1 ଯିହୁଦାର ଅହସୀୟ ରାଜାଙ୍କର ପୁତ୍ର ଯୋୟାଶ୍‍ଙ୍କର ଅଧିକାରର ତେଇଶ୍‍ ବର୍ଷରେ ଯେହୂଙ୍କର ପୁତ୍ର ଯିହୋୟାହସ୍‍ ଶମରୀୟାରେ ଇସ୍ରାଏଲ ଉପରେ ରାଜ୍ୟ କରିବାକୁ ଆରମ୍ଭ କରି ସତର ବର୍ଷ ରାଜ୍ୟ କଲେ।

2 ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ, ପୁଣି ନବାଟର ପୁତ୍ର ଯାରବୀୟାମ୍‍ ଯଦ୍ଦ୍ୱାରା ଇସ୍ରାଏଲକୁ ପାପ କରାଇଥିଲେ, ତାଙ୍କର ସେହି ପାପର ଅନୁଗାମୀ ହେଲେନ୍ତ ସେ ତହିଁରୁ ବିମୁଖ ହେଲେ ନାହିଁ।

3 ଏଥିରେ ସଦାପ୍ରଭୁଙ୍କ କ୍ରୋଧ ଇସ୍ରାଏଲ ବିରୁଦ୍ଧରେ ପ୍ରଜ୍ୱଳିତ ହୁଅନ୍ତେ; ସେ ଅରାମର ରାଜା ହସାୟେଲ ହସ୍ତରେ ଓ ହସାୟେଲର ପୁତ୍ର ବିନ୍‍ହଦଦ୍‍ ହସ୍ତରେ ସେମାନଙ୍କୁ ନିତ୍ୟ ସମର୍ପଣ କଲେ।

4 ପୁଣି ଯିହୋୟାହସ୍‍ ସଦାପ୍ରଭୁଙ୍କ ନିକଟରେ ନିବେଦନ କରନ୍ତେ, ସଦାପ୍ରଭୁ ତାଙ୍କ ପ୍ରତି ମନୋଯୋଗ କଲେ; କାରଣ ଅରାମର ରାଜା ଇସ୍ରାଏଲ ପ୍ରତି କିପରି ଉପଦ୍ରବ କଲା, ସେମାନଙ୍କର ସେହି ଉପଦ୍ରବ ସେ ଦେଖିଲେ।

5 ଯେହେତୁ ଅରାମର ରାଜା ଲୋକମାନଙ୍କ ମଧ୍ୟରୁ କେବଳ ପଚାଶ ଜଣ ଅଶ୍ୱାରୂଢ଼ ଓ ଦଶ ରଥ ଓ ଦଶ ସହସ୍ର ପଦାତିକ ଛଡ଼ା ଯିହୋୟାହସ୍‍ ନିମନ୍ତେ ଆଉ କାହାକୁ ଅବଶିଷ୍ଟ ନ ରଖି ସେମାନଙ୍କୁ ବିନଷ୍ଟ ଓ ମର୍ଦ୍ଦିତ ଧୂଳି ତୁଲ୍ୟ କରିଥିଲା;

6 ଏଣୁ ସଦାପ୍ରଭୁ ଇସ୍ରାଏଲକୁ ଏକ ଉଦ୍ଧାରକର୍ତ୍ତା ଦେଲେ, ତହିଁରେ ସେମାନେ ଅରାମୀୟମାନଙ୍କ ହସ୍ତାଧୀନରୁ ବାହାରିଗଲେନ୍ତ ପୁଣି ଇସ୍ରାଏଲ-ସନ୍ତାନଗଣ ପୂର୍ବ ପରି ଆପଣା ଆପଣା ତମ୍ବୁରେ ବାସ କଲେ।

7 ତଥାପି ଯାରବୀୟାମ୍‍ ଯଦ୍ଦ୍ୱାରା ଇସ୍ରାଏଲକୁ ପାପ କରାଇଥିଲେ, ତାଙ୍କର ବଂଶର ସେହିସବୁ ପାପରୁ ସେମାନେ ବିମୁଖ ହେଲେ ନାହିଁ, ମାତ୍ର ତହିଁରେ ହିଁ ଚାଲିଲେ ପୁଣି ଶମରୀୟାରେ ଆଶେରା-ମୂର୍ତ୍ତି ମଧ୍ୟ ରହିଲା।

8 ଏହି ଯିହୋୟାହସ୍‍ଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା ଓ ତାଙ୍କର ପରାକ୍ରମ କ'ଣ ଇସ୍ରାଏଲରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ।

9 ଅନନ୍ତର ଯିହୋୟାହସ୍‍ ଆପଣା ପିତୃଲୋକମାନଙ୍କ ସହିତ ଶୟନ କରନ୍ତେ, ଲୋକମାନେ ତାଙ୍କୁ ଶମରୀୟାରେ କବର ଦେଲେ, ପୁଣି ତାଙ୍କର ପୁତ୍ର ଯୋୟାଶ୍‍ ତାଙ୍କର ପଦରେ ରାଜ୍ୟ କଲେ।

10 ଯିହୁଦାର ଯୋୟାଶ୍‍ ରାଜାଙ୍କର ଅଧିକାରର ସଇଁତିରିଶ ବର୍ଷରେ ଯିହୋୟାହସ୍‍ଙ୍କ ପୁତ୍ର ଯୋୟାଶ୍‍ ଇସ୍ରାଏଲ ଉପରେ ଶମରୀୟାରେ ରାଜ୍ୟ କରିବାକୁ ଆରମ୍ଭ କରି ଷୋଳ ବର୍ଷ ରାଜ୍ୟ କଲେ।

11 ଆଉ ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ ନବାଟର ପୁତ୍ର ଯାରବୀୟାମ୍‍ ଯଦ୍ଦ୍ୱାରା ଇସ୍ରାଏଲକୁ ପାପ କରାଇଥିଲେ, ତାଙ୍କର ସେହି ସମସ୍ତ ପାପରୁ ସେ ବିମୁଖ ହେଲେ ନାହିଁ ମାତ୍ର ସେ ତହିଁରେ ହିଁ ଚାଲିଲେ।

12 ଏହି ଯୋୟାଶ୍‍ଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା ଓ ଯେଉଁ ପରାକ୍ରମରେ ସେ ଯିହୁଦାର ରାଜା ଅମତ୍‍ସୀୟ ସଙ୍ଗେ ଯୁଦ୍ଧ କଲେ, ତାହାସବୁ କ'ଣ ଇସ୍ରାଏଲ-ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ।

13 ଅନନ୍ତର ଯୋୟାଶ୍‍ ଆପଣା ପିତୃଲୋକମାନଙ୍କ ସହିତ ଶୟନ କଲେ ତହିଁରେ ଯାରବୀୟାମ୍‍ ତାଙ୍କ ସିଂହାସନରେ ଉପବିଷ୍ଟ ହେଲେ, ପୁଣି ଯୋୟାଶ୍‍ ଇସ୍ରାଏଲରାଜାମାନଙ୍କ ସହିତ ଶମରୀୟାରେ କବର ପ୍ରାପ୍ତ ହେଲେ।

14 ଇଲୀଶାୟ ଯେଉଁ ପୀଡ଼ାରେ ମଲେ, ସେହି ପୀଡ଼ାରେ ପୀଡ଼ିତ ହୁଅନ୍ତେ, ଇସ୍ରାଏଲର ରାଜା ଯୋୟାଶ୍‍ ତାଙ୍କ ନିକଟକୁ ଆସି ତାଙ୍କ ଉପରେ ରୋଦନ କରି କହିଲେ, ହେ ଆମ୍ଭ ପିତଃ, ହେ ଆମ୍ଭ ପିତଃ, ହେ ଇସ୍ରାଏଲର ରଥ ଓ ତହିଁର ଅଶ୍ୱାରୋହୀଗଣ !

15 ଏଥିରେ ଇଲୀଶାୟ ତାଙ୍କୁ କହିଲେ, ଧନୁ ଓ ତୀର ଧରନ୍ତ ତହୁଁ ସେ ଧନୁ ଓ ତୀର ଧରିଲେ।

16 ତେବେ ଇଲୀଶାୟ ଇସ୍ରାଏଲର ରାଜାଙ୍କୁ କହିଲେ, ଧନୁ ଉପରେ ତୁମ୍ଭ ହାତ ଦିଅ ତହୁଁ ସେ ତହିଁ ଉପରେ ହାତ ଦେଲେ ସେତେବେଳେ ଇଲୀଶାୟ ରାଜାଙ୍କ ହସ୍ତ ଉପରେ ଆପଣା ହସ୍ତ ରଖିଲେ।

17 ଆଉ ସେ କହିଲେ, ପୂର୍ବଆଡ଼ ଝରକା ଫିଟାଅ ତହିଁରେ ସେ ତାହା ଫିଟାଇଲେ ତେବେ ଇଲୀଶାୟ କହିଲେ, ତୀର ମାର ତହିଁରେ ସେ ତୀର ମାରିଲେ ଏଥିରେ ଇଲୀଶାୟ କହିଲେ, ସଦାପ୍ରଭୁଙ୍କର ଜୟତୀର, ଅରାମର ବିପକ୍ଷ ଜୟତୀର କାରଣ ତୁମ୍ଭେ ଅଫେକରେ ଅରାମୀୟମାନଙ୍କୁ ନିଃଶେଷ କରିବା ପର୍ଯ୍ୟନ୍ତ ସେମାନଙ୍କୁ ସଂହାର କରିବ।

18 ଆହୁରି ସେ କହିଲେ, ତୀରସବୁ ନିଅ ତହିଁରେ ସେ ତାହାସବୁ ନେଲେ ତହୁଁ ସେ ଇସ୍ରାଏଲର ରାଜାଙ୍କୁ କହିଲେ, ଭୂମିକୁ ଆଘାତ କର ତହିଁରେ ସେ ତିନି ଥର ଆଘାତ କରି ନିବୃତ୍ତ ହେଲେ।

19 ଏଥିରେ ପରମେଶ୍ୱରଙ୍କ ଲୋକ ତାଙ୍କ ପ୍ରତି କ୍ରୁଦ୍ଧ ହୋଇ କହିଲେ, ତୁମ୍ଭେ ତ ପାଞ୍ଚ କି ଛଅ ଥର ଆଘାତ କରିଥା';ନ୍ତ ତାହା କରିଥିଲେ, ତୁମ୍ଭେ ଅରାମକୁ ନିଃଶେଷ କରିବା ପର୍ଯ୍ୟନ୍ତ ଆଘାତ କରିଥା'ନ୍ତ ମାତ୍ର ଏବେ ତୁମ୍ଭେ କେବଳ ତିନି ଥର ଅରାମକୁ ଆଘାତ କରିବ।

20 ଅନନ୍ତର ଇଲୀଶାୟ ମରନ୍ତେ, ଲୋକମାନେ ତାଙ୍କୁ କବର ଦେଲେ ସେତେବେଳେ ମୋୟାବୀୟ ଲୁଟକାରୀ ଦଳ ବର୍ଷର ଆରମ୍ଭରେ ଦେଶ ଆକ୍ରମଣ କଲେ।

21 ସେସମୟରେ ଲୋକମାନେ ଜଣେ ମନୁଷ୍ୟକୁ କବର ଦେବା ବେଳେ ଏପରି ଘଟିଲା ଯେ, ଦେଖ, ସେମାନେ ଏକ ଲୁଟକାରୀ ଦଳକୁ ଦୂରରୁ ଦେଖିଲେ ତହିଁରେ ସେମାନେ ସେହି ମନୁଷ୍ୟକୁ ଇଲୀଶାୟଙ୍କର କବରରେ ପକାଇ ଦିଅନ୍ତେ, ସେ ମନୁଷ୍ୟ ଇଲୀଶାୟଙ୍କର ଅସ୍ଥି ସ୍ପର୍ଶ କରିବା ମାତ୍ରେ ସଜୀବ ହୋଇ ଆପଣା ଚରଣରେ ଠିଆ ହେଲା।

22 ଯିହୋୟାହସ୍‍ଙ୍କର ଅଧିକାରର ସମସ୍ତ କାଳ ଅରାମର ରାଜା ହସାୟେଲ ଇସ୍ରାଏଲ ପ୍ରତି ଉପଦ୍ରବ କଲା।

23 ମାତ୍ର ସଦାପ୍ରଭୁ ଅବ୍ରହାମ, ଇସ୍‍ହାକ ଓ ଯାକୁବଙ୍କ ସହିତ ଆପଣା କୃତ ନିୟମ ସକାଶୁ ସେମାନଙ୍କ ପ୍ରତି ଅନୁଗ୍ରହ କଲେ ଓ ସେମାନଙ୍କ ଉପରେ ଦୟା ବହି ସେମାନଙ୍କ ପ୍ରତି ସୁଦୃଷ୍ଟି କଲେ, ଆଉ ସେମାନଙ୍କୁ ବିନାଶ କରିବାକୁ ଅସମ୍ମତ ହେଲେ ଓ ଏପର୍ଯ୍ୟନ୍ତ ଆପଣା ଛାମୁରୁ ସେମାନଙ୍କୁ ଦୂର କଲେ ନାହିଁ।

24 ଏଉତ୍ତାରେ ଅରାମର ରାଜା ହସାୟେଲ ମଲାନ୍ତ ତହୁଁ ତାହାର ପୁତ୍ର ବିନ୍‍ହଦଦ୍‍ ତାହାର ପଦରେ ରାଜ୍ୟ କଲା।

25 ପୁଣି ଯୋୟାଶ୍‍ଙ୍କର ପିତା ଯିହୋୟାହାସ୍‍ଙ୍କଠାରୁ ହସାୟେଲ ଯେ ଯେ ନଗର ଯୁଦ୍ଧରେ ନେଇଥିଲା, ସେହି ସକଳ ନଗର ଯିହୋୟାହସ୍‍ଙ୍କ ପୁତ୍ର ଯୋୟାଶ୍‍ ହସାୟେଲର ପୁତ୍ର ବିନହଦଦ୍‍ଠାରୁ ପୁନର୍ବାର ନେଲେ ଯୋୟାଶ୍‍ ତାହାକୁ ତିନି ଥର ଆଘାତ କରି ଇସ୍ରାଏଲର ସେହି ସକଳ ନଗର ପୁନର୍ବାର ନେଲେ।