1 ଏଜ୍ରା ପରମେଶ୍ୱରଙ୍କ ଗୃହ ସମ୍ମୁଖରେ ପ୍ରାର୍ଥନା ଓ ସ୍ୱୀକାର, କ୍ରନ୍ଦନ ଓ ପ୍ରଣାମ କରିବା ସମୟରେ ଇସ୍ରାଏଲ ମଧ୍ୟରୁ ପୁରୁଷ ଓ ସ୍ତ୍ରୀ ଓ ବାଳକ ବାଳିକାର ଏକ ମହାସମାଜ ତାହା ନିକଟରେ ଏକତ୍ରିତ ହୋଇଥିଲେ; କାରଣ ଲୋକମାନେ ଅତିଶୟ କ୍ରନ୍ଦନ କଲେ।

2 ଏଥିରେ ଏଲମର ସନ୍ତାନଗଣ ମଧ୍ୟରୁ ଯିହୀୟେଲର ପୁତ୍ର ଶଖନୀୟ ଏଜ୍ରାକୁ ଉତ୍ତର କରି କହିଲା, ଆମ୍ଭେମାନେ ଆପଣାମାନଙ୍କ ପରମେଶ୍ୱରଙ୍କ ବିରୁଦ୍ଧରେ ସତ୍ୟଲଙ୍ଘନ କରି ଅନ୍ୟଦେଶୀ ଗୋଷ୍ଠୀୟମାନଙ୍କର ସ୍ତ୍ରୀମାନଙ୍କୁ ବିବାହ କରିଅଛୁ; ତଥାପି ଏବିଷୟରେ ଏବେ ମଧ୍ୟ ଇସ୍ରାଏଲ ପକ୍ଷରେ ଭରସା ଅଛି।

3 ଏହେତୁ ଆମ୍ଭେମାନେ ଏବେ ଆମ୍ଭ ପ୍ରଭୁଙ୍କର ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଆଜ୍ଞାରେ କମ୍ପିତ ଲୋକମାନଙ୍କର ମନ୍ତ୍ରଣାନୁସାରେ ଏହି ସକଳ ଭାର୍ଯ୍ୟା ଓ ଏମାନଙ୍କଠାରୁ ଜାତ ସମସ୍ତଙ୍କୁ ଦୂର କରି ଦେବା ପାଇଁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ସହିତ ନିୟମ କରୁ; ଆଉ, ଏହା ବ୍ୟବସ୍ଥାନୁସାରେ କରାଯାଉ।

4 ଉଠନ୍ତୁ, କାରଣ ଆପଣଙ୍କ ଉପରେ ଏହି କାର୍ଯ୍ୟର ଭାର ଅଛି ଓ ଆମ୍ଭେମାନେ ଆପଣଙ୍କର ସହକାରୀ ଅଛୁ; ସାହସିକ ହୋଇ ଏହି କାର୍ଯ୍ୟ କରନ୍ତୁ।

5 ଏଥିରେ ଏଜ୍ରା ଉଠି ଏହି ବାକ୍ୟାନୁସାରେ କାର୍ଯ୍ୟ କରିବା ପାଇଁ ଯାଜକମାନଙ୍କର, ଲେବୀୟମାନଙ୍କର ଓ ସମଗ୍ର ଇସ୍ରାଏଲର ପ୍ରଧାନବର୍ଗଙ୍କୁ ଶପଥ କରାଇଲା। ତହିଁରେ ସେମାନେ ଶପଥ କଲେ।

6 ତହୁଁ ଏଜ୍ରା ପରମେଶ୍ୱରଙ୍କ ଗୃହ ସମ୍ମୁଖରୁ ଉଠି ଇଲିୟାଶୀବର ପୁତ୍ର ଯିହୋହାନନର କୋଠରିକି ଗଲା; ଆଉ, ସେଠାରେ ଉପସ୍ଥିତ ହୁଅନ୍ତେ, ରୋଟୀ ଭୋଜନ କି ଜଳପାନ କଲା ନାହିଁ; କାରଣ ସେ ବନ୍ଦୀତ୍ୱର ଲୋକମାନଙ୍କ ସତ୍ୟଲଙ୍ଘନ ସକାଶୁ ଶୋକ କରୁଥିଲା।

7 ଏଉତ୍ତାରେ ଲୋକମାନେ ଯିହୁଦା ଓ ଯିରୂଶାଲମର ସର୍ବତ୍ର ବନ୍ଦୀତ୍ୱର ସନ୍ତାନ ସମସ୍ତଙ୍କ ନିକଟରେ ଘୋଷଣା କରି କହିଲେ ଯେ, ସେମାନେ ଯିରୂଶାଲମରେ ଏକତ୍ରିତ ହେବେ;

8 ଆଉ, ଅଧିପତିମାନଙ୍କର ଓ ପ୍ରାଚୀନବର୍ଗର ମନ୍ତ୍ରଣାନୁସାରେ ଯେକେହି ତିନି ଦିନ ମଧ୍ୟରେ ଉପସ୍ଥିତ ହେବ ନାହିଁ, ତାହାର ସର୍ବସ୍ୱ ହରଣ କରାଯିବ ଓ ସେ ନିଜେ ବନ୍ଦୀତ୍ୱର ସମାଜରୁ ପୃଥକ୍‍ କରାଯିବ।

9 ତହୁଁ ଯିହୁଦା ଓ ବିନ୍ୟାମୀନର ସମଗ୍ର ଲୋକ ତିନି ଦିନ ମଧ୍ୟରେ ଯିରୂଶାଲମରେ ଏକତ୍ରିତ ହେଲେ, ସେହି ନବମ ମାସର ବିଂଶତିତମ ଦିନ ଥିଲା; ଆଉ, ସମଗ୍ର ଲୋକ ପରମେଶ୍ୱରଙ୍କ ଗୃହର ସମ୍ମୁଖସ୍ଥ ଛକରେ ବସି ଉକ୍ତ ବିଷୟ ଓ ମହାବୃଷ୍ଟି ସକାଶୁ କମ୍ପିତ ହେଉଥିଲେ।

10 ତହିଁରେ ଏଜ୍ରା ଯାଜକ ଠିଆ ହୋଇ ସେମାନଙ୍କୁ କହିଲା, ତୁମ୍ଭେମାନେ ସତ୍ୟଲଙ୍ଘନ କରିଅଛ ଓ ଇସ୍ରାଏଲର ଦୋଷ ବଢ଼ାଇବା ପାଇଁ ଅନ୍ୟ ଦେଶୀୟା ସ୍ତ୍ରୀମାନଙ୍କୁ ବିବାହ କରିଅଛ।

11 ଏହେତୁ ଏବେ ତୁମ୍ଭମାନଙ୍କ ପିତୃଗଣର ପରମେଶ୍ୱର ସଦାପ୍ରଭୁଙ୍କ ନିକଟରେ ସ୍ୱୀକାର କର ଓ ତାହାଙ୍କର ତୁଷ୍ଟିଜନକ କର୍ମ କର; ଆଉ, ଦେଶସ୍ଥ ଅନ୍ୟ ଗୋଷ୍ଠୀୟମାନଙ୍କଠାରୁ ଓ ଅନ୍ୟ ଦେଶୀୟା ସ୍ତ୍ରୀମାନଙ୍କଠାରୁ ଆପଣାମାନଙ୍କୁ ପୃଥକ୍‍ କର।

12 ସେତେବେଳେ ସମଗ୍ର ସମାଜ ଉତ୍ତର କରି ଉଚ୍ଚୈଃସ୍ୱରରେ କହିଲେ, ଆପଣ ଆମ୍ଭମାନଙ୍କ ବିଷୟରେ ଯେପରି କହିଲେ, ଆମ୍ଭମାନଙ୍କୁ ସେପରି କରିବାକୁ ହେବ।

13 ମାତ୍ର ଲୋକ ଅନେକ ଓ ଏବେ ଭାରୀ ବୃଷ୍ଟି ସମୟ, ଆଉ ଆମ୍ଭେମାନେ ବାହାରେ ଠିଆ ହେବାକୁ ଅସମର୍ଥ, କିଅବା ଏହା ଏକ କି ଦୁଇ ଦିନର କାର୍ଯ୍ୟ ନୁହେଁ; ଯେଣୁ ଏବିଷୟରେ ଆମ୍ଭେମାନେ ମହାଅପରାଧ କରିଅଛୁ।

14 ଏହେତୁ ସମଗ୍ର ସମାଜ ନିମନ୍ତେ ଆମ୍ଭମାନଙ୍କ ଅଧିପତିମାନେ ନିଯୁକ୍ତ ହେଉନ୍ତୁ, ପୁଣି ଆମ୍ଭମାନଙ୍କ ପରମେଶ୍ୱରଙ୍କ ପ୍ରଚଣ୍ଡ କୋପ ଆମ୍ଭମାନଙ୍କଠାରୁ ନିବୃତ୍ତ ହେବା ପର୍ଯ୍ୟନ୍ତ ଓ ଏବିଷୟର ନିଷ୍ପତ୍ତି ହେବା ପର୍ଯ୍ୟନ୍ତ ଆମ୍ଭମାନଙ୍କ ନଗରସ୍ଥ ଯେଉଁ ଲୋକମାନେ ଅନ୍ୟ ଦେଶୀୟା ସ୍ତ୍ରୀମାନଙ୍କୁ ବିବାହ କରିଅଛନ୍ତି, ସେସମସ୍ତେ ନିରୂପିତ ସମୟରେ ଆସନ୍ତୁ ଓ ସେମାନଙ୍କ ସଙ୍ଗେ ପ୍ରତ୍ୟେକ ନଗରର ପ୍ରାଚୀନଗଣ ଓ ବିଚାରକର୍ତ୍ତୃଗଣ ଆସନ୍ତୁ।

15 ଏହି କଥା ବିରୁଦ୍ଧରେ କେବଳ ଅସାହେଲର ପୁତ୍ର ଯୋନାଥନ୍‍ ଓ ତିକ୍‍ବର ପୁତ୍ର ଯହସୀୟ ଉଠିଲେ, ଆଉ ମଶୁଲ୍ଲମ୍‍ ଓ ଲେବୀୟ ଶବ୍ବଥୟ ସେମାନଙ୍କର ସାହାଯ୍ୟ କଲେ।

16 ମାତ୍ର ବନ୍ଦୀତ୍ୱର ସନ୍ତାନମାନେ ସେହିପରି କର୍ମ କଲେ। ପୁଣି, ଏଜ୍ରା ଯାଜକ ଓ ଆପଣା ଆପଣା ପିତୃବଂଶାନୁସାରେ ଓ ନାମାନୁସାରେ ନିର୍ଦ୍ଦିଷ୍ଟ ପିତୃବଂଶ-ପ୍ରଧାନ କେତେକ ଲୋକ ପୃଥକ୍‍ କରାଗଲେ; ଆଉ, ସେମାନେ ଦଶମ ମାସର ପ୍ରଥମ ଦିନ ସେହି ବିଷୟ ଅନୁସନ୍ଧାନ କରିବାକୁ ବସିଲେ।

17 ପୁଣି, ସେମାନେ ପ୍ରଥମ ମାସର ପ୍ରଥମ ଦିନରେ ଅନ୍ୟ ଦେଶୀୟା ସ୍ତ୍ରୀ-ବିବାହକାରୀ ପୁରୁଷ ସମସ୍ତଙ୍କର ବିଚାର ସମାପ୍ତ କଲେ।

18 ଯାଜକମାନଙ୍କ ସନ୍ତାନଗଣ ମଧ୍ୟରୁ ଯେଉଁମାନେ ଅନ୍ୟ ଦେଶୀୟା ସ୍ତ୍ରୀମାନଙ୍କୁ ବିବାହ କରିଥିଲେ, ସେମାନେ ଏହି, ଯଥା, ଯୋଷାଦକର ପୁତ୍ର ଯେଶୂୟର ସନ୍ତାନଗଣ ଓ ତାହାର ଭ୍ରାତୃଗଣ ମଧ୍ୟରୁ ମାସେୟ, ଇଲୀୟେଷର, ଯାରିବ ଓ ଗଦଲୀୟ।

19 ଏମାନେ ଆପଣା ଆପଣା ଭାର୍ଯ୍ୟାକୁ ଦୂର କରି ଦେବେ ବୋଲି ହସ୍ତ ଦେଲେ; ଆଉ, ଦୋଷୀ ହେବାରୁ ସେମାନେ ଆପଣା ଆପଣା ଦୋଷ ସକାଶେ ପଲରୁ ଏକ ଏକ ମେଷ ଉତ୍ସର୍ଗ କଲେ।

20 ଆଉ, ଇମ୍ମେରର ସନ୍ତାନମାନଙ୍କ ମଧ୍ୟରୁ ହନାନି ଓ ସବଦୀୟ।

21 ଓ ହାରିମର ସନ୍ତାନମାନଙ୍କ ମଧ୍ୟରୁ ମାସେୟ ଓ ଏଲୀୟ ଓ ଶମୟୀୟ ଓ ଯିହୀୟେଲ ଓ ଉଷୀୟ;

22 ଆଉ, ପଶହୂରର ସନ୍ତାନମାନଙ୍କ ମଧ୍ୟରୁ ଇଲୀୟୋ-ଐନୟ, ମାସେୟ, ଇଶ୍ମାୟେଲ, ନଥନେଲ୍‍, ଯୋଷାବଦ୍‍ ଓ ଇଲିସାୟ।

23 ଆଉ, ଲେବୀୟମାନଙ୍କ ମଧ୍ୟରୁ ଯୋଷାବଦ୍‍ ଓ ଶିମୀୟି ଓ କଲାୟ, ଏହାକୁ କଲିଟ୍‍ କହନ୍ତି, ପଥାହୀୟ, ଯିହୁଦା ଓ ଇଲୀୟେଷର;

24 ଆଉ, ଗାୟକମାନଙ୍କ ମଧ୍ୟରୁ ଇଲୀୟାଶୀବ୍‍; ଦ୍ୱାରପାଳମାନଙ୍କ ମଧ୍ୟରୁ ଶଲ୍ଲୁମ୍‍ ଓ ଟେଲମ୍‍ ଓ ଊରି।

25 ଇସ୍ରାଏଲ ମଧ୍ୟରେ ପରିୟୋଶର ସନ୍ତାନମାନଙ୍କ ମଧ୍ୟରୁ ରମୀୟ ଓ ଯିଷୀୟ ଓ ମଲ୍‍କୀୟ ଓ ମିୟାମୀନ୍‍ ଓ ଇଲିୟାସର ଓ ମଲ୍‍କୀୟ ଓ ବନାୟ।

26 ଆଉ, ଏଲମର ସନ୍ତାନଗଣ ମଧ୍ୟରୁ ମତ୍ତନୀୟ, ଜିଖରୀୟ ଓ ଯିହୀୟେଲ ଓ ଅବ୍‍ଦି ଓ ଯିରେମୋତ୍‍ ଓ ଏଲୀୟ।

27 ଆଉ, ସତ୍ତୂର ସନ୍ତାନଗଣ ମଧ୍ୟରୁ ଇଲୀୟୋ-ଐନୟ, ଇଲୀୟାଶୀବ ଓ ମତ୍ତନୀୟ ଓ ଯିରେମୋତ୍‍ ଓ ସାବଦ୍‍ ଓ ଅସୀସା।

28 ଓ ବେବୟର ସନ୍ତାନଗଣ ମଧ୍ୟରୁ ଯିହୋହାନନ୍‍, ହନାନୀୟ, ସଜୟ, ଅତ୍ତଲୟ;

29 ଆଉ, ବାନିର ସନ୍ତାନଗଣ ମଧ୍ୟରୁ ମଶୁଲ୍ଲମ୍‍, ମଲ୍ଲୁକ ଓ ଅଦାୟା, ଯାଶୂବ୍‍ ଓ ଶାଲ, ଯିରେମୋତ୍‍।

30 ଆଉ, ପହତ୍‍-ମୋୟାବର ସନ୍ତାନଗଣ ମଧ୍ୟରୁ ଅଦନ୍‍ ଓ କଲାଲ, ବନାୟ, ମାସେୟ, ମତ୍ତନୀୟ, ବତ୍ସଲେଲ ଓ ବିନ୍ନୁୟି ଓ ମନଃଶି;

31 ଆଉ, ହାରିମର ସନ୍ତାନଗଣ ମଧ୍ୟରୁ ଇଲୀୟେଷର, ଯିଶୀୟ, ମଲ୍‍କୀୟ, ଶମୟୀୟ, ଶିମୀୟୋନ୍‍;

32 ବିନ୍ୟାମୀନ, ମଲ୍ଲୁକ, ଶମରୀୟ;

33 ହଶୂମର ସନ୍ତାନଗଣ ମଧ୍ୟରୁ ମତ୍ତନୟ, ମତ୍ତତ୍ତ, ସାବଦ୍‍, ଇଲିଫେଲଟ୍‍, ଯିରେମୟ, ମନଃଶି, ଶିମୀୟି;

34 ବାନିର ସନ୍ତାନଗଣ ମଧ୍ୟରୁ ମାଦୟ, ଅମ୍ରାମ୍‍ ଓ ଉୟେଲ;

35 ବନାୟ, ବେଦୀୟା, କଲୂହୂ;

36 ବନୀୟ, ମରେମୋତ୍‍, ଇଲୀୟାଶୀବ୍‍;

37 ମତ୍ତନୀୟ, ମତ୍ତନୟ ଓ ଯାଶୟ;

38 ଆଉ, ବାନି ଓ ବିନ୍ନୁୟି, ଶିମୀୟି;

39 ଶେଲିମୀୟ ଓ ନାଥନ୍‍ ଓ ଅଦାୟା;

40 ମଗ୍ନଦ୍‍ବୟ, ଶାଶୟ, ଶାରୟ;

41 ଅସରେଲ ଓ ଶେଲିମୀୟ, ଶମରୀୟ;

42 ଶଲ୍ଲୁମ୍‍, ଅମରୀୟ, ଯୋଷେଫ୍‍।

43 ନବୋର ସନ୍ତାନଗଣ ମଧ୍ୟରୁ ଯୀୟୟେଲ, ମତ୍ତଥୀୟ, ସାବଦ୍‍, ସବୀନଃ, ଇଦ୍ଦୋ ଓ ଯୋୟେଲ, ବନାୟ;

44 ଏସମସ୍ତେ ଅନ୍ୟ ଦେଶୀୟା ଭାର୍ଯ୍ୟା ଗ୍ରହଣ କରିଥିଲେ; ଆଉ, ସେହି ଭାର୍ଯ୍ୟାମାନଙ୍କଠାରୁ କାହାରି କାହାରି ସନ୍ତାନସନ୍ତତି ଜାତ ହୋଇଥିଲେ।