1 ଆଦ୍ୟରେ ପରମେଶ୍ୱର ସ୍ୱର୍ଗ ଓ ପୃଥିବୀର ସୃଷ୍ଟି କଲେ।
2 ପୃଥିବୀ ନିର୍ଜ୍ଜନ ଓ ଶୂନ୍ୟ ଥିଲା, ଆଉ ଗଭୀର ଜଳ ଉପରେ ଅନ୍ଧକାର ଥିଲା; ପୁଣି ପରମେଶ୍ୱରଙ୍କ ଆତ୍ମା ଜଳ ଉପରେ ବ୍ୟାପ୍ତ ଥିଲେ।
3 ଅନନ୍ତର ପରମେଶ୍ୱର କହିଲେ, ଦୀପ୍ତି ହେଉ; ତହିଁରେ ଦୀପ୍ତି ହେଲା।
4 ଆଉ ପରମେଶ୍ୱର ଦୀପ୍ତିକି ଦେଖିଲେ ଯେ ତାହା ଉତ୍ତମ; ତହୁଁ ପରମେଶ୍ୱର ଅନ୍ଧକାରରୁ ଦୀପ୍ତିକି ଭିନ୍ନ କଲେ।
5 ପୁଣି ପରମେଶ୍ୱର ଦୀପ୍ତିର ନାମ ଦିବସ ଓ ଅନ୍ଧକାରର ନାମ ରାତ୍ରି ଦେଲେ। ତହୁଁ ସନ୍ଧ୍ୟା ଓ ପ୍ରାତଃକାଳ ହୋଇ ପ୍ରଥମ ଦିବସ ହେଲା।
6 ଅନନ୍ତର ପରମେଶ୍ୱର କହିଲେ, ଜଳ ମଧ୍ୟରେ ଶୂନ୍ୟ ଜାତ ହୋଇ ଜଳକୁ ଦୁଇ ଭାଗରେ ଭିନ୍ନ କରୁ।
7 ଏହିରୂପେ ପରମେଶ୍ୱର ଶୂନ୍ୟ ନିର୍ମାଣ କରି ଶୂନ୍ୟର ଊର୍ଦ୍ଧ୍ୱସ୍ଥ ଜଳରୁ ଶୂନ୍ୟର ଅଧଃସ୍ଥ ଜଳକୁ ଭିନ୍ନ କଲେ; ତହିଁରେ ସେହିରୂପ ହେଲା।
8 ଆଉ ପରମେଶ୍ୱର ସେହି ଶୂନ୍ୟର ନାମ ଆକାଶମଣ୍ଡଳ ଦେଲେ। ପୁଣି ସନ୍ଧ୍ୟା ଓ ପ୍ରାତଃକାଳ ହୋଇ ଦ୍ୱିତୀୟ ଦିବସ ହେଲା।
9 ଅନନ୍ତର ପରମେଶ୍ୱର କହିଲେ, ଆକାଶମଣ୍ଡଳର ଅଧଃସ୍ଥ ସମଗ୍ର ଜଳ ଏକ ସ୍ଥାନରେ ସଂଗୃହୀତ ହେଉ ଓ ସ୍ଥଳ ପ୍ରକାଶ ହେଉ; ତହିଁରେ ସେହିରୂପ ହେଲା।
10 ପୁଣି ପରମେଶ୍ୱର ସ୍ଥଳର ନାମ ପୃଥିବୀ ଓ ଜଳରାଶିର ନାମ ସମୁଦ୍ର ଦେଲେ; ଆଉ ପରମେଶ୍ୱର ତାହା ଉତ୍ତମ ଦେଖିଲେ।
11 ଏଉତ୍ତାରୁ ପରମେଶ୍ୱର କହିଲେ, ପୃଥିବୀ ତୃଣ ଓ ସବୀଜ ଶାକ ଓ ବୀଜସମ୍ବଳିତ ସ୍ୱ ସ୍ୱ ଜାତି ଅନୁଯାୟୀ ଫଳୋତ୍ପାଦକ ଫଳବୃକ୍ଷଭୂମି ଉପରେ ଉତ୍ପନ କରୁ; ତହିଁରେ ସେପରି ହେଲା।
12 ଅର୍ଥାତ୍, ପୃଥିବୀ ତୃଣ ଓ ସ୍ୱ ସ୍ୱ ଜାତି ଅନୁସାରେ ବୀଜଉତ୍ପାଦକ ଶାକ ଓ ସ୍ୱ ସ୍ୱ ଜାତି ଅନୁସାରେ ସବୀଜ ଫଳୋତ୍ପାଦକ ବୃକ୍ଷ ଉତ୍ପନ କଲା; ପୁଣି ପରମେଶ୍ୱର ତାହା ଉତ୍ତମ ଦେଖିଲେ।
13 ତହିଁରେ ସନ୍ଧ୍ୟା ଓ ପ୍ରାତଃକାଳ ହୋଇ ତୃତୀୟ ଦିବସ ହେଲା।
14 ଅନନ୍ତର ପରମେଶ୍ୱର କହିଲେ, ରାତ୍ରିରୁ ଦିବସକୁ ପୃଥକ୍ କରିବା ନିମନ୍ତେ ଆକାଶମଣ୍ଡଳରେ ଜ୍ୟୋତିର୍ଗଣ ଉତ୍ପନ ହେଉନ୍ତୁ; ପୁଣି ସେ ସବୁ ଚିହ୍ନ ଓ ଋତୁ ଓ ଦିବସ ଆଉ ବର୍ଷର କାରଣ ହେଉନ୍ତୁ।
15 ଆଉ ପୃଥିବୀରେ ଆଲୁଅ ଦେବା ପାଇଁ ଆକାଶମଣ୍ଡଳରେ ସେହି ଜ୍ୟୋତିର୍ଗଣ ଥାଉନ୍ତୁ; ତହିଁରେ ସେପରି ହେଲା।
16 ଏହି ପ୍ରକାରେ ପରମେଶ୍ୱର ଦିବସରେ କର୍ତ୍ତୃତ୍ୱ କରିବାକୁ ଏକ ମହାଜ୍ୟୋତି ଓ ରାତ୍ରିରେ କର୍ତ୍ତୃତ୍ୱ କରିବାକୁ ତାହାଠାରୁ ସାନ ଏକ ଜ୍ୟୋତି, ଏହି ଦୁଇ ମହାଜ୍ୟୋତି, ଆଉ ମଧ୍ୟ ତାରାଗଣ ନିର୍ମାଣ କଲେ।
17 ତହୁଁ ପୃଥିବୀରେ ଦୀପ୍ତି ଦେବା ପାଇଁ ଓ ଦିବା ଓ ରାତ୍ରିର ଉପରେ କର୍ତ୍ତୃତ୍ୱ କରିବା ପାଇଁ,
18 ଆଉ ଦୀପ୍ତିକି ଅନ୍ଧକାରରୁ ପୃଥକ୍ କରିବା ପାଇଁ, ପରମେଶ୍ୱର ଆକାଶମଣ୍ଡଳରେ ସେହି ଜ୍ୟୋତିର୍ଗଣ ସ୍ଥାପନ କଲେ; ଆଉ ପରମେଶ୍ୱର ଏହି ସମସ୍ତ ଉତ୍ତମ ଦେଖିଲେ।
19 ତହିଁରେ ସନ୍ଧ୍ୟା ଓ ପ୍ରାତଃକାଳ ହୋଇ ଚତୁର୍ଥ ଦିବସ ହେଲା।
20 ଏଥିଉତ୍ତାରୁ ପରମେଶ୍ୱର କହିଲେ, ଜଳ ବହୁଳ ରୂପେ ଜଙ୍ଗମ ପ୍ରାଣୀବର୍ଗରେ ପ୍ରାଣୀମୟ ହେଉ ଓ ପୃଥିବୀର ଉପରିସ୍ଥ ଆକାଶମଣ୍ଡଳରେ ପକ୍ଷୀଗଣ ଉଡ଼ନ୍ତୁ।
21 ଆଉ ପରମେଶ୍ୱର ବୃହତ ତିମିଙ୍ଗିଳ ପ୍ରଭୃତି ଓ ସ୍ୱ ସ୍ୱ ଜାତି ଅନୁସାରେ ବହୁଳ ରୂପେ ଜଳଜ ଜଙ୍ଗମ ପ୍ରାଣୀବର୍ଗ ଓ ସ୍ୱ ସ୍ୱ ଜାତି ଅନୁସାରେ ପକ୍ଷୀଗଣର ସୃଷ୍ଟି କଲେ। ପରମେଶ୍ୱର ଏହି ସମସ୍ତ ଉତ୍ତମ ଦେଖିଲେ।
22 ପୁଣି ପରମେଶ୍ୱର ସେମାନଙ୍କୁ ଆଶୀର୍ବାଦ କରି କହିଲେ, ପ୍ରଜାବନ୍ତ ଓ ବହୁବଂଶ ହୋଇ ସମୁଦ୍ରର ଜଳ ପରିପୂର୍ଣ୍ଣ କର, ଆଉ ପୃଥିବୀରେ ପକ୍ଷୀଗଣ ବହୁସଂଖ୍ୟକ ହେଉନ୍ତୁ।
23 ତହିଁରେ ସନ୍ଧ୍ୟା ଓ ପ୍ରାତଃକାଳ ହୋଇ ପଞ୍ଚମ ଦିବସ ହେଲା।
24 ଅନନ୍ତର ପରମେଶ୍ୱର କହିଲେ, ପୃଥିବୀରେ ସ୍ୱ ସ୍ୱ ଜାତି ଅନୁସାରେ ପ୍ରାଣୀବର୍ଗ, (ଅର୍ଥାତ୍), ଗ୍ରାମ୍ୟପଶୁ ଓ ଉରୋଗାମୀ ଜନ୍ତୁ ଓ ସ୍ୱ ସ୍ୱ ଜାତି ଅନୁସାରେ ପୃଥିବୀର ବନ୍ୟପଶୁଗଣ ଉତ୍ପନ ହେଉନ୍ତୁ; ତହିଁରେ ସେପରି ହେଲା।
25 ଏହି ରୂପେ ପରମେଶ୍ୱର ସ୍ୱ ସ୍ୱ ଜାତି ଅନୁଯାୟୀ ବନ୍ୟପଶୁଗଣ ଓ ସ୍ୱ ସ୍ୱ ଜାତି ଅନୁଯାୟୀ ଗ୍ରାମ୍ୟପଶୁଗଣ ଓ ସ୍ୱ ସ୍ୱ ଜାତି ଅନୁଯାୟୀ ପ୍ରତ୍ୟେକ ଭୂଚର ଉରୋଗାମୀ ଜନ୍ତୁ ନିର୍ମାଣ କଲେ; ଆଉ ପରମେଶ୍ୱର ସେ ସମସ୍ତ ଉତ୍ତମ ଦେଖିଲେ।
26 ଏଥିଉତ୍ତାରୁ ପରମେଶ୍ୱର କହିଲେ, ଆମ୍ଭେମାନେ ଆପଣା ପ୍ରତିମୂର୍ତ୍ତିରେ ଓ ଆପଣା ସାଦୃଶ୍ୟରେ ମନୁଷ୍ୟର ନିର୍ମାଣ କରୁ। ସେମାନେ ଜଳଚର ମତ୍ସ୍ୟଗଣ ଓ ଖେଚର ପକ୍ଷୀଗଣ ଓ ପଶୁଗଣ ଓ ସମସ୍ତ ପୃଥିବୀ ଓ ଭୂମିରେ ଗମନଶୀଳ ସବୁ ଉରୋଗାମୀ ଜନ୍ତୁ ଉପରେ କର୍ତ୍ତୃତ୍ୱ କରିବେ।
27 ଅନନ୍ତର ପରମେଶ୍ୱର ଆପଣା ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ସୃଷ୍ଟି କଲେ; ପରମେଶ୍ୱରଙ୍କ ପ୍ରତିମୂର୍ତ୍ତିରେ ସେ ତାହାକୁ ସୃଷ୍ଟି କଲେ; ପୁରୁଷ ଓ ସ୍ତ୍ରୀ କରି ସେ ସେମାନଙ୍କୁ ସୃଷ୍ଟି କଲେ।
28 ଆଉ ପରମେଶ୍ୱର ସେମାନଙ୍କୁ ଆଶୀର୍ବାଦ କଲେ; ପୁଣି ପରମେଶ୍ୱର ସେମାନଙ୍କୁ କହିଲେ, ପ୍ରଜାବନ୍ତ ଓ ବହୁବଂଶ ହୁଅ, ପୁଣି ପୃଥିବୀକି ପରିପୂର୍ଣ୍ଣ କରି ବଶୀଭୂତ କର, ଆଉ ଜଳଚର ମତ୍ସ୍ୟଗଣ ଓ ଖେଚର ପକ୍ଷୀଗଣ ଓ ଭୂଚର ଉରୋଗାମୀ ଜନ୍ତୁଗଣ ଉପରେ କର୍ତ୍ତୃତ୍ୱ କର।
29 ପରମେଶ୍ୱର ଆହୁରି କହିଲେ, ଦେଖ, ଆମ୍ଭେ ଭୂମିସ୍ଥ ସବୁ ସବୀଜ ଶାକ ଓ ସବୁ ସବୀଜ ଫଳଦାୟକ ବୃକ୍ଷ ତୁମ୍ଭମାନଙ୍କୁ ଦେଲୁ, ତାହା ତୁମ୍ଭମାନଙ୍କର ଖାଦ୍ୟ ହେବ।
30 ପୁଣି ପୃଥିବୀସ୍ଥ ସମସ୍ତ ପଶୁ ଓ ଖେଚର ପକ୍ଷୀ ଓ ଭୂଚର ଉରୋଗାମୀ ଜନ୍ତୁ, ଏହି ସମସ୍ତ ପ୍ରାଣୀଙ୍କ ଭକ୍ଷ୍ୟ ନିମନ୍ତେ ଆମ୍ଭେ ସବୁ ହରିତ ଶାକ ଦେଲୁ; ତହିଁରେ ସେପରି ହେଲା।
31 ପରମେଶ୍ୱର ଆପଣା ନିର୍ମିତ ପ୍ରତ୍ୟେକ ବସ୍ତୁ ପ୍ରତି ଦୃଷ୍ଟି କଲେ, ଆଉ ଦେଖ, ସମସ୍ତ ଅତ୍ୟୁତ୍ତମ। ତହିଁରେ ସନ୍ଧ୍ୟା ଓ ପ୍ରାତଃକାଳ ହୋଇ ଷଷ୍ଠ ଦିବସ ହେଲା।