1 ଏହିରୂପେ ଯେତେବେଳେ ପୃଥିବୀରେ ମନୁଷ୍ୟମାନଙ୍କ ସଂଖ୍ୟା ବଢ଼ିବାକୁ ଲାଗିଲା ଓ ସେମାନଙ୍କର ଅନେକ କନ୍ୟା ଜାତ ହେଲେ;

2 ସେତେବେଳେ ପରମେଶ୍ୱରଙ୍କ ପୁତ୍ରଗଣ ମନୁଷ୍ୟମାନଙ୍କ କନ୍ୟାଗଣକୁ ରୂପବତୀ ଦେଖି, ସେମାନେ ଯେଉଁମାନଙ୍କୁ ପସନ୍ଦ କଲେ, ସେ ସମସ୍ତଙ୍କ ମଧ୍ୟରୁ ବିବାହ କରିବାକୁ ଲାଗିଲେ।

3 ତହିଁରେ ସଦାପ୍ରଭୁ କହିଲେ, ଆମ୍ଭର ଆତ୍ମା ମନୁଷ୍ୟକୁ ସର୍ବଦା ପ୍ରବର୍ତ୍ତାଇବେ ନାହିଁ, ଯେହେତୁ ସେମାନଙ୍କ ବିପଥ ଗମନରେ ସେମାନେ ମାଂସମାତ୍ର; ଏନିମନ୍ତେ ସେମାନଙ୍କ ସମୟ ଶହେ କୋଡ଼ିଏ ବର୍ଷ ହେବ।

4 ସେହି ସମୟରେ ପୃଥିବୀରେ ମହା ବୀରଗଣ ଥିଲେ; ପୁଣି ତହିଁ ଉତ୍ତାରେ ପରମେଶ୍ୱରଙ୍କ ପୁତ୍ରଗଣ ମନୁଷ୍ୟମାନଙ୍କ କନ୍ୟାଗଣର ସହବାସ କରନ୍ତେ, ସେମାନଙ୍କଠାରୁ ସନ୍ତାନଗଣ ଜାତ ହେଲେ; ସେମାନେ ମଧ୍ୟ ପୂର୍ବକାଳର ପ୍ରସିଦ୍ଧ ବୀର ଥିଲେ।

5 ଅନନ୍ତର ସଦାପ୍ରଭୁ ଦେଖିଲେ ଯେ, ପୃଥିବୀରେ ମନୁଷ୍ୟର ଦୁଷ୍ଟତା ଅତି ବଡ଼, ଆଉ ତାହାର ଅନ୍ତଃକରଣର ଭାବନାର ପ୍ରତ୍ୟେକ କଳ୍ପନା ଅବିରତ ମନ୍ଦମାତ୍ର।

6 ଏନିମନ୍ତେ ସଦାପ୍ରଭୁ ପୃଥିବୀରେ ମନୁଷ୍ୟକୁ ନିର୍ମାଣ କରିବା ହେତୁରୁ ଅନୁତାପ କରି ମନରେ ଶୋକ କଲେ।

7 ତହିଁରେ ସଦାପ୍ରଭୁ କହିଲେ, ଆମ୍ଭେ ଭୂମଣ୍ଡଳରୁ ଆପଣାର ସୃଷ୍ଟ ମନୁଷ୍ୟକୁ, ଆଉ ମନୁଷ୍ୟ ସହିତ ପଶୁ ଓ ଉରୋଗାମୀ ଜନ୍ତୁ ଓ ଖେଚର ପକ୍ଷୀଗଣକୁ ଲୁପ୍ତ କରିବା; କାରଣ ଆମ୍ଭେ ସେମାନଙ୍କୁ ନିର୍ମାଣ କରିବାରୁ ଆମ୍ଭର ଅନୁତାପ ହେଉଅଛି।

8 ମାତ୍ର ନୋହ ସଦାପ୍ରଭୁଙ୍କ ଦୃଷ୍ଟିରେ ଅନୁଗ୍ରହ ପ୍ରାପ୍ତ ହେଲେ।

9 ନୋହଙ୍କର ବଂଶାବଳୀ ଏହି। ନୋହ ଆପଣା ବର୍ତ୍ତମାନ ସମୟର ଲୋକମାନଙ୍କ ମଧ୍ୟରେ ଧାର୍ମିକ ଓ ସାଧୁ ଲୋକ ଥିଲେ; ନୋହ ପରମେଶ୍ୱରଙ୍କ ସହିତ ଗମନାଗମନ କଲେ।

10 ନୋହ, ଶେମ ଓ ହାମ ଓ ଯେଫତ୍‍, ଏହି ତିନି ପୁତ୍ରଙ୍କୁ ଜାତ କଲେ।

11 ସେହି ସମୟରେ ପୃଥିବୀ ପରମେଶ୍ୱରଙ୍କ ସାକ୍ଷାତରେ ଭ୍ରଷ୍ଟ ଥିଲା ଓ ପୃଥିବୀ ଦୌରାତ୍ମ୍ୟରେ ପରିପୂର୍ଣ୍ଣ ଥିଲା।

12 ପୁଣି ପରମେଶ୍ୱର ପୃଥିବୀରେ ଦୃଷ୍ଟିପାତ କରି ଦେଖିଲେ ଯେ, ତାହା ଭ୍ରଷ୍ଟ ହୋଇଅଛିନ୍ତ ଯେହେତୁ ପୃଥିବୀସ୍ଥ ସମସ୍ତ ପ୍ରାଣୀ ଭ୍ରଷ୍ଟାଚାରୀ ହୋଇଅଛନ୍ତି।

13 ତହୁଁ ପରମେଶ୍ୱର ନୋହଙ୍କୁ କହିଲେ, ଆମ୍ଭ ଗୋଚରରେ ସମୁଦାୟ ପ୍ରାଣୀର ଅନ୍ତିମକାଳ ଉପସ୍ଥିତ ହେଲା; ଯେହେତୁ ସେମାନଙ୍କ ଦ୍ୱାରା ପୃଥିବୀ ଦୌରାତ୍ମ୍ୟରେ ପରିପୂର୍ଣ୍ଣ ହୋଇଅଛି; ପୁଣି ଦେଖ, ଆମ୍ଭେ ପୃଥିବୀ ସହିତ ସେମାନଙ୍କୁ ବିନଷ୍ଟ କରିବା।

14 ତୁମ୍ଭେ ଗୋଫର କାଷ୍ଠରେ ଗୋଟିଏ ଜାହାଜ ନିର୍ମାଣ କରନ୍ତ ତହିଁ ମଧ୍ୟରେ ନାନା କୋଠରି ବନାଇ ତହିଁର ଭିତର ଓ ବାହାର ଝୁଣା ଦ୍ୱାରା ଲେପନ କର।

15 ତାହା ଏହି ପ୍ରକାରେ ନିର୍ମାଣ କରିବ; ଦୀର୍ଘରେ ତିନିଶହ ହାତ, ପ୍ରସ୍ଥରେ ପଚାଶ ହାତ, ଉଚ୍ଚରେ ତିରିଶ ହାତ ହେବ।

16 ଉପରରୁ ଏକ ହାତ ଛାଡ଼ି ଝରକା କରିବ, ଆଉ ତହିଁର ପାଶ୍ୱର୍ରେ ଦ୍ୱାର ରଖିବ; ଆଉ ତହିଁର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ତଳ ବନାଇବ।

17 ପୁଣି ଆକାଶତଳେ ପ୍ରାଣବାୟୁ ବିଶିଷ୍ଟ ଯେତେ ଜୀବଜନ୍ତୁ ଅଛନ୍ତି, ସେହି ସବୁ ବିନଷ୍ଟ କରିବା ନିମନ୍ତେ, ଆମ୍ଭେ, ଦେଖ, ଆମ୍ଭେ ପୃଥିବୀ ଉପରେ ଜଳପ୍ଳାବନ କରିବା, ତହିଁରେ ପୃଥିବୀର ସମସ୍ତ ପ୍ରାଣୀ ପ୍ରାଣତ୍ୟାଗ କରିବେ।

18 ମାତ୍ର ଆମ୍ଭେ ତୁମ୍ଭ ସହିତ ଆପଣା ନିୟମ ସ୍ଥିର କରିବା; ତହିଁରେ ତୁମ୍ଭେ ଆପଣା ପୁତ୍ରମାନଙ୍କୁ ଓ ଭାର୍ଯ୍ୟା ଓ ପୁତ୍ରବଧୂମାନଙ୍କୁ ସଙ୍ଗରେ ଘେନି ଜାହାଜରେ ପ୍ରବେଶ କରିବ।

19 ପୁଣି ପ୍ରାଣରକ୍ଷାର୍ଥେ ସର୍ବପ୍ରକାର ଜୀବଜନ୍ତୁର ଏକ ଏକ ଦମ୍ପତି ଆପଣା ସଙ୍ଗରେ ଘେନି ଜାହାଜରେ ପ୍ରବେଶ କରିବ।

20 ସର୍ବପ୍ରକାର ପକ୍ଷୀ ଓ ସର୍ବପ୍ରକାର ପଶୁ ଓ ସର୍ବପ୍ରକାର ଉରୋଗାମୀ ଜନ୍ତୁ ପ୍ରତ୍ୟେକ ଜାତି ଅନୁସାରେ ଏକ ଏକ ଦମ୍ପତି ଜୀବନରକ୍ଷାର୍ଥେ ତୁମ୍ଭ ନିକଟକୁ ଆସିବେ।

21 ଆଉ ତୁମ୍ଭେ ଆପଣାର ଓ ସେମାନଙ୍କର ଆହାର ନିମନ୍ତେ ସର୍ବପ୍ରକାର ଖାଦ୍ୟସାମଗ୍ରୀ ଆଣି ଆପଣା ନିକଟରେ ସଞ୍ଚୟ କରିବ।

22 ତହିଁରେ ନୋହ ସେରୂପ କଲେ; ପରମେଶ୍ୱରଙ୍କ ଆଜ୍ଞାନୁସାରେ ସେ ସମସ୍ତ କର୍ମ କଲେ।