1 ଆମ୍ଭେମାନେ ଯେପରି ସର୍ବତୋ ଭାବେ ଈଶ୍ୱରପରାୟଣତା ଓ ଭଦ୍ରତା ସହ ଶାନ୍ତି ଓ ନିର୍ବିଘ୍ନତାରେ ଜୀବନ ଯାପନ କରି ପାରୁ,

2 ଏଥିନିମନ୍ତେ ସର୍ବସାଧାରଣ ଲୋକଙ୍କ ପାଇଁ,ରାଜା ଓ ସାସନକର୍ତ୍ତାସମସ୍ତଙ୍କ ପାଇଁ ନିବେଦନ, ପ୍ରାର୍ଥନା,ବିନତି ଓ ଧନ୍ୟବାଦ ଉତ୍ସର୍ଗ କରିବା ନିମନ୍ତେ ମୁଁ ସର୍ବପ୍ରଥମେ ଅନୁରୋଧ କରୁଅଛି |।

3 ଏହା ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଈଶ୍ୱରଙ୍କ ଦୃଷ୍ଟିରେ ଉତ୍ତମ ଓ ସୁଗ୍ରାହ୍ୟ ଅଟେ;

4 ସମସ୍ତେ ଯେପରି ପରିତ୍ରାଣ ଓ ସତ୍ୟ ସମ୍ବନ୍ଧରେ ଜ୍ଞାନ ପ୍ରାପ୍ତ ହୁଅନ୍ତି, ଏହା ସେ ଇଛା କରନ୍ତି |।

5 କାରଣ ଏକମାତ୍ର ଈଶ୍ୱର ଅଛନ୍ତି, ଆଉ ଈଶ୍ୱର ଓ ମନୁଷ୍ୟ ମାନଙ୍କ ମଧ୍ୟରେ ଏକମାତ୍ର ମଧ୍ୟସ୍ଥ ଅଛନ୍ତି, ସେ ଖ୍ରୀଷ୍ଟ ଯୀଶୁ, ଜଣେ ମନୁଷ୍ୟ;

6 ସେ ସମସ୍ତଙ୍କ ମୁକ୍ତିର ମୂଲ୍ୟସ୍ୱରୂପେ ଆପଣାକୁ ଦାନ କରି ଯଥାସମୟରେ ସେଥିର ସାକ୍ଷ୍ୟ ଦେଇ ଅଛନ୍ତି |।

7 ସେଥିସକାଶେ ମୁଁ ଜଣେ ପ୍ରଚାରକ, ପ୍ରେରିତ ପୁଣି ବିଶ୍ୱାସ ଓ ସତ୍ୟ ସମ୍ବନ୍ଧରେ ବିଜାତିମାନଙ୍କର ଜଣେ ଶିକ୍ଷକରୂପେ ନିଯୁକ୍ତ ହେଲି, ମୁଁ ସତ୍ୟ କହୁଅଛି, ମିଥ୍ୟା କହୁ ନାହିଁ |।

8 ଏଣୁ ମୋହର ଇଚ୍ଛା, ପୁରୁଷମାନେ ଶୁଚି ହସ୍ତ ଉତ୍ତୋଳନ କରି କ୍ରୋଧ ଓ ବିତର୍କ ବିନା ସର୍ବତ୍ର ପ୍ରାର୍ଥନା କରନ୍ତୁ |।

9 ସେହିପ୍ରକାରେ ମଧ୍ୟ ସ୍ତ୍ରୀମାନେ କେଶବିନ୍ୟାସ ଏବଂ ସୁବର୍ଣ୍ଣ କି ମୁକ୍ତା କି ମୂଲ୍ୟବାନ୍ ବସ୍ତ୍ରରେ ଆପଣା ଆପଣାକୁ ଭୂଷୀତା ନ କରି ଲଜ୍ଜା ଓ ସୁବୁଦ୍ଧି ସହକାରେ ପରିପାଟୀ ପରିଚ୍ଛଦ ପିନ୍ଧି।

10 ଧର୍ମପରାୟଣା ସ୍ତ୍ରୀମାନଙ୍କ ଉପଯୋଗୀ ସତ୍କର୍ମରୂପ ଭୂଷଣରେ ଆପଣା ଆପଣାକୁ ଭୂଷିତା କରନ୍ତୁ |।

11 ସ୍ତ୍ରୀ ପୁର୍ଣ୍ଣ ବଶ୍ୟତା ସ୍ୱୀକାର କରି ମୌନଭାବରେ ଶିକ୍ଷା ଗ୍ରହଣ କରୁ |।

12 ମୁଁ ସ୍ତ୍ରୀକୁ ଶିକ୍ଷା ଦେବା ପାଇଁ ଅବା ପରୁଷ ଉପରେ କର୍ତ୍ତାପଣ କରିବା ପାଇଁ ଅନୁମତି ଦେଉ ନାହିଁ,ମାତ୍ର ସେ ମୌନ ରହୁ |।

13 କାରଣ ପ୍ରଥମେ ଆଦମ ସୃଷ୍ଟ ହେଲେ, ତାହା ପରେ ହବା;

14 ଆଉ ଆଦମ ପ୍ରବଞ୍ଚିତ ହୋଇ ନ ଥିଲେ, ମାତ୍ର ନାରୀ ପ୍ରବଞ୍ଚିତା ହୋଇ ଆଜ୍ଞାଲଘଂନ ଦୋଷରେ ଦୋଷୀ ହେଲେ;

15 କିନ୍ତୁ ସେମାନେ ସୁବୁଦ୍ଧି ସହ ବିଶ୍ୱାସ,ପ୍ରେମ ଓ ପବିତ୍ରତାରେ ସ୍ଥିର ରହିଲେ ସେ ସନ୍ତାନ ପ୍ରସବ କରିବା ଦ୍ୱାରା ପରିତ୍ରାଣ ପାଇବ |।