1 ଆଉ ତୁମ୍ଭେ ଏହିସବୁ ଶାସନ ସେମାନଙ୍କର ଜ୍ଞାନଗୋଚର କରିବ। ଯଥା-।

2 ତୁମ୍ଭେ ଏବ୍ରୀୟ ଦାସ କ୍ରୟ କଲେ, ସେ ଛଅ ବର୍ଷ ସେବା କରିବ; ପୁଣି ସପ୍ତମ ବର୍ଷରେ ସେ ବିନାମୂଲ୍ୟରେ ମୁକ୍ତ ହୋଇଯିବ।

3 ଯେବେ ସେ ଏକାକୀ ଆସିଥାଏ, ତେବେ ସେ ଏକାକୀ ଯିବ; ଆଉ ଯେବେ ସେ ବିବାହିତ ହୋଇ ଆସିଥାଏ, ତେବେ ତାହାର ଭାର୍ଯ୍ୟା ତାହା ସଙ୍ଗେ ବାହାରି ଯିବ।

4 ପୁଣି ଯେବେ ତାହାର ପ୍ରଭୁ ତାହାକୁ ବିବାହ କରି ଦେଇଥାଏ ଓ ସେହି ସ୍ତ୍ରୀଠାରୁ ପୁତ୍ର-କନ୍ୟାର ଜନ୍ମ ହୋଇଥାଏ, ତେବେ ସେହି ସ୍ତ୍ରୀ ଓ ତାହାର ସନ୍ତାନମାନଙ୍କ ଉପରେ ତାହାର ପ୍ରଭୁର ଅଧିକାର ହେବ ଓ ସେ ଏକାକୀ ବାହାରି ଯିବ।

5 ମାତ୍ର ମୁଁ ଆପଣା ପ୍ରଭୁଙ୍କୁ, ପୁଣି ଆପଣା ଭାର୍ଯ୍ୟା ଓ ସନ୍ତାନଗଣକୁ ପ୍ରେମ କରେ, ଏଣୁ ମୁଁ ମୁକ୍ତ ହୋଇ ଯିବି ନାହିଁ, ଏପରି କଥା ଯେବେ ସେହି ଦାସ ଦୃଢ଼ ରୂପେ କହିବ।

6 ତେବେ ତାହାର ପ୍ରଭୁ ତାହାକୁ ପରମେଶ୍ୱରଙ୍କ ନିକଟକୁ ନେଇଯିବ, ପୁଣି ତାହାକୁ କବାଟ ବା ବାଜୁବନ୍ଧ ନିକଟକୁ ଆଣି ତାହାର ପ୍ରଭୁ ବିନ୍ଧଣୀରେ ତାହାର କର୍ଣ୍ଣ ବିନ୍ଧିବ; ତହିଁରେ ସେ ସଦାକାଳ ତାହାର ସେବା କରିବ।

7 ଆଉ କେହି ଯେବେ ଆପଣା କନ୍ୟାକୁ ଦାସୀ ରୂପେ ବିକ୍ରୟ କରେ, ତେବେ ସେ ଦାସମାନଙ୍କ ପରି ମୁକ୍ତ ହୋଇ ଯିବ ନାହିଁ।

8 ତାହାର ପ୍ରଭୁ ତାହାକୁ ଆପଣା ପାଇଁ ନିରୂପଣ କଲେ ହେଁ, ଯେବେ ତାହା ପ୍ରତି ଅସନ୍ତୁଷ୍ଟ ହୁଏ, ତେବେ ସେ ତାହାକୁ ମୁକ୍ତ ହେବାକୁ ଦେବ; ତାହା ପ୍ରତି ପ୍ରବଞ୍ଚନା କରିଥିବାରୁ ଅନ୍ୟ- ଦେଶୀୟମାନଙ୍କ ନିକଟରେ ତାହାକୁ ବିକ୍ରୟ କରିବାର ଅଧିକାର ପାଇବ ନାହିଁ।

9 କିଅବା ଯେବେ ସେହି ପ୍ରଭୁ ଆପଣା ପୁତ୍ର ନିମନ୍ତେ ତାହାକୁ ନିରୂପଣ କରିଥାଏ, ତେବେ ସେ ତାହା ପ୍ରତି କନ୍ୟାବିଷୟକ ରୀତି ଅନୁସାରେ ବ୍ୟବହାର କରିବ।

10 ଯେବେ ସେ ଅନ୍ୟ ସ୍ତ୍ରୀ ସହିତ ବିବାହ କରେ, ତେବେ ହେଁ ତାହାର ଅନ୍ନ ବସ୍ତ୍ର ଓ ବିବାହୋଚିତ କର୍ତ୍ତବ୍ୟର ତ୍ରୁଟି କରିବ ନାହିଁ।

11 ଯେବେ ସେ ଏହି ତିନିର ତ୍ରୁଟି କରେ, ତେବେ ସେ ସ୍ତ୍ରୀ ବିନାମୂଲ୍ୟରେ ମୁକ୍ତ ହୋଇଯିବ।

12 କେହି ଯେବେ କୌଣସି ମନୁଷ୍ୟକୁ ଏପରି ପ୍ରହାର କରେ ଯେ ସେ ମରିଯାଏ, ତେବେ ଅବଶ୍ୟ ତାହାର ପ୍ରାଣଦଣ୍ଡ ହେବ।

13 ଯେବେ କୌଣସି ମନୁଷ୍ୟ କାହାକୁ ମାରିବାକୁ ଚେଷ୍ଟା କରେ ନାହିଁ, ମାତ୍ର ପରମେଶ୍ୱରଙ୍କ ଇଚ୍ଛାରେ ତାହାର ହସ୍ତ ଦ୍ୱାରା ତାହାର ମୃତୁ୍ୟ ହୁଏ, ତେବେ ଯେଉଁ ସ୍ଥାନକୁ ସେ ପଳାଇ ପାରେ, ଏପରି ସ୍ଥାନ ଆମ୍ଭେ ତୁମ୍ଭ ପାଇଁ ନିରୂପଣ କରିବା।

14 ମାତ୍ର ଯେବେ କେହି ଛଳନା ପୂର୍ବକ ଆପଣା ପ୍ରତିବାସୀକି ବଧ କରିବାକୁ ଦୁଃସାହସ କରେ, ତେବେ ତୁମ୍ଭେ ତାହାର ପ୍ରାଣଦଣ୍ଡ କରିବା ନିମନ୍ତେ ଆମ୍ଭ ବେଦି ନିକଟରୁ ତାହାକୁ ନେଇଯିବ।

15 ପୁଣି ଯେ କେହି ଆପଣା ପିତା କି ମାତାକୁ ପ୍ରହାର କରେ, ତାହାର ଅବଶ୍ୟ ପ୍ରାଣଦଣ୍ଡ ହେବ।

16 ଆଉ କେହି ମନୁଷ୍ୟକୁ ଚୋରି କରି ଯେବେ ବିକ୍ରୟ କରେ, ଅବା ସେ ଯେବେ ତାହାର ଅଧିକାରରେ ପ୍ରାପ୍ତ ହୁଏ, ତେବେ ତାହାର ଅବଶ୍ୟ ପ୍ରାଣଦଣ୍ଡ ହେବ।

17 ଯେ କେହି ଆପଣା ପିତା କି ମାତାକୁ ଶାପ ଦିଏ, ତାହାର ଅବଶ୍ୟ ପ୍ରାଣଦଣ୍ଡ ହେବ।

18 ଆଉ ଲୋକମାନେ ଏକ ଆରେକ ସହିତ ବିବାଦ କରୁ କରୁ ଏକଜଣ ଅନ୍ୟଜଣକୁ ପ୍ରସ୍ତରରେ ବା ମୁଷ୍ଟିରେ ଆଘାତ କଲେ, ସେ ଯେବେ ନ ମରି ଶଯ୍ୟାଗତ ହୁଏ।

19 ଓ ପଶ୍ଚାତ୍‍ ଉଠି ଯଷ୍ଟି ଧରି ବାହାରେ ବୁଲେ, ତେବେ ସେହି ପ୍ରହାରକ ନିର୍ଦ୍ଦୋଷ ହେବ; କେବଳ ତାହାକୁ ତାହାର କର୍ମ-କ୍ଷତିର ଓ ଚିକିତ୍ସାର ବ୍ୟୟ ଦେବାକୁ ପଡ଼ିବ।

20 ଆଉ କେହି ଆପଣା ଦାସ ବା ଦାସୀକି ଯଷ୍ଟି ଦ୍ୱାରା ପ୍ରହାର କଲେ, ସେ ଯେବେ ତାହା ହସ୍ତରେ ମରେ, ତେବେ ସେ ଅବଶ୍ୟ ଦଣ୍ଡନୀୟ ହେବ।

21 ମାତ୍ର ସେ ଯେବେ ଦୁଇ ଏକ ଦିନ ବଞ୍ଚେ, ତେବେ ସେ ଦଣ୍ଡନୀୟ ହେବ ନାହିଁ; କାରଣ ସେ ତାହାର ରୂପା ସ୍ୱରୂପ।

22 ଆଉ ପୁରୁଷମାନେ ପରସ୍ପର ବିବାଦ କରୁ କରୁ କୌଣସି ଗର୍ଭବତୀ ସ୍ତ୍ରୀକି ପ୍ରହାର କଲେ ଯେବେ ତାହାର ଗର୍ଭପାତ ହୁଏ, ମାତ୍ର ପଶ୍ଚାତ୍‍ ଆଉ କୌଣସି ଆପଦ ନ ଘଟେ, ତେବେ ସେହି ସ୍ତ୍ରୀର ସ୍ୱାମୀ ଯେରୂପ ଦାବୀ କରିବ, ତଦନୁସାରେ ତାହାର ଅବଶ୍ୟ ଅର୍ଥଦଣ୍ଡ ହେବ, ପୁଣି ସେ ବିଚାରକର୍ତ୍ତାମାନଙ୍କ ନିର୍ଦ୍ଧାରଣାନୁସାରେ ତାହା ଦେବ।

23 ମାତ୍ର ଯେବେ କୌଣସି ଆପଦ ଘଟେ, ତେବେ ତାହାର ପ୍ରାଣ ପରିଶୋଧରେ ପ୍ରାଣ,

24 ଚକ୍ଷୁ ପରିଶୋଧରେ ଚକ୍ଷୁ, ଦନ୍ତ ପରିଶୋଧରେ ଦନ୍ତ, ହସ୍ତ ପରିଶୋଧରେ ହସ୍ତ, ଚରଣ ପରିଶୋଧରେ ଚରଣ,

25 ଦାହ ପରିଶୋଧରେ ଦାହ, କ୍ଷତ ପରିଶୋଧରେ କ୍ଷତ, ନୋଳା ପରିଶୋଧରେ ନୋଳା, ଦଣ୍ଡ ହେବ।

26 ଆଉ କେହି ଆପଣା ଦାସ କି ଦାସୀର ଚକ୍ଷୁରେ ଆଘାତ କଲେ ଯେବେ ତାହା ନଷ୍ଟ ହୁଏ, ତେବେ ସେ ତାହାର ଚକ୍ଷୁ ସକାଶେ ତାହାକୁ ମୁକ୍ତ କରି ଦେବ।

27 ପୁଣି ଆଘାତ ଦ୍ୱାରା ଆପଣା ଦାସ କି ଦାସୀର ଦନ୍ତ ଭଗ୍ନ କଲେ, ସେ ସେହି ଦନ୍ତ ସକାଶେ ତାହାକୁ ମୁକ୍ତ କରି ଦେବ।

28 ଆଉ, ଗୋରୁ କୌଣସି ପୁରୁଷ କି ସ୍ତ୍ରୀକି ବିନ୍ଧିଲେ ଯେବେ ସେ ମରେ, ତେବେ ସେହି ଗୋରୁ ପ୍ରସ୍ତର ଦ୍ୱାରା ହତ ହେବ, ପୁଣି ତାହାର ମାଂସ ଅଖାଦ୍ୟ ହେବନ୍ତ ମାତ୍ର ଗୋରୁର ସ୍ୱାମୀ ଦଣ୍ଡଯୋଗ୍ୟ ହେବ ନାହିଁ।

29 ମାତ୍ର ସେହି ଗୋରୁ ପୂର୍ବେ ବିନ୍ଧୁଥାଏ, ଏଥିର ପ୍ରମାଣ ତାହାର ସ୍ୱାମୀକି ଦିଆଗଲେ ହେଁ ତାକୁ ନ ବାନ୍ଧିବା ସକାଶୁ ସେ ଯେବେ କୌଣସି ପୁରୁଷ କି ସ୍ତ୍ରୀକି ମାରି ପକାଏ, ତେବେ ସେହି ଗୋରୁ ପ୍ରସ୍ତର ଦ୍ୱାରା ହତ ହେବନ୍ତ ପୁଣି ତାହାର ସ୍ୱାମୀର ମଧ୍ୟ ପ୍ରାଣଦଣ୍ଡ ହେବ।

30 ଯଦ୍ୟପି ତାହାର (ପ୍ରାଣ) ନିମନ୍ତେ ପ୍ରାୟଶ୍ଚିତ୍ତ ନିରୂପିତ ହୁଏ, ତେବେ ସେ ପ୍ରାଣମୁକ୍ତି ନିମନ୍ତେ ସମୁଦାୟ ନିରୂପିତ ମୂଲ୍ୟ ଦେବ।

31 ଗୋରୁ ପୁତ୍ରକୁ କି କନ୍ୟାକୁ ବିନ୍ଧିଲେ, ଏହି ଶାସନାନୁସାରେ ଦଣ୍ଡିତ ହେବ।

32 କାହାର ଗୋରୁ ଯେବେ କାହାର ଦାସ କି ଦାସୀକି ବିନ୍ଧେ, ତେବେ ସେ ତାହାର ପ୍ରଭୁକୁ ତିରିଶ ଶେକଲ ରୂପା ଦେବ; ଆଉ ଗୋରୁ ପ୍ରସ୍ତର ଦ୍ୱାରା ହତ ହେବ।

33 ଆଉ କେହି ଯେବେ କୌଣସି କୂପ ଅନାବୃତ କରେ, କିଅବା କୂପ ଖୋଳି ତାହା ଆବୃତ ନ କରେ, ତେବେ ତହିଁ ଭିତରେ କୌଣସି ଗୋରୁ କି ଗଧ ପଡ଼ିଲେ,

34 ସେହି କୂପର କର୍ତ୍ତା ତହିଁର ପରିଶୋଧ କରିବ; ସେ ସେମାନଙ୍କ ସ୍ୱାମୀକି ରୂପା ମୂଲ୍ୟ ଦେବ, ମାତ୍ର ମୃତ ପଶୁ ତାହାର ହେବ।

35 ଆଉ ଏକଜଣର ଗୋରୁ ଅନ୍ୟଜଣର ଗୋରୁକୁ ବିନ୍ଧିଲେ ସେ ଯେବେ ମରେ, ତେବେ ସେମାନେ ଜୀବିତ ଗୋରୁକୁ ବିକ୍ରୟ କରି ତହିଁର ମୂଲ୍ୟ ଦୁଇଭାଗ କରିବେ; ପୁଣି ମୃତ ଗୋରୁକୁ ମଧ୍ୟ ଦୁଇଭାଗ କରି ନେବେ।

36 ମାତ୍ର ଗୋରୁ ପୂର୍ବେ ବିନ୍ଧୁଥିବାର ଜାଣି ଯେବେ ତା'ର ସ୍ୱାମୀ ତାକୁ ସାବଧାନରେ ରଖି ନ ଥାଏ, ତେବେ ସେ ଗୋରୁ ପରିଶୋଧରେ ଗୋରୁ ଅବଶ୍ୟ ଦେବ, ମାତ୍ର ମୃତ ଗୋରୁ ତାହାର ନିଜର ହେବ।