍, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ଉପହାର ହେବ।
14 ଆଉ ଯେବେ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପକ୍ଷୀଗଣ ମଧ୍ୟରୁ ହୋମବଳି ଉତ୍ସର୍ଗ କରେ, ତେବେ ଘୁଘୁ ଅବା କାପ୍ତାଛୁଆ ମଧ୍ୟରୁ ତାହା ନେବ।
15 ତହୁଁ ଯାଜକ ତାହା ବେଦି ନିକଟକୁ ଆଣି ତାହାର ମସ୍ତକ ମୋଡ଼ି ତାକୁ ବେଦି ଉପରେ ଦଗ୍ଧ କରିବ ଆଉ ତାହାର ରକ୍ତ ବେଦି ପାଶ୍ୱର୍ରେ ନିଗାଡ଼ିବ।
16 ଅନନ୍ତର ସେ ତାହାର ମଳ ସହିତ ଗଳା-ଥଳୀ ଘେନି ବେଦିର ପୂର୍ବପାଶ୍ୱର୍ସ୍ଥ ଭସ୍ମ ସ୍ଥାନରେ ନିକ୍ଷେପ କରିବ।
17 ଆଉ, ପକ୍ଷମୂଳ ଚିରିବ, ମାତ୍ର ଦ୍ୱିଖଣ୍ଡ କରିବ ନାହିଁ ପୁଣି ଯାଜକ ବେଦି-ଉପରିସ୍ଥ ଅଗ୍ନି ଓ କାଷ୍ଠ ଉପରେ ଦଗ୍ଧ କରିବ ତହିଁରେ ତାହା ହୋମବଳି, ଅର୍ଥାତ୍, ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ହେବ।