1 ହେ ଭାଇମାନେ, ଆତ୍ମିକ ଦାନ ସମ୍ବନ୍ଧରେ ଯେ ତୁମ୍ଭେମାନେ ଅଜ୍ଞ ଥାଅ, ଏହା ମୋହର ଇଚ୍ଛା ନୁହେଁ।

2 ତୁମ୍ଭେମାନେ ଜାଣ ଯେ, ଯେତେବେଳେ ତୁମ୍ଭେମାନେ ବିଜାତି ଥିଲ, ସେତେବେଳେ ଯେପରି ପରିଚାଳିତ ହେଉଥିଲ, ସେହିପରି ଭ୍ରାନ୍ତ ଭାବରେ ଚାଳିତ ହୋଇ ମୂକ ପ୍ରତିମାମାନଙ୍କ ଅନୁଗତ ଥିଲ।

3 ସେଥିପାଇଁ ମୁଁ ତୁମ୍ଭମାନଙ୍କୁ ଜଣାଉଅଛି, ଈଶ୍ୱରଙ୍କ ଆତ୍ମା ପ୍ରାପ୍ତ ହୋଇ କଥା କହିବା କୌଣସି ଲୋକ "ଯୀଶୁ ଅଭିଶପ୍ତ' ବୋଲି କୁହେ ନାହିଁ, ପୁଣି କୌଣସି ଲୋକ ପବିତ୍ର ଆତ୍ମା ପ୍ରାପ୍ତ ନ ହୋଇ "ଯୀଶୁ ପ୍ରଭୁ' ବୋଲି କହି ପାରେ ନାହିଁ।

4 ଅନୁଗ୍ରହ ଦାନ ବିଭିନ୍ନ ପ୍ରକାର, କିନ୍ତୁ ଆତ୍ମା ଏକନ୍ତ।

5 ସେବା ବିଭିନ୍ନ ପ୍ରକାର, ଆଉ, ପ୍ରଭୁ ଏକନ୍ତ।

6 କାର୍ଯ୍ୟ ବିଭିନ୍ନ ପ୍ରକାର, କିନ୍ତୁ ଈଶ୍ୱର ଏକ, ସେ ସମସ୍ତଙ୍କଠାରେ ସମସ୍ତ ସାଧନ କରନ୍ତି।

7 କିନ୍ତୁ ପ୍ରତ୍ୟେକ ଜଣକୁ ଆତ୍ମାଙ୍କ ଗୁଣପ୍ରକାଶକ ଦାନ ସାଧାରଣ ହିତ ନିମନ୍ତେ ପ୍ରଦତ୍ତ ହୁଏ।

8 କାରଣ ଜଣକୁ ଆତ୍ମାଙ୍କ ଦ୍ୱାରା ବୁଦ୍ଧିର ବାକ୍ୟ, ଅନ୍ୟ ଜଣକୁ ସେହି ଆତ୍ମାଙ୍କ ଶିକ୍ଷାନୁଯାୟୀ ଜ୍ଞାନର ବାକ୍ୟ,

9 ଅପର ଜଣକୁ ସେହି ଆତ୍ମାଙ୍କ ଦ୍ୱାରା ବିଶ୍ୱାସ, ଆଉ ଜଣକୁ ସେହି ଏକ ଆତ୍ମାଙ୍କ ଦ୍ୱାରା ଆରୋଗ୍ୟ କରିବାର ଶକ୍ତି,

10 ଅନ୍ୟ ଜଣକୁ ନାନା ଶକ୍ତିର କାର୍ଯ୍ୟ ସାଧନ କରିବାର, ଆଉ ଜଣକୁ ଭାବବାଣୀ କହିବାର, ଅନ୍ୟ ଜଣକୁ ଭିନ୍ନ ଭିନ୍ନ ଆତ୍ମା ଚିହ୍ନିବାର, ଆଉ ଜଣକୁ ବିଭିନ୍ନ ପରଭାଷା କହିବାର, ଅନ୍ୟ ଜଣକୁ ଭାଷାର ଅର୍ଥ କରିବାର ଶକ୍ତି ଦାନ କରାଯାଏ।

11 କିନ୍ତୁ ସେ ଏକମାତ୍ର ଆତ୍ମା ଆପଣା ଇଚ୍ଛାନୁସାରେ ପ୍ରତ୍ୟେକ ଜଣକୁ ପୃଥକ୍‍ ପୃଥକ୍‍ ରୂପେ ଦାନ ବିତରଣ କରି ଏହିସମସ୍ତ କର୍ମ ସାଧନ କରନ୍ତି।

12 କାରଣ ଯେପରି ଶରୀର ଏକ, ଆଉ ସେଥିର ଅଙ୍ଗପ୍ରତ୍ୟଙ୍ଗ ଅନେକ, ମାତ୍ର ଶରୀରର ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ଅନେକ ହେଲେ ହେଁ ଏକ ଶରୀର ଅଟେ, ସେହିପରି ମଧ୍ୟ ଖ୍ରୀଷ୍ଟ।

13 ଯେଣୁ ଆମ୍ଭେମାନେ ଯିହୁଦୀ ହେଉ ବା ଗ୍ରୀକ୍‍ ହେଉ, ଦାସ ହେଉ ବା ସ୍ୱାଧୀନ ହେଉ, ସମସ୍ତେ ତ ଏକ ଆତ୍ମାଙ୍କ ଦ୍ୱାରା ଏକ ଶରୀର ହେବା ଉଦ୍ଦେଶ୍ୟରେ ବାପ୍ତିଜିତ ହୋଇଅଛୁ; ଆଉ ସମସ୍ତେ ଏକ ଆତ୍ମାରୁ ପାନ କରିଅଛ।

14 କାରଣ ଶରୀର ତ ଏକ ଅଙ୍ଗ ନୁହେଁ, ମାତ୍ର ଅନେକ।

15 ପାଦ ଯଦି କହେ, ମୁଁ ହାତ ନୁହେଁ, ତେଣୁ ଶରୀରର ଅଙ୍ଗ ନୁହେଁ, ତେବେ ଏଥିସକାଶେ ତାହା ଯେ ଶରୀରର ଅଙ୍ଗ ନୁହେଁ, ତାହା ନୁହେଁ।

16 ପୁଣି କାନ ଯଦି କହେ, ମୁଁ ଆଖି ନୁହେଁ, ତେଣୁ ଶରୀରର ଅଙ୍ଗ ନୁହେଁ, ତେବେ ଏଥିସକାଶେ ତାହା ଯେ ଶରୀରର ଅଙ୍ଗ ନୁହେଁ, ତାହା ନୁହେଁ।

17 ସମସ୍ତ ଶରୀର ଯଦି ଚକ୍ଷୁ ହୁଏ, ତେବେ ଶ୍ରବଣ କେଉଁଠାରେ ସମସ୍ତ ଶରୀର ଯଦି କର୍ଣ୍ଣ ହୁଏ, ତେବେ ଆଘ୍ରାଣ କେଉଁଠାରେ।

18 କିନ୍ତୁ ଈଶ୍ୱର ଅଙ୍ଗପ୍ରତ୍ୟଙ୍ଗକୁ ଗୋଟି ଗୋଟି କରି ଶରୀରରେ ଆପଣା ଇଚ୍ଛାନୁସାରେ ଖଞ୍ଜିଅଛନ୍ତି।

19 ଆଉ, ଯଦି ସେସମସ୍ତ ଗୋଟିଏ ଅଙ୍ଗ ହୋଇଥାଆନ୍ତା, ତେବେ ଶରୀର କେଉଁଠାରେ।

20 କିନ୍ତୁ ପ୍ରକୃତରେ ଅଙ୍ଗପ୍ରତ୍ୟଙ୍ଗ ଅନେକ, ମାତ୍ର ଶରୀର ଏକ।

21 ତୋ'ଠାରେ ମୋହର ପ୍ରୟୋଜନ ନାହିଁ ବୋଲି ଆଖି ହାତକୁ କହି ପାରେ ନାହିଁ, କିଅବା ତୋ'ଠାରେ ମୋହର ପ୍ରୟୋଜନ ନାହିଁ ବୋଲି ମସ୍ତକ ପାଦକୁ କହି ପାରେ ନାହିଁ।

22 ବରଂ ଅନ୍ୟ ପକ୍ଷରେ ଶରୀରର ଯେସମସ୍ତ ଅଙ୍ଗପ୍ରତ୍ୟଙ୍ଗ ଅଧିକ ଦୁର୍ବଳ ବୋଲି ବୋଧ ହୁଏ, ସେହିସବୁ ଏକା; ପ୍ରୟୋଜନୀୟ;

23 ପୁଣି, ଶରୀରର ଯେଉଁସବୁ ଅଙ୍ଗ ଅଧିକ ଆଦରହୀନ ବୋଲି ଆମ୍ଭମାନଙ୍କୁ ବୋଧ ହୁଏ, ସେହିସବୁ ଅଙ୍ଗକୁ ଆମ୍ଭେମାନେ ଅଧିକତର ସମାଦରରେ ଭୂଷିତ କରୁ; ଆଉ ଆମ୍ଭମାନଙ୍କ ଅସୁନ୍ଦର ଅଙ୍ଗଗୁଡ଼ିକ ଅଧିକତର ଶୋଭାଯୁକ୍ତ ହୁଏ,

24 କିନ୍ତୁ ଆମ୍ଭମାନଙ୍କର ସୁନ୍ଦର ଅଙ୍ଗଗୁଡ଼ିକର ଶୋଭାଯୁକ୍ତ ହେବା ପ୍ରୟୋଜନ ନାହିଁ।

25 ମାତ୍ର ଯେପରି ଶରୀର ମଧ୍ୟରେ ବିଭେଦ ନ ଘଟେ, ବରଂ ଅଙ୍ଗପ୍ରତ୍ୟଙ୍ଗ ସମଭାବରେ ପରସ୍ପରର ମଙ୍ଗଳ ଚିନ୍ତା କରନ୍ତି, ଏଥିପାଇଁ ଈଶ୍ୱର ଆଦରହୀନ ଅଙ୍ଗକୁ ଅଧିକତର ସମାଦର ଦେଇ ଶରୀରକୁ ସଙ୍ଗଠନ କରିଅଛନ୍ତି।

26 ଆଉ, ଗୋଟିଏ ଅଙ୍ଗ ଦୁଃଖଭୋଗ କଲେ ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ତା'ର ସହିତ ଦୁଃଖଭୋଗ କରନ୍ତି, କିମ୍ବା ଗୋଟିଏ ଅଙ୍ଗ ଗୌରବପ୍ରାପ୍ତ ହେଲେ ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ତା'ର ସହିତ ଆନନ୍ଦ କରନ୍ତି।

27 ତୁମ୍ଭେମାନେ ଖ୍ରୀଷ୍ଟଙ୍କ ଶରୀର, ଆଉ ଏକ ଏକ ଜଣ ଏକ ଏକ ଅଙ୍ଗସ୍ୱରୂପ। ରୋମୀ. 12:5 ଏଫି. 5:30।

28 ପୁଣି, ଈଶ୍ୱର ମଣ୍ଡଳୀରେ ପ୍ରଥମରେ ପ୍ରେରିତ, ଦ୍ୱିତୀୟରେ ଭାବବାଦୀ, ତୃତୀୟରେ ଶିକ୍ଷକ, ଏହିପରି ବିଭିନ୍ନ ବ୍ୟକ୍ତିଙ୍କୁ ନିଯୁକ୍ତ କରିଅଛନ୍ତି; ପରେ ଶକ୍ତିର କାର୍ଯ୍ୟ, ତକ୍ସଊରେ ଆରୋଗ୍ୟ କରିବାର ଶକ୍ତି, ପରୋପକାରିତା, ପରିଚାଳନାର କ୍ଷମତା ଓ ବିଭିନ୍ନ ପରଭାଷା ଦାନ କରିଅଛନ୍ତି।

29 ସମସ୍ତେ କି ପ୍ରେରିତ ସମସ୍ତେ କି ଭାବବାଦୀ ସମସ୍ତେ କି ଶିକ୍ଷକ ସମସ୍ତେ କି ଶକ୍ତିର କାର୍ଯ୍ୟସାଧକ।

30 ସମସ୍ତେ କି ଆରୋଗ୍ୟ କରିବାର ଶକ୍ତି ପାଇଅଛନ୍ତି ସମସ୍ତେ କି ପରଭାଷାରେ କଥା କହନ୍ତି ସମସ୍ତେ କି ଭାଷାର ଅର୍ଥ କରନ୍ତି।

31 କିନ୍ତୁ ଶ୍ରେଷ୍ଠ ଦାନସମସ୍ତ ପାଇବା ନିମନ୍ତେ ଏକା; ଚେଷ୍ଟା କର। ଅଧିକନ୍ତୁ ମୁଁ ତୁମ୍ଭମାନଙ୍କୁ ଗୋଟିଏ ଉତ୍କୃଷ୍ଟତର ପଥ ଦେଖାଉଅଛି।