1 ଏଥି ଉତ୍ତାରେ ଶୂହୀୟ ବିଲ୍ଦଦ୍ ଉତ୍ତର କରି କହିଲା, ତୁମ୍ଭେମାନେ କେତେ କାଳ କଥା ଧରିବା ପାଇଁ ଜାଲ ପାତିବ ?
2 ବିବେଚନା କର, ତହିଁ ଉତ୍ତାରେ ଆମ୍ଭେମାନେ କହିବା ।
3 ଆମ୍ଭେମାନେ କାହିଁକି ପଶୁ ପରି ଗଣା ଯାଉଅଛୁ ଓ ତୁମ୍ଭମାନଙ୍କ ଦୃଷ୍ଟିରେ ଅଶୁଚି ହୋଇଅଛୁ ?
4 କ୍ରୋଧରେ ଆପଣାକୁ ବିଦୀର୍ଣ୍ଣ କରୁଅଛ ଯେ ତୁମ୍ଭେ, ତୁମ୍ଭ ପାଇଁ କ'ଣ ପୃଥିବୀ ପରିତ୍ୟକ୍ତ ହେବ ? ଅବା ଶୈଳ କ'ଣ ସ୍ୱସ୍ଥାନରୁ ଦୂରୀକୃତ ହେବ ?
5 ହଁ, ଦୁଷ୍ଟର ଦୀପ୍ତି ନିଭାଯିବ ଓ ତାହାର ଅଗ୍ନିକଣା ନିସ୍ତେଜ ହେବ ।
6 ତାହାର ତମ୍ବୁରେ ଆଲୁଅ ଅନ୍ଧାର ହେବ ଓ ତାହାର ଉପରିସ୍ଥ ପ୍ରଦୀପ ନିଭାଯିବ ।
7 ତାହାର ସାମର୍ଥ୍ୟର ଗତି ସଙ୍କୁଚିତ ହେବ ଓ ତାହାର ନିଜ ମନ୍ତ୍ରଣା ତାହାକୁ ତଳେ ପକାଇବ ।
8 ସେ ଆପଣା ଚରଣ ଦ୍ୱାରା ଜାଲରେ ପଡ଼େ ଓ ସେ ଫାନ୍ଦ ଉପରେ ଗମନାଗମନ କରେ ।
9 ଫାଶ ତାହାର ଗୋଇଠିକି ଧରିବ ଓ ଜାଲ ତାହାକୁ ଧରିବ ।
10 ତାହା ପାଇଁ ଫାଶ ଭୂମିରେ ଗୁପ୍ତ ଅଛି ଓ ପଥରେ ତାହା ପାଇଁ ଯନ୍ତା ଅଛି ।
11 ଭୟଙ୍କରତା ତାହାକୁ ଚତୁର୍ଦ୍ଦିଗରେ ଭୀତ କରିବ ଓ ତାହାର ଗୋଡ଼େ ଗୋଡ଼େ ଗୋଡ଼ାଇବ ।
12 ତାହାର ବଳ କ୍ଷୁଧାରେ କ୍ଷୀଣ ହେବ ଓ ତାହାର ଶେଷ ସମୟକୁ ବିପଦ ପ୍ରସ୍ତୁତ ଥିବ ।
13 ତାହା ତାହାର ଶରୀରର ଅବୟବସବୁ ଗ୍ରାସ କରିବ, ହଁ, ମୃତ୍ୟୁର ପ୍ରଥମଜାତ ତାହାର ଅବୟବସବୁ ଗ୍ରାସ କରିବ ।
14 ସେ ଆପଣା ବିଶ୍ୱାସ-ସ୍ଥଳରୂପ ତମ୍ବୁରୁ ଉତ୍ପାଟିତ ହେବ ଓ ସେ ଭୟଙ୍କର ରାଜା ନିକଟକୁ ଅଣାଯିବ ।
15 ତାହାର ଅସମ୍ପର୍କୀୟ ଲୋକ ତାହାର ତମ୍ବୁରେ ବାସ କରିବ, ତାହାର ନିବାସ-ସ୍ଥାନ ଉପରେ ଗନ୍ଧକ ବିଞ୍ଚାଯିବ ।
16 ତଳେ ତାହାର ମୂଳ ଶୁଷ୍କ ହେବ ଓ ଉପରେ ତାହାର ଶାଖା ଉଚ୍ଛିନ୍ନ ହେବ ।
17 ପୃଥିବୀରୁ ତାହାର ସ୍ମୃତି ଲୁପ୍ତ ହେବ ଓ ପଥରେ କେହି ତାହାର ନାମ ଧରିବ ନାହିଁ ।
18 ସେ ଆଲୁଅରୁ ଅନ୍ଧାରକୁ ତଡ଼ାଯିବ ଓ ଜଗତରୁ ଘଉଡ଼ାଯିବ ।
19 ଆପଣା ଲୋକଙ୍କ ମଧ୍ୟରେ ତାହାର ପୁତ୍ର କି ପୌତ୍ର ରହିବେ ନାହିଁ, କିଅବା ତାହାର ପ୍ରବାସ-ସ୍ଥାନରେ କେହି ରହିବେ ନାହିଁ ।
20 ଯେପରି ପୂର୍ବବର୍ତ୍ତୀ ଲୋକମାନେ ତାହାର ଦିନ ଲାଗି ଭୀତ ହୋଇଥିଲେ, ସେପରି ପଶ୍ଚାଦ୍ବର୍ତ୍ତୀ ଲୋକମାନେ ଚମତ୍କୃତ ହେବେ ।
21 ନିଶ୍ଚୟ ଅଧାର୍ମିକର ବସତି ଏହିପରି ଓ ପରମେଶ୍ୱରଙ୍କୁ ନ ଜାଣିବା ଲୋକର ସ୍ଥାନ ଏହି ।