1 ମୁଁ ଆଜି ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଯେ ଯେ ଆଜ୍ଞା ତୁମ୍ଭକୁ ଆଦେଶ କରୁଅଛି, ସେସବୁ ମାନିବା ପାଇଁ ଓ କରିବା ପାଇଁ ଯେବେ ତୁମ୍ଭେ ତାହାଙ୍କ ରବରେ ଯନିପୂର୍ବକ କର୍ଣ୍ଣପାତ କରିବ, ତେବେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ପୃଥିବୀସ୍ଥ ସମସ୍ତ ଦେଶୀୟ ଲୋକଙ୍କ ଅପେକ୍ଷା ତୁମ୍ଭକୁ ଶ୍ରେଷ୍ଠ କରିବେ।

2 ଯେବେ ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ରବ ଶୁଣିବ, ତେବେ ଏହିସବୁ ଆଶୀର୍ବାଦ ତୁମ୍ଭ ଉପରେ ବର୍ତ୍ତିବ ଓ ତୁମ୍ଭର ସଙ୍ଗ ଧରିବ।

3 ତୁମ୍ଭେ ନଗରରେ ଧନ୍ୟ ହେବ ଓ କ୍ଷେତ୍ରରେ ଧନ୍ୟ ହେବ।

4 ତୁମ୍ଭ ଶରୀରର ଫଳ ଓ ତୁମ୍ଭ ଭୂମିର ଫଳ ଓ ତୁମ୍ଭ ପଶୁର ଫଳ, ଅର୍ଥାତ୍‍, ଗୋବତ୍ସ ଓ ମେଷପଲର ଶାବକ ଧନ୍ୟ ହେବ।

5 ତୁମ୍ଭ ଚାଙ୍ଗୁଡ଼ି ଓ ମଇଦା ଦଳିବା ପାତ୍ର ଧନ୍ୟ ହେବ।

6 ତୁମ୍ଭେ ଗୃହକୁ ଆସିବା ବେଳେ ଧନ୍ୟ ଓ ଗୃହରୁ ବାହାରେ ଯିବା ବେଳେ ଧନ୍ୟ ହେବ।

7 ସଦାପ୍ରଭୁ ତୁମ୍ଭ ବିରୁଦ୍ଧରେ ଉଠିବା ଶତ୍ରୁମାନଙ୍କୁ ତୁମ୍ଭ ଆଗେ ଆଗେ ପରାସ୍ତ କରାଇବେନ୍ତ ସେମାନେ ଏକ ପଥ ଦେଇ ତୁମ୍ଭ ବିରୁଦ୍ଧରେ ଆସିବେ, ମାତ୍ର ସାତ ପଥ ଦେଇ ତୁମ୍ଭ ସମ୍ମୁଖରୁ ପଳାଇବେ।

8 ସଦାପ୍ରଭୁ ତୁମ୍ଭ ଅମାରରେ ଓ ଯେ ଯେ କର୍ମରେ ତୁମ୍ଭେ ହସ୍ତ ଦେବ, ସେସବୁରେ ଆଶୀର୍ବାଦପ୍ରାପ୍ତି ଆଜ୍ଞା କରିବେ ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଦେବେ, ତହିଁରେ ସେ ତୁମ୍ଭକୁ ଆଶୀର୍ବାଦ କରିବେ।

9 ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଆଜ୍ଞା ପାଳନ ଓ ତାହାଙ୍କ ପଥରେ ଗମନ କଲେ, ସଦାପ୍ରଭୁ ଆପଣା ଶପଥ ଅନୁସାରେ ତୁମ୍ଭକୁ ଆପଣା ପବିତ୍ର ଲୋକ କରି ସ୍ଥାପନ କରିବେ।

10 ପୁଣି ତୁମ୍ଭେ ସଦାପ୍ରଭୁଙ୍କ ନାମରେ ପ୍ରସିଦ୍ଧ ଅଛ ବୋଲି ପୃଥିବୀସ୍ଥ ସମସ୍ତ ଲୋକ ଦେଖିବେ ଓ ସେମାନେ ତୁମ୍ଭ ବିଷୟରେ ଭୀତ ହେବେ।

11 ସଦାପ୍ରଭୁ ତୁମ୍ଭକୁ ଯେଉଁ ଦେଶ ଦେବାକୁ ତୁମ୍ଭ ପୂର୍ବପୁରୁଷମାନଙ୍କ ନିକଟରେ ଶପଥ କରିଅଛନ୍ତି, ସେଠାରେ ତୁମ୍ଭ ଶରୀରଫଳରେ ଓ ତୁମ୍ଭ ପଶୁଫଳରେ ଓ ତୁମ୍ଭ ଭୂମିଫଳରେ ମଙ୍ଗଳାର୍ଥେ ତୁମ୍ଭକୁ ବର୍ଦ୍ଧିଷ୍ଣୁ କରିବେ।

12 ସଦାପ୍ରଭୁ ଯଥାସମୟରେ ତୁମ୍ଭ ଭୂମିରେ ବୃଷ୍ଟି ଦେବାକୁ ଓ ତୁମ୍ଭ ହସ୍ତର ସମସ୍ତ କର୍ମରେ ଆଶୀର୍ବାଦ କରିବାକୁ ଆପଣା ଆକାଶ ରୂପ ଉତ୍ତମ ଭଣ୍ଡାର ତୁମ୍ଭ ପ୍ରତି ମୁକ୍ତ କରିବେନ୍ତ ତହିଁରେ ତୁମ୍ଭେ ଅନେକ ଗୋଷ୍ଠୀୟ ଲୋକମାନଙ୍କୁ ଋଣ ଦେବ, ମାତ୍ର ତୁମ୍ଭେ ଋଣ ନେବ ନାହିଁ।

13 ଆଉ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଯେ ଯେ ଆଜ୍ଞା ମାନିବାକୁ ଓ କରିବାକୁ ମୁଁ ଆଜି ତୁମ୍ଭକୁ ଆଦେଶ କରୁଅଛି, ସେସବୁ ଯେବେ ତୁମ୍ଭେ ଶୁଣିବ ଓ ମୁଁ ଆଜି ତୁମ୍ଭମାନଙ୍କୁ ଯେ ଯେ ବାକ୍ୟ ଆଜ୍ଞା କରୁଅଛି, ତୁମ୍ଭେ ତହିଁ ମଧ୍ୟରୁ କୌଣସି ବାକ୍ୟର ଦକ୍ଷିଣରେ କି ବାମରେ ଫେରି ଅନ୍ୟ ଦେବତାଗଣର ସେବା କରିବା ପାଇଁ ସେମାନଙ୍କ ଅନୁଗାମୀ ନ ହେବ।

14 ତେବେ ସଦାପ୍ରଭୁ ତୁମ୍ଭକୁ ମସ୍ତକ କରିବେ, ଲାଙ୍ଗୁଳ କରିବେ ନାହିଁ ତୁମ୍ଭେ କେବଳ ଉପରିସ୍ଥ ହେବ, ପୁଣି ନୀଚସ୍ଥ ହେବ ନାହିଁ।

15 ମାତ୍ର ମୁଁ ଆଜି ତୁମ୍ଭକୁ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଯେ ଯେ ଆଜ୍ଞା ଓ ବିଧି ଆଦେଶ କରୁଅଛି, ସେସବୁ ମାନିବା ପାଇଁ ଓ କରିବା ପାଇଁ ଯେବେ ତୁମ୍ଭେ ତାହାଙ୍କ ରବରେ କର୍ଣ୍ଣପାତ ନ କରିବ, ତେବେ ଏହିସବୁ ଅଭିଶାପ ତୁମ୍ଭ ଉପରେ ବର୍ତ୍ତିବ ଓ ତୁମ୍ଭ ସଙ୍ଗ ଧରିବ।

16 ତୁମ୍ଭେ ନଗରରେ ଶାପଗ୍ରସ୍ତ ହେବ ଓ କ୍ଷେତ୍ରରେ ଶାପଗ୍ରସ୍ତ ହେବ।

17 ତୁମ୍ଭର ଚାଙ୍ଗୁଡ଼ି ଓ ମଇଦା ଦଳିବା ପାତ୍ର ଶାପଗ୍ରସ୍ତ ହେବ।

18 ତୁମ୍ଭ ଶରୀରଫଳ ଓ ଭୂମିଫଳ ଓ ତୁମ୍ଭ ଗୋବତ୍ସ ଓ ମେଷପଲର ଶାବକ ଶାପଗ୍ରସ୍ତ ହେବ।

19 ତୁମ୍ଭେ ଗୃହକୁ ଆସିବା ବେଳେ ଶାପଗ୍ରସ୍ତ ହେବ ଓ ତୁମ୍ଭେ ଗୃହରୁ ବାହାରକୁ ଯିବା ବେଳେ ଶାପଗ୍ରସ୍ତ ହେବ।

20 ତୁମ୍ଭେ ଆପଣାର ଯେଉଁ ମନ୍ଦ କର୍ମ ଦ୍ୱାରା ମୋତେ ତ୍ୟାଗ କଲ, ତହିଁ ହେତୁ ତୁମ୍ଭର ସଂହାର ଓ ଶୀଘ୍ର ବିନାଶ ହେବା ପର୍ଯ୍ୟନ୍ତ ତୁମ୍ଭ ହସ୍ତର ସମସ୍ତ କର୍ମରେ ସଦାପ୍ରଭୁ ତୁମ୍ଭ ପ୍ରତି ଅଭିଶାପ, ବ୍ୟାକୁଳତା ଓ ଭର୍ତ୍ସନା ପଠାଇବେ।

21 ତୁମ୍ଭେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ସେଠାରୁ ତୁମ୍ଭେମାନେ ଉଚ୍ଛିନ୍ନ ହେବା ପର୍ଯ୍ୟନ୍ତ ସଦାପ୍ରଭୁ ତୁମ୍ଭଠାରେ ମହାମାରୀ ଲଗାଇ ରଖିବେ।

22 ସଦାପ୍ରଭୁ ଯକ୍ଷ୍ମା ଓ ଜ୍ୱର ଓ ଜ୍ୱାଳା ଓ ଅତିଦାହ ଓ ଖଡ଼୍‍ଗ ଓ ଶସ୍ୟର ଶୋଷ ଓ ମ୍ଳାନି ଦ୍ୱାରା ତୁମ୍ଭକୁ ଆଘାତ କରିବେନ୍ତ ତୁମ୍ଭର ବିନାଶ ହେବା ପର୍ଯ୍ୟନ୍ତ ସେସବୁ ତୁମ୍ଭର ପିଚ୍ଛା ଲାଗିଥିବେ।

23 ପୁଣି ତୁମ୍ଭ ମସ୍ତକ-ଉପରିସ୍ଥ ଆକାଶ ପିତ୍ତଳ ହେବ ଓ ତୁମ୍ଭ ନୀଚସ୍ଥିତ ପୃଥିବୀ ଲୁହା ହେବ।

24 ସଦାପ୍ରଭୁ ତୁମ୍ଭ ଦେଶରେ ଜଳ ବଦଳେ ଧୂଳି ଓ ବାଲି ବର୍ଷାଇବେ, ତୁମ୍ଭର ବିନାଶ ହେବା ପର୍ଯ୍ୟନ୍ତ ତାହା ଆକାଶରୁ ତୁମ୍ଭ ଉପରେ ପଡ଼ିବ।

25 ସଦାପ୍ରଭୁ ତୁମ୍ଭ ଶତ୍ରୁମାନଙ୍କ ସମ୍ମୁଖରେ ତୁମ୍ଭକୁ ପରାସ୍ତ କରାଇବେ ତୁମ୍ଭେ ଏକ ପଥ ଦେଇ ସେମାନଙ୍କ ପ୍ରତିକୂଳରେ ଯିବ ମାତ୍ର ସାତ ପଥ ଦେଇ ସେମାନଙ୍କ ଆଗରୁ ପଳାଇବ ପୁଣି ପୃଥିବୀର ସମସ୍ତ ରାଜ୍ୟ ମଧ୍ୟରେ ତୁମ୍ଭେ ଏଣେତେଣେ ସ୍ଥାନାନ୍ତରିତ ହେବ।

26 ଆଉ ତୁମ୍ଭ ଶବ ଖେଚର ପକ୍ଷୀଗଣର ଓ ଭୂଚର ପଶୁଗଣର ଭକ୍ଷ୍ୟ ହେବନ୍ତ କେହି ସେମାନଙ୍କୁ ଅଡ଼ାଇ ଦେବାକୁ ନ ଥିବ।

27 ସଦାପ୍ରଭୁ ତୁମ୍ଭକୁ ମିସ୍ରୀୟ ବଥ ଓ ଅର୍ଶ ଓ ଜାଦୁ ଓ ଖୁଜିଲି ଦ୍ୱାରା ଆଘାତ କରିବେ, ଏସବୁରୁ ତୁମ୍ଭେ ସୁସ୍ଥ ହୋଇ ପାରିବ ନାହିଁ।

28 ସଦାପ୍ରଭୁ ତୁମ୍ଭକୁ ଉନ୍ମାଦ ଓ ଅନ୍ଧତା ଓ ଚିତ୍ତସ୍ତ ବ୍‍ଧତା ଦ୍ୱାରା ଆଘାତ କରିବେ।

29 ତହିଁରେ ଅନ୍ଧ ଅନ୍ଧକାରରେ ଦରାଣ୍ଡି ହେଲା ପରି ତୁମ୍ଭେ ମଧ୍ୟାହ୍ନ ସମୟରେ ଦରାଣ୍ଡି ବୁଲିବ ଓ ତୁମ୍ଭେ ଆପଣା ପଥରେ କୃତକାର୍ଯ୍ୟ ହେବ ନାହିଁନ୍ତ ତୁମ୍ଭେ ସର୍ବଦା କେବଳ ଉପଦ୍ରବଗ୍ରସ୍ତ ଓ ଅପହୃତ ହେବ, କେହି ତୁମ୍ଭକୁ ଉଦ୍ଧାର କରିବାକୁ ନ ଥିବ।

30 ତୁମ୍ଭେ କନ୍ୟା ସଙ୍ଗେ ବିବାହ ନିର୍ବନ୍ଧ କରିବ, ମାତ୍ର ଅନ୍ୟ ପୁରୁଷ ତାହାର ସହବାସ କରିବ ତୁମ୍ଭେ ଗୃହ ନିର୍ମାଣ କରିବ, ମାତ୍ର ତୁମ୍ଭେ ତହିଁରେ ବାସ କରି ପାରିବ ନାହିଁ ତୁମ୍ଭେ ଦ୍ରାକ୍ଷାକ୍ଷେତ୍ର ପ୍ରସ୍ତୁତ କରିବ, ମାତ୍ର ତହିଁର ଫଳ ଭୋଗ କରିପାରିବ ନାହିଁ।

31 ତୁମ୍ଭ ଗୋରୁ ତୁମ୍ଭ ଆଗରେ ହତ ହେବ, ମାତ୍ର ତୁମ୍ଭେ ତାହାର ମାଂସ ଭୋଜନ କରି ପାରିବ ନାହିଁ ତୁମ୍ଭ ଗର୍ଦ୍ଦଭ ତୁମ୍ଭ ସାକ୍ଷାତରେ ବଳପୂର୍ବକ ନିଆଯିବ, ମାତ୍ର ତାହା ତୁମ୍ଭକୁ ଫେରାଇ ଦିଆଯିବ ନାହିଁ ତୁମ୍ଭ ମେଷ ତୁମ୍ଭ ଶତ୍ରୁମାନଙ୍କୁ ଦିଆଯିବ, ମାତ୍ର ଉଦ୍ଧାର କରିବାକୁ କେହି ତୁମ୍ଭର ନ ଥିବ।

32 ତୁମ୍ଭ ପୁତ୍ରକନ୍ୟାଗଣ ଅନ୍ୟ ଲୋକଙ୍କୁ ଦିଆଯିବେ ଓ ସମସ୍ତ ଦିନ ସେମାନଙ୍କ ପାଇଁ ଚାହିଁ ଚାହିଁ ତୁମ୍ଭ ଚକ୍ଷୁ କ୍ଷୀଣ ହେବ, ମାତ୍ର ତୁମ୍ଭ ହାତର ବଳରେ କିଛି ହେବ ନାହିଁ।

33 ତୁମ୍ଭର ଅଜ୍ଞାତ ଏକ ଗୋଷ୍ଠୀ ତୁମ୍ଭ ଭୂମିର ଓ ତୁମ୍ଭ ସକଳ ପରିଶ୍ରମର ଫଳ ଭୋଗ କରିବ ପୁଣି ତୁମ୍ଭେ ସର୍ବଦା କେବଳ ଉପଦ୍ରବଗ୍ରସ୍ତ ଓ କ୍ଳିଷ୍ଟ ହେବ।

34 ତୁମ୍ଭର ଚକ୍ଷୁ ଯାହା ଦେଖିବ, ତହିଁ ସକାଶୁ ତୁମ୍ଭେ ଉନ୍ମତ୍ତ ହେବ।

35 ସଦାପ୍ରଭୁ ତୁମ୍ଭର ଜାନୁ ଓ ଜଙ୍ଘ ଓ ତଳିପାରୁ ମସ୍ତକଯାଏ ବ୍ୟଥାଦାୟୀ ବଥ ଦ୍ୱାରା ତୁମ୍ଭକୁ ଆଘାତ କରିବେ, ତହିଁରୁ ତୁମ୍ଭେ ସୁସ୍ଥ ହୋଇ ପାରିବ ନାହିଁ।

36 ସଦାପ୍ରଭୁ ତୁମ୍ଭକୁ ଓ ତୁମ୍ଭେ ଯାହାକୁ ଆପଣା ଉପରେ ନିଯୁକ୍ତ କରିବ, ତୁମ୍ଭର ସେହି ରାଜାକୁ, ତୁମ୍ଭର ଓ ତୁମ୍ଭ ପୂର୍ବପୁରୁଷଗଣର ଅଜ୍ଞାତ ଏକ ଗୋଷ୍ଠୀୟ ଲୋକଙ୍କ ନିକଟକୁ ଆଣିବେ, ସେଠାରେ ତୁମ୍ଭେ ପ୍ରସ୍ତରମୟ ଓ କାଷ୍ଠମୟ ଅନ୍ୟ ଦେବତାଗଣର ସେବା କରିବ।

37 ପୁଣି ସଦାପ୍ରଭୁ ତୁମ୍ଭକୁ ଯେସବୁ ଗୋଷ୍ଠୀୟ ଲୋକଙ୍କ ମଧ୍ୟକୁ ନେଇଯିବେ, ସେମାନଙ୍କ ନିକଟରେ ତୁମ୍ଭେ ଆଶଙ୍କାର ଓ ଗଳ୍ପର ଓ ଉପହାସର ବିଷୟ ହେବ।

38 ତୁମ୍ଭେ କ୍ଷେତ୍ରକୁ ବହୁତ ବିହନ ବହି ନେବ, ମାତ୍ର ଅଳ୍ପ ସଂଗ୍ରହ କରିବ କାରଣ ପଙ୍ଗପାଳ ତାହା ଖାଇ ପକାଇବ।

39 ତୁମ୍ଭେ ଦ୍ରାକ୍ଷାକ୍ଷେତ୍ର ରୋପି ପ୍ରସ୍ତୁତ କରିବ, ମାତ୍ର ଦ୍ରାକ୍ଷାରସ ପାନ କରିବାକୁ କି ଦ୍ରାକ୍ଷାଫଳ ସଂଗ୍ରହ କରିବାକୁ ପାଇବ ନାହିଁ କାରଣ ପୋକ ତାହା ଖାଇ ପକାଇବ।

40 ତୁମ୍ଭର ସମସ୍ତ ସୀମାରେ ଜୀତବୃକ୍ଷ ହେବ, ମାତ୍ର ତୁମ୍ଭେ ଆପେ ତୈଳ ମର୍ଦ୍ଦନ କରିବାକୁ ପାଇବ ନାହିଁ କାରଣ ତୁମ୍ଭ ଜୀତବୃକ୍ଷର ଫଳ ଝଡ଼ି ପଡ଼ିବ।

41 ତୁମ୍ଭେ ପୁତ୍ରକନ୍ୟା ଜନ୍ମ କରିବ, ମାତ୍ର ସେମାନେ ତୁମ୍ଭର ହେବେ ନାହିଁ କାରଣ ସେମାନେ ବନ୍ଦୀ ହୋଇ ଯିବେ।

42 ତୁମ୍ଭର ସମୁଦାୟ ବୃକ୍ଷ ଓ ଭୂମିର ଫଳ ପଙ୍ଗପାଳ ଅଧିକାର କରିବ।

43 ତୁମ୍ଭ ମଧ୍ୟବର୍ତ୍ତୀ ବିଦେଶୀ ଲୋକ ତୁମ୍ଭଠାରୁ ଆହୁରି ଆହୁରି ଉପରକୁ ଉଠିବ, ମାତ୍ର ତୁମ୍ଭେ ଆହୁରି ଆହୁରି ତଳକୁ ଆସିବ।

44 ସେ ତୁମ୍ଭକୁ ଋଣ ଦେବ, ମାତ୍ର ତୁମ୍ଭେ ତାହାକୁ ଋଣ ଦେଇ ପାରିବ ନାହିଁ ସେ ମସ୍ତକ ହେବ, ତୁମ୍ଭେ ଲାଙ୍ଗୁଳ ହେବ।

45 ଆଉ ତୁମ୍ଭେ ବିନଷ୍ଟ ହେବା ପର୍ଯ୍ୟନ୍ତ ଏହିସବୁ ଅଭିଶାପ ତୁମ୍ଭ ଉପରକୁ ଆସିବ ଓ ତୁମ୍ଭ ପଛେ ପଛେ ଗୋଡ଼ାଇବ ଓ ତୁମ୍ଭ ସଙ୍ଗ ଧରିବ କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆପଣାର ଯେ ଯେ ଆଜ୍ଞା ଓ ବିଧି ତୁମ୍ଭକୁ ଆଜ୍ଞା କଲେ, ତାହା ପାଳନ କରିବା ପାଇଁ ତୁମ୍ଭେ ତାହାଙ୍କ ରବରେ କର୍ଣ୍ଣପାତ କଲ ନାହିଁ।

46 ଆଉ ସେସବୁ ଅଭିଶାପ ତୁମ୍ଭ ଉପରେ ଓ ଯୁଗାନୁକ୍ରମେ ତୁମ୍ଭ ବଂଶ ଉପରେ ଚିହ୍ନ ଓ ଆଶ୍ଚର୍ଯ୍ୟକର୍ମ ସ୍ୱରୂପ ହୋଇ ରହିବ।

47 କାରଣ ତୁମ୍ଭେ ସର୍ବପ୍ରକାର ସମ୍ପତ୍ତି ବହୁଳ ରୂପେ ପାଇଲେ ର୍ହେଁ ଆନନ୍ଦରେ ଓ ପ୍ରଫୁଲ୍ଲ ଚିତ୍ତରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ସେବା କଲ ନାହିଁ।

48 ଏହେତୁ ସଦାପ୍ରଭୁ ଯେଉଁ ଶତ୍ରୁମାନଙ୍କୁ ତୁମ୍ଭ ବିରୁଦ୍ଧରେ ପଠାଇବେ, ତୁମ୍ଭେ କ୍ଷୁଧାରେ ଓ ତୃଷାରେ ଓ ଉଲଙ୍ଗତାରେ ଓ ସର୍ବପ୍ରକାର ଅଭାବରେ ସେମାନଙ୍କର ଦାସ୍ୟକର୍ମ କରିବନ୍ତ ଆଉ ଶତ୍ରୁ ତୁମ୍ଭକୁ ବିନଷ୍ଟ କରିବା ଯାଏ ତୁମ୍ଭ କାନ୍ଧରେ ଲୁହାର ଯୁଆଳି ଦେବ।

49 ଯେପରି ଉତ୍କ୍ରୋଶ ପକ୍ଷୀ ଉଡ଼େ, ସେପରି ସଦାପ୍ରଭୁ ଦୂରରୁ ପୃଥିବୀର ପ୍ରାନ୍ତରୁ ଏକ ଗୋଷ୍ଠୀକି ତୁମ୍ଭ ପ୍ରତିକୂଳରେ ଆଣିବେ ସେହି ଗୋଷ୍ଠୀର ଭାଷା ତୁମ୍ଭେ ବୁଝି ପାରିବ ନାହିଁ।

50 ସେହି ଗୋଷ୍ଠୀ ଭୟଙ୍କର ବଦନବିଶିଷ୍ଟ, ସେ ବୃଦ୍ଧର ମୁଖାପେକ୍ଷା କରିବ ନାହିଁ, କିଅବା ଯୁବାକୁ ଦୟା କରିବ ନାହିଁ।

51 ପୁଣି ତୁମ୍ଭେ ବିନଷ୍ଟ ହେବା ପର୍ଯ୍ୟନ୍ତ ତୁମ୍ଭ ପଶୁର ଫଳ ଓ ତୁମ୍ଭ ଭୂମିର ଫଳ ଗ୍ରାସ କରିବନ୍ତ ମଧ୍ୟ ତୁମ୍ଭେ ସଂହାରିତ ହେବାଯାଏ ସେ ତୁମ୍ଭ ପାଇଁ ଶସ୍ୟ, ଦ୍ରାକ୍ଷାରସ ଅବା ତୈଳ, ତୁମ୍ଭ ଗୋବତ୍ସ ଅବା ମେଷପଲର ଶାବକ ଅବଶିଷ୍ଟ ରଖିବ ନାହିଁ।

52 ଆଉ ତୁମ୍ଭର ସମୁଦାୟ ଦେଶସ୍ଥ ଯେସମସ୍ତ ଉଚ୍ଚ ଓ ଦୁର୍ଗମ ପ୍ରାଚୀରରେ ତୁମ୍ଭେ ଭରସା ରଖିଲ, ତାହାସବୁ ପତିତ ହେବାଯାଏ ସେ ତୁମ୍ଭର ସମସ୍ତ ନଗରଦ୍ୱାରରେ ତୁମ୍ଭକୁ ଅବରୋଧ କରିବ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଦେଇଅଛନ୍ତି, ତହିଁର ସମସ୍ତ ନଗରଦ୍ୱାରରେ ସେ ତୁମ୍ଭକୁ ଅବରୋଧ କରିବ।

53 ଅବରୋଧ କାଳେ ଓ ତୁମ୍ଭ ଶତ୍ରୁମାନେ ତୁମ୍ଭକୁ ଯେଉଁ ଅକଳରେ ପକାଇବେ, ସେହି ଅକଳରେ ତୁମ୍ଭେ ନିଜ ଶରୀରର ଫଳ, ଅର୍ଥାତ୍‍, ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଦତ୍ତ ନିଜ ପୁତ୍ର ଓ ନିଜ କନ୍ୟାମାନଙ୍କ ମାଂସ ଖାଇବ।

54 ଅବରୋଧ କାଳେ ଓ ଶତ୍ରୁ ତୁମ୍ଭ ସମସ୍ତ ନଗର- ଦ୍ୱାରରେ ତୁମ୍ଭକୁ ଯେଉଁ ଅକଳରେ ପକାଇବ, ସେହି ଅକଳରେ ତୁମ୍ଭମାନଙ୍କ ମଧ୍ୟବର୍ତ୍ତୀ କୋମଳ ଓ ଅତି ସୁକୁମାର ଲୋକ ଆପଣା ଭାଇ ପ୍ରତି ଓ ଆପଣା ବକ୍ଷଃସ୍ଥାୟିନୀ ଭାର୍ଯ୍ୟା ପ୍ରତି ଓ ଆପଣାର ଅବଶିଷ୍ଟ ରହିଥିବା ସନ୍ତାନମାନଙ୍କ ପ୍ରତି ଏପରି କୁଦୃଷ୍ଟି କରିବ।

55 ଯେ ତାହାର କିଛିମାତ୍ର ନ ଥିବାରୁ ସେ ଆପଣାର ଯେଉଁ ସନ୍ତାନର ମାଂସ ଖାଇବ, ତହିଁରୁ ସେମାନଙ୍କର କାହାରିକି କିଛି ଦେବ ନାହିଁ।

56 ଅବରୋଧ କାଳେ ଓ ଶତ୍ରୁ ତୁମ୍ଭ ନଗରଦ୍ୱାରମାନଙ୍କେ ର ତୁମ୍ଭକୁ ଯେଉଁ ଅକଳରେ ପକାଇବ, ସେହି ଅକଳରେ ତୁମ୍ଭମାନଙ୍କ ମଧ୍ୟବର୍ତ୍ତିନୀ ଯେଉଁ କୋମଳାଙ୍ଗୀ ଓ ସୁକୁମାରୀ ସ୍ତ୍ରୀ ଆପଣା ସୁକୁମାରତା ଓ କୋମଳତା ହେତୁରୁ ଆପଣା ତଳିପା ଭୂମିରେ ରଖିବାକୁ ଭରସେ ନାହିଁ, ସେ ଆପଣା ବକ୍ଷସ୍ଥାୟୀ ସ୍ୱାମୀ ପ୍ରତି ଓ ଆପଣା ପୁତ୍ର ପ୍ରତି ଓ ଆପଣା କନ୍ୟା ପ୍ରତି କୁଦୃଷ୍ଟି କରିବ।

57 ଆହୁରି ଆପଣା ଦୁଇ ପାଦ ମଧ୍ୟରୁ ନିର୍ଗତ ଗର୍ଭପୁଷ୍ପ ପ୍ରତି ଓ ଆପଣା ପ୍ରସୂତ ସନ୍ତାନମାନଙ୍କ ପ୍ରତି (କୁଦୃଷ୍ଟି କରିବ), କାରଣ ସବୁ ବିଷୟର ଅଭାବ ହେତୁରୁ ସେ ସେମାନଙ୍କୁ ଗୋପନରେ ଖାଇବ।

58 ସଦାପ୍ରଭୁ ତୁମ୍ଭ ପରମେଶ୍ୱର, ଏହି ଗୌରବମୟ ଓ ଭୟଙ୍କର ନାମକୁ ଭୟ କରିବା ପାଇଁ ଯେବେ ଏହି ପୁସ୍ତକରେ ଲିଖିତ ବ୍ୟବସ୍ଥାର ସମସ୍ତ କଥା ପାଳିବାକୁ ମନୋଯୋଗ ନ କରିବ।

59 ତେବେ ସଦାପ୍ରଭୁ ତୁମ୍ଭର ଆଘାତ ଓ ତୁମ୍ଭ ବଂଶର ଆଘାତ, ଅର୍ଥାତ୍‍, ମହତ ଓ ଚିରସ୍ଥାୟୀ ଆଘାତ, ପୁଣି ବ୍ୟଥାଜନକ ଓ ଚିରସ୍ଥାୟୀ ରୋଗ ଆଶ୍ଚର୍ଯ୍ୟରୂପ କରିବେ।

60 ପୁଣି ତୁମ୍ଭେ ଯେଉଁ ମିସ୍ରୀୟ ମହାବ୍ୟାଧି ବିଷୟରେ ଭୀତ ହେଲ, ତାହାସବୁ ସେ ପୁନର୍ବାର ତୁମ୍ଭ ପ୍ରତି ଘଟାଇବେ ତାହାସବୁ ତୁମ୍ଭଠାରେ ଲାଗି ରହିବ।

61 ମଧ୍ୟ ଏ ବ୍ୟବସ୍ଥା-ପୁସ୍ତକରେ ଲେଖା ନ ଥିବା ସମସ୍ତ ରୋଗ ଓ ଆଘାତ ତୁମ୍ଭର ବିନାଶ ହେବା ପର୍ଯ୍ୟନ୍ତ ସଦାପ୍ରଭୁ ତୁମ୍ଭ ପ୍ରତି ଘଟାଇବେ।

62 ତହିଁରେ ତୁମ୍ଭେମାନେ ବହୁସଂଖ୍ୟକ ହେତୁରୁ ଆକାଶର ତାରାଗଣ ପରି ହେଲେ ହେଁ ଅଳ୍ପସଂଖ୍ୟକ ହୋଇ ରହିବ ଯେହେତୁ ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ରବରେ କର୍ଣ୍ଣପାତ କଲ ନାହିଁ।

63 ଆହୁରି ଏପରି ଘଟିବ ଯେ, ତୁମ୍ଭମାନଙ୍କର ମଙ୍ଗଳ କରିବା ପାଇଁ ଓ ତୁମ୍ଭମାନଙ୍କୁ ବହୁସଂଖ୍ୟକ କରିବା ପାଇଁ ସଦାପ୍ରଭୁ ଯେପରି ତୁମ୍ଭମାନଙ୍କ ଉପରେ ଆହ୍ଲାଦିତ ହୋଇଥିଲେ, ସେପରି ତୁମ୍ଭମାନଙ୍କର ବିନାଶ କରିବା ପାଇଁ ଓ ତୁମ୍ଭମାନଙ୍କୁ ଲୋପ କରିବା ପାଇଁ ସଦାପ୍ରଭୁ ତୁମ୍ଭମାନଙ୍କ ଉପରେ ଆହ୍ଲାଦିତ ହେବେ ତହିଁରେ ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ତହିଁରୁ ଉତ୍ପାଟିତ ହେବ।

64 ପୁଣି ସଦାପ୍ରଭୁ ପୃଥିବୀର ଏକ ସୀମାରୁ ଆନ ସୀମା ପର୍ଯ୍ୟନ୍ତ ସମସ୍ତ ଗୋଷ୍ଠୀ ମଧ୍ୟରେ ତୁମ୍ଭକୁ ଛିନ୍ନଭିନ୍ନ କରିବେ ଆଉ ସେଠାରେ ତୁମ୍ଭେ ଆପଣାର ଓ ଆପଣା ପୂର୍ବପୁରୁଷ- ଗଣର ଅଜ୍ଞାତ କାଷ୍ଠ ଓ ପ୍ରସ୍ତରମୟ ଅନ୍ୟ ଦେବତାଗଣର ସେବା କରିବ।

65 ତୁମ୍ଭେ ସେହି ଗୋଷ୍ଠୀୟ ଲୋକମାନଙ୍କ ମଧ୍ୟରେ କିଛି ସୁଖ ପାଇବ ନାହିଁ ଓ ସେଠାରେ ତୁମ୍ଭ ତଳିପାର କିଛି ବିଶ୍ରାମ ହେବ ନାହିଁ ମାତ୍ର ସଦାପ୍ରଭୁ ସେଠାରେ ତୁମ୍ଭକୁ ହୃତ୍‍କମ୍ପ ଓ ଚକ୍ଷୁକ୍ଷୀଣତା ଓ ପ୍ରାଣବ୍ୟଥା ଦେବେ।

66 ତୁମ୍ଭ ଜୀବନ ତୁମ୍ଭ ସାକ୍ଷାତରେ ସଂଶୟରେ ଦୋହଲିବ ପୁଣି ତୁମ୍ଭେ ରାତ୍ରଦିନ ଆଶଙ୍କା କରିବ ଓ ତୁମ୍ଭ ଜୀବନ ଉପରେ ତୁମ୍ଭେ ନିର୍ଭର କରି ପାରିବ ନାହିଁ।

67 ତୁମ୍ଭେ ଯେଉଁ ଆଶଙ୍କା କରିବ, ତୁମ୍ଭ ହୃଦୟର ସେହି ଆଶଙ୍କା ହେତୁରୁ ଓ ତୁମ୍ଭେ ଯାହା ଦେଖିବ, ତୁମ୍ଭ ଚକ୍ଷୁର ସେହି ଦର୍ଶନ ହେତୁରୁ ସକାଳ ହେଲେ ତୁମ୍ଭେ କହିବ, ଆହା, ସନ୍ଧ୍ୟା ହୁଅନ୍ତା କି ! ପୁଣି ସନ୍ଧ୍ୟା ହେଲେ ତୁମ୍ଭେ କହିବ, ଆହା, ସକାଳ ହୁଅନ୍ତା କି !

68 ଆଉ ଯେଉଁ ପଥ ବିଷୟରେ ମୁଁ ତୁମ୍ଭକୁ କହିଲି ଯେ, ତୁମ୍ଭେ ଆଉ ତାହା ଦେଖିବ ନାହିଁ, ସଦାପ୍ରଭୁ ସେହି ପଥ ଦେଇ ଜାହାଜରେ ପୁନର୍ବାର ମିସରକୁ ତୁମ୍ଭକୁ ଆଣିବେ ପୁଣି ସେଠାରେ ତୁମ୍ଭେମାନେ ଆପଣା ଶତ୍ରୁମାନଙ୍କ ହସ୍ତରେ ଆପଣା ଆପଣାକୁ ଦାସ ଓ ଦାସୀ ରୂପେ ବିକିବ, ମାତ୍ର କେହି ତୁମ୍ଭମାନଙ୍କୁ କିଣିବ ନାହିଁ।