1 ଇଫ୍ରୟିମ ବାୟୁ ଭୋଜନ କରେ ଓ ପୂର୍ବୀୟ ବାୟୁର ପଛେ ପଛେ ଗମନ କରେ; ସେ ସର୍ବଦା ମିଥ୍ୟା କଥା ଓ ଉପଦ୍ରବ ବୃଦ୍ଧି କରେ ଓ ସେମାନେ ଅଶୂରର ସହିତ ନିୟମ କରନ୍ତି ଓ ମିସରକୁ ତୈଳ ବହାଯାଏ ।

2 ଆହୁରି, ସଦାପ୍ରଭୁଙ୍କ ଓ ଯିହୁଦା ମଧ୍ୟରେ ବିବାଦ ଅଛି, ସେ ଯାକୁବକୁ ତାହାର ଆଚରଣ ଅନୁଯାୟୀ ଦଣ୍ଡ ଦେବେ; ତାହାର କ୍ରିୟାନୁସାରେ ସେ ତାହାକୁ ପ୍ରତିଫଳ ଦେବେ ।

3 ଗର୍ଭରେ ସେ ଆପଣା ଭ୍ରାତାର ପାଦମୂଳ ଧରିଲା ଓ ବୟଃପ୍ରାପ୍ତ ସମୟରେ ସେ ପରମେଶ୍ୱରଙ୍କ ସହିତ ଯୁଦ୍ଧ କଲା;

4 ହଁ, ସେ ଦୂତ ଉପରେ ବଳବାନ ହୋଇ ଜୟ କଲା; ସେ କ୍ରନ୍ଦନ କରି ତାହାଙ୍କ ନିକଟରେ ବିନତି କଲା; ସେ ବୈଥେଲ୍‍ରେ ତାହାଙ୍କ ଉଦ୍ଦେଶ୍ୟ ପାଇଲା, ଆଉ ସେଠାରେ ସେ ଆମ୍ଭମାନଙ୍କ ସହିତ କଥା କହିଲେ;

5 ସେହି ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱରନ୍ତ ସଦାପ୍ରଭୁ ତାହାଙ୍କର ସ୍ମରଣୀୟ ନାମ ।

6 ଏନିମନ୍ତେ ତୁମ୍ଭେ ଆପଣା ପରମେଶ୍ୱରଙ୍କ ନିକଟକୁ ଫେର; ଦୟା ଓ ନ୍ୟାୟ ବିଚାର ପାଳନ କର ଓ ସର୍ବଦା ତୁମ୍ଭ ପରମେଶ୍ୱରଙ୍କ ଅପେକ୍ଷାରେ ଥାଅ ।

7 ସେ ଜଣେ ବ୍ୟବସାୟୀ ଅଟେ, ତାହାର ହସ୍ତରେ ଛଳନାର ନିକ୍ତି ଅଛି; ସେ ଉପଦ୍ରବ କରିବାକୁ ଭଲ ପାଏ ।

8 ପୁଣି, ଇଫ୍ରୟିମ କହିଲା, ନିଶ୍ଚୟ ମୁଁ ଧନୀ ହୋଇଅଛି, ମୁଁ ସମ୍ପତ୍ତି ପାଇଅଛି; ମୋର ସବୁ ପରିଶ୍ରମରେ ସେମାନେ ପାପଯୁକ୍ତ କୌଣସି ଅଧର୍ମ ମୋ'ଠାରେ ପାଇବେ ନାହିଁ ।

9 ମାତ୍ର ମିସର ଦେଶଠାରୁ ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ଅଟୁ; ଆମ୍ଭେ ମହାପର୍ବ ଦିନର ନ୍ୟାୟ ତୁମ୍ଭକୁ ପୁନର୍ବାର ତମ୍ବୁରେ ବାସ କରାଇବା ।

10 ଆହୁରି, ଆମ୍ଭେ ଭବିଷ୍ୟଦ୍‍ବକ୍ତାଗଣ ନିକଟରେ କଥା କହିଅଛୁ ଓ ଆମ୍ଭେ ନାନା ଦର୍ଶନର ବୃଦ୍ଧି କରିଅଛୁ; ଆଉ ଭବିଷ୍ୟଦ୍‍ବକ୍ତାଗଣ ଦ୍ୱାରା ଦୃଷ୍ଟାନ୍ତ-କଥା ବ୍ୟବହାର କରିଅଛୁ ।

11 ଗିଲୀୟଦ୍‍ କି ଅଧର୍ମମୟ ? ସେମାନେ ସର୍ବତୋ- ଭାବେ ଅସାର; ଗିଲ୍‍ଗଲ୍‍ରେ ସେମାନେ ବୃଷ ବଳିଦାନ କରନ୍ତି; ହଁ, କ୍ଷେତ୍ରସ୍ଥ ଶିଆରର ଢିପି ପରି ସେମାନଙ୍କର ଯଜ୍ଞବେଦି ଅଛି ।

12 ପୁଣି, ଯାକୁବ ଅରାମ ଦେଶକୁ ପଳାଇ ଗଲା ଓ ଇସ୍ରାଏଲ ଭାର୍ଯ୍ୟାର ନିମନ୍ତେ ଦାସ୍ୟକର୍ମ କଲା ଓ ଭାର୍ଯ୍ୟା ନିମନ୍ତେ ମେଷ ଚରାଇଲା ।

13 ସଦାପ୍ରଭୁ ଏକ ଜଣ ଭବିଷ୍ୟଦ୍‍ବକ୍ତା ଦ୍ୱାରା ଇସ୍ରାଏଲକୁ ମିସରରୁ ବାହାର କରି ଆଣିଲେ ଓ ଏକ ଜଣ ଭବିଷ୍ୟଦ୍‍ବକ୍ତା ଦ୍ୱାରା ସେ ରକ୍ଷିତ ହେଲା ।

14 ଇଫ୍ରୟିମ ଅତିଶୟ ବିରକ୍ତ କରାଇଅଛି; ଏଥିପାଇଁ ତାହାର ରକ୍ତର ଦୋଷ ତାହା ଉପରେ ରହିବ ଓ ତାହାର ପ୍ରଭୁ ତାହା ଉପରେ ତାହାର ଅପମାନ ବର୍ତ୍ତାଇବେ ।