1 ପୁନର୍ବାର ଦିନକରେ ପରମେଶ୍ୱରଙ୍କ ସନ୍ତାନଗଣ ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ ହେବାକୁ ଆସନ୍ତେ, ଶୟତାନ ହିଁ ସେମାନଙ୍କ ମଧ୍ୟରେ ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ ହେବା ପାଇଁ ଆସିଲା ।

2 ଏଥିରେ ସଦାପ୍ରଭୁ ଶୟତାନକୁ କହିଲେ, ତୁମ୍ଭେ କେଉଁଠାରୁ ଆସିଲ ? ତହିଁରେ ଶୟତାନ ସଦାପ୍ରଭୁଙ୍କୁ ଉତ୍ତର କରି କହିଲା, ପୃଥିବୀରେ ଏଣେତେଣେ ଭ୍ରମଣ ଓ ତହିଁ ମଧ୍ୟରେ ଗମନାଗମନ କରି କରି ଆସିଲି ।

3 ତହୁଁ ସଦାପ୍ରଭୁ ଶୟତାନଙ୍କୁ କହିଲେ, ତୁମ୍ଭେ କି ଆମ୍ଭ ଦାସ ଆୟୁବ ପ୍ରତି ମନ ଦେଇଅଛ ? କାରଣ ତାହାର ସମାନ ସିଦ୍ଧ ଓ ସରଳ, ପରମେଶ୍ୱର-ଭୟକାରୀ ଓ କୁକ୍ରିୟାତ୍ୟାଗୀ ଲୋକ ପୃଥିବୀରେ କେହି ନାହିଁ; ପୁଣି, ଅକାରଣରେ ତାହାକୁ ନାଶ କରିବା ପାଇଁ ତୁମ୍ଭେ ତାହା ବିରୁଦ୍ଧରେ ଆମ୍ଭକୁ ପ୍ରବର୍ତ୍ତାଇଲେ ହେଁ ସେ ଏଯାଏ ଆପଣା ସରଳତା ଦୃଢ଼ କରି ଧରିଅଛି ।

4 ତହିଁରେ ଶୟତାନ ସଦାପ୍ରଭୁଙ୍କୁ ଉତ୍ତର କରି କହିଲା, ଚର୍ମ ନିମନ୍ତେ ଚର୍ମ, ଆପଣା ପ୍ରାଣ ନିମନ୍ତେ ମନୁଷ୍ୟ ସର୍ବସ୍ୱ ଦେବ ।

5 ମାତ୍ର ତୁମ୍ଭେ ଏବେ ହସ୍ତ ବଢ଼ାଇ ତାହାର ଅସ୍ଥି ଓ ମାଂସ ସ୍ପର୍ଶ କର, ତହିଁରେ ସେ ତୁମ୍ଭ ମୁଖ ଆଗରେ ତୁମ୍ଭକୁ ପରିତ୍ୟାଗ କରିବ ।

6 ତହିଁରେ ସଦାପ୍ରଭୁ ଶୟତାନଙ୍କୁ କହିଲେ, ଦେଖ, ସେ ତୁମ୍ଭର ହସ୍ତଗତ, କେବଳ ତାହାର ପ୍ରାଣ ରକ୍ଷା କର ।

7 ଏଉତ୍ତାରେ ଶୟତାନ ସଦାପ୍ରଭୁଙ୍କ ଛାମୁରୁ ବାହାରି ଯାଇ ଆୟୁବର ତଳିପାରୁ ମସ୍ତକ ପର୍ଯ୍ୟନ୍ତ ମହାଜ୍ୱାଳାଜନକ ବିସ୍ପୋଟକରେ ତାହାକୁ ଆଘାତ କଲା ।

8 ଏଣୁ ସେ ସର୍ବାଙ୍ଗ କୁଣ୍ଡାଇବା ପାଇଁ ଖଣ୍ଡେ ଖପରା ନେଲା ଓ ସେ ଭସ୍ମ ମଧ୍ୟରେ ବସିଲା ।

9 ତହିଁରେ ତାହାର ଭାର୍ଯ୍ୟା ତାହାକୁ କହିଲା, ତୁମ୍ଭେ କି ଏଯାଏ ଆପଣାର ସରଳତା ଦୃଢ଼ କରି ଧରୁଅଛ ? ପରମେଶ୍ୱରଙ୍କୁ ପରିତ୍ୟାଗ କରି ମର ।

10 ସେ ତାହାକୁ କହିଲା, ତୁମ୍ଭେ ଏକ ମୂଢ଼ା ସ୍ତ୍ରୀ ପରି କଥା କହୁଅଛ ! କଅଣ ? ଆମ୍ଭେମାନେ କି ପରମେଶ୍ୱରଙ୍କ ହସ୍ତରୁ ମଙ୍ଗଳ ଗ୍ରହଣ କରିବା ? ଆଉ, ଅମଙ୍ଗଳ କ'ଣ ଗ୍ରହଣ କରିବା ନାହିଁ ? ଏହିସବୁରେ ଆୟୁବ ଆପଣା ଓଷ୍ଠରେ ପାପ କଲା ନାହିଁ ।

11 ଆୟୁବ ପ୍ରତି ଘଟିତ ଏହିସବୁ ବିପଦର କଥା ତୈମନୀୟ ଇଲୀଫସ୍‍ ଓ ଶୂହୀୟ ବିଲ୍‍ଦଦ୍‍ ଓ ନାମାଥୀୟ ସୋଫର ନାମରେ ତାହାର ଏହି ତିନି ମିତ୍ର ଶୁଣି ସ୍ୱ ସ୍ୱ ସ୍ଥାନରୁ ଆସିଲେ; ପୁଣି, ସେମାନେ ତାହା ସଙ୍ଗେ ଶୋକ କରିବା ପାଇଁ ଓ ତାହାକୁ ସାନ୍ତ୍ୱନା କରିବା ପାଇଁ ଆସିବାକୁ ଏକତ୍ର ସ୍ଥିର କଲେ ।

12 ଏଉତ୍ତାରେ ସେମାନେ ଦୂରରୁ ଅନାଇ ତାହାକୁ ଚିହ୍ନି ନ ପାରି ଉଚ୍ଚୈଃସ୍ୱରରେ ରୋଦନ କଲେନ୍ତ ଆଉ, ସେମାନେ ପ୍ରତ୍ୟେକେ ଆପଣା ଆପଣା ବସ୍ତ୍ର ଚିରି ଆକାଶ ଆଡ଼େ ଆପଣା ଆପଣା ମସ୍ତକ ଉପରେ ଧୂଳି ବିଞ୍ଚିଲେ ।

13 ତହୁଁ ସେମାନେ ସାତ ଦିନ ଓ ସାତ ରାତ୍ରି ତାହା ସଙ୍ଗେ ଭୂମିରେ ବସିଲେ, କେହି ତାହାକୁ କିଛି କହିଲେ ନାହିଁ; କାରଣ ସେମାନେ ତାହାର ଯାତନା ଅତି ବଡ଼ ବୋଲି ଦେଖିଲେ ।