1 ଅନନ୍ତର ସୋରର ରାଜା ହୀରମ୍ ଦାଉଦଙ୍କ ନିକଟକୁ ଦୂତଗଣ ଓ ତାଙ୍କ ପାଇଁ ଗୃହ ନିର୍ମାଣ କରିବାକୁ ଏରସ କାଷ୍ଠ ଓ ରାଜମିସ୍ତ୍ରୀ ଓ ବଢ଼େଇମାନଙ୍କୁ ପଠାଇଲା।
2 ତହିଁରେ ସଦାପ୍ରଭୁ ଯେ ଦାଉଦଙ୍କୁ ଇସ୍ରାଏଲର ରାଜପଦରେ ସ୍ଥିର କଲେ, ଏହା ସେ ବୁଝିଲେ, କାରଣ ତାହାଙ୍କ ଲୋକ ଇସ୍ରାଏଲ ସକାଶୁ ତାଙ୍କର ରାଜ୍ୟ ଉନ୍ନତିପ୍ରାପ୍ତ ହୋଇଥିଲା।
3 ପୁଣି ଦାଉଦ ଯିରୂଶାଲମରେ ଆହୁରି ଭାର୍ଯ୍ୟା ଗ୍ରହଣ କଲେ; ତହିଁରେ ଦାଉଦଙ୍କର ଆହୁରି ପୁତ୍ରକନ୍ୟା ଜାତ ହେଲେ।
4 ଯିରୂଶାଲମରେ ତାଙ୍କର ଯେ ଯେ ସନ୍ତାନ ଜନ୍ମିଲେ, ସେମାନଙ୍କର ନାମ; ଶମ୍ମୁୟ, ଶୋବବ, ନାଥନ, ଶଲୋମନ।
5 ଓ ଯିଭର, ଇଲୀଶୂୟ, ଇଲ୍ପେଲଟ୍।
6 ଓ ନୋଗହ, ନେଫଗ, ଯାଫୀୟ।
7 ଓ ଇଲୀଶାମା, ବୀଲୀୟାଦା ଓ ଇଲୀଫେଲଟ୍।
8 ଏଉତ୍ତାରେ ଦାଉଦ ସମୁଦାୟ ଇସ୍ରାଏଲ ଉପରେ ରାଜାଭିଷିକ୍ତ ହୋଇଅଛନ୍ତି, ଏହା ପଲେଷ୍ଟୀୟମାନେ ଶୁଣନ୍ତେ, ସମସ୍ତ ପଲେଷ୍ଟୀୟ ଲୋକ ଦାଉଦଙ୍କୁ ଅନ୍ୱେଷଣ କରିବାକୁ ଗଲେ; ତହୁଁ ଦାଉଦ ତାହା ଶୁଣି ସେମାନଙ୍କ ବିରୁଦ୍ଧରେ ବାହାରିଲେ।
9 ଏହି ସମୟରେ ପଲେଷ୍ଟୀୟମାନେ ରଫାୟୀମ ତଳଭୂମିରେ ଚଢ଼ାଉ କରିଥିଲେ।
10 ଏଥିରେ ଦାଉଦ ପରମେଶ୍ୱରଙ୍କୁ ପଚାରି କହିଲେ, ମୁଁ କ'ଣ ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଉଠି ଯିବି ? ତୁମ୍ଭେ କ'ଣ ସେମାନଙ୍କୁ ମୋ' ହସ୍ତରେ ସମର୍ପଣ କରିବ ? ତହିଁରେ ସଦାପ୍ରଭୁ ତାଙ୍କୁ କହିଲେ, ଉଠି ଯାଅ, କାରଣ ଆମ୍ଭେ ସେମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରିବା।
11 ତହୁଁ ସେମାନେ ବାଲ୍-ପରାସୀମ୍କୁ ଆସନ୍ତେ, ଦାଉଦ ସେଠାରେ ସେମାନଙ୍କୁ ଆଘାତ କଲେ; ତହିଁରେ ଦାଉଦ କହିଲେ, ପରମେଶ୍ୱର ମୋ' ହସ୍ତରେ ମୋହର ଶତ୍ରୁମାନଙ୍କୁ ଜଳ ଦ୍ୱାରା ସେତୁଭଙ୍ଗ ତୁଲ୍ୟ ଭଗ୍ନ କରିଅଛନ୍ତି। ଏହେତୁ ସେମାନେ ସେହି ସ୍ଥାନର ନାମ ବାଲ୍-ପରାସୀମ୍ ରଖିଲେ।
12 ଆଉ ସେଠାରେ ସେମାନେ ଆପଣାମାନଙ୍କ ଦେବତାମାନଙ୍କୁ ଛାଡ଼ି ଯାଇଥିଲେ; ପୁଣି ଦାଉଦ ଆଜ୍ଞା କରନ୍ତେ, ସେସବୁ ଅଗ୍ନିରେ ଦଗ୍ଧ କରାଗଲା।
13 ଅନନ୍ତର ପଲେଷ୍ଟୀୟମାନେ ପୁନର୍ବାର ତଳିଭୂମିରେ ଚଢ଼ାଉ କଲେ।
14 ତହିଁରେ ଦାଉଦ ପରମେଶ୍ୱରଙ୍କୁ ପୁନର୍ବାର ପଚାରନ୍ତେ, ପରମେଶ୍ୱର ତାଙ୍କୁ କହିଲେ, ତୁମ୍ଭେ ସେମାନଙ୍କ ପଶ୍ଚାତ୍ ଯାଅ ନାହିଁ; ସେମାନଙ୍କ ନିକଟରୁ ଫେରିଯାଇ ତୂତବୃକ୍ଷ ସମ୍ମୁଖରେ ସେମାନଙ୍କୁ ଆକ୍ରମଣ କର।
15 ପୁଣି ତୁମ୍ଭେ ତୂତବୃକ୍ଷ ତୋଟା ଉପରେ ସୈନ୍ୟଗମନର ଶବ୍ଦ ଶୁଣିଲେ, ଯୁଦ୍ଧକୁ ବାହାରିବ; କାରଣ ପରମେଶ୍ୱର ପଲେଷ୍ଟୀୟ ସୈନ୍ୟଦଳକୁ ଆଘାତ କରିବା ପାଇଁ ତୁମ୍ଭ ସମ୍ମୁଖରେ ଅଗ୍ରସର ହେବେ।
16 ତହିଁରେ ପରମେଶ୍ୱର ଯେପରି ଆଜ୍ଞା କଲେ, ଦାଉଦ ସେପରି କଲେ; ପୁଣି ସେମାନେ ଗିବୀୟୋନ୍ଠାରୁ ଗେଷର୍ ପର୍ଯ୍ୟନ୍ତ ପଲେଷ୍ଟୀୟ ସୈନ୍ୟଦଳକୁ ଆଘାତ କଲେ।
17 ତହିଁରେ ଦାଉଦଙ୍କର ସୁଖ୍ୟାତି ସର୍ବଦେଶରେ ବ୍ୟାପିଗଲା; ପୁଣି ସଦାପ୍ରଭୁ ସବୁ ଗୋଷ୍ଠୀ ମଧ୍ୟରେ ତାଙ୍କ ବିଷୟରେ ଭୟ ଜନ୍ମାଇଲେ।