1 ଏହି ସକଳ ଘଟନା ଉତ୍ତାରେ ଅକ୍ଷଶେ୍ୱରଶ ରାଜା ଅଗାଗୀୟ ହମ୍ମଦାଥାର ପୁତ୍ର ହାମନ୍କୁ ଉନ୍ନତ କରି ଉଚ୍ଚପଦାନ୍ୱିତ କଲା, ଆଉ ତାହାର ସଙ୍ଗୀ ସମସ୍ତ ଅଧିପତିର ଆସନ ଅପେକ୍ଷା ତାକୁ ଶ୍ରେଷ୍ଠ ଆସନ ଦେଲା।
2 ତହିଁରେ ରାଜାର ଯେତେ ଦାସ ରାଜଦ୍ୱାରରେ ଥିଲେ, ସେସମସ୍ତେ ନତ ହୋଇ ହାମନ୍କୁ ପ୍ରଣାମ କଲେନ୍ତ କାରଣ ରାଜା ତାହା ବିଷୟରେ ସେରୂପ ଆଜ୍ଞା ଦେଇଥିଲା; ମାତ୍ର ମର୍ଦ୍ଦଖୟ ନତ ହେଲା ନାହିଁ କିଅବା ତାହାକୁ ପ୍ରଣାମ କଲା ନାହିଁ।
3 ଏଣୁ ରାଜଦ୍ୱାରବର୍ତ୍ତୀ ରାଜାର ଦାସଗଣ ମର୍ଦ୍ଦଖୟକୁ କହିଲେ, ତୁମ୍ଭେ କାହିଁକି ରାଜାଜ୍ଞା ଲଙ୍ଘନ କରୁଅଛ?
4 ଏହିରୂପେ ସେମାନେ ନିତି ନିତି ତାହାକୁ କହିଲେ, ତଥାପି ସେ ସେମାନଙ୍କର କଥା ମାନିଲା ନାହିଁନ୍ତ ଏଣୁ ଏହି ମର୍ଦ୍ଦଖୟର କଥା ରହିବ କି ନାହିଁ, ଏହା ଜାଣିବା ଇଚ୍ଛାରେ ସେମାନେ ହାମନ୍କୁ ତାହା ଜଣାଇଲେ; କାରଣ ମର୍ଦ୍ଦଖୟ ଯେ ଯିହୁଦୀୟ ଲୋକ, ଏହା ସେ ସେମାନଙ୍କୁ କହିଥିଲା।
5 ଯେତେବେଳେ ହାମନ୍ ଦେଖିଲା ଯେ, ମର୍ଦ୍ଦଖୟ ନତ ହେଲା ନାହିଁ କିଅବା ତାହାକୁ ପ୍ରଣାମ କଲା ନାହିଁ, ସେତେବେଳେ ସେ କ୍ରୋଧରେ ପରିପୂର୍ଣ୍ଣ ହେଲା।
6 ମାତ୍ର ସେ କେବଳ ମର୍ଦ୍ଦଖୟ ଉପରେ ହସ୍ତକ୍ଷେପ କରିବାକୁ ଲଘୁ ଜ୍ଞାନ କଲା; କାରଣ ସେମାନେ ତାହାକୁ ମର୍ଦ୍ଦଖୟର ବଂଶୀୟ ଲୋକଙ୍କ କଥା ଜଣାଇଥିଲେ, ତେଣୁ ହାମନ୍ ଅକ୍ଷଶେ୍ୱରଶର ସମୁଦାୟ ରାଜ୍ୟରେ ସମସ୍ତ ଯିହୁଦୀୟଙ୍କୁ, ଅର୍ଥାତ୍, ମର୍ଦ୍ଦଖୟର ଲୋକଙ୍କୁ ବିନାଶ କରିବାକୁ ଚେଷ୍ଟା କଲା,
7 ଆଉ, ସେହି ବିଷୟରେ ଅକ୍ଷଶେ୍ୱରଶ ରାଜାର ଅଧିକାରର ଦ୍ୱାଦଶ ବର୍ଷର ନୀଷନ୍ ନାମକ ପ୍ରଥମ ମାସରେ ହାମନ୍ର ସାକ୍ଷାତରେ ଅଦର ନାମକ ଦ୍ୱାଦଶ ମାସ ପର୍ଯ୍ୟନ୍ତ (କ୍ରମାଗତ) ସେମାନେ ପ୍ରତି ଦିନ ଓ ପ୍ରତି ମାସ ପୂର, ଅର୍ଥାତ୍, ଗୁଲିବାଣ୍ଟ କଲେ।
8 ଅନନ୍ତର ହାମନ୍ ଅକ୍ଷଶେ୍ୱରଶ ରାଜାକୁ କହିଲା, ଆପଣଙ୍କ ରାଜ୍ୟର ସମସ୍ତ ପ୍ରଦେଶସ୍ଥ ଲୋକଙ୍କ ମଧ୍ୟରେ ଛିନ୍ନଭିନ୍ନ ଓ ପୃଥକ୍କୃତ ଏକ ଦେଶୀୟ ଲୋକ ଅଛନ୍ତି; ଅନ୍ୟ ସକଳ ଲୋକଙ୍କର ବ୍ୟବସ୍ଥାଠାରୁ ସେମାନଙ୍କ ବ୍ୟବସ୍ଥା ଭିନ୍ନ, ମଧ୍ୟ ସେମାନେ ମହାରାଜଙ୍କ ବ୍ୟବସ୍ଥା ମାନନ୍ତି ନାହିଁ; ଏଣୁ ସେମାନଙ୍କ ବ୍ୟବହାର ସହ୍ୟ କରିବା ମହାରାଜଙ୍କର ଉଚିତ ନୁହେଁ।
9 ମହାରାଜ ସନ୍ତୁଷ୍ଟ ହେଲେ ସେମାନଙ୍କୁ ବିନାଶ କରିବା ପାଇଁ ପତ୍ର ଲେଖାଯାଉ, ତହିଁରେ ମୁଁ ରାଜକାର୍ଯ୍ୟରେ ନିଯୁକ୍ତ ଲୋକଙ୍କ ହସ୍ତରେ ରାଜଭଣ୍ଡାରକୁ ଆଣିବା ପାଇଁ ଦଶ ହଜାର ତାଳନ୍ତ ରୂପା ଦେବି।
10 ଏଥିରେ ରାଜା ଆପଣା ହସ୍ତରୁ ସନ୍ତକ-ଅଙ୍ଗୁରୀୟ କାଢ଼ି ଯିହୁଦୀୟମାନଙ୍କର ବୈରି ଅଗାଗୀୟ ହମ୍ମଦାଥାର ପୁତ୍ର ହାମନ୍କୁ ଦେଲା।
11 ପୁଣି, ରାଜା ହାମନ୍କୁ କହିଲା, ସେହି ରୂପା ଓ ସେହି ଦେଶୀୟ ଲୋକ ତୁମ୍ଭକୁ ଦିଆଗଲା, ସେମାନଙ୍କ ପ୍ରତି ଯାହା ତୁମ୍ଭର ଇଚ୍ଛା, ତାହା କର।
12 ଏଣୁ ପ୍ରଥମ ମାସର ତ୍ରୟୋଦଶ ଦିନରେ ରାଜାର ଲେଖକମାନେ ଆହୂତ ହୁଅନ୍ତେ, ହାମନ୍ର ସମସ୍ତ ଆଜ୍ଞାନୁସାରେ ପ୍ରତ୍ୟେକ ପ୍ରଦେଶସ୍ଥ ରାଜପ୍ରତିନିଧିଗଣ ଓ ଅଧିପତିଗଣ ଓ ପ୍ରତ୍ୟେକ ଦେଶୀୟ ଲୋକଙ୍କ ଶାସନକର୍ତ୍ତା- ଗଣ ପ୍ରତି ପ୍ରତ୍ୟେକ ପ୍ରଦେଶର ଅକ୍ଷରାନୁସାରେ ଓ ପ୍ରତ୍ୟେକ ଦେଶୀୟ ଲୋକଙ୍କ ଭାଷାନୁସାରେ ପତ୍ର ଲିଖିତ ହେଲା, ତାହା ଅକ୍ଷଶେ୍ୱରଶ ରାଜାର ନାମରେ ଲିଖିତ ଓ ରାଜାର ଅଙ୍ଗୁରୀୟରେ ମୁଦ୍ରାଙ୍କିତ ହେଲା।
13 ପୁଣି, ଏକ ଦିନରେ, ଅର୍ଥାତ୍, ଅଦର ନାମକ ଦ୍ୱାଦଶ ମାସର ତ୍ରୟୋଦଶ ଦିନରେ ଯୁବା, ବୃଦ୍ଧ, ଶିଶୁ ଓ ସ୍ତ୍ରୀମାନଙ୍କ ସହିତ ସବୁ ଯିହୁଦୀୟମାନଙ୍କୁ ସଂହାର, ବଧ ଓ ବିନାଶ କରିବାକୁ ଓ ସେମାନଙ୍କ ସମ୍ପତ୍ତି ଲୁଟିବାକୁ ସେହି ପତ୍ର ଧାବକଗଣଙ୍କ ଦ୍ୱାରା ରାଜାର ସବୁ ପ୍ରଦେଶକୁ ପ୍ରେରିତ ହେଲା।
14 ପୁଣି, ସେହି ଦିନ ନିମନ୍ତେ ସମସ୍ତ ଲୋକ ଯେପରି ପ୍ରସ୍ତୁତ ହୁଅନ୍ତି, ଏଥିପାଇଁ ପ୍ରତ୍ୟେକ ପ୍ରଦେଶରେ ଆଜ୍ଞା ପ୍ରଚାର କରିବାକୁ ଓ ଯାବତୀୟ ଲୋକଙ୍କୁ ଗୋଚର କରାଇବାକୁ ସେହି ଲିଖନର ପ୍ରତିଲିପି ଦିଆଗଲା।
15 ଆଉ, ଧାବକଗଣ ରାଜାଜ୍ଞା ପାଇ ଶୀଘ୍ର ବାହାରି ଗଲେ, ପୁଣି ସେହି ଆଜ୍ଞା ଶୂଶନ୍ ରାଜଧାନୀରେ ପ୍ରକାଶିତ ହେଲା, ତହୁଁ ରାଜା ଓ ହାମନ୍ ପାନ କରିବାକୁ ବସିଲେ, ମାତ୍ର ଶୂଶନ୍ ନଗର ଉଦ୍ବିଗ୍ନ ହେଲା।