1 ସେସମୟରେ ବଲଦନର ପୁତ୍ର ବାବିଲରାଜ ମରୋଦକ୍‍-ବଲ୍‍ଦନ୍‍ ହିଜକୀୟ ନିକଟକୁ ପତ୍ରମାନ ଓ ଦର୍ଶନୀ ପଠାଇଲାନ୍ତ କାରଣ ତାହାର ପୀଡ଼ିତ ହେବାର ଓ ସୁସ୍ଥ ହେବାର ସମ୍ବାଦ ସେ ଶୁଣିଥିଲା ।

2 ତହିଁରେ ହିଜକୀୟ ସେମାନଙ୍କ ପ୍ରତି ସନ୍ତୁଷ୍ଟ ହୋଇ ଆପଣାର ବହୁମୂଲ୍ୟ ପଦାର୍ଥର ଗୃହ, ରୂପା ଓ ସୁନା ଓ ସୁଗନ୍ଧିଦ୍ରବ୍ୟ ଓ ବହୁମୂଲ୍ୟ ତୈଳ ଓ ଆପଣା ଅସ୍ତ୍ରାଗାର ଓ ଆପଣା ଭଣ୍ଡାରସ୍ଥିତ ସମସ୍ତ ଦ୍ରବ୍ୟ ସେମାନଙ୍କୁ ଦେଖାଇଲା; ହିଜକୀୟ ଯାହା ସେମାନଙ୍କୁ ନ ଦେଖାଇଲା, ଏପରି କୌଣସି ଦ୍ରବ୍ୟ ତାହାର ଗୃହରେ କି ତାହାର ସମୁଦାୟ ରାଜ୍ୟରେ ନ ଥିଲା ।

3 ସେତେବେଳେ ଯିଶାଇୟ ଭବିଷ୍ୟଦ୍‍ବକ୍ତା ହିଜକୀୟ ରାଜା ନିକଟକୁ ଆସି ତାହାକୁ କହିଲେ, ଏହି ଲୋକମାନେ କଅଣ କହିଲେ ? ସେମାନେ କେଉଁଠାରୁ ତୁମ୍ଭ ନିକଟକୁ ଆସିଲେ ? ତହିଁରେ ହିଜକୀୟ କହିଲା, ସେମାନେ ଦୂର ଦେଶ ବାବିଲରୁ ମୋ' ନିକଟକୁ ଆସିଅଛନ୍ତି ।

4 ଏଥିରେ ସେ ପଚାରିଲେ, ସେମାନେ ତୁମ୍ଭ ଗୃହରେ କଅଣ ଦେଖିଅଛନ୍ତି ? ତହୁଁ ହିଜକୀୟ ଉତ୍ତର କଲା, ମୋ' ଗୃହରେ ଯାହା ଯାହା ଅଛି, ସବୁ ସେମାନେ ଦେଖିଅଛନ୍ତି; ଯାହା ମୁଁ ସେମାନଙ୍କୁ ଦେଖାଇଲି ନାହିଁ, ଏପରି କୌଣସି ପଦାର୍ଥ ମୋ' ଭଣ୍ଡାରସମୂହରେ ନାହିଁ ।

5 ଏଥିରେ ଯିଶାଇୟ ହିଜକୀୟକୁ କହିଲେ, ସୈନ୍ୟାଧିପତି ସଦାପ୍ରଭୁଙ୍କର ବାକ୍ୟ ଶୁଣ ।

6 ଦେଖ, ତୁମ୍ଭ ଗୃହସ୍ଥିତ ସମସ୍ତ ଦ୍ରବ୍ୟ ଓ ଆଜି ପର୍ଯ୍ୟନ୍ତ ତୁମ୍ଭ ପୂର୍ବପୁରୁଷମାନଙ୍କ ସଞ୍ଚିତ ସମସ୍ତ ଦ୍ରବ୍ୟ ବାବିଲକୁ ନିଆଯିବାର ସମୟ ଆସୁଅଛି; ସଦାପ୍ରଭୁ କହନ୍ତି, କିଛି ଛଡ଼ା ଯିବ ନାହିଁ ।

7 ଆଉ, ତୁମ୍ଭ ପୁତ୍ରମାନଙ୍କ ମଧ୍ୟରେ ଯେଉଁମାନେ ତୁମ୍ଭ ଔରସରେ ଜାତ ଓ ତୁମ୍ଭଠାରୁ ଉତ୍ପନ୍ନ ହେବେ, ସେମାନଙ୍କୁ ସେମାନେ ନେଇଯିବେ ଓ ସେମାନେ ବାବିଲ ରାଜାର ଅଟ୍ଟାଳିକାରେ ନପୁଂସକ ହୋଇ ରହିବେ ।

8 ସେତେବେଳେ ହିଜକୀୟ ଯିଶାଇୟଙ୍କୁ କହିଲା, ତୁମ୍ଭେ ସଦାପ୍ରଭୁଙ୍କର ଯେଉଁ ବାକ୍ୟ କହିଅଛ, ତାହା ଉତ୍ତମ । ସେ ଆହୁରି କହିଲା, କାରଣ ମୋ' ସମୟରେ ଶାନ୍ତି ଓ ସତ୍ୟତା ବିରାଜିତ ହେବ ।