1 ମୁଁ ପାଉଲ, ଜଣେ ପ୍ରେରିତ (ମନୁଷ୍ୟଠାରୁ ନୁହେଁ, କି ମନୁଷ୍ୟ ଦ୍ୱାରା ନୁହେଁ, କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଏବଂ ଯେଉଁ ପିତା ଈଶ୍ୱର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଲେ, ତାହାଙ୍କ ଦ୍ୱାରା),

2 ଆଉ ମୋହର ସାଙ୍ଗରେ ଥିବା ଭାଇ ସମସ୍ତେ ଗାଲାତୀୟ ମଣ୍ଡଳୀ-ସମୂହକୁ ଲେଖୁଅଛୁ;

3 ଆମ୍ଭମାନଙ୍କ ପିତା ଈଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ;

4 ସେ ଆମ୍ଭମାନଙ୍କ ପିତା ଈଶ୍ୱରଙ୍କ ଇଚ୍ଛାନୁସାରେ ଏହି ବର୍ତ୍ତମାନ ଜଗତରୁ ଆମ୍ଭମାନଙ୍କୁ ଉଦ୍ଧାର କରିବା ପାଇଁ ଆମ୍ଭମାନଙ୍କ ପାପ ନିମନ୍ତେ ଆପଣାକୁ ପ୍ରଦାନ କଲେ;

5 ଯୁଗେ ଯୁଗେ ତାହାଙ୍କର ଗୌରବ ହେଉ ଆମେନ୍‍।

6 ଖ୍ରୀଷ୍ଟଙ୍କ ଅନୁଗ୍ରହରେ ଯେ ତୁମ୍ଭମାନଙ୍କୁ ଆହ୍ୱାନ କଲେ, ତାହାଙ୍କଠାରୁ ତୁମ୍ଭେମାନେ ଯେ ଏଡ଼େ ଶୀଘ୍ର ବିମୁଖ ହୋଇ ଅନ୍ୟ ସୁସମାଚାର ପ୍ରତି ଅନୁରକ୍ତ ହେଉଅଛ, ଏଥିରେ ମୁଁ ଚମତ୍କୃତ ହେଉଅଛି;

7 ତାହା ଅନ୍ୟ ସୁସମାଚାର ସୁଦ୍ଧା ନୁହେଁ, କେବଳ କେତେକ ତୁମ୍ଭମାନଙ୍କୁ ଅସ୍ଥିର କରୁଅଛନ୍ତି ଓ ଖ୍ରୀଷ୍ଟଙ୍କ ସୁସମାଚାରକୁ ବିକୃତ କରିବାକୁ ଇଚ୍ଛା କରୁଅଛନ୍ତି।

8 କିନ୍ତୁ ଯେଉଁ ସୁସମାଚାର ଆମ୍ଭେମାନେ ତୁମ୍ଭମାନଙ୍କ ନିକଟରେ ପ୍ରଚାର କରିଥିଲୁ, ଯଦି ଆମ୍ଭେମାନେ କିମ୍ବା ସ୍ୱର୍ଗଦୂତ ହେଲେ ମଧ୍ୟ କେହି ତଦ୍‍ଭିନ୍ନ ଅନ୍ୟ ସୁସମାଚାର ପ୍ରଚାର କରେ, ତେବେ ସେ ଶାପଗ୍ରସ୍ତ ହେଉ।

9 ଯେପରି ଆମ୍ଭେମାନେ ପୂର୍ବରେ କହିଅଛୁ, ସେହିପରି ମୁଁ ଏବେ ଆଉ ଥରେ କହୁଅଛି, ଯେଉଁ ସୁସମାଚାର ତୁମ୍ଭେମାନେ ଗ୍ରହଣ କରିଥିଲ, ତଦ୍‍ଭିନ୍ନ ଯଦି କୌଣସି ଲୋକ ଅନ୍ୟ ସୁସମାଚାର ତୁମ୍ଭମାନଙ୍କ ନିକଟରେ ପ୍ରଚାର କରେ, ତେବେ ସେ ଶାପଗ୍ରସ୍ତ ହେଉ।

10 ମୁଁ କି ଏବେ ମନୁଷ୍ୟମାନଙ୍କର କିମ୍ବା ଈଶ୍ୱରଙ୍କର ପ୍ରିୟପାତ୍ର ହେବାକୁ ଯନି କରୁଅଛି ଅବା ମନୁଷ୍ୟମାନଙ୍କୁ କି ସନ୍ତୁଷ୍ଟ କରିବାକୁ ଚେଷ୍ଟା କରୁଅଛି ଯଦି ମୁଁ ଏବେ ସୁଦ୍ଧା ମନୁଷ୍ୟମାନଙ୍କୁ ସନ୍ତୁଷ୍ଟ କରୁଥାଆନ୍ତି, ତେବେ ମୁଁ ଖ୍ରୀଷ୍ଟଙ୍କର ଦାସ ହୁଅନ୍ତି ନାହିଁ।

11 କାରଣ, ହେ ଭାଇମାନେ, ଯେଉଁ ସୁସମାଚାର ମୋ' ଦ୍ୱାରା ପ୍ରଚାରିତ ହୋଇଅଛି, ସେ ସମ୍ବନ୍ଧରେ ତୁମ୍ଭମାନଙ୍କୁ ଜଣାଉଅଛି ଯେ, ତାହା ମନୁଷ୍ୟର ମତାନୁଯାୟୀ ନୁହେଁ;

12 ଯେଣୁ ମୁଁ ତାହା ମନୁଷ୍ୟଠାରୁ ପାଇ ନାହିଁ କିଅବା ଶିକ୍ଷା କରି ନାହିଁ, କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କ ପ୍ରତ୍ୟାଦେଶ ଦ୍ୱାରା ପାଇଅଛି।

13 ପୂର୍ବେ ଯିହୁଦୀ ଧର୍ମରେ ମୋହର ଆଚାରବ୍ୟବହାର ସମ୍ବନ୍ଧରେ ତୁମ୍ଭେମାନେ ତ ଶୁଣିଅଛ, ମୁଁ ଈଶ୍ୱରଙ୍କ ମଣ୍ଡଳୀକି ଅତିରିକ୍ତ ଭାବରେ ତାଡ଼ନା କରୁଥିଲି ଓ ତାହା ଉଚ୍ଛିନ୍ନ କରିବାକୁ ଚେଷ୍ଟା କରୁଥିଲି,

14 ଆଉ, ମୋହର ପିତୃପୁରୁଷଙ୍କ ପରମ୍ପରାଗତ ରୀତିନୀତି ନିମନ୍ତେ ଅତ୍ୟନ୍ତ ଉଦ୍‍ଯୋଗୀ ହୋଇ ମୋହର ସମବୟସ୍କ ସ୍ୱଜାତି ଲୋକମାନଙ୍କ ମଧ୍ୟରେ ଅନେକଙ୍କଠାରୁ ବଳି ଯିହୁଦୀ ଧର୍ମରେ ଅଗ୍ରସର ହେଉଥିଲି।

15 କିନ୍ତୁ ଯେ ମୋହର ମାତାଙ୍କ ଉଦରରୁ ମୋତେ ପୃଥକ କରିଥିଲେ ଓ ଆପଣା ଅନୁଗ୍ରହରେ ମୋତେ ଆହ୍ୱାନ କଲେ,

16 ସେ ଯେତେବେଳେ ଆପଣା ପୁତ୍ରଙ୍କୁ ମୋ'ଠାରେ ପ୍ରକାଶ କରିବା ନିମନ୍ତେ ସନ୍ତୁଷ୍ଟ ହେଲେ, ଯେପରି ମୁଁ ବିଜାତିମାନଙ୍କ ମଧ୍ୟରେ ତାହାଙ୍କୁ ପ୍ରଚାର କରେ, ସେତେବେଳେ ମୁଁ ମନୁଷ୍ୟ ସହିତ ପରାମର୍ଶ ନ କରି।

17 କିଅବା ମୋ' ପୂର୍ବରେ ନିଯୁକ୍ତ ପ୍ରେରିତମାନଙ୍କ ନିକଟକୁ ଯିରୂଶାଲମକୁ ନ ଯାଇ ସେହିକ୍ଷଣି ଆରବକୁ ବାହାରିଗଲି ପୁନଶ୍ଚ ମୁଁ ଦାମାସ୍‍କସ୍‍କୁ ବାହୁଡ଼ି ଆସିଲି।

18 ତାହା ପରେ ତିନି ବର୍ଷ ଉତ୍ତାରେ ମୁଁ କେଫାଙ୍କ ସହିତ ସାକ୍ଷାତ କରିବା ନିମନ୍ତେ ଯିରୂଶାଲମକୁ ଗଲି ଓ ତାଙ୍କ ସହିତ ପନ୍ଦର ଦିନ ରହିଲି।

19 କିନ୍ତୁ ପ୍ରଭୁଙ୍କ ଭ୍ରାତା ଯାକୁବଙ୍କ ଛଡ଼ା ପ୍ରେରିତମାନଙ୍କର ଅନ୍ୟ କାହାରିକୁ ଦେଖିଲି ନାହିଁ।

20 ମୁଁ ଯେଉଁସବୁ ବିଷୟ ତୁମ୍ଭମାନଙ୍କୁ ଲେଖୁଅଛି, ଦେଖ, ଈଶ୍ୱରଙ୍କ ସାକ୍ଷାତରେ କହୁଅଛି, ମୁଁ ମିଥ୍ୟା କହୁ ନାହିଁ।

21 ପରେ ମୁଁ ସୁରିଆ ଓ କିଲିକିଆ ଅଞ୍ଚଳକୁ ଗଲି।

22 ଯିହୂଦା ପ୍ରଦେଶର ଖ୍ରୀଷ୍ଟାଶ୍ରିତ ମଣ୍ଡଳୀସମୂହ ନିକଟରେ ମୁଁ ବ୍ୟକ୍ତିଗତଭାବେ ପରିଚିତ ନ ଥିଲି;

23 ସେମାନେ କେବଳ ଶୁଣୁଥିଲେ, ଯେଉଁ ବ୍ୟକ୍ତି ପୂର୍ବେ ଆମ୍ଭମାନଙ୍କୁ ତାଡ଼ନା କରୁଥିଲେ, ସେ ଥରେ ଯେଉଁ ବିଶ୍ୱାସମତକୁ ଉଚ୍ଛିନ୍ନ କରିବାକୁ ଚେଷ୍ଟା କରୁଥିଲେ, ତାହା ଏବେ ପ୍ରଚାର କରୁଅଛନ୍ତି;

24 ଆଉ ସେମାନେ ମୋ' ସକାଶେ ଈଶ୍ୱରଙ୍କ ପ୍ରଶଂସା କରୁଥିଲେ।