1 ଅନନ୍ତର ପରମେଶ୍ୱର ଯାକୁବଙ୍କୁ କହିଲେ, ତୁମ୍ଭେ ଉଠି ବୈଥେଲକୁ ଯାଇ ସେଠାରେ ବାସ କର; ପୁଣି ତୁମ୍ଭ ଭ୍ରାତା ଏଷୌ ସମ୍ମୁଖରୁ ପଳାଇବା ସମୟରେ ଯେଉଁ ପରମେଶ୍ୱର ଦର୍ଶନ ଦେଇଥିଲେ, ତାହାଙ୍କ ଉଦ୍ଦେଶ୍ୟରେ ଯଜ୍ଞବେଦି ନିର୍ମାଣ କର।

2 ତହିଁରେ ଯାକୁବ ଆପଣା ପରିଜନ ଓ ସଙ୍ଗୀ ଲୋକମାନଙ୍କୁ କହିଲେ, ତୁମ୍ଭମାନଙ୍କ ନିକଟରେ ଯେ ସବୁ ବିଦେଶୀୟ ଦେବତା ଅଛନ୍ତି, ସେମାନଙ୍କୁ ଦୂର କର, ଆପଣାମାନଙ୍କୁ ଶୁଚି କର, ପୁଣି ଆପଣାମାନଙ୍କ ବସ୍ତ୍ର ପରିବର୍ତ୍ତନ କର।

3 ପୁଣି ଆସ, ଆମ୍ଭେମାନେ ଉଠି ବୈଥେଲକୁ ଯାଉ; ଯେଉଁ ପରମେଶ୍ୱର ମୋର ଦୁଃଖର ଦିନରେ ମୋ' ପ୍ରାର୍ଥନାର ଉତ୍ତର ଦେଲେ, ଓ ମୋର ଗମନର ପଥରେ ମୋର ସହାୟ ହୋଇଥିଲେ, ତାହାଙ୍କ ଉଦ୍ଦେଶ୍ୟରେ ମୁଁ ସେହି ସ୍ଥାନରେ ଗୋଟିଏ ଯଜ୍ଞବେଦି ନିର୍ମାଣ କରିବି।

4 ତହିଁରେ ସେମାନେ ଆପଣାମାନଙ୍କ ନିକଟସ୍ଥ ବିଦେଶୀୟ ଦେବତା ଓ କର୍ଣ୍ଣକୁଣ୍ଡଳ ସକଳ ଘେନି ଯାକୁବଙ୍କୁ ଦେଲେ, ପୁଣି, ସେ ତାହା ସବୁ ନେଇ ଶିଖିମ ନିକଟବର୍ତ୍ତୀ ଅଲୋନ ବୃକ୍ଷମୂଳେ ଲୁଚାଇ ରଖିଲେ।

5 ଏଉତ୍ତାରେ ସେମାନେ ଯାତ୍ରା କଲେ; ସେତେବେଳେ ଚତୁର୍ଦ୍ଦିଗସ୍ଥ ନଗରରେ ପରମେଶ୍ୱରଙ୍କଠାରୁ ଭୟ ଉପସ୍ଥିତ ହେବାରୁ ସେମାନେ ଯାକୁବଙ୍କର ପୁତ୍ରମାନଙ୍କୁ ଗୋଡ଼ାଇଲେ ନାହିଁ।

6 ଅନନ୍ତର ଯାକୁବ ଓ ତାଙ୍କର ସଙ୍ଗୀସମୂହ କିଣାନ ଦେଶସ୍ଥ ଲୂସରେ, ଅର୍ଥାତ୍‍, ବୈଥେଲରେ ଉପସ୍ଥିତ ହେଲେ।

7 ସେଠାରେ ସେ ଏକ ଯଜ୍ଞବେଦି ନିର୍ମାଣ କରି ସେହି ସ୍ଥାନର ନାମ ଏଲ-ବୈଥେଲ (ବୈଥେଲର ପରମେଶ୍ୱର) ରଖିଲେ; କାରଣ ଯାକୁବ ଭ୍ରାତୃଭୟରେ ପଳାଇବା ବେଳେ ପରମେଶ୍ୱର ସେହି ସ୍ଥାନରେ ତାଙ୍କୁ ଦର୍ଶନ ଦେଇଥିଲେ।

8 ଆଉ ସେହି ସ୍ଥାନରେ ରିବିକାର ଦବୋରା ନାମ୍ନୀ ଧାତ୍ରୀର ମୃତ୍ୟୁ ହୁଅନ୍ତେ, ବୈଥେଲର ଅଧଃସ୍ଥିତ ଅଲୋନ ବୃକ୍ଷମୂଳେ ତାହାର କବର ହେଲା, ପୁଣି ସେହି ସ୍ଥାନର ନାମ ଅଲୋନ-ବାଖୁତ୍‍ (ଶୋକ ବୃକ୍ଷ) ହେଲା।

9 ଅନନ୍ତର ଯାକୁବ ପଦ୍ଦନ୍‍ ଅରାମଠାରୁ ବାହୁଡ଼ି ଆସନ୍ତେ, ପରମେଶ୍ୱର ପୁନର୍ବାର ଦର୍ଶନ ଦେଇ ତାଙ୍କୁ ଆଶୀର୍ବାଦ କଲେ।

10 ପୁଣି ପରମେଶ୍ୱର ତାଙ୍କୁ କହିଲେ, ତୁମ୍ଭର ନାମ ଯାକୁବ; ମାତ୍ର ତୁମ୍ଭର ନାମ ଆଉ ଯାକୁବ ହେବ ନାହିଁ, ତୁମ୍ଭର ନାମ ଇସ୍ରାଏଲ ହେବ; ଆଉ ସେ ତାଙ୍କର ନାମ ଇସ୍ରାଏଲ ରଖିଲେ।

11 ପରମେଶ୍ୱର ତାଙ୍କୁ ଆହୁରି କହିଲେ, ଆମ୍ଭେ ସର୍ବଶକ୍ତିମାନ ପରମେଶ୍ୱର; ତୁମ୍ଭେ ପ୍ରଜାବନ୍ତ ଓ ବହୁବଂଶ ହୁଅ; ତୁମ୍ଭଠାରୁ ଏକ ଗୋଷ୍ଠୀ, ବରଂ ଗୋଷ୍ଠୀ ସମାଜ ଉତ୍ପନ ହେବ, ପୁଣି ତୁମ୍ଭ କଟିଦେଶରୁ ରାଜଗଣ ଜାତ ହେବେ।

12 ପୁଣି ଆମ୍ଭେ ଅବ୍ରହାମ ଓ ଇସ୍‍ହାକକୁ ଯେଉଁ ଦେଶ ଦାନ କରିଅଛୁ, ସେହି ଦେଶ ତୁମ୍ଭକୁ ଓ ତୁମ୍ଭ ଭବିଷ୍ୟତ ବଂଶକୁ ଦେବା।

13 ସେହି ସ୍ଥାନରେ ତାଙ୍କ ସହିତ ଏରୂପ କଥାବାର୍ତ୍ତା କରି ପରମେଶ୍ୱର ତାଙ୍କ ନିକଟରୁ ଉର୍ଦ୍ଧଗମନ କଲେ।

14 ତହିଁରେ ଯାକୁବ ସେହି କଥୋପକଥନର ସ୍ଥାନରେ ଏକ ସ୍ତମ୍ଭ, ଅର୍ଥାତ୍‍, ପ୍ରସ୍ତର ସ୍ତମ୍ଭ ସ୍ଥାପନ କରି ତହିଁ ଉପରେ ପାନୀୟ ନୈବେଦ୍ୟ ଉତ୍ସର୍ଗ କଲେ ଓ ତୈଳ ଢାଳିଲେ।

15 ପୁଣି ଯାକୁବ ପରମେଶ୍ୱରଙ୍କ ସହିତ କଥୋପକଥନ ସ୍ଥାନର ନାମ ବୈଥେଲ ରଖିଲେ।

16 ଅନନ୍ତର ସେମାନେ ବୈଥେଲଠାରୁ ପ୍ରସ୍ଥାନ କଲେ, ମାତ୍ର ଇଫ୍ରାଥାରେ ଉପସ୍ଥିତ ହେବା ପାଇଁ ଅଳ୍ପ ପଥ ଥାଉ ଥାଉ ରାହେଲର ପ୍ରସବବେଦନା ହେଲା; ପୁଣି ତାହାର ପ୍ରସବ କରିବାରେ ଅତିଶୟ କଷ୍ଟ ହେଲା।

17 ଆଉ ପ୍ରସବ ବ୍ୟଥା ଅତିଶୟ ହୁଅନ୍ତେ, ଧାତ୍ରୀ ତାହାକୁ କହିଲା, ଭୟ କର, ନାହିଁ, ତୁମ୍ଭେ ଏଥର ହିଁ ପୁତ୍ର ପ୍ରସବ କରିବ।

18 ତଥାପି ସେ ମଲା, ପୁଣି ପ୍ରାଣତ୍ୟାଗ ସମୟରେ ପୁତ୍ରର ନାମ ବିନୋନୀ (କଷ୍ଟଜାତ ପୁତ୍ର) ରଖିଲା; ମାତ୍ର ତାହାର ପିତା ତାହାର ନାମ ବିନ୍ୟାମିନ (ଦକ୍ଷିଣହସ୍ତ ପୁତ୍ର) ରଖିଲେ।

19 ଏହି ପ୍ରକାରେ ରାହେଲର ମୃତ୍ୟୁ ହୁଅନ୍ତେ, ଇଫ୍ରାଥା, ଅର୍ଥାତ୍‍, ବେଥ୍‍ଲିହିମ୍‍କୁ ଯିବା ପଥ ନିକଟରେ ତାହାର କବର ହେଲା।

20 ଅନନ୍ତର ଯାକୁବ ସେହି କବର ଉପରେ ଏକ ସ୍ତମ୍ଭ ସ୍ଥାପନ କଲେ; ରାହେଲ-କବରସ୍ଥ ସେହି ସ୍ତମ୍ଭ ଅଦ୍ୟାପି ଅଛି।

21 ଅନନ୍ତର ଇସ୍ରାଏଲ ସେଠାରୁ ପ୍ରସ୍ଥାନ କରି ଏଦର ଗଡ଼ ପାର ହୋଇ ତହିଁ ନିକଟରେ ତମ୍ବୁ ସ୍ଥାପନ କଲେ।

22 ସେହି ଦେଶରେ ଇସ୍ରାଏଲ ବାସ କରିବା ବେଳେ ରୁବେନ୍‍ ଯାଇ ଆପଣା ପିତାର ବିଲହା ନାମ୍ନୀ ଉପପତ୍ନୀ ସଙ୍ଗରେ ଶୟନ କଲା, ପୁଣି ଇସ୍ରାଏଲ ତାହା ଶୁଣିଲେ।

23 ଯାକୁବଙ୍କର ଦ୍ୱାଦଶ ପୁତ୍ର ଥିଲେ; ସେମାନଙ୍କ ମଧ୍ୟରେ ରୁବେନ୍‍ ଯାକୁବଙ୍କର ଜ୍ୟେଷ୍ଠ ପୁତ୍ର, ସେ, ପୁଣି, ଶିମୀୟୋନ ଓ ଲେବୀ ଓ ଯିହୁଦା ଓ ଇଷାଖର୍‍ ଓ ସବୂଲୂନ, ଏମାନେ ଲେୟାର ସନ୍ତାନ;

24 ପୁଣି ଯୋଷେଫ ଓ ବିନ୍ୟାମିନ ରାହେଲର ସନ୍ତାନ;

25 ପୁଣି ଦାନ୍‍ ଓ ନପ୍ତାଲି ରାହେଲର ଦାସୀ ବିଲ୍‍ହାର ସନ୍ତାନ;

26 ଆଉ ଗାଦ୍‍ ଓ ଆଶେର୍‍ ଲେୟାର ଦାସୀ ସିଳ୍ପାର ସନ୍ତାନ। ଯାକୁବଙ୍କର ଏହି ସମସ୍ତ ପୁତ୍ର ପଦ୍ଦନ୍‍ ଅରାମଠାରେ ଜନ୍ମିଥିଲେ।

27 ଅନନ୍ତର କିରୀୟଥର୍ବ, ଅର୍ଥାତ୍‍, ହିବ୍ରୋଣ ନଗରର ନିକଟବର୍ତ୍ତୀ ମମ୍ରି ନାମକ ଯେଉଁ ସ୍ଥାନରେ ଅବ୍ରହାମ ଓ ଇସ୍‍ହାକ ପ୍ରବାସ କରିଥିଲେ, ସେହି ସ୍ଥାନରେ ଯାକୁବ ଆପଣା ପିତା ଇସ୍‍ହାକ ନିକଟରେ ଉପସ୍ଥିତ ହେଲେ।

28 ଇସ୍‍ହାକଙ୍କର ଆୟୁର ପରିମାଣ ଏକଶହ ଅଶୀ ବର୍ଷ ଥିଲା।

29 ଅନନ୍ତର ଇସ୍‍ହାକ ବୃଦ୍ଧ ଓ ପୂର୍ଣ୍ଣାୟୁ ହୋଇ ପ୍ରାଣତ୍ୟାଗ କରନ୍ତେ, ଆପଣା ଲୋକମାନଙ୍କ ନିକଟରେ ସଂଗୃହୀତ ହେଲେ; ପୁଣି ତାଙ୍କର ପୁତ୍ର ଏଷୌ ଓ ଯାକୁବ ତାଙ୍କୁ କବର ଦେଲେ।